Akash kumar bhola

Tragedy

3  

Akash kumar bhola

Tragedy

ଶେଷ ଦୃଶ୍ୟ

ଶେଷ ଦୃଶ୍ୟ

3 mins
591


ଯୁବକ ଜଣକ ରେଳ ଷ୍ଟେସନ ବାହାରକୁ ଆସିଛି କି ନାହିଁ , ଗୋଟେ ନଅ-ଦଶ ବର୍ଷର ପିଲାଟି ତାକୁ ଘେରି ଗଲା-" ବାବୁଜୀ , ଇଏ ପର୍ସ ଆଉ ଏଥିରେ ଲାଗିଥିବା ଫୋଟ ଆପଣଙ୍କର ନାଁ ? "

ଯୁବକ ପର୍ସ ଆଉ ଫୋଟ ଦେଖି ଆଶ୍ଚର୍ଯ୍ୟ ହେଇଗଲା । ନଅ ଦଶ ବର୍ଷର ପୁରୁଣା ପର୍ସ ହେଲେ ଏ ପିଲାଟି ପାଖରେ କେମିତି ? ସେ ସଙ୍ଗେ ସଙ୍ଗେ ପଚାରିଲା-" ଏଇଟା ତୁମକୁ କୋଉଠୁ ମିଳିଲା ? "

" ମୋ ମା ପାଖରେ ଥିଲା , ବାବୁଜୀ ! " ପିଲାଟି ତୁରନ୍ତ ଉତ୍ତର ଫେରାଇଲା । ଝାଉଁଳି ପଡିଥିବା ଚେହେରାଟି ସଜଫୁଲ ପରି ଫୁଟି ଆସୁଥିଲା। ଯେମିତି ତାର ଖୋଜିବା ଶେଷ ସୀମା ସରିଯାଇଥିଲା ।


" ତୁମ ମା ପକେଟ ମାର କି ?

" ନା ନା ବାବୁଜୀ , ଏଇ ପର୍ସ ଆପଣ ମୋ ମା ପାଖରେ ଛାଡି ଆସିଥିଲେ । ସେ ଆପଣକୁ ବହୁତ ଖୋଜିଲା , କିନ୍ତୁ ପାଇଲାନି , ଦେଖନ୍ତୁ ଦେଖନ୍ତୁ , ପର୍ସ ରେ ପାଞ୍ଚ ଶହ ଟଙ୍କା ଥିଲା , ସେମିତି ହିଁ ଅଛି ।

" ମୁଁ ତ ତୁମ ମାକୁ ଜାଣିନି , ତା ଛଡା ପର୍ସ ତାଙ୍କ ପାଖରେ କାହିଁ ଛାଡ଼ିବି । ପର୍ସକୁ ଏପଟ ସେପଟ ଦେଖି ଯୁବକ ଟି କହିଲା ।

" କିନ୍ତୁ ଆପଣ ତ ମୋ ମାକୁ ଭଲ ପାଉଥିଲେ , ଆଉ ମା ବି ଆପଣଙ୍କୁ ?.....ମରିବା ପୂର୍ବରୁ ସେ ସବୁ କହିଛି ମତେ । ସେବେଠୁ ମୁଁ ଆପଣଙ୍କୁ ଖୋଜୁଛୁ । ଆଉ ଆଜି ଆପଣ ମିଳିଗଲେ । ଆମ ବସ୍ତିର ଠିକାଦାର ବାବୁ ଆପଣଙ୍କୁ ଚିନ୍ହିବାରେ ମୋତେ ବହୁତ ସାହାଯ୍ୟ କଲେ । ସେ ଏବେ ଏବେ ଟ୍ରେନ ଧରିବା ପାଇଁ ଷ୍ଟେସନ ଭିତରକୁ ଗଲେ । "

" ଆଛା , କୋଉଠି ରହୁଛ ତୁମେ ? " ପିଲାଟି ଉପରେ ଭଲ ଭାବେ ନଜର ବୁଲେଇ ଆଣି ଚମିକି ଉଠି ଯୁବକ ଟି ପଚାରିଲା ।

