Rakesh Sahoo

Inspirational

3  

Rakesh Sahoo

Inspirational

ପୁଅକୁ ଚିଠି

ପୁଅକୁ ଚିଠି

2 mins
180



ପ୍ରିୟ ଲିକୁ 



   ମୋର ସ୍ନେହାଶୀର୍ବାଦ ନେବୁ । ତୋର ବନ୍ଧୁମାନଙ୍କୁ ମଧ୍ୟ ସ୍ନେହ ଜଣାଇଦେବୁ । ତୋର ଭୁବନେଶ୍ୱର ଯିବା ଅନେକ ଦିନ ହେଲାଣି । ତେଣୁ ତୋ ପାଖକୁ ଚିଠି ଖଣ୍ଡିଏ ପଠାଉଛି । ଭାବୁଛି ତୁ ସେଠି ଭଲରେ ଥିବୁ । ତୋ ମାଆ ଆଉ ମୁଁ ତୋ ବିଷୟରେ ପ୍ରତ୍ୟେକ ଦିନ କଥା ହେଉ ତୋ ମାଆର ତୋ ପାଇଁ ଭାରି ଚିନ୍ତା । କହୁଛି କଣ କରୁଥିବ ମୋ ପୁଅ, କଣ ଖାଉଥିବ , କିପରି ଚଳୁଥିବ ତା ସାଙ୍ଗମାନେ କେମିତି ହୋଇଥିବେ ଇତ୍ୟାଦି ଇତ୍ୟାଦି । ମାଆ ମନ, କିଏ ବୁଝାଇବ ତାକୁ । ହେଉ ଛାଡେ ମୋ ଚିଠି ଲେଖିବାର କାରଣ ତୋତେ ଏବେ କହୁଛି, ମନ ଦେଇ ପଢିବୁ । ସଂସାରରେ ବିଦ୍ୟା ଠାରୁ ବଡ ସାଥି କେହି ନାହାନ୍ତି, ତେଣୁ ସିଏ ତୋର ପ୍ରଥମ ସାଙ୍ଗ । ସମସ୍ତଙ୍କ ସହ ମିଳିମିଶି ଚଳିବୁ । କାହା ସହ ଅଯଥା ଝଗଡ଼ା କରିବୁନି । କିନ୍ତୁ ଅନ୍ୟାୟ ଦେଖିଲେ ବୁଝିସୁଝି ପ୍ରତିବାଦ କରିବୁ । ସାନ ଭାଇ ଭଉଣୀମାନଙ୍କୁ ନିଜ ପୁଅ ପରି ମାନିବୁ ଓ ବଡ ଭାଇ ଭଉଣୀମାନଙ୍କୁ ବାପା ମାଆଙ୍କ ପରି ସମ୍ମାନ ଦେବୁ । ତୋର ବର୍ତ୍ତମାନ କୈଶୋର ଅବସ୍ଥା ତେଣୁ ଭଲ ମନ୍ଦ ଜାଣିବାରେ ଟିକେ ସମୟ ଲାଗିବ ସେଥିପାଇଁ ବ୍ୟସ୍ତ ହେବୁନି । ଧିରେ ଧିରେ ଶିଖିଯିବୁ । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପିତା ମାତା ପରି ମାନିବୁ । ମହାବିଦ୍ୟାଳୟରେ ସହପାଠିନୀମାନଙ୍କୁ କୌଣସି ଖରାପ ମନ୍ତବ୍ୟ ଦେବୁନି । ନାରୀଙ୍କୁ ସମ୍ମାନ ଦେଲେ ତୁ ଆଗେଇ ପାରିବୁ ତୋ ଗନ୍ତବ୍ୟ ପଥରେ । ମନକୁ ଟିକେ ଆୟତ୍ତରେ ରଖିବୁ । ବେଳେବେଳେ ଲଗାମ ଖସିଯାଏ । ତେଣୁ ସେଥି ପ୍ରତି ଧ୍ୟାନ ଦେବୁ । ଏବେ ବିଦ୍ୟା ଅଧ୍ୟୟନ କରିବା ସମୟ । ପ୍ରେମ ବ୍ୟାପାର ଠାରୁ ଟିକେ ଦୁରେଇ ରହିବୁ । ପ୍ରତ୍ୟେକ ଜିନିଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଥାଏ ସମୟ ପୂର୍ବରୁ କିଛି ପାଇବାକୁ ଚେଷ୍ଟା କଲେ ତାହା କେବଳ ଦୁଃଖ ଦିଏ । ପ୍ରତ୍ୟେକ ଦିନ ପ୍ରାର୍ଥନା କରୁଥିବୁ ଏହା ମନକୁ ଶାନ୍ତି ଦିଏ । ନିଜ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବୁ ନିଜର ପ୍ରତ୍ୟେକ କାମ ନିଜେ କରିବୁ । ବିନା ପରିଶ୍ରମରେ ମିଳୁଥିବା ଜିନିଷକୁ ଗ୍ରହଣ କରିବୁ ନାହିଁ । ହଁ କେହି କିଛି ଯାଚିଲେ ଟିକେ ହସି କହିବୁ ମୋତେ କ୍ଷମା କରନ୍ତୁ ମୁଁ ଏହା ଗ୍ରହଣ କରିପାରିବି ନାହିଁ । ନିଜ ବହିପତ୍ର ଓ ଘରକୁ ସଫା ସୁତରା ରଖିବୁ । ଅଯଥା ବାହାରେ ବୁଲିବୁ ନାହିଁ । କୁସଙ୍ଗରେ ନପଡିବା ପାଇଁ ଚେଷ୍ଟା କରିବୁ । ରାଣ ପ୍ରତିଜ୍ଞା ଅଯଥାରେ ପକାଇବୁନି । ବିଶ୍ଵାସ ହିଁ ମଣିଷର ବଡ ସମ୍ବଳ । ପ୍ରତ୍ୟେକ କାମକୁ ବୁଝି ବିଚାରି କରିବୁ । କାହାକୁ କିଛି କଥା ଦେଇଥିଲେ ଠିକ୍ ସମୟରେ କରିବୁ । ଯଦି ନକରି ପାରୁ କ୍ଷମା ମାଗିନେବୁ । କାହାକୁ କିଛି ତୋ ହାତରେ ନଥିବା କାମ କରିବା ପାଇଁ କଥା ଦେବୁନି । ଅନୁଭବ ହିଁ ମଣିଷର ପ୍ରକୃତ ଗୁରୁ । ଭାବିବୁନି ତୋତେ ମୁଁ ଉପଦେଶ ଦେଉଛି ଜୀବନରେ କିଛି ନିୟମ ନଥିଲେ ଜୀବନ ଅସାର ହୋଇଯିବ । ଏତିକି ଲେଖି ରହୁଛି ଚିଠି ପାଇ ଚିଠି ଦେବୁ । ସୁବିଧା ଅସୁବିଧା ଜଣାଇବୁ ରହୁଛି । 


ଇତି 

ତୋର ବାପା 



Rate this content
Log in

Similar oriya story from Inspirational