ସିଂହାସନର ସର୍ତ୍ତ-୨
ସିଂହାସନର ସର୍ତ୍ତ-୨
ପରଦିନ ପୁଣି ଶୁଭ ମୁହୂର୍ତ୍ତ ଦେଖି ଭୋଜରାଜ ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ଦ୍ୱିତୀୟ ପୁତ୍ତଳିକା ଚିତ୍ରଲେଖା ମୁର୍ତିମତୀ ହୋଇ ଆଗରେ ପଥ ଓଗାଳି କହିଲା “ମହାରାଜ! ଟିକିଏ ରୁହନ୍ତୁ, ଆଗ ମୋ କଥା ଶୁଣନ୍ତୁ ତାପରେ ବିଚାର କରି ଦେଖନ୍ତୁ ଆପଣ ଏଥିପାଇଁ ଉପଯୁକ୍ତ କି ନୁହେଁ । ତାପରେ ଯାହା କରିବେ ।
ଭୋଜରାଜଙ୍କ ପାଦ ଅଟକି ଗଲା । ଚିତ୍ରଲେଖା କହି ଚାଲିଲା; ଚମତ୍କାରୀ ସିଂହାସନ ପ୍ରାପ୍ତିପରେ ମହାରାଜା ବିକ୍ରମାଦିତ୍ୟଙ୍କର ଯଶଖ୍ୟାତି ଚାରିଆଡେ ବ୍ୟାପିଲା । ପ୍ରଜାମାନେ ସୁଖ ଶାନ୍ତିରେ ବାସ କରିଲେ । କାହାର କିଛି ଦୁଃଖ ଅଭାବ ରହିଲା ନାହିଁ । ଦିନେ ମହାରାଜା ଶିକାର କରିବାକୁ ଯାଇ ଏକ ପାହାଡ ଉପରେ ପହଁଚି ଦେଖିଲେ ଯେ ଜଣେ ସାଧୁ ତପସ୍ୟା କରୁଛନ୍ତି । ଧ୍ୟାନମଗ୍ନ ଅବସ୍ଥାରେ ସାଧୁଙ୍କୁ ଭକ୍ତିପୂତ ପ୍ରଣାମ କରି ଫେରିଯିବା ସମୟରେ ପଛରୁ ଡାକ ଶୁଭିଲା । “ମହାରାଜା ବିକ୍ରମାଦିତ୍ୟ! ଋୁହ” ବିକ୍ରମାଦିତ୍ୟ ଅଟକିଗଲେ ।
ସାଧୁ ବିକ୍ରମାଦିତ୍ୟଙ୍କୁ ଗୋଟିଏ ଫଳଦେଇ କହିଲେ, “ମୁଁ ତମର ଶିଷ୍ଟତା, ଭକ୍ତିରେ ସନ୍ତୁଷ୍ଟ, ଏହି ଫଳଟି ନିଅ । ଏହାକୁ ଖାଇଲେ ତୁମର ବଳିଷ୍ଠ, ତେଜସ୍ୱୀ ପୁତ୍ରଟିଏ ଜାତହେବ ।” ବିକ୍ରମାଦିତ୍ୟ ଫଳନେଇ ପୁଣିଥରେ ସାଧୁଙ୍କୁ ପ୍ରଣାମ କରି ଫେରିଲେ । ରାସ୍ତାରେ ଦେଖିଲେ ଜଣେ ସ୍ତ୍ରୀଲୋକ ଦୌଡି ଚାଲିଛି । ସେ ଦୁଃଖରେ ଥିବା ପରି ଜଣା ପଡୁଥାଏ । ବିକ୍ରମାଦିତ୍ୟ ତାକୁ ଅନୁସରଣ କଲେ । ଏକ ପରିତ୍ୟକ୍ତ କୁଅକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ମହାରାଜ ତାକୁ ଧରିନେଲେ ଏବଂ ଆତ୍ମହତ୍ୟାର କାରଣ ପଚାରିଲେ ।
