ରାଜୁରୁ ରାଜ୍- ଥିଲା କଳ୍ପନା ହେଲେ ଛଟପଟ ହୋଇ ଚାଲିଗଲା
ରାଜୁରୁ ରାଜ୍- ଥିଲା କଳ୍ପନା ହେଲେ ଛଟପଟ ହୋଇ ଚାଲିଗଲା
ରାଜୁର ଅନେକ ସ୍ୱପ୍ନ । ଅନେକ କଳ୍ପନା । ତା ଘର ଲୋକ ତାକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ । ଗାଁ ସ୍କୁଲ୍ରେ ବେଶ୍ ଭଲ ରାଜୁ ପଢୁଥିଲା । ଛାତ୍ରଛାତ୍ରୀଙ୍କ ଭିତରେ ତାର ଚାହିଦା ଥିଲା । ଗୁରୁମା ଏବଂ ସାର୍ମାନେ ଭଲ ପାଉଥିଲେ । ରାଜୁର ପରିବାରର ଆୟ ବି ବେଶ୍ ଅଧିକ ନୁହେଁ । ତେବେ ପୁଅ ଭଲ ପଢୁଥିବାରୁ ସେମାନେ ତା ପାଇଁ ଯଥା ସମ୍ଭବଖର୍ଚ୍ଚ କରିବା ପାଇଁ ପଛାଉ ନଥିଲେ । ମାଟ୍ରିକରେ ପ୍ରଥମ ଶ୍ରେଣୀ ବା ଫାଷ୍ଟକ୍ଲାସରେ ପାସ୍ କରିଥିଲା ରାଜୁ । ଭଲ ନମ୍ବର ରଖିଥିବାରୁ ସହରର ଏକ କଲେଜ୍ରେ ସାଇନ୍ସରେ ଆଡମିଶନ୍ ନେଇଥିଲା । ପ୍ରଥମେ ସହରି ସଭ୍ୟତା ଭିତରେ କଲେଜ୍ ଯାଉଥିବା ବେଳେ ନିଜକୁ ସଙ୍କୁଚିତ ମନେ କରୁଥିଲେ । ଇଂଲିଶ୍ରେ ଅଧିକାଂଶ ପାଠ ପଢା ତା ମୁଣ୍ଡ ଉପରେ ଯାଉଥିଲା ।
ହଷ୍ଟେଲ୍ରେ ରହୁଥିଲା ରାଜୁ । ପ୍ରଥମେ ପ୍ରଥମେ ଫିଜିକ୍ସ, କେମେଷ୍ଟ୍ରି ମ୍ୟାଥ ବାୟୋଲୋଜିକୁ ବୁଝିବା ପାଇଁ ରାତି ଅନିଦ୍ରା ହୋଇ ପଢୁଥିଲା । ହେଲେ ହଷ୍ଟେଲ୍ରେ କିଛି ବାଳୁଙ୍ଗା ସାଙ୍ଗ ଧୀରେ ଧୀରେ ତାର ସାଙ୍ଗ ହେବାକୁ ଲାଗିଲେ । ଡେରି ରାତି ଯାଏଁ ତା ରୁମ୍ରେ ଖଟି କଲେ । ରାଜୁକୁ ପ୍ରଥମେ ଭଲ ଲାଗୁ ନଥିଲା । ପରେ ସେମାନେ ସହର ସଭ୍ୟତା ସହ ଖାପ୍ ଖୁଆଇ କହିଥିଲେ । ଗାଉଁଟିଆ ହୋଇ କେତେ ଦିନ ରହିବୁ ରାଜୁ ଆଜିଠୁ ତା ରାଜୁରୁ ହେଲୁ ରାଜ୍ ବୋଲି ସାଙ୍ଗମାନେ କହିଥିଲେ । ସେଦିନ ରାଜୁକୁ ରାଜ୍ ନାଁ ଟି ବେଶ୍ ଭଲ ଲାଗିଥିଲା। କଲେଜ୍ କରିଡରେ ତାକୁ ସାଙ୍ଗମାନେ ରାଜ୍ ଡାକିବା ବେଳେ ସେ ଟିକେ ଛାତି ଉଚ୍ଚା କରି ଚାରିଆଡୁ ଚାହୁଁଥିଲା । ଦୁନିଆଁଟା ତାକୁ ବେଶ୍ ଭଲ ଲାଗିଲା, ଅଧିକ ଉଜ୍ୱଳ ଦିଶିଲା । ତାପରେ ତାସାଙ୍ଗଙ୍କ କଥାରେ ଚୁଟିକୁ ଷ୍ଟ୍ରେଟ୍ କଲା । ଧୀରେ ଧୀରେ ରାଜୁରୁ ରାଜ୍ରେ ଚାଲିଚଲଣ ବଦଳି ଗଲା । ଗାଁକୁ ଗଲାବେଳେ କେମିତି କେମିତି ଲାଗିଲା ।
