STORYMIRROR

Arabinda Rath

Tragedy

3  

Arabinda Rath

Tragedy

ଶାଗୁଣା

ଶାଗୁଣା

2 mins
657


ସେଦିନ ସକାଳେ ହରିଆର ମୃତଦେହ ଆମ୍ବୁଲାନସ୍ ରେ ବୁହାହୋଇ ଗାଁଆକୁ ଫେରିଲା; କିନ୍ତୁ ଶବ ସାଙ୍ଗରେ ଜଗନ କୁ ନ ଦେଖି ଗାଁଆଲୋକେ ଟୁପୁରୁଟାପୁରୁ ହେଲେ। ହରିଆଦେହରେ ଅନେକ ସ୍ଥାନରେ ବ୍ଯାଣ୍ଡେଜ୍ ପଡିଥିଲା,ଆଖିରେ ମଧ୍ଯ ପଟି ଲାଗିଥିଲା। ତିନିଦିନ ତଳେ ବିଲରେ କାମ କରୁଥିବା ବେଳେ ସେ ହଠାତ୍ ଚେତାବୁଡି ପଡି ଯାଇଥିଲା ଓ ସହରରେ ଚାକିରି କରିଥିବା ପୁଅ ଜଗନ, ଖବର ପାଇ ତାକୁ ସାଙ୍ଗରେ ନେଇଯାଇଥିଲା। ଏମିତି କଣ ହୋଇଥିଲା ଯେ ହରିଆ ଦେହକୁ ଡାକ୍ତରମାନେ ଚିରି ପକାଇଥିଲେ- - ତାହା ହିଁ ଥିଲା ଆଲୋଚନାର ମୁଖ୍ଯ ବିଷୟ।

ବିଳମ୍ବ ନ କରି ଶବ ଧରି ଗାଁଆଲୋକେ ମଶାଣି କୁ ଗଲେ। ରମା ବିକଳ ନେହୁରା ହୋଇ ହରିଆକୁ ଧରି କାନ୍ଦି ଚାଲିଥିଲା। ତିନିଦିନ ଭିତରେ ବିଚାରିର ସୁନାସଂସାର ଉଜୁଡି ଯାଇଥିଲା। ସୁସ୍ଥସବଳ ଲୋକଟା ଏମିତି ଅବେଳରେ ଛାଡି ଚାଲିଯିବ ବୋଲି, କିଏ ବା କାହିଁକି ଭାବିବ ?

ମଶାଣି ପାଖରେ ଏକ ଚାରିଚକିଆ ଗାଡିରୁ ଜଗନ ଓହ୍ଲାଇଲା। ଗାଁଆଲୋକେ ଆଶ୍ବସ୍ତ ହେଲେ- - ଯାହାହେଉ ହରିଆ ତା ପୁଅ ହାତରୁ ମୁଖାଗ୍ନୀ ପାଇବ। ଗାଡିଭିତରେ ବସିଥିବା ଜଣେ ସଂଭ୍ରାନ୍ତଲୋକ ଜଗନର ପିଠି ଥାପୁଡାଇ କାନରେ ପିସଫିସ କରି କିଛି କହିଲେ ଓ ଏକ ବଡ ପ୍ଯାକେଟ୍ ଧରାଇଦେଲେ। ଗାଡି ଟି ଧୂଆଁ ଉଡେଇ ଚାଲିଗଲା ପରେ ଗାଁଆଲୋକଙ୍କ ପ୍ରଶ୍ନବାଣରେ ଜଗନ ପୋତି ହୋଇଗଲା। ହରିଆର କଣ ହୋଇଥିଲା ବୋଲି ଜାଣିବାକୁ ଗାଆଁଲୋକଙ୍କ ମନରେ ପ୍ରବଳ ଆଗ୍ରହ ଥିଲା। ଆଗ୍ରହ ନୁହଁ ତ ଡର ଥିଲା- - କାଳେ ସେମାନଙ୍କୁ ହରିଆକୁ ହୋଇଥିବା ରୋଗ ଗ୍ରାସ କରିବ ? ଜଗନ ଗାଁଆଲୋକଙ୍କୁ ନିମିଷକରେ ଭୁଆଁ ବୁଲେଇଦେଲା ଓ ସେମାନେ ଶବଦାହ ପାଇଁ କାଠ ସଜାଡିବାରେ ଲାଗିଲେ।