ସ୍ତ୍ରୀ ଲୋକଟି କହିଲା, “ମୋର ପିଲାଛୁଆ ହେଉ ନଥିବାରୁ, ମୋ ସ୍ୱାମୀ ନିଇତି ମାଡ ମାରୁଛି । ତେଣୁ ମୁଁ ଜୀବନ ହାରି ଦେବାକୁ ଚାହୁଁଛି ।” ମହାରାଜ ତା’ର ଦୁଃଖରେ ସମବେଦନା ଜଣାଇ ତାଙ୍କୁ ଫଳଟି ଦେଇ କହିଲେ, “ଏହାକୁ ନିଅ । ତମ ସ୍ୱାମୀଙ୍କୁ ଖୁଆଇଦେବ । ତମର ନିଶ୍ଚିତ ପୁତ୍ରହେବ ।” ସ୍ତ୍ରୀ ଲୋକଟି ରାଜାଙ୍କୁ ଧନ୍ୟବାଦ ଦେଇ ଚାଲିଗଲା ।
କିଛିଦିନ ପରେ ମହାରାଜା ବିକ୍ରମାଦିତ୍ୟଙ୍କ ଦରବାରକୁ ଜଣେ ସାଧୁ ଆସିଲେ । ସେ ବିକ୍ରମାଦିତ୍ୟଙ୍କୁ ଫଳଟିକୁ ଦେଇ କହିଲେ, “ଆଜ୍ଞା ଏ ଏକ ଚମତ୍କାରୀ ଫଳ । ମୋ ପ୍ରେମିକା ମୋତେ ଦେଇଥିଲା । ମାତ୍ର ମୁଁ ଭାବିଲି ଏହାର ଉପଯୁକ୍ତ ଅଧିକାରୀ ଆପଣ । କାରଣ ଆପଣଙ୍କର ତେଜସ୍ୱୀ, ବଳବାନ୍ ପୁତ୍ର ହେଲେ ଦେଶର ମଙ୍ଗଳ ସାଧିତ ହେବ ।” ମହାରାଜ ଫଳନେଇ ସେଇ ସାଧୁକୁ ପୁରସ୍କାର ଦେଇ ବିଦାୟ ଦେଲେ । ନାରୀ ଜାତିର କୃତଘ୍ନତା ସଂପର୍କରେ ଅବଗତ ହୋଇ ରାଜାଙ୍କ ମନରେ ଦୁଃଖ ଆସିଲା । ଏଣୁ ସେ ଫଳଟିକୁ ଅନ୍ୟ କାହାକୁ ନ ଦେଇ ନିଜର ପ୍ରିୟତମା ରାଣୀଙ୍କ ହାତରେ ଅର୍ପଣ କଲେ, କାରଣ ରାଣୀଙ୍କୁ ସେ ପ୍ରାଣଦେଇ ଭଲ ପାଉଥିଲେ ଏବଂ ବିଶ୍ୱାସ ମଧ୍ୟ କରୁଥିଲେ ।
ପୁଣି କିଛିଦିନ ବିତିଯିବା ପରେ ନଗରୀର ଜଣେ ଗଣିକା ଆସି ମହାରାଜାଙ୍କୁ ସାକ୍ଷାତ କରିବାକୁ ଚାହିଁଲା ଏବଂ ଏକାନ୍ତରେ କିଛି ମୂଲ୍ୟବାନ ଦ୍ରବ୍ୟ ଦେବାପାଇଁ ଇଚ୍ଛା ପ୍ରକାଶ କଲା । ରାଜକର୍ମଚାରୀଙ୍କ ବିରୋଧ ସତ୍ୱେ ସେ ଜିଦରେ ବସିଲା । ଏ କଥା ଜାଣି ମହାରାଜା ଅନୁମତି ପ୍ରଦାନ କଲେ । ଗଣିକା ଜଣକ ଏକାନ୍ତ କକ୍ଷରେ ମହାରାଜାଙ୍କୁ ପ୍ରଣାମ କରି କହିଲା, “ମହାରାଜ! ମୁଁ ଆପଣଙ୍କ ପାଇଁ ଏକ ଅମୂଲ୍ୟ ଚମତ୍କାରୀ ଦ୍ରବ୍ୟ ଆଣିଛି ଯାହାକୁ ଖାଇଲେ ଆପଣଙ୍କର ତେଜସ୍ୱୀ, ଗୁଣବାନ୍ ପୁତ୍ର ପ୍ରାପ୍ତହେବ । ମୁଁ ତ ଛାର ଗଣିକାଟିଏ । ମୋର ଏହା କୌଣସି କାମରେ ଲାଗିବ ନାହିଁ ଜାଣି ମୁଁ ତାହା ମଣିମାଙ୍କ ପାଇଁ ଆଣିଛି । ଆପଣ ସାଦରେ ଗ୍ରହଣ କଲେ ମୋର ଦାନ ସାର୍ଥକ ହେବ । ଏହାକୁ ମୋର ପ୍ରେମିକ ନଗର କଟୁଆଳ ମୋତେ ଦେଇଥିଲେ, “ଏହାକହି ଗଣିକା ରାଜାଙ୍କୁ ଫଳଟି ଦେଲା ।
