Barsha Swain

Tragedy Inspirational

4.5  

Barsha Swain

Tragedy Inspirational

ରାସ୍ତା :-ଏକ ନୂଆ ମୋଡ

ରାସ୍ତା :-ଏକ ନୂଆ ମୋଡ

5 mins
312



        ଉଦୁଉଦିଆ ଦ୍ୱିପ୍ରହର ଖରାର ପ୍ରକୋପ  ତୀକ୍ଷଣ ହେଉଥାଏ ,ଓଃ କି ଅସହ୍ୟ !ଭୀଷଣ କଷ୍ଟ ହେଉଥାଏ ପାଦ ତାତିଉଠୁଥାଏ ମୋଜା ଆଉ ବୁଟ୍ ଭିତରେ। ତତଲା ଝାଞ୍ଜି ପବନ ବହି ପୋଡିଯାଉଥାଏ ମୁହଁ ଦେହ। ବୈଶାଖ ମାସ ଖରା କିଏ ସହ୍ଯ କରିପାରେ। ସେଦିନ ଯାଉଥିଲି ମୁଁ ମୋ ଘର ଆଡେ।ବହୁତ ଦିନ ପରେ ସାକ୍ଷାତ କରିବାକୁ ବାପାମାଙ୍କୁ ।ମନରେ ଅସୀମ ଖୁସି ଲହଡି ଭାଙ୍ଗୁଥାଏ।ପାଦ ଆପେ ଆପେ ଉଠିଯାଉଥାଏ, ଆଖିରେ ଗାଁ ର ଦୃଶ୍ୟ ।

  ଇତିମଧ୍ୟରେ ବସ ଆସିଲାଗିଲା ବସଷ୍ଟାଣ୍ଡରେ ।ସେହିଠାରୁ ଘର ପ୍ରାୟ ଦୁଇ ତିନି କି.ମି ।ଖରାବେଳ ସମୟ ପ୍ରାୟ ୨ଟା କାଉ କି କୋଇଲିଟିଏର ବି ଦେଖାନାହିଁ। ପୁଣି ସେହିଠାରୁ ଘରକୁ ଯିବାକୁ ହେବ, ତେଣେ ରାସ୍ତାରେ ଯାନବାହାନ ଚଳାଚଳ ବି ଦୂର ଦୂର ପର୍ଯ୍ୟନ୍ତ ଦେଖାଯାଉନାହିଁ। ସେଠାରେ ଗୋଟିଏ କେବିନ୍ ପାଖରେ କିଛି ସମୟ ଅପେକ୍ଷା କରି ପୁନର୍ବାର ଚାଲିଲା ବ୍ୟାଗ୍ ଖଣ୍ଡିକୁ କାନ୍ଧରେ ପକାଇ। 

   କିଛିବାଟ ଗଲାପରେ ଭୀଷଣ ଶୋଷ କରୁଥାଏ, ପାଖରେ ପାଣି ବି ନଥିଲା। ବଟଲଟିରୁ ପାଣି ପୁରାଶେଷ। ଶୋଷରେ ଆତୁର ହୋଇ, ଝାଳରେ ଗାଧୋଇ ଆଗକୁ ଚାଲିଛି ମୁଁ। ପ୍ରତି ମୁହୂର୍ତ୍ତରେ ବାଲ୍ଯଜୀବନ,ଗ୍ରାମ ପରିବେଶ ଆଖିରେ ନାଚିଯାଉଥିଲା।ଭାବୁଥିଲି ତୁହା ତୁହା ଏବେ ଆମ ଗାଁର ପରିବେଶ କେମିତି ଥିବ? ସେଦିନ ଏଦିନ ଭିତରେ ଫରକ କଣ ହେବଣି।ଏମିତି ଗୁଡାଏ ପ୍ରଶ୍ନରେ ଛନ୍ଦି ହେଉଯାଉଥାଏ ମନ। ଦଶ ବାର ହାତ ଚାଲିବା ପରେ ଗୋଟିଏ ଟିଉବୱେଲ୍ ପଡିଲା ସେଠାରୁ ପାଣି ମନ୍ଦାଏ ପିଇ ଆଗକୁ ଧାଇଁଲି। 

