STORYMIRROR

mu odia

Others

3  

mu odia

Others

ସିଂହାସନର ସର୍ତ୍ତ-୧

ସିଂହାସନର ସର୍ତ୍ତ-୧

3 mins
305

ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରୁହନ୍ତୁ ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା:

  ବହୁ ପୁରୁଣା କାଳର କଥା । ଆର୍ଯ୍ୟାବର୍ତ୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି କରୁଥିଲେ । ସେ ବର୍ଣ୍ଣବ୍ୟବସ୍ଥାରେ ବିଶ୍ୱାସ କରୁ ନଥିବାରୁ, ଚାରି ବର୍ଣ୍ଣର ଚାରି କନ୍ୟାଙ୍କୁ ବିବାହ କରିଥିଲେ । ବ୍ରାହ୍ମଣ ବର୍ଣ୍ଣ ରାଣୀଙ୍କ ପାଖରୁ ବ୍ରହ୍ମଣୀତ, କ୍ଷତ୍ରିୟ ବର୍ଣ୍ଣ ରାଣୀଙ୍କ ଗର୍ଭରୁ ଶଙ୍ଖ, ଧନ୍ୱନ୍ତରୀ, ଭର୍ତୃହରି ନାମକ ତିନିପୁତ୍ର । ବୈଶ୍ୟ ପତ୍ନୀଙ୍କ ପାଖରୁ ଚନ୍ଦ୍ର ଏବଂ ଶୂଦ୍ରବର୍ଣ୍ଣ ରାଣୀଙ୍କ ବିକ୍ରମାଦିତ୍ୟ ନାମକ ପୁତ୍ର ଜନ୍ମ ହୋଇଥିଲେ ।

  ସମୟକ୍ରମେ ରାଜା ବ୍ରହ୍ମଣୀତକୁ ରାଜ୍ୟର ଦେୱାନ୍ ପଦରେ ବସାଇଥିଲେ । ମାତ୍ର ଅଶାନ୍ତି, ବିଶୃଙ୍ଖଳା, ଅରାଜକତାର ସାମନା କରି ନ ପାରି ସେ ରାଜ୍ୟ ଛାଡି ଚାଲିଗଲେ । ସେ ଧରାନଗରୀରେ ଆଶ୍ରୟ ନେଇ କୌଶଳକ୍ରମେ ସେଠାକାର ରାଜ୍ୟର ରାଜାଙ୍କୁ ହତ୍ୟା କରି ନିଜେ ରାଜାହୋଇ ଉଜ୍ଜୟିନୀ ଆକ୍ରମଣ ପାଇଁ ଅଗ୍ରସର ହେଲେ । କାରଣ ଉଜ୍ଜୟିନୀ ଥିଲା ଅମ୍ବାବତୀର ରାଜଧାନୀ । ମାତ୍ର ଦୁଃଖର କଥା ଯେ ତାଙ୍କର ଆଶା ସଫଳ ହେଲା ନାହିଁ । ସେ ହଠାତ୍ ଅସୁସ୍ଥ ହୋଇପଡି ମୃତ୍ୟୁ ବରଣ କଲେ ।

  ତେଣେ ରାଜାଙ୍କ କ୍ଷତ୍ରିୟପୁତ୍ର ଶଙ୍ଖ ରାଜ ସିଂହାସନରେ ବସିବା ପାଇଁ ଲାଳାୟିତ ହୋଇଥିଲେ । ମାତ୍ର ତାଙ୍କର ସାନଭାଇ ବିକ୍ରମାଦିତ୍ୟଙ୍କୁ ରାଜା ଖୁବ୍ ଶ୍ରଦ୍ଧା କରୁଥିଲେ । ଏଣୁ ସେ ସୁଯୋଗ ଉଣ୍ଡି ଶୋଇଥିବା ଅବସ୍ଥାରେ ନିଜ ପିତାଙ୍କୁ ହତ୍ୟାକରି ନିଜେ ରାଜାହେଲେ ।