ମହାରାଜ ଫଳଟିକୁ ବେଶ୍ ଚିହ୍ନିପାରିଲେ । ଅବିକଳ ସେଇ ଫଳଟି ଯାହା ତାଙ୍କୁ ସିଦ୍ଧ ସାଧୁଜଣକ ଦେଇଥିଲେ । କିଛି ନ କହି ଗଣିକାକୁ ପ୍ରଶଂସା କରିବା ସହିତ ପୁରସ୍କାର ଦେଇ ପଠାଇଦେଲେ । ପ୍ରିୟତମା ରାଣୀ ଯେ ଚରିତ୍ରହୀନା ଏବଂ ତାଙ୍କର ଗୋପନ ସଂପର୍କ ନଗର କଟୁଆଳ ସହିତ ରହିଛି, ଏ କଥା ଜାଣିବା ମାତ୍ରେ ସେ ଆକାଶରୁ ଖସି ପଡିଲେ । ହୃଦୟ କରତି ଗଲା । ମନ ବିଷର୍ଣ୍ଣ ହୋଇଗଲା । ତଥାପି ନିଶ୍ଚିତ ହେବାପାଇଁ ରାଣୀ ଅନ୍ତଃପୁରକୁ ଯାଇ ସେ ଦେଇଥିବା ଫଳ ସମ୍ପର୍କରେ ପଚାରିଲେ ।
ମହାରାଣୀ ଅଭିନେତ୍ରୀ ଭଳି ଉତ୍ତର ଦେଲେ, “ଆପଣଙ୍କର କ’ଣ ସନ୍ଦେହ ହେଉଛି? ମୁଁ ପରା ସେଇଦିନ ଆପଣ ଦେବାମାତ୍ରେ ଫଳକୁ ଖାଇ ଦେଇଥିଲି । ମହାରାଜ ଧରିଥିବା ଫଳଟିକୁ ଦେଖାଇ କହିଲେ, “ତେବେ ଏଇଟା କ’ଣ? ସତକୁହ ତମେ କାହାକୁ ଦେଇଥିଲ ମୋ ପ୍ରଦତ୍ତ ଫଳଟିକୁ?”
ଆଖି ସାମନାରେ ଫଳଟିକୁ ଦେଖି ମହାରାଣୀ ହତବାକ୍ ହୋଇଗଲେ । ସଙ୍ଗେ ସଙ୍ଗେ ଚେତା ହରାଇ ଭୂମିପରେ ଲୋଟି ପଡିଲେ । ଗଭୀର ଦୁଃଖ ଏବଂ ଅବଶୋଷ ନେଇ ମହାରାଜ ପୁଣି ଥରେ ରାଜ୍ୟଛାଡି ଘନ ଜଙ୍ଗଲରେ ଯାଇ ସାଧନା ରତ ହେଲେ ।
ଏକଥା ଜାଣି ଦେବରାଜ ଚିନ୍ତିତ ହୋଇ ପଡିଲେ । କାରଣ ଦେବତା ଏବଂ ମାନବଙ୍କର ପ୍ରିୟ ମହାରାଜ ବିକ୍ରମାଦିତ୍ୟଙ୍କ ଆବର୍ତ୍ତମାନରେ ତାଙ୍କ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇପାରେ । ଅନ୍ୟ କେହି ଶତ୍ରୁ ଆକ୍ରମଣ କରିପାରେ । ଏଣୁ ସେ ବିକ୍ରମାଦିତ୍ୟଙ୍କ ରାଜ୍ୟ ସୁରକ୍ଷାପାଇଁ ଜଣେ ଦେବଙ୍କୁ ପଠାଇଲେ । ସେ ଆସି ରାଜ୍ୟର ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଚାଲିଲେ ।