" ସେ ଦୂରରେ ଦେଖାଯାଉଥିବା ବଡ଼ ବିଲିଡିଂ , ପଛପଟେ ଥିବା ବସ୍ତିର କୁଡ଼ିଆ ଘରେ ।


ଯୁବକଟିର ମସ୍ତିଷ୍କ ରେ ଅତୀତରେ ଘଟିଥିବା ଘଟଣା ଚଳଚ୍ଚିତ୍ରର ଦୃଶ୍ୟ ପରି ଦେଖା ଯାଉଥିଲା - ନିର୍ମାଣଧୀନ ଏକ ବିଲଡିଂ , ଠିକାଦାର ସହିତ ବସ୍ତିରେ ଶ୍ରମିକ ଖୋଜା , ଯୁବତୀ ଶ୍ରମିକର ଆକର୍ଷକ ବ୍ୟକ୍ତିତ୍ୱ , ତା ସହିତ ହସ-ମଜାକ , ତା କୁଡ଼ିଆରେ ଉଠା-ବସା , କୁଡ଼ିଆର ଅନ୍ଧାରୁଆ ଘର , ଘରର ଗୋଟେ କଣରେ ପଡିଥିବା ଛିଣ୍ଡା ଛପ , ଛପ ଶେଯରେ ଶୋଇ ରହିଥିବା ଯୁବତୀ , ଯୁବତୀର ଅପରୂପ ଯୌବନର କୁଆଁରୀ ବୟସ , ଦେହରେ ଭରମାର୍ ସୁନ୍ଦରତା , ବୋଲ ମାନୁନଥିବା ଉତ୍ ଶୃଙ୍ଖଳ ମାଂସପିଣ୍ଡୁଳା, ଦୁହେଁ ସେଦିନ ଜଳିଥିଲେ କାମନାର ନିଆଁ ରେ....ତା ହେଲେ ଇଏ ତାରି ପୁଅ ? ତା ନିଶ୍ୱାସ ଅଟକି ଗଲା ପରି ଲାଗିଲା ।


ମସ୍ତିଷ୍କ ଭିତରେ ପୁଣି ଅନ୍ୟ ଏକ ଦୃଶ୍ୟ ଭାସିଆସିଲା । ବିଲିଡିଂ ନିର୍ମାଣ ଭିତରେ ଅନ୍ୟ ସହରକୁ ଯିବା , ସେଠି ସ୍ଥାୟୀ ଭାବେ ରହିବା , ବିଲଡର ଝିଅ ସହିତ ବିବାହ ,

ଦୁଇଟି ପିଲାର ଜନ୍ମ , ଦୁହିଁଙ୍କର ଭଲ ସ୍କୁଲରେ ଆଡ଼ମିଶନ , ହସଖୁସିର ପରିବାର ବାସ୍ ।

" ବାବୁଜୀ , ମା କହିଥିଲା ଆପଣ ହିଁ ମୋ ପିତା । ମୁଁ ଏକୁଟିଆ ହେଇଯାଇଛି । ମା ରୋଗରେ ପଡ଼ି ମରିଗଲା । ସ୍କୁଲ ଫିସ ଜମା ନ ହେବା କାରଣରୁ ମତେ ସ୍କୁଲରୁ ବାହାର କରି ଦିଆଗଲା । ମୁଁ ପଢିବାକୁ ଚାହୁଁଛି , ବାବୁଜୀ , ମତେ ବି ଆପଣଙ୍କ ସହିତ ନେଇ ଯାଆନ୍ତୁନା , ପିଲାଟି କାନ୍ଦି କାନ୍ଦି କହିଲା ।