  ଏଇ ଘଟଣାପରେ ଭୟଭୀତ ହୋଇ ଅନ୍ୟ ଚାରିଭାଇ ରାଜ୍ୟଛାଡି ପଳାୟନ କଲେ ଏବଂ ବିତୃଷ୍ଣା ମନୋଭାବ ନେଇ ବିକ୍ରମାଦିତ୍ୟ ମଧ୍ୟ ରଜାହେବା ଲାଳସାରୁ ନିଜକୁ ବଂଚିତ କରି ଜଙ୍ଗଲ ମଧ୍ୟକୁ ପଳେଇଲେ । ଶଙ୍ଖ ନିଜକୁ ନିରଙ୍କୁଶ ରଖିବା ପାଇଁ ଲୋକ ଲଗାଇ ଚାରିଭାଇଙ୍କୁ ହତ୍ୟା କରାଇଲେ ମାତ୍ର ବିକ୍ରମାଦିତ୍ୟଙ୍କର କୌଣସି ସୂଚନା ପାଇଲେ ନାହିଁ । ତାଙ୍କ ମନରେ ସର୍ବଦା ଅନୁସନ୍ଧାନ ଜାରି ରଖି ଏବଂ ଜ୍ୟୋତିଷମାନଙ୍କ ଦ୍ୱାରା ଗଣନା କରାଇ ସେ ଜାଣିବାକୁ ପାଇଲେ ଯେ ବିକ୍ରମାଦିତ୍ୟ ବଂଚିଛନ୍ତି ଏବଂ ତାଙ୍କ ଭାଗ୍ୟରେ ରାଜଯୋଗ ରହିଛି । ସେ ରାଜ୍ୟ ହାସଲ କରି ରାଜଚକ୍ରବର୍ତ୍ତୀ ସମ୍ରାଟ ହେବେ ।

ଗୁପ୍ତଚର ଲଗାଇ ଶଙ୍ଖ ଜାଣିବାକୁ ପାଇଲେ ଯେ ବିକ୍ରମାଦିତ୍ୟ ଘନ ଜଙ୍ଗଲରେ ଏକ ଝରଣା କୂଳରେ ତପସ୍ୟା କରୁଛନ୍ତି । ସେ ଗୋପନରେ ତାଙ୍କୁ ହତ୍ୟା କରିବାର ଯୋଜନା କଲେ ଏବଂ ଜଣେ କାଳୀ ସାଧକ ତାନ୍ତ୍ରିକଙ୍କର ସାହାଯ୍ୟ ନେଲେ । ତାନ୍ତ୍ରିକ ଚତୁରତାର ସହିତ ବିକ୍ରମାଦିତ୍ୟଙ୍କର ପ୍ରିୟଭାଜନ ହୋଇ ତାଙ୍କୁ କାଳୀ ସାଧନା ପ୍ରତି ଆସକ୍ତ କରାଇଲେ ।

  ଜଙ୍ଗଲସ୍ଥିତ କାଳୀମନ୍ଦିରକୁ ଡାକିନେଇ ତାନ୍ତ୍ରିକ ଯେତେବେଳେ ବିକ୍ରମାଦିତ୍ୟଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବାକୁ କହିଲେ, ସେତେବେଳେ ସେ ଯୋଗବଳରେ ତାନ୍ତ୍ରିକର ଅସଲ ଉଦ୍ଧେଶ୍ୟ ଜାଣିପାରି ତାକୁ କିପରି ପ୍ରଣାମ କରିବାକୁ ହେବ ଦେଖାଇ ଦେବାକୁ ଅନୁରୋଧ କଲେ । ତାନ୍ତ୍ରିକ ମୁଣ୍ଡ ନୁଆଁଇବା ମାତ୍ରେ ବିକ୍ରମାଦିତ୍ୟ ଲୁଚିଗଲେ । ହଠାତ୍ ଶଙ୍ଖ ଆସି ବିକ୍ରମାଦିତ୍ୟ ଭାବି ତାନ୍ତ୍ରିକକୁ ହତ୍ୟାକଲେ । କାଳ ବିଳମ୍ବ ନ କରି ବିକ୍ରମାଦିତ୍ୟ ଶଙ୍ଖକୁ ହତ୍ୟାକରି ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ଏବଂ କଟାମୁଣ୍ଡଧରି ଉଜ୍ଜୟିନୀରେ ପ୍ରବେଶ କଲେ । ପ୍ରଜାମାନେ ତାଙ୍କୁ ସାଦରେ ଗ୍ରହଣ କରିନେଲେ । ଶଙ୍ଖଙ୍କ ସମର୍ଥକମାନେ ହାର ମାନିଲେ । ବିକ୍ରମାଦିତ୍ୟ ରାଜା ହୋଇ ପ୍ରଜାଙ୍କୁ ସୁଖରେ ପାଳିଲେ ।

  ଏକଦା ବିକ୍ରମାଦିତ୍ୟ ଦଳବଳ ନେଇ ଶିକାର କରିବା ଉଦ୍ଧେଶ୍ୟରେ ଜଙ୍ଗଲକୁ ଗଲେ । ସେ ଏକ ହରିଣୀ ଦେଖି ତା’ ପଛରେ ଗୋଡାଇଲେ । କ୍ରମେ ସେ ଘନ ଜଙ୍ଗଲ ଭିତରେ ପଶିଗଲେ । ସୈନ୍ୟ ସାମନ୍ତମାନେ ପଛରେ ରହିଗଲେ । ବିକ୍ରମାଦିତ୍ୟ ଏଣେ ତେଣେ ବୁଲୁବୁଲୁ ଏମିତି ଏକ ସ୍ଥାନରେ ପହଁଚିଲେ ଯେଉଁଠାରେ ଏକ ସୁନ୍ଦର ମହଲ ଥିଲା । ତାଙ୍କର ମଧ୍ୟ ସେମିତି ଏକ ମହଲ କରିବା ଉଚିତ୍ ବୋଲି ଭାବି ସେ ଆଗେଇ ଚାଲିଲେ । ସେ ମହଲର ମାଲିକ, ରାଜା ବାହୁବଳେନ୍ଦ୍ରଙ୍କର ଦେୱାନ୍ ଲୁତବରଣଙ୍କର ଥିଲା । ସେ ଜଣେ ଭବିଷ୍ୟତ ଦ୍ରଷ୍ଟା ମଧ୍ୟ ଥିଲେ ।

  ଲୁତବରଣ ବିକ୍ରମାଦିତ୍ୟଙ୍କର ଆଦର ସତ୍କାର କରି କହିଲେ ଯେ ଆପଣ ଖୁବ୍ ଭାଗ୍ୟବାନ୍ । ଆପଣ ଖୁବ୍ ଶୀଘ୍ର ରାଜଚକ୍ରବର୍ତ୍ତୀ ହୋଇପାରିବେ । ଯଦି ରାଜା ବାହୁ ବଳେନ୍ଦ୍ର ଆପଣଙ୍କୁ ଅଭିଷିକ୍ତ କରାନ୍ତି, ଏବଂ ଆପଣ ସୁବିଧା ଦେଖି ତାଙ୍କ ପାଖରେ ଥିବା ଚମତ୍କାରୀ ସିଂହାସନ ମାଗି ନେଇ ପାରନ୍ତି । ସେ ଖୁବ୍ ଦାନୀ ଏବଂ ଧର୍ମ ପରାୟଣ । ଭଗବାନ୍ ଶିବ ଶଙ୍କର ସନ୍ତୁଷ୍ଟ ହୋଇ ତାଙ୍କୁ ଏହା ପ୍ରଦାନ କରିଥିଲେ ।

  ସେଇୟା ହେଲା, ବିକ୍ରମାଦିତ୍ୟଙ୍କୁ ସିଂହାସନରେ ଅଭିଷିକ୍ତ କରି ରାଜା ବାହୁବଳେନ୍ଦ୍ର ତାଙ୍କୁ ଚକ୍ରବର୍ତ୍ତୀ ରାଜା ବୋଲି ଘୋଷଣା କଲେ ଏବଂ ଇଚ୍ଛାମତେ ଦାନଗ୍ରହଣ କରିବାକୁ ଅନୁରୋଧ କଲେ । ଏହାପରେ ରାଜା ବିକ୍ରମାଦିତ୍ୟ ଏକ ପୂଜାର ଆୟୋଜନ କଲେ । ଅନେକ କିଛି ଦାନ କଲେ । ଚତୁର୍ଦ୍ଦିଗରେ ତାଙ୍କର ଯଶଖ୍ୟାତି ବ୍ୟାପି ଚାଲିଲା । ଏତକ କହି ରତ୍ନମଞ୍ଜରୀ ପ୍ରଶ୍ନ କଲେ- “ମହାରାଜ ଭୋଜ! ଆପଣ କ’ଣ ବିକ୍ରମାଦିତ୍ୟଙ୍କ ପରି ପ୍ରତାପୀ, ଯଶସ୍ୱୀ, ନ୍ୟାୟନିଷ୍ଠ? ଆପଣ କ’ଣ ନିଜସ୍ୱ ଉପାୟରେ ସିଂହାସନ ହାସଲ କରିଛନ୍ତି? ବାହୁବଳେନ୍ଦ୍ରଙ୍କ ଭଳି ରାଜା ଆପଣଙ୍କୁ ରାଜଚକ୍ରବର୍ତ୍ତୀ ଉପାଧିରେ ଭୂଷିତ କରିଛନ୍ତି? ଆପଣ ବିକ୍ରମାଦିତ୍ୟଙ୍କ ସହିତ ସମକକ୍ଷ? ଯଦି ନା, ତେବେ ଏ ସିଂହାସନଠାରୁ ଦୂରେଇ ରୁହନ୍ତୁ । ନ ହେଲେ ବିପଦ ଅବସମ୍ଭାବୀ ।”

  ମହାରାଜ ଭୋଜ ନିରବ ରହିଲେ, ରାତିଯାକ ଶୋଇପାରିଲେ ନାହିଁ ।



Rate this content
Log in