Lipi Sahoo

Tragedy Fantasy

4.2  

Lipi Sahoo

Tragedy Fantasy

ରାଣୀ ଗୁଡି

ରାଣୀ ଗୁଡି

5 mins
532


ଚଗୁଲୁ ଉଠି ଆସି ଅଣଓସାରିଆ ଦାଣ୍ଡପିଣ୍ଡାରେ ବସିଲା । ନୁଆଁଣିଆ ଚାଳ । କଅଁଳିଆ ଖରା ବିଛାଡି ହେଇ ପଡ଼ିଥାଏ । ଆକାଶକୁ ଅନେଇଲା । ସକାଳୁ ମାତ୍ର ୨/୪ ଟି ଗୁଡ଼ି ଉଡୁଥାଏ । କି ସୁନ୍ଦର ! ଲହରି ମାରି ଗୁଡ଼ି ଗୁଡ଼ିକ ଉଡୁଥାନ୍ତି । ସାବୁଜା ଟା ଚୋଖା ଉଡ଼ୁଛି । ଆର ଗୁଡା କାନି ଖାଉଛନ୍ତି । ପେଚ ଲଢା ପେଚ ଲଢା ଖାଲି ଉଡୋଉଚୁ କ'ଣ ??? ଆଜି ପରା ମକର ଆଉ ଟିକେ ପରେ ଆକାଶ ଟା ଭର୍ତ୍ତି ହେଇଯିବ, ନାଲି ନୀଳ ହଳଦିଆ ଆଉ କେତେ ରଙ୍ଗରେ । 


     କନକ ଗରଗର ହେଇ ଘରୁ ବାହାରି ଆସିଲା । ହୋଇରେ ଟୋକା ! ଏଠି ଆସି ଆକାଶ କୁ ଅନେଇ ବସିଲୁ କ'ଣ ?? ଯା ! ଦାନ୍ତଘସି ଖାଇବୁ ଯା । ବାପା ପୁଅ ମିଶି ମୋତେ ଦହଗଞ କରି , ମୋର ଜୀବନଟା କୁ ଖାଇଯିବ । ମୁଁ କାମକୁ ଯାଉଚି । ଖବରଦାର ! ଜମା ବାହାର କୁ ଯିବୁନି । ମୁଁ ସଅଳ ଫେରିଆସିବି । ଦାସବାବୁ ଘର ଗାଁ କୁ ଯାଇଛନ୍ତି । ତାଙ୍କ ଘର ରନ୍ଧା ଆଜି ନାହିଁ । କହି ତରତର ହେଇ ବାହାରି ଗଲା ।


                 ବାପ ନାଁ ଶୁଣି ଚଗୁଲୁ ଦେହେରେ ନିଆଁ ଚରିଗଲା । ସେ ଜନ୍ତୁଟା କିଏ ?? ସେ ତ କେବେ ବି ତାକୁ ଦେଖିନି । ହେଲେ ମା ଗାଳି ଦେଲା ବେଳେ ତା ନାଁ କୁ ଯୋଡି ସବୁବେଳେ ଗାଳିଦିଏ । ଯେତେ ପଚାରିଲେ ମୋ ବାପା କାଇଁ କିଛି ଉତ୍ତର ଦିଏ ନାହିଁ । ଖାଲି ଗରଗର ହେବ ଆଉ କହିବ, କି ! ମୁଁ ତତେ କମ ପଡିଯାଉଛି କି , ତୋତେ ଆହୁରି ବାପ ଦରକାର । ଥିଲେ କ'ଣ ତୋତେ ମୁଣ୍ଡରେ ବସେଇଥାନ୍ତା ??? ସେ ଅଳପେଇସା ନାଁ ମୋ ଆଗରେ ଧରିବୁନି । ଚଗୁଲୁ କହେ ମୁଁ କେତେ ବେଳେ ଧରୁଛି ତୁ ତ ମୋ ସାଙ୍ଗେ ତା ନାଁ ଜୋଡି ସବୁବେଳେ ମୋତେ ଗାଳି ଦେଉଚୁ । କନକ ଆଉ କିଛି କହେନି , ନଶୁଣିଲା ଭଳି କାମ କରିବାରିବାର ବାହାନା କରେ । 


