ପିଞ୍ଜରାବଦ୍ଧ ଚୁଲୁବୁଲି
ପିଞ୍ଜରାବଦ୍ଧ ଚୁଲୁବୁଲି
ଖୁସି କ୍ଷଣିକରେ ଆତ୍ମବିହୁଳ କରିଦିଏ ତାକୁ ଦୁଃଖ ଆସିଲେ କେତେ ଯେ ଜାତନା ନୀରବରେ ଲୁହ ଗଡାଏ ଚୁଲୁବୁଲି। ଆଖି ତାର କଥା କହିଲା ପରି, ମନ ତାର ଦୃତ ସେ ପରିବେଶ ସହ ଖାପ ଖୁଆଇ ଚାଳିପିରେ ।ଅଭାବ ଅସୁବିଧା ତାକୁ ଭାଙ୍ଗି ପାରେନି, କାରଣ ସେ ଅଭାବକୁ ନିକଟରୁ ଦେଖିଛି। ମଧ୍ୟବିତ୍ତ ପରିବାରରେ ଜନ୍ମ ତାର। ପିଲାଦିନ ତାର ଅତି ସୁନ୍ଦର। ସେ ଥିଲା ଅଝଟ ଶିଶୁ, ଦୁଷ୍ଟ ପୁଣି ନାଁ ପରି ଚୁଲୁବୁଲି। ପରିବାରରେ ଗେଲ୍ହା ସେ ସଭିଏଁ ତାକୁ ଭଲପାଆନ୍ତି।
ବୟସର ବୃଦ୍ଧି ସହ ଚୁଲୁବୁଲି ପାଦଦେଲା ସ୍କୁଲରେ। ବାଲ୍ଯ ଜୀବନରେ ଶିକ୍ଷା ସହ ଗ୍ରାମର ସବୁଜିମା ପରିବେଶ, ଶାଗୁଆ ଲଗା, ତୋଟାମାଳର ଜାମୁକୋଳି ସହ ତାର ପରିଚୟ ଥିଲା ଅତି ସୁନ୍ଦର। କୁଳୁକୁଳୁ ବହିଯାଉଥିବା ନଦୀ, କୋଇଲିର କୁହୁକୁହୁ ତାନ, ବସନ୍ତର ମନ୍ଦମଳୟ ଆମୋଦିତ କରିଥିଲା ତାକୁ। ଚାହିଁ ଥିଲା ସେ ନିର୍ମଳ ଆକାଶ ବକ୍ଷକୁ ଜହ୍ନର ଆଲୋକ ବହିପଡୁଥିଲା ସେଠୁ, ପୁଣି କେବେ ଚଞ୍ଚଳ ମନରେ ମେଘମାଳା ବୃକ୍ଷରେ ଜହ୍ନର ଅଦୃଶ୍ଯତାକୁ ଦେଖି ସେ ପ୍ରଶ୍ନ କରୁଥିଲା ତାର ବାପାଙ୍କୁ।
କେହିଜଣେ ମହାପୁରୁଷଙ୍କ ମତଥିଲା ସ୍ୱପ୍ନ ବଡ ଧରଣର ଦେଖବାଉଚିତ୍ ।ଖାଲିଯେ ଦେଖି ଶୋଇ ରହିବ ତାହା ନୁହେଁ ତାକୁ ପୁରା କରିବାକୁ ଚେଷ୍ଟା କରିବା ଆବଶ୍ୟକ। ମାତ୍ର ଚୁଲୁବୁଲି ସେସବୁ ବୁଝେନି ସ୍ୱପ୍ନ କହିଲେ ସେ ବୁଝେ ପରୀରାଇଜର ସ୍ୱପ୍ନ। ଟିକିଏ ଖୁସି ପାଇଲେ ନାଚି ଉଠେ ମହା ଆନନ୍ଦରେ। ବିଦ୍ୟାଳୟ ଶିକ୍ଷା ସମୟରେ ଅର୍ଥ ବୁଝୁ କି ନବୁଝୁ ସିଏ ସ୍ୱପ୍ନ ଦେଖିଛି "କାଳିଆ ଘୋଡାରେ ଚଢିବ ମଧୁବାବୁ ସାଙ୍ଗେ ଲଢିବ"।ସେ ଚାହେଁ ଭବିଷ୍ୟତରେ ରାଷ୍ଟ୍ରପତି ହେବାକୁ। ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ। ଦେଶପ୍ରେମରେ ସେ ଆଗୁଆ।