କିଛି ଦୂରରେ ଏକ ଶାଗୁଣା ବସି ରହି ଏକଲୟରେ ଏସବୁ ଦୃଶ୍ଯ ଦେଖି ଚାଲିଥିଲା।

ସେତିକିବେଳେ ଝଡବେଗରେ ହରିଆର ଝିଅଜ୍ବାଇଁ ପହଞ୍ଚିଲେ ଓ ଜଗନବେକରେ ଗାମୁଛା ପକାଇ ଘୋଷାରିନେଇ ନିର୍ଘାତମାଡ ମାରିଚାଲିଲେ। ରମା ପୁଅକୁ ବଞ୍ଚାଇବାକୁ ଦୌଡି ଆସୁଥିଲା, କିନ୍ତୁ ଝିଅଜ୍ବାଇଁଙ୍କ କଥାଶୁଣି ଅଧାବାଟରେ ଚେତାହରାଇ ପଡିଗଲା।

ଝିଅ କାନ୍ଦିକାନ୍ଦି ଚିତ୍କାର କରିଚାଲିଥିଲା- - ଯୋଉ ବାପା ନିଜ ପେଟକାଟି ତୋତେ ପାଠ ପଢାଇଲା, ଘରବନ୍ଧା ରଖି ଚାକିରିପାଇଁ ଟଙ୍କାଦେଲା, ନିଜେ ବିଲରେ ଖଟି ତୋ ପାଇଁ ଟଙ୍କା ଯୋଗାଡକଲା, ତୁ ତାକୁ ମାରି ବିକିଦେଲୁ??

ଆଶ୍ଚର୍ଯ୍ଯରେ ସମସ୍ତେ ସ୍ଥାଣୁ ପାଲଟିଗଲେ। କେହିକେହି ଭାବିଲେ ଝିଅ ଟା ବୋଧେ ହରିଆ ଅସମୟରେ ମରିଯିବା ଦୁଃଖରେ ଏମିତି କହୁଛି। କିନ୍ତୁ ସମସ୍ତଙ୍କ ପାଦତଳୁ ମାଟି ଖସିଗଲା ଯେତେବେଳେ ଜ୍ବାଇଁ କହିଲେ

- - ଏ କୃତଘ୍ନ, ବାପାଙ୍କୁ ନେଇ ସହରର ସବୁଠାରୁ ବଦନାମ ନର୍ସିଂହୋମ୍ ରେ ଭର୍ତ୍ତି କରିଥିଲା। ସେଠି କାହାର ଚିକିତ୍ସା ହୁଏନି, ବରଂ ମଣିଷ ଅଙ୍ଗର ଚୋରାଚାଲାଣ ହୁଏ। ସେଠାରେ ଡାକ୍ତରମାନେ ଅପରେସନ କରି ଲୋକଙ୍କ ଶରୀରରୁ ଅଙ୍ଗକାଢି ଚୋରାରେ ବିକ୍ରିକରି କୋଟିକୋଟି ଟଙ୍କା ରୋଜଗାର କରନ୍ତି। ଥୋଡାଏ ଟଙ୍କାପାଇଁ, ଏ ପିତୃହନ୍ତା ପିଶାଚ,ବାପାଙ୍କର ଆଖି,ହୃଦୟ,କିଡନି ସବୁ କିଛି ବିକ୍ରି କରିଦେଇଛି ଦଲାଲଙ୍କ ପାଖରେ। ସେତକିବେଳେ ଜଗନ ଅଣ୍ଟାରେ ଖୋସିଥିବା ପ୍ଯାକେଟ୍ ଟା ତଳେ ପଡିଗଲା ଓ ନୋଟ୍ ସବୁ ମଶାଣିସାରା ବିଛାଡି ହୋଇ ପଡିଲା।

କଣ ହେଲା କେଜାଣି, ସେତେବେଳୁ ବସିଥିବା ଶାଗୁଣା ଟା ବିକଟାଳ ଚିତ୍କାରକରି ଡେଣାଝାଡି ସେ ଜାଗାରୁ ଉଡିଗଲା। ବୋଧେ ସେ ଭାବିଥିବ, ଯେତେବେଳେ ଟଙ୍କା ପାଇଁ ମଣିଷମାନେ ଶାଗୁଣା ପାଲଟି ଗଲେଣି, ତା'ର ବା କି ପ୍ରୟୋଜନ!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy