JIT PATTNAIK

Horror Thriller

4.0  

JIT PATTNAIK

Horror Thriller

ଏମିତି ବି ଘଟିଥିଲା -ରାତିର ଅନ୍ଧାର ରାସ୍ତାରେ ଉଭା ହୋଇଥିବା ଅଜଣା ଛାୟା

ଏମିତି ବି ଘଟିଥିଲା -ରାତିର ଅନ୍ଧାର ରାସ୍ତାରେ ଉଭା ହୋଇଥିବା ଅଜଣା ଛାୟା

6 mins
250


ରାତିର ଅନ୍ଧାର ରାସ୍ତାରେ ଉଭା ହୋଇଥିବା ଅଜଣା ଛାୟା - ଅଙ୍ଗେନିଭା କଥା

ଜିତ୍‌ ପଟ୍ଟନାୟକ.......ଜିତ୍‌.. ଦ.. ଜର୍ଣ୍ଣୋ

ଜୀବନରେ ଅନେକ ଘଟଣା ଘଟେ ଯାହା ସାରା ଜୀବନ ପାଇଁ ରହସ୍ୟମୟ ହୋଇ ରହିଥାଏ । ବେଳେ ବେଳେ ଏପିର ଘଟଣା ଘଟିଥାଏ ଯାହାର ଉତ୍ତର ମିଳି ନାହିଁ । ଏପରି ରହସ୍ୟମୟ ଘଟଣା ଜଣଙ୍କ ସହ ନୁହେଁ ଅନେକଙ୍କ ସହ ଘଟେ , ତେବେ ସାରା ଜୀବନ ପାଇଁ ଏହା ରହସ୍ୟମୟ ହୋଇ ରହିଯାଏ । 

ଏପରି ଏକ ଅଙ୍ଗେ ନିଭା କଥା । ଜୀବନରେ ସାମ୍ବାଦିକତାକୁ ବୃତ୍ତି ସେଥିଲେ ପୁଣି ରିପୋର୍ଟିଂ କରୁଥିବାରୁ ଅନେକ ଅଞ୍ଚଳ ବୁଲିବା ପାଇଁ ପଡେ । କେତେ ବେଳେ ପଞ୍ଚତାରକା ହୋଟେଲର ଶୀତତାପ ନିୟନ୍ତ୍ରିତ କୋଠରୀ ତ କେତେବେଳେ ଦୁର୍ଗମ ଜଙ୍ଗଲ । ଖରା, ବର୍ଷା, ଶୀତ ସବୁବେଳ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିଥାଏ । ବେଳେ ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ପାଇଁ ପଡେ । ବାତ୍ୟା ଏବଂ ନିର୍ବାଚନ ବେଳେ ତ ସବୁବେଳେ ସଜାଗ ହୋଇ ରହିବା ପାଇଁ ପଡିଥାଏ । ଖବର ହିଁ ଜୀବନ ପାଲଟି ଯାଏ । ଲୋକ ଯେଉଁ ଜୋଶ୍‌ କଥା କହୁଛନ୍ତି, ସାମ୍ବାଦିକତା ଏବଂ ରିପୋର୍ଟିଂରେ ତାହା ବହୁତ ଥାଏ । ଭଲ ସମ୍ବାଦିକ ସବୁବେଳେ ସବୁ ପରିସ୍ଥିତି ପାଇଁ ସଜାଗ ହୋଇ ରହିଥାଏ । କ୍ରାଇମ ରିପୋର୍ଟିଂ ବା ଅପରାଧ ମୂଳକ ସାମ୍ବାଦିକତା ଏବଂ ଇନଭେଷ୍ଟିଗେଟିଂ ବା ଅନୁସନ୍ଧାନମୂଳକ ସାମ୍ବାଦିକତାରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡେ । ସବୁ ଦିନ ଗୋଟିଏ ନୂଆ ଆହ୍ୱାନ ବା ଚ୍ୟାଲେଞ୍ଜ । କାଳେ କୌଣସି ଖବର ମିସ୍‌ ହୋଇଯିବ ବା ଖସିଯିବ ବୋଲି ମନେରେ ଅଜଣା ଭୟ ରହେ । ସବୁବେଳେ ମୋବାଇଲ୍‌କୁ ବାରମ୍ବାର ଯାଞ୍ଚ କରିବା ପାଇଁ ପଡେ । ହେଲେ ତାହା ଜୀବନର ଧାରା ପାଲଟିଯାଇଥାଏ । 