    ଦୂର ଆକାଶର ବାଦଲର ତୋଫାପଣରେ ଦେଖୁଥିଲି ଗାଁ ବିଲବଣର କାଶତଣ୍ଡିକୁ ।ବାଟରେ ଛାଇଟିକିଏ ବି ନାହିଁ,ଗଛପତ୍ର ବି ଆଉ ଦିଶୁନି ରାସ୍ତା କଡରେ। ପିଲାଦିନର ସେ ଗହନ ବନ ଆଉ ନାହିଁ। କୋକିଳ ବି ଆଉ ଗୀତ ଗାଉନି।ପ୍ରାୟ ଏକ କିଲୋମିଟର ନିଃସନ୍ଗ ଭାବରେ ଚାଲିବାପରେ ବାଟରେ ଗୋଟିଏ ବିରାଟ ବରଗଛଟିଏ ଦେଖିଲି। ସେହିଗଛ ମନେପକାଇ ଦେଲା ମୋ ଅତୀତ। କିଛି ସମୟ ବସିଗଲି ଥମି ତାମୂଳରେ। ଦିନେ ଆମେ ସାଥିହୋଇ ଏଇ ଗଛ ଓହଳରେ ଦୋଳି ଖେଳୁଥିଲୁ,ପୁଣି କେତେ ଯେ ଥଟା ତାମସା। ସବୁକିଛି ନାଚିଯାଉଥିଲା ଆଖିଆଗରେ। ସେହିଗଛ ଦେଖଛି କେତେ ସୁଖ ଦୁଃଖ ତାହା ପ୍ରକାଶ କରନ୍ତା ସିଏ, ଯଦି ତାହାର ପାଟି ଖୋଲନ୍ତା। ଏମିତି ଭାବୁଭାବୁ ଆଖି ଲାଖିଗଲାଣି କେବେ ମୁଁ ଜାଣିପାରିଲିନି।ଆଖିଖୋଲି ଦେଖେତ ସମୟ ଆସି ତିନିଟା ଅପରାହ୍ନ। ଆଉ ବିଳମ୍ବ ନକରି ସେଠୁ ଯିବାକୁ ବାହାରିଲି। 

    ସମୟ ତ ପରିବର୍ତ୍ତନଶୀଳ।ପୁଣି ଚିର ପ୍ରବାହିତ ନଦୀପରି।ତାଳ ଦେଇ ଚାଲି ନ ପାରିଲେ ଜୀବନ ବୃଥା। ପୁଣି ସମୟ କାହାକୁ କଣ ସଜେଇଦିଏ ତାହା କହିବା ବି ବଡ ବିଚିତ୍ର କଥା। ଏକଥା ମୁଁ ନୁହେଁ ବଡ ବଡ ମହାପୁରୁଷ କହିଯାଇଛନ୍ତି।ହେଲେ ମୁଁ ତ ଗାଁ ଆଡେ ଯାଉଥିଲି ହଠାତ୍ ଏମିତି ସମୟ ଗ୍ଯାଁନ ଦେଉଛି, ତାହା ପାଠକଗଣଙ୍କୁ ବିଚିତ୍ର ଲାଗିପାରେ। ମାତ୍ର ଏହା ହିଁ ସତ୍ୟ, ବାସ୍ତବତା,ରାସ୍ତା ତ ଏହିଠୁ ହିଁ ଆରମ୍ଭ। 