ମହାରାଜ ବିକ୍ରମାଦିତ୍ୟ ତପସ୍ୟାରୁ ବିରତ ହୋଇ ନିଜ ରାଜ୍ୟକୁ ଫେରିବା ମାତ୍ରେ ଦେବ ଜଣକ ବାଧା ଦେଲେ । ସେ ତାଙ୍କୁ ରାଜାବୋଲି ସ୍ୱୀକାର କରିବାକୁ ରାଜି ହେଲେ ନାହିଁ । ମଲ୍ଲଯୁଦ୍ଧ ପାଇଁ ଆହ୍ୱାନ ଦେଲେ । ବିକ୍ରମାଦିତ୍ୟ ସମ୍ମତ ହେଲେ । ଶେଷରେ ଦେବ ଜଣକ ପରାସ୍ତ ହୋଇ ନିଜର ପରିଚୟ ଦେଲେ । ମହାରାଜ ଖୁସି ହୋଇ ଦେବରାଜଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଉପହାର ଦେଇ ତାଙ୍କୁ ବିଦାୟ ଦେବାକୁ ଚାହିଁଲେ ।
ଦେବଜଣକ ବିଦାୟ ନେବା ପୂର୍ବରୁ କହିଲେ, “ମହାରାଜ! ମୁଁ ଆପଣଙ୍କୁ ଗୋଟିଏ କଥା କହିଯାଉଛି । ସେଥିପ୍ରତି ଦୃଷ୍ଟି ଦେଇ ସତର୍କ ରହିଲେ ଆପଣ ନିରଙ୍କୁଶ ରାଜ ଚକ୍ରବର୍ତ୍ତି ସମ୍ରାଟ ରୂପେ ସୁଶାସନ କରି ପାରିବେ । ପୂର୍ବ ଜନ୍ମର ଜଣେ ଶତ୍ରୁ ଏ ଜନ୍ମରେ ଆପଣଙ୍କୁ ବିନାଶ କରିବା ପାଇଁ ଯୋଗୀ ବେଶରେ ସାଧନା କରୁଛି । ଆପଣ ତାକୁ ମାରିଦେଇ ପାରିଲେ ହିଁ ଚିରକାଳ ନିରାପଦ ରହିପାରିବେ ।”
ମହାରାଜ ବିକ୍ରମାଦିତ୍ୟ ଦେବଙ୍କୁ ବିଦାୟ ଦେଇ ରାଜମହଲରେ ପ୍ରବେଶ କରି ଜାଣିଲେ ଯେ ମହାରାଣୀ ନିଜ କୃତ କର୍ମର ପ୍ରାୟଶ୍ଚିତ ପାଇଁ ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ରାଣୀଙ୍କ ସ୍ମୃତି ପୋଛି ଦେଇ ସେ ରାଜକାର୍ଯ୍ୟରେ ମନ ଲଗାଇଲେ । କିଛି ଦିନପରେ ତାଙ୍କ ଦରବାରରେ ଜଣେ ଯୋଗୀ ଆସି ପହଁଚିଲେ । ସେ ରାଜାଙ୍କୁ ବହୁ ଚମତ୍କାରୀ ଦ୍ରବ୍ୟ ଦେଖାଇଲେ । ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ପୁରସ୍କାର ଦେବାକୁ ଚାହିଁବାରୁ ଯୋଗୀ ଜଣକ କହିଲେ, “ମହାରାଜ ଯଦି ଆପଣ ମୋତେ କିଛି ଦେବାକୁ ଚାହାଁନ୍ତି ତେବେ ମୋତେ ଗୋଟିଏ କାର୍ଯ୍ୟରେ ସାହାଯ୍ୟ କରନ୍ତୁ । ଏଥିପାଇଁ ସତ୍ୟକଲେ ହିଁ ମୁଁ ମୋର ଅଭିପ୍ରାୟ ପ୍ରକାଶ କରିବି ।
ମହାରାଜା ସତ୍ୟବଦ୍ଧ ହେବା ପରେ ଯୋଗୀ ତାଙ୍କୁ ନିଜ ସଙ୍ଗରେ ଏକ ଶ୍ମଶାନକୁ ଡାକିନେଇ କହିଲା, “ଦେଖି ପାରୁଛନ୍ତି ମହାରାଜ! ସେଇ ଗଛରେ ଏକ ଶବ ବେତାଳ ହୋଇ ଓଲଟା ଝୁଲୁଛି । ମୋ ସାଧନାର ସିଦ୍ଧିପାଇଁ ସେଇ ବେତାଳର ଆବଶ୍ୟକତା ରହିଛି । ଆପଣ ତାକୁ ଆଣିଦେଇ ପାରିଲେ, ମୋର ଶ୍ରମ ସାଧନା ସାର୍ଥକ ହେବ ।”
ମହାରାଜ ବେତାଳକୁ ଗଛରୁ ଆଣି କାନ୍ଧରେ ପକାଇବା ମାତ୍ରେ ସେ କାହାଣୀଟିଏ ଶୁଣାଇଲା । ସାମାନ୍ୟ ଅସାବଧାନ ହେବା କ୍ଷଣି ପୁଣି ଯାଇ ଗଛରେ ଝୁଲିପଡିଲା । ଏମିତି ଭାବରେ ମହାରାଜ ବେତାଳକୁ ଚବିଶଥର ଗଛରୁ ଓହ୍ଲାଇ ଆଣି କାନ୍ଧରେ ପକାଇ ଚାଲିଲେ । ପ୍ରତିଥର ସେ ଏକ କାହାଣୀ କହେ ଏବଂ ସୁଯୋଗ ଉଣ୍ଡି କାନ୍ଧରୁ ଯାଇ ଗଛରେ ଓହଳି ପଡେ । ପଚିଶତମଥର ସମୟରେ ସେ ବିକ୍ରମାଦିତ୍ୟଙ୍କୁ ଅସଲ କଥାଟି କହିଲା ।
“ଯେଉଁ ଯୋଗୀ ପାଇଁ ତୁ ମୋତେ ନେଉଛୁ, ସେ ଗୋଟିଏ ଭଣ୍ଡ ତାନ୍ତ୍ରିକ, ମାୟାବୀ, ପ୍ରତାରକ । ସିଦ୍ଧିପାଇଁ ସେ ତୋତେ ବଳି ଦେବାକୁ ଚାହେଁ, ଆଜିତାର ଅନ୍ତିମ ପୂଜା । ମୁଁ ଯେଉଁ ପରି କହୁଛି ସେପରି କରିପାରିଲେ ତୁ ଦେବୀଙ୍କର ଆଶୀର୍ବାଦ ଲାଭ କରିପାରିବୁ ଏବଂ ତୋ’ର ସର୍ବମଙ୍ଗଳ ସାଧିତ ହେବ । ନ ହେଲେ ତୁ ମରିବୁ ।”
ଯୋଗୀ ମୁଣ୍ଡିଆ ମାରିବା କ୍ଷଣି ମହାରାଜା ତରବାରୀରେ ତାକୁ ହତ୍ୟାକଲେ । ବଳିପାଇ ଦେବୀ ସନ୍ତୁଷ୍ଟ ହୋଇ ତାଙ୍କୁ ବରଦାନ କଲେ । ଦୁଇ ବେତାଳଙ୍କୁ ସେବକରୂପେ ପ୍ରଦାନ କଲେ । ଏହାପରେ ବିକ୍ରମାଦିତ୍ୟ ଦେବୀଙ୍କୁ ପ୍ରଣାମ କରି ରାଜ୍ୟକୁ ଫେରିଲେ ।
କାହାଣୀ ଶୁଣାଇ ସାରି ଚିତ୍ରଲେଖା କହିଲା, “ଏବେ କୁହନ୍ତୁ । ଆପଣ କ’ଣ ମହାରାଜ ବିକ୍ରମାଦିତ୍ୟଙ୍କ ପରି ତ୍ୟାଗ ସ୍ୱୀକାର କରିଛନ୍ତି? ସାଧନା କରିଛନ୍ତି? ବେତାଳଙ୍କ ପ୍ରଭୁ ସାଜିଛନ୍ତି? ତେବେ ସିଂହାସନ ଆରୋହଣ କରନ୍ତୁ । ନଚେତ୍ ଦୂରେଇ ରହନ୍ତୁ ।”
ଭୋଜରାଜ ଆଉ ସିଂହାସନ ଆରୋହଣ ପାଇଁ ମନ ନ ବଳାଇ ମହଲକୁ ଫେରି ବିଶ୍ରାମ କଲେ ।