ଏହି ଘଟଣା ମୁଁ ଏବଂ ମୋ ସହକର୍ମୀଙ୍କ ସହ ୨୦୧୧ ମସିହାରେ ଘଟିଥିଲା । ଭୁବନେଶ୍ୱର ଟଙ୍କ ପାଣି ରାସ୍ତାରେ ଥିବା ସାଇ ମନ୍ଦିରରେ ଏକ ବାହାଘର ଥାଏ । ଜଣେ ସହକର୍ମୀଙ୍କ ଭାଇର ବାହାଘର । ବାରମ୍ବାର ଅନୁରୋଧ କରିଥାଆନ୍ତି ଯେମିତି ହେଲେ ବାହାଘରକୁ ଆସିବେ । ଏପଟେ ସମ୍ବାଦିକତାର କାର୍ଯ୍ୟ ଯେମିତି ହେଲେ ସମ୍ପାଦନା କରିବାକୁ ହେବ । ନହେଲେ କିଏ କାଲିକୁ ସଫେଇ ଦେବ କଅଣ ପାଇଁ ନ୍ୟୁଜ୍‌ ମିସ୍‌ହେଲା । କେହି ବୁଝିବେନି । କହିବେ ତମ କାମ ତମେ କର । ଟିଭିରେ ସମ୍ବାଦିକତା କରୁଥାଏ । ପ୍ରତିକ୍ଷଣ ଆହ୍ୱାନ । ସେଥିପାଇଁ କାମ କରିବାକୁ ଲୋଭ ସିଆଡେ ବାହାଘରରେ ଯୋଗ ଦେବା ପାଇଁ ଲୋଭ। ସେଥିପାଇଁ ବାହାଘରକୁ ଡାକିଥିବା ସହକର୍ମୀଙ୍କୁ ଟିକେ ଡେରିରେ ଆସିବା ପାଇଁ କହିଥାଏ । ସେ କହିଥାଆନ୍ତି ବେଶୀ ଡେରି କରିବେନି । କାରଣ ତାଙ୍କର ବି ଆଶଙ୍କା ଥାଏ । ମୋର କାମ ସରିବା ବେଳକୁ ବେଳେ ବେଳ ରାତି ବାରଟା ପରେ ହୋଇଯାଇଥାଏ । ୨୦୧୫ ମସିହାରେ ପୁରୀରେ ନବକଳେବର ଅନୁଷ୍ଠିତ ହେବାକୁ ଥାଏ । ଏଥିପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜୋର ସୋରରେ ଚାଲିଥାଏ । ପୁରୀକୁ ଭୁବନେଶ୍ୱରରୁ ନୂଆ ବାଇପାସ୍‌ ତିଆରି ହେଉଥାଏ । ରାସ୍ତା କାମର ପ୍ରାୟ ପ୍ରାରମ୍ଭିକ ପର୍ଯ୍ୟାୟ । ନୂଆ ରାସ୍ତାକାମ ହେଉଥାଏ । ବାଲି ଏବଂ ମୋରମ ପଡୁଥାଏ । ସେହି ସମୟରେ ସାଇ ମନ୍ଦିର ପାଖରେ ବି ରାସ୍ତା କାମ ଜୋରସୋରରେ ଚାଲିଥାଏ। 