     ଆଖିଖୋଲି ମୁହଁଧୋଇ ଯେତେବେଳେ ଆଗକୁ ଯିବାକୁ ମୁଁ ଉଦ୍ଯତ ହେଲି ହଠାତ୍ ଏକ କର୍କଶ ,କ୍ଷୀଣ କଣ୍ଠ ସ୍ୱର ଶୁଭିଲା। ମୁଁ ପଛକୁ ବୁଲି ଦେଖେତ ଗଛ ଆର ପଟରେ ଜଣେ ବୃଦ୍ଧ ଶୋଇଛନ୍ତି ଚଟାଣ ଉପରେ। ଦେହ ତାଙ୍କର ଥରୁଥାଏ,ଦେହରେ ଚିରା କୋତରା ବସ୍ତ୍ର। ପାଖକୁ ଯିବାକୁ ଭୟଲାଗୁଥିଲା, ତଥାପି ତାଙ୍କ ନିକଟକୁ ଯିବାକୁ ସାହସ କଲି। ପାଦ ଦୁଇଟି ଟଳମଳ କରି ଯିବା ନ ଯିବାର ଦ୍ୱନ୍ଦ ଭିତରେ ଆଗକୁ ଅଗ୍ରସର ହେଲି। ପାଖରେ ଯାଇ ତାଙ୍କୁ ହଲାଇବାର ସାହସ ହେଉଥିଲା, ରୂପ ଯେ ଏତେ ଭୟଙ୍କର ମନେହେଉଥିଲା। ଚାଖଣ୍ଡେ ଦୂରରେ ରହି ପ୍ରଶ୍ନ କଲି...... "ଆପଣ ଠିକ୍ ଅଛନ୍ତି ତ? "ହେଲେ ଉତ୍ତର କିଛି ଆସିଲା ନାହିଁ। ଦ୍ବିତୀୟ ଥର ପ୍ରଶ୍ନ କରିବାକୁ ଇଛା ନଥିଲା ତଥାପି ପଚାରିଲି "ତୁମ ନାଁ କ'ଣ? "ବୃଦ୍ଧ ଜଣକ ଉଠି ବସିଲେ ଓ ଅସ୍ପଷ୍ଟ ସ୍ୱରରେ କିଛି ଗୋଟେ କହିବାକୁ ଲାଗିଲେ। ମୁଁ ବୁଝିପାରିଲିନି, କିଛିକ୍ଷଣ ପରେ ପାଣି ବୋଲି ଅନୁମାନକରି ବ୍ୟାଗ୍ ରୁ ବଟଲଟି ବାହାର କରି ତାଙ୍କୁ ପାଣି ପିଇବାକୁ ଦେଲି। ପାଣି ପିଇସାରି ବୃଦ୍ଧ ଜଣକ ମଉନ ରହିଲେ ଆଉ ମୁଁ ତାଙ୍କୁ ମୋ ଗାମୁଛା ଖଣ୍ଡକ ଦେଇ ଯିବାକୁ ବାହାରି ଆସିଲି ।

        ସମୟ ପ୍ରାୟ ୪ଟା ଖରା ବି କମିଗଲାଣି ଏବେ ବାହାରିଲି ଗାଁ କୁ। ମନେହେଲା କେହିଜଣେ ମୋ ହାତକୁ ଟାଣି ଧରିଛି। ଭୟରେ ଥରୁଥାଏ ମୁଁ ଗୋଟାପଣେ। ପିଲାଦିନର ସେଇ ବୁଢ଼ୀ ଅସୁରୁଣୀ ଗପ ମନେ ମନେ ପଡିଯାଉଥାଏ,ଭୟରେ ପଛକୁ ଚାହିଁ ଦେଖେ ତ ବୃଦ୍ଧ ବ୍ଯକ୍ତି ଜଣକ ମୋ ହାତ ଧରିଛନ୍ତି। ମତେ କିଛି କହିବାର ସୁଯୋଗ ନଦେଇ ବସିବାକୁ ଇଙ୍ଗିତ କଲେ। ବସିଯାଇ ଶୁଣିଲି ତାଙ୍କ କରୁଣ କାହାଣୀ। ଆଖିରୁ ଲୁହ ଝରିଆସୁଥାଏ। ହଠାତ୍ ମଳିନ ମୁଖରେ ଏକ ବିଚିତ୍ର ହସ ଦେଖଲି ଭୟଭୀତ ହୋଇ ଚାହିଁ ରହିଥାଏ ତାଙ୍କ ଆଖିକୁ।ଆଜିର ମଣିଷ ଆପଣା ସୁଖୀ, କାହାର ଦୁଃଖ ଶୁଣିବାକୁ ତା ପାଖରେ ସମୟବା କାଇଁ। ମୋର ବି ଇଛା ହେଉଥାଏ ଉଠି ଚାଲିଯିବାକୁ, ମାତ୍ର ପାରିଲିନି। ବହୁ ଧର୍ଯ୍ୟର ସହ ବସିଲି, ହଠାତ୍ ଯାହା ଶୁଣିଲି ମୁଁ ତାଜୁକ୍ ହୋଇଗଲି। ବୃଦ୍ଧ ଜଣକ ଥିଲେ ଶ୍ରୀ ସୁଭେନ୍ଦୁ ସିଂ, କପିଳେଶ୍ଵର ପୁର ଗାଁ ର ଜମିଦାର। ଖଣ୍ଡ ମଣ୍ଡଳରେ ତାଙ୍କର ଭାରି ନାମ। ଆମ ଗାଁର କେତେ ଯେ ଲୋକ ତାଙ୍କ ନିକଟରେ କାମ କରନ୍ତି ,ପୁଣି ସେ ଯେ ଆଖପାଖ ଗାଁ ର ମୁରବି ତାହା ମଧ୍ୟ ମୁଁ ପିଲାଦିନେ ଶୁଣିଛି। ହେଲେ ସେ ଯେ ଆଜି ଏତେ ଅସହାୟ ତାହା ପଚାରିବାରୁ ବୃଦ୍ଧ ଚୁପ୍ ରହିଲେ। ତେଣୁ ଯିବାକୁ ବାହାରିଲି। 

