STORYMIRROR

Narendra Kumar Acharya

Inspirational Others

2  

Narendra Kumar Acharya

Inspirational Others

ପୋଲ

ପୋଲ

2 mins
14.6K


ନଈ କୂଳିଆ ଗାଁଟିରେ ସେଦିନ ଖୁସି ଖେଳିଗଲା ଯେଉଁ ଦିନ ସେଠାରେ କଂକ୍ରିଟ୍ ପୋଲ ନିର୍ମାଣର ଶୁଭ ଦିଆଗଲା। ଶିଳାନ୍ୟାସ ପାଇଁ ସେଇ ଅପନ୍ତରା ଗାଁରେ ଖୋଦ ମୁଖ୍ୟ ମନ୍ତ୍ରୀ ମହୋଦୟଙ୍କ ପାଦ ପଡିଲା। ଏକେ ତ ରାସ୍ତା ଖରାପ। ପୁଣି ନିର୍ବାଚନ ବର୍ଷ ହୋଇଥିବାରୁ ତାଙ୍କୁ ସେଦିନ ଆଉ ଦୁଇ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରିବାର ଥିଲା। ତେଣୁ ସେ ହେଲିକେପ୍ଟରରେ ପହଞ୍ଚିଲେ। ହେଲିକେପ୍ଟର ଓହ୍ଲାଇଥିବା ସ୍ଥାନର ବେରିକେଡ ବାହାରେ ପ୍ରବଳ ଲୋକ ଗହଳି। ଗାଁ ଗାଁରୁ କର୍ମୀମାନେ ସାଧାରଣ ଲୋକଙ୍କୁ ଆଣି ଥାଆନ୍ତି। ଏହା ଛଡା ପଞ୍ଝା ପଞ୍ଝା ଅଫିସରଙ୍କର ପୁଳା ପୁଳା ଚାରି କିଆରେ ଗାଁ ପଡିଆ ଭର୍ତ୍ତି। ଗାଁର ପିଲା ଠାରୁ ବୁଢା ଯାଏ ସମସ୍ତଙ୍କର ଆଖି ଓ ମନ ତୃପ୍ତ ଏ ଅପୂର୍ବ ଦୃଶ୍ୟରେ।

ଦୁଇଟି ସହର ମଝିରେ ଗାଁଟି। ଯେଉଁ ସହରଟି ପାଖ ତାକୁ ଅଲଗା କରୁଛି ଏ ନଈ । ପୋଲ ହେଲେ ରାସ୍ତା ଅବସ୍ଥା ସୁଧୁରିବ। ଗମନା ଗମନ ସୁବିଧା ବି ଭଲ ହେବ। ଅସୁବିଧା ସମୟର କଷ୍ଟ ଆଉ ରହିବନି। ଏୟା ଭାବି ଲୋକଙ୍କ ମନ ପୂରି ଉଠୁଛି। ପୋଲ ହେଲେ ସବୁ ବେଳେ ଗାଡି ମଟର ଯା' ଆସ ଲାଗି ରହିବ। ଏୟା ଭାବି ଗାଁର କିଛି ଅଧା ପାଠୁଆ ବେକାର ଯୁବକ ବି କିଛି ଗୋଟେ ବେପାର ଆରମ୍ଭ କରିବାର ପରିକଳ୍ପନା କଲେଣି । କିଛି ନହେଲେ ପାନ,ସିଗାରେଟ୍, ଚା’ ଦୋକାନ ତ ଚାଲିବ !

ଶିଳାନ୍ୟାସ ପରେ ସଭା ଚାଲିଲା । ସ୍ଥାନୀୟ ନେତାମାନେ ବଛା ବଛା ଉପମା ଦେଇ ମୁଖ୍ୟଙ୍କ ଗୁଣଗାନ କଲେ ଓ ଏପରି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ମୁଖ୍ୟଙ୍କ ଠାରେ କେତେ ପରିମାଣରେ କୃତଜ୍ଞ ରହିବା ଉଚିତ ତାହା ବୁଝାଇ ଦେଲେ। ଶେଷରେ ତାଙ୍କ ସରକାର ଲୋକଙ୍କ ସୁଖଦୁଃଖ ସହିତ ଅଛି ବୋଲି ସାରଗର୍ଭକ ଭାଷଣଟିଏ ଦେଇ ମୁଖିଆ ହେଲିକେପ୍ଟରରେ ଚାଲିଗଲେ। କହିବା ବାହୁଲ୍ୟ, ତିନି ଚାରି ମାସ ପରେ ଅନୁଷ୍ଠିତ ନିର୍ବାଚନରେ ସେହି ଅଞ୍ଚଳର ଲୋକମାନେ ମନ ଖୋଲି ମୁଖିଆଙ୍କ ଦଳକୁ ଭୋଟ ଦେଲେ।

ପାଞ୍ଚ ବର୍ଷ ବିତିବାକୁ ବସିଲାଣି। ଏବେ ନୂଆ ନୂଆ ସମସ୍ୟା ପ୍ରତି ଦଳମାନେ ଲୋକଙ୍କ ମନକୁ ଅଡେଇଲେଣି। ଲୋକଙ୍କ ଦୃଷ୍ଟି ଏବେ ହିନ୍ଦୁ-ମୁସଲମାନ ଗଣ୍ଡଗୋଳ, ଦଳିତ-ସବର୍ଣ୍ଣ ବିବାଦ, ଆରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କର ଘନ ଘନ ବନ୍ଦ ପାଳନ ଆଡେ । ଗାଁର ପଢୁଆ ବେକାର ପିଲାମାନେ ବି ବିଭିନ୍ନ ଦଳ ଭିତରେ ବାଣ୍ଟି ହୋଇ ଗଲେଣି। ଗାଁକୁ ଆସୁଥିବା ସରକାରୀ କାମର ଠିକାକୁ ନେଇ ମଝିରେ ମଝିରେ ଗଣ୍ଡଗୋଳ, ହାତାହାତି ବି ହେଉଛି । ଏସବୁ ଭିତରେ ପ୍ରସ୍ତାବିତ ପୋଲ କଥା ଲୋକମାନେ ଭୁଲି ଗଲେଣି। ଶିଳାନ୍ୟାସ ଫଳକଟା ଉଭାନ ହୋଇଗଲାଣି କୋଉ କାଳୁ।

®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୧୯।୫।୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Narendra Kumar Acharya

ବୋଉ

ବୋଉ

2 mins ପଢ଼ନ୍ତୁ

ବିଷ

ବିଷ

11 mins ପଢ଼ନ୍ତୁ

ପୋଲ

ପୋଲ

2 mins ପଢ଼ନ୍ତୁ

Similar oriya story from Inspirational