ବାହାଘରକୁ ଯିବାପାଇଁ ଡେସ୍କରେ ଆଉଜଣେ ସହକର୍ମୀଙ୍କୁ ସାଙ୍ଗ କରିଥାଏ । ସେ ରାତି ୧୧ଟା ବୁଲେଟିନ୍‌ ସାରି ଯିବା ପାଇଁ କହିଥାଆନ୍ତି । ୧୧.୩୦ ଯାଏଁ ନ୍ୟୁଜ୍‌ ବୁଲେଟିନ୍‌ । ଶେଷ ବୁଲେଟିନ୍‌ ସରିଲେ ସାଙ୍ଗ ହୋଇ ଯିବା । ସବୁତ ସରିଥିବା କେବଳ ମୁହଁ ଦେଖାଇ(ମୁହଁ ମାରିକି) ଆସିବା ବୋଲି ସେ କହିଥାଆନ୍ତି। ତାଙ୍କ ନାମ ବିଜୁ । ବୟସରେ ସାନ ଯୋଗୁଁ ମତେ ଭାଇ ଭାଇ ବୋଲି ଡାକୁଥାଆନ୍ତି । ଠିକ୍‌ ହେଲା ବୁଲେଟିନ୍‌ ସରିଲା ବେଳକୁ ତରବର ହୋଇ ବାହାରିଲୁ । ଶୀତ ଦିନ ଆରମ୍ଭ ହେଉଥାଏ । ବେଶୀ ଥଣ୍ଡା ନଥିଲେ ବି ସାମାନ୍ୟ ଥଣ୍ଡା ଲାଗୁଥାଏ । ଭଲ ଲାଗୁଥାଏ । ବିଜୁ ଗାଡି ଚଳାଉଥାଆନ୍ତି । ବାଇକ୍‌କୁ ରାଜଧାନୀର ରାସ୍ତାରେ ରସୁଲଗଡ ଛକରୁ କଳ୍ପାନା ଆଡକୁ ଟିକେ ଜୋରରେ ଛୁଟାଇ ଥାଆନ୍ତି । ଏହାପରେ ରବି ଟକିଜ୍‌ ଛକ । ସେଠାରୁ ବାମ ପାର୍ଶ୍ୱକୁ ବୁଲିଲେ ୧ରୁ ୨ କିଲୋମଟିର ପାଖାପାଖି ଗଲେ ସାଇ ମନ୍ଦିର। 

ସାଇ ମନ୍ଦିର ପାଖରେ ପହଞ୍ଚିଲୁ । ରାତି ୧୨ ବାଜିବା ପାଇଁ ଯାଉଥିଲେ ମଧ୍ୟ ସେଠାରେ ବାହାଘରରେ ଅଳ୍ପ କିଛି ଲୋକ ଉପସ୍ଥିତ ଥିଲେ । ସାଧାରଣତଃ ଦୋକାନ ବନ୍ଦ କରି ଆସୁଥିବା ଲୋକ ଟିକେ ଡେରିରେ ଆସୁଥାଆନ୍ତି । ଆମେ ଭିତରକୁ ଗଲୁ । ମନ୍ଦିର ପହୁଡ ହୋଇ ସାରିଥିଲେ । ବାହାରୁ ମୁଣ୍ଡିଆ ମାରିଲୁ । ମନ୍ଦିର ପଛ ପାଖରେ ବିବାହ ଏବଂ ଅନ୍ୟ ଉତ୍ସବ ପାଇଁ ବ୍ୟବସ୍ଥା । ସେଠାରେ ପହଞ୍ଚିବା ବେଳକୁ ଅଳ୍ପ ଲୋକ ଥିଲେ । ନବ ବରବଧୂଙ୍କୁ ଦେଖି ତାଙ୍କ ଉପହାର ଦେଲୁ । ଡାକିଥିବା ସହକର୍ମୀ କହିଲା ଆରେ ଡେରି ବୋଲି ଏତେ ଡେରିରେ ଆସିଲ । ଖାଦ୍ୟ ବି ଆମ ପାଇଁ ରହିଥିଲା। ମନ୍ଦିର ଯୋଗୁଁ ବେଶ୍‌ ସ୍ୱାଦିଷ୍ଟ ନିରାମିଷ ଭୋଜନ । ତାପରେ କ୍ଷୀରି , ମିଠା । ଖାଇ ସାରିବା ପରେ ବିଜୁଙ୍କୁ କହିଲି ଚାଲ ବାହାରିବା ରାତି ବେଶୀ ହେଲାଣି । ସେ ଚିନ୍ତାମଣୀଶ୍ୱର ମନ୍ଦିର ନିକଟରେ ରହୁଥିଲେ । ତାଙ୍କ ଠାରୁ ଦୁଇଟା ଗଳି ଛାଡିଲେ ମୋର ଲକ୍ଷ୍ମୀସାଗରେ ଥିବା ରୁମ୍‌ ବା ଭଡାଘରର କୋଠରୀ । ସେ କହିଲେ ଏବେ ଯେଉଁ ବାଇପାସ୍‌ ନିର୍ମାଣ ଚାଲିଛି ସେଥିରେ ସର୍ଟକଟ ଅଛି । ଜଲଦି ପହଞ୍ଚିଯିବା ।ସବୁଠାରୁ ବଡ କଥା ହେଲା ଆମେ ଦୁଇଜଣ ଚା ପିଇବା ବ୍ୟତୀତ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରୁନାହୁଁ । କାଳେ କିଏ ଭାବିବେ ଏମାନେ ହ୍ୟାଙ୍ଗଓଭରରେ ଥିଲେ କି , ସେଥିପାଇଁ ଏହି କଥା ଉଲ୍ଲେଖ କଲି । 

