Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ପ୍ରାଣୀଙ୍କ ଆରତ ବୁଝନ୍ତି ଜଗନ୍ନାଥ

ପ୍ରାଣୀଙ୍କ ଆରତ ବୁଝନ୍ତି ଜଗନ୍ନାଥ

5 mins
15


ସ୍ୱର୍ଗବଗିଚାର ଦେଖାଶୁଣା କରିବାକୁ କେତେକ ପରୀଙ୍କୁ ନିଯୁକ୍ତି ଦେଇଥାନ୍ତି ଇନ୍ଦ୍ରଦେବ. ସେଦିନ ଦୁଇ ପରୀ ଦେଖିଲେ ଗୋଟେ ପାରିଜାତ ଫୁଲ ଉପରେ ଭଅଁରଟିଏ ବସିଛି. ପରୀ ଦୁହେଁ ଇନ୍ଦ୍ରଦେବଙ୍କୁ ଜଣେଇ ଦେଲେ. ଇନ୍ଦ୍ର ତତକ୍ଷଣାତ ଦୁଇଜଣ ଦୂତଙ୍କୁ ପଠାଇ ସେଇ ଭଅଁରକୁ ଧରି ନେଇ ଇନ୍ଦ୍ରଙ୍କ ପାଖରେ ଉପସ୍ଥିତ କରାଇଲେ. ଏଡ଼େ କ୍ଷୁଦ୍ର ଜୀବ ହୋଇ ତୁମର କିପରି ଏତେ ବଡ ଆସ୍ପର୍ଦ୍ଧା ହେଲା ସ୍ୱର୍ଗ ବଗିଚାକୁ ଆସି ପାରିଜାତ ପୁଷ୍ପ ଉପରେ ଉପବେଶନ କରିବାକୁ? ବୋଲି ଇନ୍ଦ୍ର ପଚାରନ୍ତେ ଭଅଁରଟି କହିଲା ମଣିମା ମତେ ପୃଥିବୀ ପୃଷ୍ଠରେ ଜନ୍ମ ହେଇ ଫୁଲରୁ ଫୁଲ ଉଡିବୁଲି ମଧୁ ପିଇବାକୁ କୁହାଯାଇଛି ସତ ହେଲେ ମଣିମା ଗୁହାରି ହେଉ ଶୁଣିମା. ପୃଥିବୀରେ ଏବେ ସ୍ୱଳ୍ପବୃଷ୍ଟି ଓ ଅନାବୃଷ୍ଟି କାରଣରୁ ମଣିଷମାନେ ଜଳକଷ୍ଟ ଭୋଗୁଛନ୍ତି. ମଣିଷମାନେ ଟୋପେ ପାଣି ନପାଇ ଡହଳ ବିକଳ ହେଉଥିବା ବେଳେ ବଗିଚା ତ ବଗିଚା ପୁଣି ଫୁଲ ବଗିଚା ଅବା କରୁଛି କିଏ? ଯେଉଁମାନେ କରୁଛନ୍ତି ସେମାନେ ଫୁଲଗଛରେ ପାଣି ନଦେବାରୁ ଫୁଲ ଫୁଟୁନି. ଯେତିକି ମଧ୍ୟ ଫୁଟୁଛି, ସେମାନେ ରଙ୍ଗ ରୂପ ବାସହୀନ ମଉଳା ଫୁଲ. ସେଥିରେ ବସି ଖାଦ୍ୟ ସଂଗ୍ରହ କରିବାକୁ ଇଛା ହୁଏନି, ପ୍ରେମତ ଦୂର କଥା.ତାଛଡା ମହୁମାଛିମାନଙ୍କୁ ମଧୁ ସଂଗ୍ରହ କରିବାକୁ ନଛାଡିଲେ, ମଣିଷମାନେ ମହୁ ଭଳି ସ୍ବର୍ଗୀୟ ଔଷଧ ନପାଇ ଅକାଳରେ ମରିଯିବେ. ମୋର ଏହି ଭଲ ପୁଣ୍ୟ ଚିନ୍ତାଧାରା ବଳରେ ମୁଁ ସ୍ୱର୍ଗ ବଗିଚାକୁ ସ୍ବଦେହରେ ଆସି କ୍ଷୁଧା ଓ ତୃଷା ନିବାରଣ କରୁଥିଲି ମାତ୍ର.