                 ସେ ପୁଣି ଆକାଶ କୁ ଅନେଇଲା ଗୁଡ଼ି ସଂଖ୍ୟା ଧୀରେଧୀରେ ବଢିଲାଣି । ହେଲେ ସେ ତ ଆଜି ଉଡେଇ ପାରିବନି । ଗଲା ବର୍ଷ ଯାହା ଘଟିଲା ୟେ ବର୍ଷ ସେଇଆ ହେବ ବୋଲି କୋଉଠି ଲେଖା ଅଛି ?? ହେଲେ ମାଁ ର ଏକା ଜିଦ୍ ଏ ସନ ସେ ତାକୁ ଗୁଡ଼ି ଉଡେଇବାକୁ ଦେବନି । ଗଲା ସନ କଥା । ମାଁ କୁ ତେଲେଇ ତେଲେଇ ବଡ଼ ନଟେଇ ଆଉ ବଡ ନାଲିରଙ୍ଗର ଗୁଡ଼ି କିଣିକି ଆଣିଥିଲା । ଦୁଇ କାନିରେ ହଳଦି ରଙ୍ଗର କାଗଜ ଝାଲେରି ଲାଗିଥିଲା । ସେ ତା'ର ନାଁ ବି ଦେଇଥିଲା 'ରାଣୀ' । ଖାଲି କ'ଣ ସେତିକି ଡବଲ ମାଞା ଦିଆ ସୂତା । ହାତ ବାଜିଲେ ପଚକିନା କଟିଯିବ । ଜଣାବି ପଡ଼ିବନି । ସେ ସୂତାକୁ କାଇଦାରେ ଧରିବାକୁ ହୁଏ । ସକାଳୁ ସକାଳୁ ଉଠି ଭୀମାକୁ ନେଇ ଗୁଡ଼ି ଉଡେଇବାକୁ ପଳେଇ ଥିଲା । ଓଃ ! ସେ କି ଗୁଡ଼ି ଥିଲା । ଭୀମା ଛାଡ଼ୁ ଛାଡ଼ୁ ପବନ କାଟି ସାଏଁ ସାଏଁ ଉପରକୁ ଉଠିଗଲା । ତା ଗୁଡ଼ି ତ ସମସ୍ତ ଙ୍କ ଭିତରେ ନିଆରା ଥିଲା । ଗୋଟେ ଥର ବି କାନିଖାଇନି । ଖାଲି ଲହରେଇ ଲହରେଇ ଉଡୁଥିଲା । ସମସ୍ତ ଙ୍କ ନଜର ତାରି ଗୁଡ଼ି ଉପରେ । ଖାଲି କ'ଣ ସେତିକି ପେଚ ଲଢେଇ ୩/୪ ଗୁଡ଼ି କାଟି ବି ଥିଲା । ହେଲେ କ'ଣ ହେଲା କେଜାଣି କାହାର ନଜର ଲାଗିଗଲା ବୋଧେ । ଦୁଇ ଚାରିଟା ଗୁଡ଼ି ଏକା ସଙ୍ଗେ ଆସି ତା ସହ ପେଚ ଲଢେଇଲେ । ଭୀମା କହିଲା, ଚଗୁଲୁ ତୁ ସୂତା ଗୁଡା ଆଉ ବେଶୀ ଉଚ୍ଚା ଉଡାନା । ଦେଖୁନୁ କେମିତି ଏକା ସଙ୍ଗେ କେତେଜଣ ପେଚ ଲଢେଇଲେଣି । ଚାଲ ପଳେବା । ପରେ ଆସି ଉଡେବା । ନହେଲେ ଆମ ଗୁଡ଼ି କଟି ଯିବ । ଦୁର୍ ! ତୁ ଡାହା ଡରୁଆ ଟା । ମୋର ଡବଲ ମାଞା ଯିଏ ଆସି ଲାଗିବ କଟିଯିବ । ୟା ଭିତରେ ତା ଗୁଡିକୁ ୪/୫ ଗୁଡ଼ି ଘେରି ସାରିଥିଲେ । ଠିକ୍ ଯେମିତି ଅଭିମନ୍ୟୁର ଚକ୍ରବ୍ୟୁହ । ଗୋଟେ କୁ ତଡିଲା ବେଳକୁ ଆଉ ତିନି ଟା ମାଡି ଆସୁଥିଲେ । ଏମିତି ଚାଲିଲା ବହୁତ ସମୟ ଲଢେଇ । ହଠାତ୍ ଦେଖିଲା ବେଳକୁ ତା ଗୁଡ଼ି ସୂତା ସହ ଆଉ ଦୁଇଟା ଗୁଡ଼ି ଗୁଡେଇ ହେଇଗଲେ । ଟଣା ଭିଡା ଚାଲିଲା ତିନିଟା ଯାକ ଏକା ସାଙ୍ଗରେ କଟିଲେ । ଭୀମା ପାଟିକଲା, ଚଗୁଲୁ ଦୌଡ଼ ତୋର କଟିଲା । ଚଗୁଲୁ ଅଣନିଃଶ୍ବାସୀ ହେଇ ଦୌଡିଲା । ତା ପଛେ ପଛେ ଭୀମା । ୟେଟା ବି ଗୋଟେ ମଜା ଦୌଡ଼ି ଦୌଡ଼ି କଟା ଗୁଡି ଧରିବା । ଆରେ ! ଏଟା ତ ମୋ ରାଣୀ ଗୁଡ଼ି ଥିଲା । ୟା ଦେହରେ କାହାର ହାତ ମରେଇ ଦେବିନି । ଉପରକୁ ଅନେଇ ଗୁଡ଼ି ପଛେ ପଛେ ଦୌଡୁଥାଏ । କୋଉଆଡକୁ ଆଉ ନିଘା ନଥାଏ । ସେ ପଡିଆ ଛାଡି ରାସ୍ତାରେ ଦୌଡୁଛି ସେକଥା ବି ଜଣା ନଥାଏ । ଉପରକୁ ଅନେଇଛି ତ ଏକ ଲୟରେ । ଭୀମାର ପାଟି ଶୁଭିଲା ରହିଯା ଚଗୁଲୁ । ହେଲେ ତା କଥା କୁ କାନ ଦେଉଛି କିଏ ? ଧପ୍ କିନା ତା ଦେହରେ କ'ଣ ଗୋଟେ ଆସି ଜୋର୍ ରେ ବାଡ଼େଇ ହେଲା । ଛିଟିକି କି ପଡ଼ିଲା ତା ପରେ ତ ତା'ର ଆଉ ହୋସ୍ ନାହିଁ .....।