ତରବର ହୋଇ ବାହାରିଲୁ ସେହି ସମୟରେ ସେ ଅଞ୍ଚଳ ଏତେ ବେଶୀ ବିକଶିତ ହୋଇ ନଥିଲା କିମ୍ବା ବିଦ୍ୟୁତ ଆଲୋକର ବ୍ୟବସ୍ଥା ନଥିଲା । ଡାହାଣ ପଟେ ବାଇପାସ ରାସ୍ତା ନିର୍ମାଣ । ହେଲେ ବିଜୁ ଭୁଲରେ ବାମ ପାର୍ଶ୍ୱ ରାସ୍ତା ନେଇ ଗଲେ । ତା ପରେ ନଦୀ ପୋଲ ଅନେକ ରାସ୍ତା । ବହୁ ବାଟ ଯିବା ପରେ ସନ୍ଦେହ ହେଲା.... ଏହା ଠିକ୍‌ ରାସ୍ତା ନୁହେଁ । ସେହି ସମୟକୁ ବିଜୁ ଏକ ମାଟି ରାସ୍ତାରେ ଗାଡି ଚଳାଇଲେ । କହିଲେ ଏପଟେ ବୋଧେ ସର୍ଟକଟ । ସେତେବେଳକୁ କିଟି ମିଟି ଅନ୍ଧାର । ମାଟି ରାସ୍ତା ଦୁଇ ପଟେ ବୁଦୁ ବୁଦୁକିଆ ଗଛ । ପରେ ଆରମ୍ଭ ହେଲା ଏକ ବାଉଁଶ ବଣ । କେବଳ ମାଟି ରାସ୍ତା ଥାଏ । ଘର କିମ୍ବା ରାସ୍ତାର ଚିହ୍ନବର୍ଣ୍ଣ ନଥାଏ । ମୋବାଇଲ୍‌ କାଢିବା ବେଳେକୁ ଟାଓ୍ୱାର ଦେଖାଉନି । 

ତାଙ୍କୁ କହିଲି ଭୁଲ୍‌ ରାସ୍ତାରେ ଆଣିଦେଲ ବୋଧେ । ସେ କହିଲେ ହଁ ଅନ୍ଧାର ଯୋଗୁଁ ଜଣା ପଡିଲାନି । ମୁଁ କହିଲି ହେଲେ ଏହି ଜଙ୍ଗଲିଆ ରାସ୍ତା ଆଗକୁ କିଛି ଦେଖାଯାଉନି ଆଉ ଯିବାନି । ସେ କହିଲେ ନାଁ କିଛି ବାଟ ଆଗକୁ ଯିବା କାଳେ ରାସ୍ତା ମିଳିବ । ଆଉ ଟିକିଏ ଆଗକୁ ଗଲୁ । ଏହି ସମୟରେ ଅନ୍ଧାର ଭିତରେ ଯେଉଁ ଘଟଣା ଘଟିଲା ଆମେ ଆଜିଯାଏଁ ବି ବେଳେ ବେଳେ ଭାବୁ ଏହା କଅଣ ଥିଲା । ହଠାତ୍‌ ଅନ୍ଧାର ଭିତରେ ଦୁଇ ମହଲା ଉଚ୍ଚା ଏକ ବାଉଁଶ ଗଛ ତଳକୁ ନଇଁବାରେ ଲାଗିଥିଲା। ବାଉଁଶ ମୋଡି ହେଲେ ଯେଉଁ କେଁ କେଁ କଟ କଟ ଶଦ୍ଦ ହେବା କଥା ତାହା ହୋଇଥିଲା । ଆମ ଦୁଇ ଜଣଙ୍କୁ ଟିକେ ଭୟ ଲାଗିଥିଲା। ଆମ ଆଗରେ ବାଉଁଶ ଗଛର ଅଗ କିଛି ଦୂରରେ ଭୂମିରେ ଲାଗିଥିଲା । ପବନ ବୋଲି କିଛି ନଥିଲା । ସେହି ସମୟରେ ସେହି ଗଛ ଅଗରୁ ୬ ଫୁଟ୍‌ ଉଚ୍ଚ ପ୍ରାୟ ମଣିଷ ଉଚ୍ଚର ଧଳା ହଳଦିଆ ଛାୟା ମିଶା ମଣିଷ କି କଅଣ ଭୂମିରେ ଓହ୍ଲାଇ ଛିଡା ହୋଇଥିଲେ । ଆମେ ଦୁଇଜଣଙ୍କୁ ଭୟ ଲାଗୁଥିଲେ ବି ନିୟନ୍ତ୍ରଣରେ ଥିଲୁ । ବିଜୁ ପଚାରୁ ଥାଆନ୍ତି ଭାଇ ଏଇ କଅଣ । ମୁଁ ଭାବୁ ଥାଏ ମୁଁ ଯାହା ଦେଖୁଛି ସେ ବି ସେୟା ଦେଖୁଛନ୍ତି। ମୁଁ ଭୟ ପାଇଥିଲେ ବି ସାହାସ କରି ତାଙ୍କୁ କହିଲି ମାଙ୍କଡ ଟାଏ ହୋଇଥିବ । ସେ କହିଲେ ନାଁ ଭାଇ ଏତେ ବଡ ମାଙ୍କଡ..... ମଣିଷ ଉଚ୍ଚତାର । ଭୂମିରେ ପୁଣି ଛିଡା ହୋଇଛି ତାହାର ପାଦ ଗୋଡ କି ମୁହଁ ଦେଖାଯାଉନି । 