ପାଠ ପଢାରୁ ମନ ହଟିଗଲା । ସିନେମା ଏବଂ ଲାଇଫ୍ଷ୍ଟାଇଲ୍ ପ୍ରତି ମନବଳେଇଲା । ପରେ ଘରେ କହି ଗୋଟିଏ ସ୍ମାର୍ଟଫୋନ୍ କିଣିଥିଲା ରାଜ୍ ଓରଫ ରାଜୁ ।ପରେ ସାଙ୍ଗମାନେ କହିଥିଲେ ତାକୁ ସେହି ଝିଅଟି କଣେଇ କଣେଇ ଚାହୁଁଛି । ମରୁକେଇ ହସୁଛି , । ରାଜ୍ ବି ଦେଖି ତାକୁ ସେମିତି କିଛି ଲାଗିଲା, ଦେଖିଲା ତାକୁ ଅନାଇଲେ ସେ ଲାଜେଇ ଜାଉଛି । ତା ଭିତରେ ନୂତନ ରୋମାଞ୍ଚ ଆସିଥିଲା । ସ୍ମାର୍ଟଫୋନ୍ ହ୍ୱାଟସ୍ଆପ୍ ଗ୍ରୁପର ପର୍ଣ୍ଣ ଦେଖିବା । ଝିଅ କଥା ଭାବିବାରେ ତା ସମୟ ଗଲା । ଧୀରେ ଧୀରେ ବାଳୁଙ୍ଗା ସାଙ୍ଗଙ୍କ ସହ ପଡି ସିଗାରେଟ୍ ପରେ ପ୍ରେମ ନିଶାକୁ ହାଲକା କରିବା ନିଜକୁ ଅଧିକ ସହରି ମଡର୍ଣ୍ଣ ଦେଖାଇବା ପାଇଁ ଚେଷ୍ଟା । ସାଙ୍ଗ ସାଙ୍ଗରେ ବିଅର ବିଅରୁ ହାର୍ଡ ବା ଭଲ ମଦ ପିଇବା ଆରମ୍ଭ କଲା । ପ୍ରଥମେ ଗୋଟିଏ ଢୋକ ନେଇଥିଲା । ଟେଷ୍ଟ ବା ସ୍ୱାଦ ଭାରି ଖରାପ ଲାଗିଥିଲା । ପରେ ଅଭ୍ୟାସ ହୋଇଗଲା । ପାଟିରେ ନାଲିପାଣି ନ ବାଜିଲେ ପାଟି ଖରାପ ଲାଗିଲା । ଝିଅ ସଙ୍ଗେ କଥା ହୋଇ ରାତି ଅନିଦ୍ରା ହେଲା ।
କଲେଜ୍ ବି ବଙ୍କ୍ କଲା । କ୍ଲାସ କଲାନି । ପରୀକ୍ଷା ଆସିବା ବେଳକୁ ସେ ରାଜୁ ଓରଫ ରାଜ୍ ଚିନ୍ତା କଲା ତାକୁ ତ କିଛି ଆସୁନି । ପରୀକ୍ଷା ଦେବ କେମିତି । ଫେଲ୍ ହେବାର ସମ୍ଭାବନା ବେଶ୍ ଅଧିକ । ଆଖିରୁ ଲୁହ ଝରାଇବାକୁ ଚେଷ୍ଟା କଲା । ହେଲେ ଲୁହ ବାହାରିଲାନି । ଇଚ୍ଛା କଲା ଆଖିରୁ ରକ୍ତ ଲୁହ ହୋଇ ବହି ପଡନ୍ତା କି ସେତକ ବି ହେଲାନି । ସେହି ରାତିରେ ରାଜୁ ପିଲାବେଳେ ଦେଖିଥିବା ଅନେକ ସ୍ୱପ୍ନ କଳ୍ପନା ସବୁ ଛଟପଟ ହୋଇ ଚାଲିଗଲା ।