             ରାସ୍ତାର ଦୁଇପାଖରେ କେତେ ଯେ ବଣଫୁଲ ମଉଳି ଯାଇଥିଲେ ତାହା ନ ଦେଖିଲେ କହିହେବନି। ବାଟରେ କପିଳେଶ୍ୱର ପୁର ଗାଁ ପଡିଲା। ଦୁଇପଟେ କ୍ଷେତ ମଝିରେ ରାସ୍ତା ।ବାଟରେ ଭେଟିଲି ସେଇ ଗ୍ରାମର ସୋମନା କକାକୁ,ବୟସ ତାର ୬୮ ହେବ ମୁଣ୍ଡରେ ଠେକାଭିଡି କ୍ଷେତକୁ ଯାଉଥିଲା। ତା ସହ ସୁଖ ଦୁଃଖ ହେଉ ହେଉ ଜମିଦାର ବିଷୟରେ ପଚାରିଲି। ଶୁଣିବାକୁ ପାଇଲିଯେ ଜମିଦାର ଘରେ ଦୁଇ ପ୍ରାଣୀ ସାଆନ୍ତାଣୀ ଆଉ ସିଏ। ନିଜ କର୍ମରୁ ସାଆନ୍ତାଣୀ ଯିବାପରେ ,ଘର ନିଲାମ ଆଉ ଜମିଦାର ଏଣେ ତେଣେ ବୁଲୁଛି ପାଗଳ ପରି। ଆଗରୁ ଯେ ରାଜଉଆସରେ ରହୁଥିଲା, ପିତଳ କଂସାରେ ଖାଉଥିଲା ସେ ଆଜି ଅସହାୟ, ଭିକାରୀ ସାଜି ବୁଲୁଛି। ଶୁଣିବାକୁ ପାଇଲି ଯେ ଜମିଦାର ଟା ଭାରି ଲୋଭୀ। ପୁଣି ସେ କୁଆଡେ କଣ୍ଟ୍ରାକ୍ଟର ସହ ମିଶି ସହି ବଟବୃକ୍ଷ ଟିକୁ କାଟି ରାସ୍ତା ନିର୍ମାଣ ପାଇଁ ଲାଗିଥିଲା। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଲା। ପୁଣି ଶୁଣିଲି ଯେ ଗାଁ ଲୋକଙ୍କ ଘର ଜମିକୁ ସେ ଯେ କମ୍ପାନୀ ହାତକୁ ଟେକିଦେଇ ସେମାନଙ୍କୁ ବେଘର ସଜେଇ ଦେଇଛି। ଏସବୁ ଶୁଣି ଏମିତି ପ୍ରତୀତ ହେଲା ଯେମିତି ତା ସହିତ ଯାହା ହେଇଛି ଠିକ୍ ହୋଇଛି। ଆଉ କିଛି ନଭାବି ଆଗକୁ ଚାଲିଲି। 