    ଇନ୍ଦ୍ରଦେବ କିଛି ସମୟ ଚିନ୍ତା କରି କହିଲେ ମେଘ ତ କାଳବୈଶାଖି ହୋଇ ପୃଥିବୀକୁ ଶୀତଳ କରେ. ତା ଛଡା ଏବେ ତ ମୌସୁମୀକୁ ଛଡା ସରିଲାଣି ପୃଥିବୀକୁ. ଭଅଁର କହିଲା ମଣିମା କାଳବୈଶାଖି ବର୍ଷା କୋଉଠି ହୁଏ ତ କୋଉଠି ହୁଏନା. ଯୋଉଠି ବି ହୁଏ ଆତଙ୍କ ଖେଳେଇ ଗଛ ସବୁ ଭାଙ୍ଗି ପକାଏ, ଘରଦ୍ୱାର ଛିନଛତ୍ର କରେ ସେଥିରେ ଫୁଲବାଗିଚା କଥା ପଚାରେ କିଏ? ଆଉ ଯୋଉଠି ହୁଏନାହିଁ ସେଠି ତ ଅଂଶୁଘାତରେ ମଣିଷଙ୍କ ପ୍ରାଣ ଯାଏ ଆଉ ସେମାନେ ସ୍ୱର୍ଗବଗିଚା ପରି ବଗିଚା କରିବା ଚିନ୍ତା କେମିତି କରିବେ? କାଳବୈଶାଖି ବର୍ଷାର ମନମାନୀ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଆଜ୍ଞା ମଣିଷକୁ ବୁଡାଇ ମାରୁଛି. ଚାଷୀ କୂଳ ଆତଙ୍କିତ. ରଜ ପରି ପରବରେ ଟୋପେ ବର୍ଷା ନାହିଁ. ମଣିଷ ଡହଳ ବିକଳ, ମରିବା ପରି କଷ୍ଟ ପାଉଛନ୍ତି ପଶୁ ପକ୍ଷୀ କୂଳ ସେଥିରେ ଆମପରି କୀଟପତଙ୍ଗଙ୍କ କଥା ବୁଝିବାର କାହିଁ କାହାର ବେଳକାଳ ଅଛି?

   ଇନ୍ଦ୍ରଦେବ ପୁଣି ଟିକେ ଚିନ୍ତା କରି କହିଲେ ଏଥିପାଇଁ କଣ ମନୁଷ୍ୟ ଦାୟୀ ନୁହେଁ ଭଅଁର? ଦାୟୀ ଆଜ୍ଞା. କିଏ କହିଲା ଦାୟୀ ନୁହେଁ. ପରିବେଶ ପ୍ରତି ଖାମଖିଆଲି ମନୋଭାବ, ସବୁଜ ବଳୟକୁ ନଷ୍ଟକରି କଂକ୍ରିଟ ଯୁଗ ସହ ଡିଜିଟାଲ ଡ୍ରଗ୍ସ କବଳିତ ମଣିଷର ତ ବହୁ ଭୁଲ ରହିଛି କିନ୍ତୁ ସେଥିପାଇଁ ତ ବନ୍ୟା, ବାତ୍ୟା, ମରୁଡି, ଅଂଶୁଘାତ, ସୁନାମୀ, ଲୁ, ଭୂମିକମ୍ପ ଇତ୍ୟାଡି ଦଣ୍ଡ ମିଳୁଛି କିନ୍ତୁ ବର୍ଷା