ମୁଁ ବି ଦେଖୁଥାଏ ଭାବୁଥାଏ ଏହା ମାଙ୍କଡ ହୋଇ ପାରିବନି । ମଣିଷ ବି ନୁହଁ । ମୁହଁ ଦେଖାଯାଉନି । ଗୋଡର ଚିହ୍ନବର୍ଣ୍ଣ ନାହିଁ । ବେଶ୍‌ ସ୍ପଷ୍ଟ ଭାବରେ ଦେଖିଛି । ସାହସ ମିଶା ଭୟ ଯାହା ବୋଳେ କ୍ରାଇମ୍‌ ରିପୋର୍ଟିଂ ଯୋଗୁଁ ମୋ ଭିତରେ ବିକଶିତ ହୋଇଯାଇଥାଏ । ନହେଲେ ପିଲା ବେଳେ ଅନ୍ଧାର ଏବଂ ଭୂତକୁ ବହୁତ ଡର ଲାଗେ । ହେଲେ ବୟସ ହେବା ସହ ଡର ଅନେକ କମିଯାଇଥାଏ । ଅନୁସନ୍ଧାନ ମୂଳକ ରିପୋର୍ଟିଂ କରିବା ବେଳେ ସାହାସ ଅଧିକାଂଶ ରିପୋର୍ଟରଙ୍କର ବିକଶିତ ହୋଇଯାଏ ।

ମୁଁ କହୁଥାଏ ଭୟ କରନି ଗାଡି ବୁଲାଅ ଯେଉଁ ରାସ୍ତାରେ ଆସିଛ ସେହି ରାସ୍ତାରେ ଫେର । ସେ ଗାଡି ବସିବା ଅବସ୍ଥାରେ ବୁଲାଇ ପଛକୁ ଫେରିଲେ । ତାଙ୍କ କାନ୍ଧକୁ ଧରିବା ବେଳେକୁ ସେ ଥରୁ ଥିବା ମୁଁ ଅନୁଭବ କରିପାରୁଥାଏ । ହେଲେ ସାହାସ ଦେଉଥାଏ । ସ୍ପଷ୍ଟ ଭାବରେ ସେହି ଛାୟା ମୂର୍ତ୍ତୀକୁ ଆମେ ଦୁଇ ଜଣ ଦେଖିଛୁ । ରାତିରେ ବାଉଁଶ ଗଛ ଉପରକୁ ଲୋକ ଚଢିବା ଅସମ୍ଭବ । କିଛି ବାଟ ଆଗକୁ ଆସିବା ବେଳେକୁ ଏହି ସମୟରେ ଆମ ମୁଣ୍ଡ ଉପରେ ଦେଇ କିଛି ଗୋଟାଏ କଳା ହୋଇ ଉଡି ଗଲା । ବିଜୁ କହିଲେ..... ହରୋର ମୁଭି ପରି ଲାଗୁଛି । ସେତେ ବେଳେକୁ ମୁଁ ସବୁ ଦିଅଁ ଦେବତାଙ୍କ ନାଁ ମନ୍ତ୍ର ମନେପକାଉଥାଏ । ହନୁମାନ ଚାଳିଶା ପଢିବା ପାଇଁ ଚେଷ୍ଟା କରୁଥାଏ। ଅଧା ପଢିବା ବେଳକୁ ଅଧା ଭୁଲିଯାଉଥାଏ । ମନ ଭିତରେ ଅଜଣା ଭୟ ହେଲେ ଉପରକୁ ସାହାସ ଦେଖାଉଥାଏ। କାଳେ ବିଜୁଙ୍କର ଚେତା ବୁଡିଯିବ ଅବସ୍ଥା ଆହୁରି ଖରାପ ହୋଇ ଯିବ ବୋଲି ଭାବି ଦେଉଥାଏ । ଅନେକ କଥା ମନେ ଭିତରେ ଗୋଳେଇ ଘାଣ୍ଟି ହୋଇଯାଉଥାଏ । 