                 

                 ଆଖି ଖୋଲିଲା ବେଳକୁ ହସ୍ପିଟାଲ ରେ। ତା କଡ଼ରେ ତା ମାଁ ବସି ସକେଇ ସକେଇ କାନ୍ଦୁଥିଲା । ଓଃ ! ହାତ କାନ୍ଧରେ ବହୁତ ଯନ୍ତ୍ରଣା ହେଉଛି । ହେଲେ ସେ ଡରିକି ଚୁପ୍ ରହିଲା । ଜାଣେ, କହିଲେ ମାଁ ଏବେ ତା ଉପରେ ବର୍ଷି ଯିବ । ଏକେ ତ ଭୂଲ୍ କରିଛି । ସେ ଆଖି ଖୋଲବା ଦେଖି ତା ମାଁ ତାକୁ କୁଣ୍ଢେଇ ପକେଇ କହିଲା ବାପରେ ତୁ ଠିକ୍ ଅଛୁ ନା ?? ମୋର ତ ହାଲକ ଶୁଖିଯାଇଥିଲା । ଭଗବାନଙ୍କ ଦୟାରୁ କିଛି ହେଇନି । ଖାଲି ଖଣ୍ଡିଆ ଖାବରା ହେଇଚି । ତୁ ତ ମୋର ଗୋଟିଏ ବୋଲି ସାହା , ତୁ ଯଦି ଏମିତି କାମ କରିବୁ ମୁଁ ବଞ୍ଚିବି କେମିତି ??? ଆଜି ସେ ଜାଣିଲା ତା ମାଁ ତାକୁ କେତେ ଭଲପାଏ । ମିଛ ରେ ସିନା ଗରଗର ହୁଏ । ଆଉ କାହା ରାଗ ମୋ ଉପରେ ଶୁଝାଏ ।


                ହସ୍ପିଟାଲରୁ ଫେରି କନକ ଚୂଲି ଜାଳିଲା । ଭାତ ହାଣ୍ଡି ବସେଇଲା । ଚଗୁଲୁ ଆସି ତା ପାଖରେ ଜାକି ହେଇ ବସିଲା । କନକ କହିଲା ଜାଉନୁ ଶୋଇଥିବୁ । ଦିହ କସକସ ଲାଗୁଥିବ । ରାନ୍ଧି ସାରିଲେ ଡାକିବି ଖାଇବୁ । ଆଜି ମୁଁ କାମକୁ ଯିବିନି । 