ଓ ଖରା ଓ ଶୀତ ମଧ୍ୟ ଲଗାମ ହରେଇ ମନମାନୀ କରିଚାଲିଛନ୍ତି. ତେଣୁ ଜଣଙ୍କର ଭୁଲ ଦେଖି ଅନ୍ୟମାନେ ଯଦି ସେହିଭଳି ଭୁଲ କରିବସିବେ ତାର ପ୍ରତିଫଳନ ସମସ୍ତଙ୍କୁ ଭୋଗିବାକୁ ପଡିବ ନା ମଣିମା?ମଣିଷ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ଦେବତା, ନବଗ୍ରହ ମାନୁନି. ଯୁଦ୍ଧ, ଆତଙ୍କ, ବିଭୀଷିକାର କାରଣ ହେଉଛି ସତ. କିନ୍ତୁ ଯେତିକି ବି ଭଲ ଲୋକ ଅଛନ୍ତି ସେମାନେ ବିନା ଜଳରେ, ଡହ ଡହ ଉତ୍ତାପରେ, ଛାତି ଥରା ଶୀତରେ କରିବେ ବା କଣ? ପୁଣ୍ୟବନ୍ତ ମଣିଷ ତଥାପି ଅଛନ୍ତି ମଣିମା. ସେମାନେ ତ ଆଉ ସ୍ବଦେହରେ ସ୍ୱର୍ଗର ନନ୍ଦନକାନନ କି ପାରିଜାତ ଉଦ୍ୟାନକୁ ସ୍ବଦେହେ ଆସିପାରିବେ ନାହିଁ. ମୋ ଅପରାଧ କ୍ଷମା କରନ୍ତୁ ଅବା ମତେ ମୃତ୍ୟୁ ଦଣ୍ଡ ଦିଅନ୍ତୁ କିନ୍ତୁ ଖାଲି ମଣିଷମାନଙ୍କୁ ଦୋଷ ନଦେଇ ସବୁ କଥା ବିଚାର କରନ୍ତୁ. ଖୁସି ହୋଇଗଲେ ଇନ୍ଦ୍ର. ଛାଡିଦେଲେ ଭଅଁରକୁ. ଆଉ ସତର୍କ ହେଲେ. ଭାବିଲେ ସତେତ ଖାଲି ମଣିଷ ଯେ ତାର କର୍ତ୍ତବ୍ୟ ହୁଡ଼ିଛିର ଡେଙ୍ଗୁରା ପିଟା ଭିତରେ ଅନ୍ୟମାନଙ୍କ ଭୁଲ ଲୁଚିଯାଇଛି. ଇନ୍ଦ୍ରଙ୍କ ଆଦେଶରେ ମୌସୁମୀ ସକ୍ରିୟ ହୋଇ ମେଘ ସଵାରୀରେ ପୃଥିବୀ ପୃଷ୍ଠରେ ବରଷି ଚାଲିଥିଲା ଅମୃତର ବାରି.ଜଗନ୍ନାଥ ସୃଷ୍ଟି କର୍ତ୍ତା ଅନନ୍ତ ଶୟନରେ ରହି ଚିନ୍ତାକଲେ ସତରେ ଛୋଟ ହେଲେ ବି ଭଅଁର ଉଚିତ କଥାକହି ସମସ୍ତ ବିଭାଗକୁ ସକ୍ରିୟ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଛି.