ବହୁ ସମୟ ପରେ ସାଇ ମନ୍ଦିର ପାଖରେ ପହଁଚିଲୁ । ସେତେବେଳକୁ ମନ୍ଦିର ମୁଖ୍ୟ ଗେଟ ବନ୍ଦ ହୋଇ ସାରାଲାଣି । ବିଜୁ ଥରୁ ଥାଆନ୍ତି । ହେଲେ ଗାଡି ଚଲାଉଥାଆନ୍ତି । କହୁଥାଆନ୍ତି ଭୟ ଲାଗୁଛି ଆଜି ରାତିରେ ଶୋଇ ପାରିବିନି । ସେଠାରୁ ମୁଁ ଗାଡି ଚଳାଇଲି ବିଳମ୍ବିତ ରାତିରେ ମୋ ରୁମ୍‌ ନିକଟରେ ପହଞ୍ଚିଲୁ । ତାଙ୍କୁ କହିଲି ମୋ ପାଖରେ ଶୋଇ ପଡେ । ହେଲେ ସେ ସେ ତାଙ୍କ ଘରକୁ ଯିବା ପାଇଁ କହିଲା । ମୁଁ ମୋ ରୁମ୍‌କୁ ଗଲି । ଦିଅଁକୁ ମୁଣ୍ଡିଆ ମାରି ଶୋଇବା ପାଇଁ ଗଲି , ଅନେକ ସମୟ ଯାଏଁ ନିଦ ହେଲାନି । ତାପରେ ନିଦ ହେଲା ।

 ସକାଳୁ ଏକ ଫୋନ୍‌ କଲ୍‌ ଆସିଲା । ସହକର୍ମୀ ଯାହାର ଭାଇଙ୍କର ବାହାଘର ହୋଇଥିଲା । ସେ କଲ୍‌ କଲେ । କେହିଲେ କାଲି ରାତିରେ ବିଜୁକୁ ଭୂତ ଦେଖାଇ ଦେଲେ । ମୁଁ ବି ହସିଲି , ସେ କହିଲେ ବିଜୁ ରାତି ସାରା ଶୋଇନି ,ତା ଦେହ ଟିକେ ଖରାପ ହୋଇଯାଇଛି । ମୁଁ ଉଠି ଗାଧୋଇ ସାରି । ତାଙ୍କ ରୁମ୍‌କୁ ଗଲି । ସେ ବି ଅଜଣା ଭୟରେ ଥାଆନ୍ତି। ସେହି ଚିଜଟି କଅଣ ବୋଲି ପଚାରୁ ଥଆନ୍ତି । ପରେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲୁ । ସେହି ସ୍ଥାନ ବିଷୟରେ କିଛି ଲୋକଙ୍କୁ ପଚାରିଥିଲୁ। ତାହା ଏକ ଗାଁର ଶ୍ମଶାନ ଅଞ୍ଚଳ ବୋଲି ସୂଚନା ପାଇଥିଲୁ। ହେଲେ ଆଜି ଯାଏଁ ଭାବୁଛୁ ସେହି ଛାୟା ମୂର୍ତ୍ତୀ କଅଣ ଥିଲା । ଏତେ ବଡ ବାଉଁଶ ଗଛ ଉପରକୁ କିପରି ଗଲେ । ଆମେ କାହିଁକି ଦେଖିଲୁ। ଏବେ ବି ସେହି କଥା ଦୁଇ ଜଣ କଥାବାର୍ତ୍ତା ହେଲେ ଦୁଇ ଜଣଙ୍କ ଶରୀର ଶୀତେଇ ଉଠେ। ହେଲେ ତାହା ଏବେ ବି ଆମ ପାଇଁ ରହସ୍ୟ ।


Rate this content
Log in

Similar oriya story from Horror