                ନାଁ ! ମୁଁ ତୋ ପାଖରେ ବସିବି । ଭାବିଲା ଆଜି ମାଁ ମୋ ଉପରେ ଜମା ରାଗିବନି । ଏଇ ଆଳରେ ବାପା କଥା ପଚାରି ଦିଏ । ମାଁ ତୁ ଏକୁଟିଆ କେତେ କଷ୍ଟ କରୁଚୁ । ପୁଣି ମୋର ଏଇ ଅବସ୍ତା, ବାପା ଥିଲେ ତୁ କ'ଣ ୟେତେ ହଇରାଣ ହେଇଥାନ୍ତୁ ??? ଘର ବାହାର ସବୁ ସମ୍ଭାଳୁଛୁ । ଚୂଲି ହୁତହୁତ ହେଇ ଜଳୁଥାଏ । ଭାତପାଣି ଟପଟପ ହୋଇ ଫୁଟୁଥାଏ । ସେଇ ଆଡେ ଏକ ଲୟରେ କନକ ଅନେଇ ଥାଏ । ତା ଭିତର ବି ଠିକ୍ ସେମିତି ଜଳୁଥିଲା । ସେ କ'ଣ ଉତ୍ତର ଦେବ ପୁଅକୁ ??? ତୋ ବାପ ମୋତେ ବିବାହ ଆଗରୁ ଗର୍ଭବତୀ କରି ସାରିଥିଲା । ନ୍ୟାୟ ନିଶାପରେ ବାହା ହେଇଗଲା ସିନା ତୁ ଜନ୍ମ ହୋଉହୋଉ ଆଉ ଗୋଟେ ଟୋକି କୁ ଧରି ପଳେଇଲା । ସୂତା କଟା ଗୁଡି ପରି ତୋତେ ଧରି ଶୂନ୍ୟ ରେ ଏକ ଅନିଶ୍ଚିତ ଦିଗ ଆଡେ ଉଡିଚାଲିଚି । ପବନଟା ବୋହୁଚି ବୋଲି । ନହେଲେ କେତେବେଳେ ଆସି କୋଉ ଅପନ୍ତରିଆ ଜାଗାରେ ମାଟିରେ ପିଟିହେଇ ପଡି ହଜିଯିବା ଜଣା ନାହିଁ । ସବୁ ସେଇ ଉପରବାଲାର ଦୟା । 


                ମାଁ ତୁ କିଛି କହିଲୁନି ଯେ ???? ଚଗୁଲୁ ପଚାରିଲା । କ'ଣ କହିବି ତୋତେ ?? ତୁ ଛୋଟ ପିଲା କିଛି ବୁଝି ପାରିବୁନି । ଖାଲି ଏତିକି ଜାଣିଥା । ଆମେ ଦୁହେଁ ନଟେଇ ନଥିବା ଗୁଡ଼ି । ଦୁହେଁ ଗୋଟିଏ ସୂତାରେ ବନ୍ଧା । କ'ଣ ବୁଝିଲା କେଜାଣି ହସିହସି ଗଡିଲା । କହିଲା ମା, ମୋ ଗୁଡିରେ ଠିକ୍ ସେମିତି ଦୁଇଟା ଗୁଡ଼ି ଗୁଡେଇ ହେଇ ଯାଇଥିଲେ । ଆଉ ସବୁ ଯାକର ସୂତା କଟି ଯାଇଥିଲା । ତିନିଟା ଯାକ ଗୁଡାଗୁଡି ହେଇ ଉପରୁ ଖସୁଥିଲେ । କନକ ତା ମୁଣ୍ଡରେ ହାତ ବୁଲେଇ ଦେଲା ।


              କନକ କାମରୁ ଫେରି ଦେଖିଲା ଚଗୁଲୁ ସେମିତି ପିଣ୍ଡାରେ ବସି ଆକାଶକୁ ଅନେଇ ଗୁଡ଼ି ଉଡା ଦେଖୁଚି । ଏଇ ଟୋକା ମୁଁ କାମ ସାରି ଫେରିଲିଣି ତୁ ସେମିତି ପିଣ୍ଡାରେ ବସିଛୁ ?? ଭୋକ ହେଉନି କି ଆଜି ତୋତେ ??? ମାଁ ଏପର୍ଯ୍ୟନ୍ତ ଗୋଟେ ବି ଗୁଡ଼ି କଟିନି । କାଇଁ କଟିଥିଲେ ତୁ ଦୌଡ଼ିଥାନ୍ତୁ ଆଣିବାକୁ ?? ଚଗୁଲୁ କିଛି ନକହି ମୁଣ୍ଡ କୁଣ୍ଡେଇଲା । କନକ କହିଲା, ଖବରଦାର ! ଜାଣିଥା ସେଟା ବି ଚୋରି କୁହାଯିବ । ସେ ଭୂଲ୍ କେବେବି କରିବୁନି ।

                

                  


Rate this content
Log in

Similar oriya story from Tragedy