   ମୌସୁମୀ ବର୍ଷା ହେଲା. ଚାଷୀର ଆନନ୍ଦ କହିଲେ ନସରେ. ଖାଲି ଧାନ, ବିରି,ମୁଗ, କୋଳଥ, ମାଣ୍ଡିଆ ନୁହେଁ ବରଂ ଯିଏ ଯୋଉ ଚାଷ କରନ୍ତି ସେଥିରେ ଲାଗିପଡିଲେ. ପନିପରିବା, ଛତୁ ଓ ଫୁଲ ଚାଷ. ଫୁଲଗୁଡିକ ଉପରେ କିନ୍ତୁ ଯେମିତି ଭଅଁର ବସିଛି, ମୌସୁମୀ ବରଷା ଏମିତି କଚାଡିଲା ଯେ ବିଚରା ଭଅଁରର ମାନସିକ ଓ ଶାରୀରିକ ସୁଖ ସବୁ ଉଭେଇ ଯାଇ ସେ କଚାଡି ହୋଇ ପଡି ମୃତ୍ୟୁ ବରଣ କରିବା ଭଳି ଅନୁଭବ କରି ଜଗନ୍ନାଥଙ୍କୁ ରଖ ଦୀନବନ୍ଧୁ ଡାକିଲା ବେଳେ ଜଗନ୍ନାଥ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସେତେବେଳକୁ ଦେବାସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିର ସୁନାକୂଅରୁ ଶହେଆଠ ଗରା ଗାଧେଇ ଜ୍ୱରରେ ପଡିଥାନ୍ତି.ମୌସୁମୀ ବର୍ଷାର ପ୍ରକୋପରେ ଭଅଁର ଅବସ୍ଥା ଜାଣିବା ପରେ ଜଗନ୍ନାଥ ଉଡିଗଲେ ଆଉ ଗୋଟେ ଭଅଁର ବେଶରେ ତା ପାଖକୁ. ସେତେବେଳେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ ପାଇଁ ପଟିଦିଅଁ ପୂଜା ପାଉଥାନ୍ତି. ଭିତରେ ଅଣସର ଘରେ ଠାକୁରଙ୍କୁ ଫୁଲୁରୀ ତେଲ ସହ ଚେରମୂଳି ଔଷଧ ପତ୍ର ଦିଆଯାଉଥାଏ. ଭକ୍ତ ଡାକରେ ଭଗବାନ ଭଅଁର ହୋଇ ଭଅଁର ପାଖକୁ ଉଡ଼ିଗଲେ ମଧ୍ୟ, ସେହି ଭଅଁର ତା ଦିବ୍ୟ ଦୃଷ୍ଟି ବଳରେ ଜଗନ୍ନାଥଙ୍କୁ ଚିହ୍ନିଲା. ଜ୍ୱରରେ ଖଇ ଫୁଟୁଥିବା ଅବସ୍ଥାରେ ସ୍ୱୟଂ ଜଗନ୍ନାଥ ତା ଡାକ ଶୁଣି ଆସିଥିବାରୁ ସେ ଭାବ ବିହ୍ଵଳରେ ଗାଈ ଉଠିଲା ରଖେ ହରି ତ କେ ମାରିବ କିପରି? ପୁଣି ପ୍ରଭୁଙ୍କ ଗୋଡ଼ ତଳେ ପଡି କହିଥିଲା ଛୋଟ ଛୋଟ କଥାରେ ଏଣିକି ମୁଁ କି କେହି ଭକ୍ତ ପ୍ରଭୁଙ୍କୁ ଯେପରି ଭ୍ରମରେ ନପକାଏ, ସେଥିପ୍ରତି ସଜାଗ ରହିବି. ଏଡ଼େବଡ଼ ଠାକୁର ଜଳକ୍ରୀଡା କରି ବା ସ୍ନାନ କରି ଯେତେବେଳେ ଜ୍ୱରରେ ପ୍ରପୀଡ଼ିତ ସେତେବେଳେ ଏ ମୌସୁମୀ ବର୍ଷାରେ ଭିଜି ବୁଡି ପକ୍ଷ ହରାଇ ମୋର ଆପଣଙ୍କୁ ଡାକିବାର ଉଚିତ ନଥିଲା. ମୁଣ୍ଡ ଆଉଁସି ଦେଇ ଭଅଁରର ଜଗନ୍ନାଥ କହିଥିଲେ ତୁମେ କ୍ଷୁଦ୍ର ପ୍ରାଣୀ ହେଲେ ମଧ୍ୟ ସମସ୍ତଙ୍କ ମନମାନୀ ଛଡେଇ ସଚେତନ କରିଥିବାରୁ ତୁମକୁ ମୁଁ ଏହି ବର ଦେଉଛି କି ତୁମ ଦେହ ଆଉ ଯେଡ଼େ ବର୍ଷା ହେଲେ ମଧ୍ୟ ଧୋଇ କି ବୁଡ଼ାଇ ଅବା ତିନ୍ତାଇ ପାରିବ ନାହିଁ. ଭଅଁର କହୁଥିଲା ଉଡି ଉଡି ଫୁଲରୁ ଫୁଲକୁ ବାର୍ତ୍ତା ଦେବି ଅଳ୍ପ ଛୋଟ ଛୋଟ କଥାକୁ ନିଜେ ନିଜ ବୁଦ୍ଧି, ବିବେକ,ବଳ ଓ କୌଶଳରେ ସମାଧାନ କରିବା ଉଚିତ.ପ୍ରତ୍ୟେକ କଥାରେ ଭଗବାନଙ୍କୁ ହଇରାଣ କରିବା ଉଚିତ ନୁହେଁ. ତେଣେ ଫୁଲୁରୀ ତେଲ ଉପଚାର ପାଇଁ ବଡ଼ ପଣ୍ଡା ଜଗନ୍ନାଥଙ୍କୁ ତାଙ୍କ ଦିବ୍ୟଦୃଷ୍ଟିରେ ତଥା ପୂଜା ପାଇଁ ଥିବା ଜଳଭରା ଗଡୁରେ ଦେଖିନପାରି କହୁଥିଲେ ଭକ୍ତର ଭଗବାନ କୋଉ ଭକ୍ତ ଡାକରେ ଜରରେ ମଧ୍ୟ ଚାଲିଯିବାର ଦେଖିବାକୁ ମିଳୁଛି ତ ଜଗନ୍ନାଥ ପହଞ୍ଚି, ସତେ ଯେମିତି କହୁଥିଲେ ସେ ଏମିତି ସେମିତି ଭକ୍ତ ନୁହେଁ.ସମସ୍ତଙ୍କୁ ସମସ୍ତଙ୍କ କାମ ଠିକ ସମୟରେ ସାରିବା ପାଇଁ ସଚେତନ କରିବା ସହ ମନମାନୀ ଛଡ଼େଇବା କାମରେ ଯିଏ ବ୍ରତୀ ସେ କଣ ଛୋଟ ଭକ୍ତ କେହି ହୋଇପାରେ!ବଡ଼ ପୂଜା ପଣ୍ଡା କଣ ବୁଝିଲେ କେଜାଣି ଉଚ୍ଚାରଣ କରୁଥିଲେ ଓଁ ବୋଲି. ଜର ଛାଡିଲା ଜଗନ୍ନାଥଙ୍କର. ନବଯଉବନ ବେଶ ହେଲେ ତିନି ଠାକୁର. ନବାଯୌବନ ଦର୍ଶନ କଲେ ଭକ୍ତ. ତିନିରଥ ସୁସଜ୍ଜିତ.ଟାହିଆ ଝୁଲେଇ ପହଣ୍ଡି ବିଜେ ହୋଇ ଛେରାପହଁରା ସରିଲାଣି. ସୁଦର୍ଶନ ଆସି ରଥରେ ବିଜେ କଲେଣି. ବଡଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପରେ ପରେ ସୁଭଦ୍ରାଙ୍କ ଦେଵୀଦଳନ ରଥ ମଧ୍ୟ ଆଗେଇ ଗଲାଣି କିନ୍ତୁ