             ସୁନେଲି ସୁରୁଜର ରକ୍ତିମ ଆଭାରେ ଆପାୟିତ ପଶ୍ଚିମ ଆକାଶ। ସମୟ ୫ଟା ବାଜି ୪୫ମିନିଟ୍ ।ଗୋଧୂଳି ଲଗନର ସମୟ, ମନେ ପଡେ ପିଲାଦିନର ଗାଈଗୋଠ ପ୍ରସ୍ଥାନର ଦୃଶ୍ୟ,ପକ୍ଷୀଗଣଙ୍କ ଫେରନ୍ତି ଗଗନରେ କି ତୃପ୍ତି ଆହା କି ଆନନ୍ଦ! ମାତ୍ର ଆଜିର ଦିନରେ ସେସବୁ ବିରଳ। ଗାଁ ମୋର ସଭ୍ୟ ହୋଇଛି, ବଦଳିଛି ସମୟ, ଆଉ ହଜିଯାଇଛି ଅତୀତ। ଦୀର୍ଘ ୩୦ ବର୍ଷ ତଳର ଦୁନିଆଁ ଯେମିତି ମତେ ହାତ ଠାରୁଛି, କହୁଛି ଫେରିଯିବାକୁ। ସମ୍ଭବ ନୁହେଁ, ହୁଅନ୍ତା ଯଦି ମୁଁ ଫେରିଯାଆନ୍ତି। କିନ୍ତୁ ଗାଁ ଛାଡ଼ି ଗଲା ବେଳେ ହୁଏତ କେହି ମୋତେ ଅଟକାଇନି ଆଖିରେ ଥିଲା ଆଗକୁ ଯିବାର ଇଛା। ସେଇ ଚାଳଛପର କ୍ଷୁଦ୍ର କୁଟୀରକୁ ପ୍ରବେଶ କଲି ତାଟି ଟି ଖୋଲି। ଭିତରେ ଆସବାବପତ୍ରଗୁଡା ପଡି ନଷ୍ଟ ହୋଇଗଲାଣି ପ୍ରାୟ। ଗୋଟିଏ ଚୌକିରେ ବସି ପଡିଲି ନିଜକୁ ସାନ୍ତ୍ୱନା ଦେଇ

               ପଲକ ପଡୁ ପଡୁ ମନେ ପଡିଲା ଅସହାୟ ବୃଦ୍ଧଙ୍କ କଥା। ସତରେ ସମୟକୁ ଯେ ଦିନେ ଦାସ ବନେଇ ଆତ୍ମବଡିମା ଦେଖାଇଥିଲେ। ସେ ଆଜି ଅସହାୟ,ପୁଣି ବେଘର।ଦିନେ ଯେ ଗ୍ରାମବାସୀଙ୍କ ବିଶ୍ୱାସରେ ବିଷ ଦେଇ ଠାକୁରାଣୀ ଗଛକୁ କାଟିବାକୁ ଆଗେଯାଇଥିଲେ, ଆଜି ସେ ସେଇ ଗଛମୂଳରେ ରୁହନ୍ତି।ସେଇ ଗଛ ତାଙ୍କ ଆଶ୍ରୟଦାତା। ମଣିଷ ସମାଜ ତାଙ୍କୁ ବାସନ୍ଦ କରିଛି, ହେଲେ ଆପଣେଇ ନେଇଛି ଗଛ। ଚିର ପରିବର୍ତ୍ତନ ସମାଜ, ସମୟ ବି ଗତିଶୀଳ। ଭାବନାର ସ୍ରୋତରେ ଭାସିଯାଉଥାଏ ମୁଁ, ଆଖିଖୋଲି ଦେଖେତ ନୂଆ ଦୁନିଆଁ। ପରିବର୍ତ୍ତନ ଚିର ସତ୍ୟ, ରାସ୍ତା ଅନେକ ହେଲେ ଦ୍ୱନ୍ଦ ଭିତରେ ଛନ୍ଦି ହୋଇ ଯାଏ ଆଶା ଆକାଂକ୍ଷା।ଯେ ଗତିଶୀଳ ପରିବେଶ ସହ ତାଳଦେଇ ନ ଚାଲିପାରିଲେ ଜୀବନ ଯେ ମୋଡ ବଦଳାଇ ନୂଆ ରାସ୍ତା ବାଛିନିଏ ତାହା ସତ୍ଯ।ତଥାପି ରାସ୍ତା ଏଇ ଭିନ୍ନ ମତ ।


Rate this content
Log in

Similar oriya story from Tragedy