" ଦେଖ ପୁଅ , ମୁଁ ତ ଏଇ ସହର ରେ ରୁହେ ନାହିଁ । ବେଳେ ବେଳେ କାମ ପଡିଲେ ଆସେ । ମୁଁ ତ ତୁମ ବସ୍ତି କୁ କେବେ ଯାଇନି । ତା ଛଡା ତୁମ ମା ସହିତ ମୋର କେବେ ଦେଖା ହେଇନି । ବହୁତ ବର୍ଷ ପୂର୍ବେ ମୋ ପର୍ସ ଏଇ ସହର ରେ ହଜିଯାଇଥିଲା , ତୁମ ମା କୁ ମିଳିଯାଇଥିବ ....ପ୍ରକୃତରେ ମୁଁ ତୁମ ମାକୁ ଜାଣିନି ।


" କିନ୍ତୁ ମୋ ମା ମିଛ କାଇଁ କହିବ , ବାବୁଜୀ ! " ପୁଅଟି ଲୁହ ପୋଛି କହିଲା- " ମରିବା ସମୟରେ କେହି କଣ କେବେ ମିଛ କୁହେ । ଆମ ବସ୍ତିର ଭାଗବତ ଶୁଣାଉଥିବା ପଣ୍ଡିତ ମହାରାଜ ପରା କହୁଥିଲେ । "

ପିଲାଟିର କଥା ନ ଶୁଣିବାର ଅଭିନୟ କରି , ପର୍ସ ପକେଟ ଭିତରେ ପୁରାଇ , ଯୁବକଟି ଜୋରରେ ମେନରୋଡ଼ ଆଡ଼କୁ ପାଦ ବଢାଇଲା , ଗୋଟେ କାର ତାର ପ୍ରତୀକ୍ଷା ରେ ଠିଆ ହୋଇଥିଲା । କାରର ଡୋର ଖୋଲିଛନ୍ତି କି ନାହିଁ , ଭିତରେ ବସିଥିବା ବ୍ୟକ୍ତି ଜଣଙ୍କ କହିବାକୁ ଆରମ୍ଭ କଲେ- " କଣ ହେଲା ଇଂଜିନିୟର ବାବୁ , ପିଲାଟି ପଛରେ କାଇଁ ପଡିଛି ।


" ଭିକାରିଟା... ଭିକ୍ଷା ମାଗୁଛି....ଚାଲ ! କାର ଟି ଦ୍ରୁତ ଗତିରେ ଆଗେଇ ଚାଲିଲା ।

ପିଲାଟି କାର ପଛରେ କାନ୍ଦି କାନ୍ଦି ଦୌଡ଼ିବାକୁ ଲାଗିଲା- ବାବୁଜୀ ! ମତେ ତୁମେ ତୁମ ସାଙ୍ଗରେ ନେଇଯାଅ....ବାବୁଜୀ...ମୁଁ ଏକୁଟିଆ ହେଇଯିବି , ବାବୁଜୀ !... ମୁଁ କେମିତି ପଢିବି ବାବୁଜୀ ! ....ମତେ ଖାଇବାକୁ କିଏ ଦେବ... ବାବୁଜୀ ! ଆମ କୁଡ଼ିଆ ଘର ଆଉ ନାହିଁ ...ବାବୁଜୀ..... ବାବୁଜୀ...!

କିଛି ସମୟ ପରେ କାର ଟି ଆଖି ଆଗରୁ ଉଭେଇ ଗଲା । ପିଲାଟି ସଡ଼କ ଉପରେ ବେହୋସ ହେଇ ପଡିଗଲା । ପଛରୁ ଆସୁଥିବା ଟ୍ରକ ପିଲାଟି ଉପରେ ଚଢ଼ି ଆଗକୁ ମାଡିଚାଲିଥିଲା । ସାମ୍ନାରୁ ଆସୁଥିବା ନିଃସନ୍ତାନ ଦମ୍ପତି ପିଲାଟି ମରିବାର ଶେଷଦୃଶ୍ୟ ଦେଖୁଥିଲେ ।



Rate this content
Log in

Similar oriya story from Tragedy