ବାଦ୍ଯାଳୟ ଶିକ୍ଷା ସମୟରେ ତାର ଲକ୍ଷ ସେ ଆଗକୁ ବଢିବ ନିଜ ପରିବାର ପାଇଁ କିଛି କରିବ। ପାଠ ପଢା ଜୀବନରେ କେବେ ବି ସ୍ଥାନ ଦେଇନି ସେ ଅନ୍ୟ ଘଟଣାକୁ। ଲକ୍ଷ୍ଯବାପାଙ୍କ ସ୍ୱପ୍ନ ସାକାର କରିବ। ଚୁଲୁବୁଲି ଚାହେଁ ଏକ ନୂଆ ଦୁନିଆଁ ।ସେ ମୁକ୍ତ ଆକାଶର ପକ୍ଷୀ। ଉଡିବୁଲେ ସେ ନିଜ ପରିସର ମଧ୍ୟରେ। ସେ ଭାବେ ଏ ଦୁନିଆ ତା ନିଜର ,ଏଠି ସମସ୍ତେ ଖୁସିରେ ରୁହନ୍ତି।
ଏହିଭଳିଭାବେ ବିଦ୍ୟାଳୟ ଶିକ୍ଷା ସମାପନ କରି କେତେଗୁଡିଏ ସ୍ୱପ୍ନକୁ ଆଖିରେ ଖୁନ୍ଦି ପାଦଦିଏ ଚୁଲୁବୁଲି ମହାବିଦ୍ୟାଳୟ ପ୍ରାଙ୍ଗଣରେ।କାନରେ ବାରମ୍ବାର ପ୍ରତିଧ୍ୱନିତ ହୁଏ ତାର ସ୍ୱପ୍ନ ଆଉ ବେଶୀଦୂର ନୁହେଁ। ନୂଆ ଜାଗା ନୂଆ ନୂଆ ସାଙ୍ଗ ପାଇ ସେ ବହୁତ ଖୁସି। ପ୍ରଥମ ପାହାଚ ଚଢି ଦେଖେ ସେ ନୀଳ ଆକାଶ କୁ ଭାବେ ଧରା ବି ଆଜି କେତେ ସୁନ୍ଦର!
ଭଲପାଇବା ଓ ସମ୍ପର୍କର ମୂଲ୍ଯ ବୁଝେ ସେ। ସେ ସମ୍ପର୍କକୁ ଶୀର୍ଷ ସ୍ଥାନ ପ୍ରଦାନ କରେ।ଭଲପାଇବା କହିଲେ ସେ ବୁଝେ ବନ୍ଧୁ ତଥା ପରିବାରେ ସ୍ନେହ ଓ ପ୍ରେମର ବନ୍ଧନ। କଲେଜ ଜୀବନରୁ ସେ ଦେଖିଛି ଯୁବ ବର୍ଗଙ୍କ ପ୍ରେମ। ସେବେଠୁ ହୁଏତ ସେ ପସନ୍ଦ କରେନି ଏମିତି ସମ୍ପର୍କକୁ ।ମାତ୍ର ଜୀବନରେ ଏମିତି ସମ୍ପର୍କ ଚାହେଁ ନି ସେ କେବେ।
ସମୟର ପରିବର୍ତ୍ତନ ସହ ବୟସର ବୃଦ୍ଧି। ଚୁଲୁବୁଲି ଏବେ ବିଏ ପଢୁଛି। କଲେଜରେ ସାଙ୍ଗ ସାଥି ମେଳରେ ପାଏ ସେ ଅପୂର୍ବ ଆନନ୍ଦ ।ଛାତ୍ରୀନିବାସରେ ରୁହେ ଅତି ସୁନ୍ଦର ପରିବେଶେ। ତଥାପି ଲକ୍ଷ୍ୟରୁ ବିଚ୍ଯୁତ ନୁହେଁ। ଆଶା ନଥିଲା ସେ କେବେ ବି କାହାକୁ ପସନ୍ଦ କରିବ। ହେଲେ ସବୁ ଆଶା ଯେ ପୂରା ହୁଏ କହିହେବନି। ବେଳେବେଳେ ଜୀବନ ଏକ ଶୁଷ୍କ ଜଳବାୟୁ ପରି ମନେହୁଏ। ଯିଏ ଆସେ ତ ମୌସୁମୀ ନେଇ ହେଲେ ବର୍ଷା ହୁଏନି। ଆମେ ଯାହା ଚାହୁଁ ତା ଯେ ହେବ ଏ ବି କହିବା ବାହୁଲ୍ୟ ମାତ୍ର। ଚୁଲୁବୁଲି ଆଜି ଗୋଟେ ମିଥ୍ୟା ଭ୍ରମରେ ବଞ୍ଚେ। ଆଶା ତାର ଅସୁମାରୀ। ସିଏ ପସନ୍ଦ କରେ ଜଣେ ଉଚ୍ଚପଦସ୍ଥ ବ୍ଯକ୍ତିଙ୍କୁ।ଯାହାକୁ ସେ କେବେ ଦେଖିଛି ନା ଯାଣିଛି। ଏମିତି କି ଅଜଣା ଚେହେରା ଦିନେ ଏତେ ନିଜର ହେଇଯାଏ ଏହା ସ୍ୱପ୍ନ ପରି ମନେହୁଏ। ହେଲେ ଏମିତି ଅଜଣା ଅଚିହ୍ନା ମଣିଷ ଯେ ତାର ଆଜି ଏତେ ନିଜର ସେ ପୁଣି କଣ ପାଇଁ ସେ ବୁଝିବାକୁ ଅକ୍ଷମ। ଇଛା ତାର ସେ ଅଜଣା ଚେହେରାକୁ ଦେଖିବାକୁ ହେଲେ ସେ କେବେ ଚେଷ୍ଟା ବି କରିନି କେବେ। କାରଣ ଜହ୍ନ ଯେ ଦୂର ଆକାଶର ବକ୍ଷରେ ସୁନ୍ଦର ଲାଗେ ତାର ମର୍ମ ସେ ବୁଝେ। ତଥାପି ଇଛା ସହର ଛାଡି ଯିବା ପୂର୍ବରୁ ସେ ଦେଖିବାକୁ ଚାହେଁ ତାର ପ୍ରଥମ ପସନ୍ଦକୁ।
ମୁକ୍ତାକାଶର ପକ୍ଷୀ ଯେ ଏତେ ଶୀଘ୍ର ବନ୍ଦୀ ହୋଇଯିବ ପିଞ୍ଜରାରେ କିଏ ବା ଭାବିପାରେ? ଆଜି କେବଳ ସେ ଦୂର ଦିଗ୍ ବଳୟକୁ ଦେଖିଥାଏ, ପବନର ସ୍ପର୍ଶରେ ଝୁମିବାକୁ ଚାହେଁ। ଫେରିପାଇବାକୁ ଚାହେଁ ନିଜ ଅତୀତ। ବର୍ତ୍ତମାନ ଠୁ ସେ ଦୂରକୁ ଯିବାକୁ ପ୍ରାର୍ଥନା କରେ। ଅସମ୍ଭବ ସ୍ୱପ୍ନ ପାଇଁ ସେ ଯେତିକି ଚିନ୍ତିତ, ଭବିଷ୍ୟତ ଉଜୁଡିବାର ଭୟ ସେତିକି ବ୍ଯାକୁଳ କରେ ତାକୁ। ହସ ଯେମିତି ଲିଭିଯାଇଛି ତାଓଠରୁ। ଦୁଃଖର ପାହାଡ ଚଢିବାରେ ସେ ବ୍ଯସ୍ତ। ଅହରହ ହସେ ମନେମନେ ସେ କେଉଁ ଏକ ତାଛ୍ଛଲ୍ଯ ହସ, ସେ ହସ ରହସ୍ୟମୟ ।ଅନ୍ୟ ନଜରରେ ସେ ହସ ପ୍ରୀତିଭରା ମଧୁ ହେଲେ ଚୁଲୁବୁଲି ନିଜ ଦୁଃଖରେ ହସିବା ଭୁଲିନି।କାହାକୁ କୈଫୟତ ଦେବାକୁ ସେ ଚାହୁଁଥିଲେ ବି ଦେବା ଉଚିତ୍ ମନେ କରେନି। ବନ୍ଦୀ ଜୀବନ ଅସହ୍ଯ ତା ପାଇଁ ।ସ୍ୱପ୍ନର ସହରେ ସେ ବନ୍ଦୀ। ଦୃଢ ମନ ଆଜି ତାର ଅସହାୟ। ଚାହେଁ ସେ ଚାଲିଯିବାକୁ ଏ ସମ୍ପର୍କ ଠାରୁ। ଚେଷ୍ଟାକରେ ଭୁଲିଯିବାକୁ ହେଲେ ପାରେନି। ଏମିତି ଏ ଅଜଣା ବନ୍ଧନରେ ସେ ଆଜି ବନ୍ଦୀ। ହୁଏତ ଏ ଦୁନିଆ ତାକୁ ପ୍ରେମର ନାମ ଦେଇପାରେ। ମାତ୍ର ଚୁଲୁବୁଲି କିଛି ଆଶା ରଖିନି ସେ ଭାବନା ଉପରେ। ହରେଇବାର ଭୟ ତ ନଥାଇପାରେ ତଥାପି ଏକ ଅଜଣା ଭୟ ତାକୁ ଘରେ। ଦୂରକୁ ଚାଲିଯିବାକୁ ଚାହିଁଲେ ବି ଜହ୍ନ ତା ନିକଟକୁ ଚାଲିଆସେ। ସେ ଜହ୍ନ ତାର ପ୍ରାପ୍ଯ ନୁହେଁ କି ସେ ଜହ୍ନର କୁମୁଦିନୀ ନୁହେଁ। ତଥାପି ବାରମ୍ବାର ତା କାନରେ ପ୍ରତିଧ୍ୱନିତ ହୁଏ ତିନୋଟି ଅକ୍ଷର ।ସ୍ ଅ........ର୍... ଥ୍... ଅ। ଅଣନିଶ୍ୱାସୀ ହୋଇ ଚୁଲୁବୁଲି ଆଖି ବନ୍ଦ କରି ପିଞ୍ଜରା ଭିତରୁ ଦୂର ଆକାଶକୁ ଚାହିଁ ରହିଥାଏ।