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ୁନି. ଭକ୍ତ ଜାଣନ୍ତି ମନୁଆ ଠାକୁର ଭକ୍ତର ମନ ଭିଡନ୍ତି. ପୁଣି ଭକ୍ତ ହାତରୁ କେବେ ନଡ଼ିଆ ନିଅନ୍ତି ତ କେବେ ଭକ୍ତ ବନ୍ଧୁମହାନ୍ତିଙ୍କ ହାତକୁ ଅନ୍ନ ଥାଳ ଟେକିଦିଅନ୍ତି ତ କେବେ ପୁଣି ଭକ୍ତ ସାଲବେଗଙ୍କ ପାଇଁ ରଥ ଅଟକିଯାଏ. ଆଜି ପୁଣି କାହା ପାଇଁ ଅଟକିଛି ରଥ!କ୍ଷମା ପ୍ରାର୍ଥନା କରୁଥିଲେ ଭକ୍ତ ସମୂହ. ପଣ୍ଡା ପଢିହାରି ଲକ୍ଷକଲେ ସାମାନ୍ୟ ମାତ୍ର ଭଅଁରଟିଏ ଉଡିଆସିଲା କାହିଁ କେତେ ଦୂରୁ. ଗୁଣୁ ଗୁଣୁ ସ୍ୱରରେ ଗୀତ ଗାଈ ଉଡ଼ିବୁଲିଲା ରଥ ଚାରିପଟେ. ତା ପରେ ଆସି ବସିଲା ଠାକୁରଙ୍କ ଅଙ୍ଗ ଲାଗି ହୋଇ. ପଣ୍ଡା ସିନା ଉଡେଇବାକୁ ଯାଇ ପାରୁନଥିଲେ ଭଅଁରଟିକୁ କିନ୍ତୁ ସେ ଆସି ଉଡିବା ପରେ ରଥ ଚାଲୁଥିଲା ଘିଡ଼ି ଘିଡ଼ି...ଚକ ଯାଉଥିଲା ବଡଦାଣ୍ଡେ ଗଡି ଗଡି. ଭଅଁରଟି ମଧ୍ୟ ଉଡୁଘିଲା ଫୁଲରୁ ଫୁଲକୁ ପଣ୍ଡାମାନେ ପାରୁନଥିଲେ ତଡି. ସେମାନେ ସିନା ଚିହ୍ନି ପାରୁନଥିଲେ ଭାବୁଥିଲେ ଛାର ଭଅଁରଟି ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁବାସିତ ଫୁଲ ଓ ଫୁଲ ହାର ବା ମାଳର ସୁଗନ୍ଧରେ ଆକୃଷ୍ଠ ହୋଇ ଆସିଛି କିନ୍ତୁ ସ୍ବର୍ଗରୁ ଦେବତାମାନେ ଠିକ ଦେଖିପାରୁଥିଲେ ଓ ଇନ୍ଦ୍ରଦେବ ଚିହ୍ନିପାରିଥିଲେ ଇଏ ସେହି ଭଅଁର ଯିଏ ମନୁଷ୍ୟ, ପଶୁ ପକ୍ଷୀ, ବୃକ୍ଷ, ଲତା, ଫୁଲ, ଫଳ ସହିତ ସମସ୍ତ ପ୍ରାକୃତିକ ଜୀବ, ପ୍ରାଣୀ ଓ ପ୍ରକୃତିର ସମସ୍ତଙ୍କ ଭିତରେ ସାମ୍ୟ ଚାହେଁ କର୍ତ୍ତବ୍ୟ କର୍ମ ପାଇଁ ଆହ୍ୱାନ ଦେଇଥାଏ ବା ଜଗନ୍ନାଥଙ୍କ ଇଛାର ବର୍ତ୍ତବହ ଏଇ ଭଅଁରଟି.ତା ପର ପର ବର୍ଷ ଭଅଁର ଆସୁନଥିଲା ସତ ହେଲେ ରଥ ଯାତ୍ରାରେ ଲାଗୁଥିବା କପଡାରେ ଭଅଁରଟି ଚିତ୍ର ହୋଇ କୋଉଠିନା କୋଉଠି ରହିଥିବାର ଦେଖାଯାଏ ।



రచనకు రేటింగ్ ఇవ్వండి
లాగిన్

Similar oriya story from Classics