ବୋଉ
ବୋଉ
ଦିନେ ଦିନେ କୌଣସି କାରଣରୁ ଦେହ ଅଥବା ମନ ଅସୁସ୍ଥ ଲାଗେ l ସନ୍ଧ୍ୟାବେଳକୁ ଫୋନ୍ ଆସିବ - " ପୁଅ ତୋ ଦେହ ପା' ଭଲ ଅଛିଟି ! ଆଜି କାଇଁକି ମନ ଖାଲି ଅସ୍ଥିର ଲାଗିଲା l ଖାଇବାକୁ ଇଚ୍ଛା ହେଲାନି !" ପୁଣି ଦିନେ ଦିନେ ଖାଇଲା ବେଳେ ଭାତ ତଣ୍ଟିରେ
ଲାଗେ l ଖାଇସାରି ଫୋନ୍ କରେ l " ବୋଉ ତୋ ଦେହ ଭଲ ଅଛିଟି !" ବୋଉ ସେପଟରୁ କହେ -" ହଁ ହଁ ମୋ ଦେହ ପୂରା ଠିକ୍ l ଖାଲି ତୋ କଥା ଆଜି ଭାରି ମନେ ପଡ଼ିଲା l"
ହୃଦୟ ଥିଲା ତା'ର ବିଶାଳ l ସେଥିରେ ଅହରହ ଖେଳୁଥିଲା ସ୍ନେହର ଢେଉ l ନିଜ ପିଲାଙ୍କ ପରି ସବୁ ପିଲାଙ୍କୁ ସେ ଆଦର କରୁଥିଲା l ଚାରି ଚାରିଟା ପିଲାଙ୍କୁ ହରେଇବା ପରେ "ଆଣ୍ଠୁକୁଡୀ, ପିଲାଖାଈ" ପରି ଅନେକ କଟାକ୍ଷ, ଟାହିଟାପରା ଓ ଅପବାଦ ସହିବାକୁ ହୋଇଥିଲା ତା'କୁ l ଈଶ୍ବର ବୋଧେ ତା ଦୁଃଖ ବୁଝିଲେ l ଆମ ଚାରି ଭାଇ- ଭଉଣୀଙ୍କୁ ଦେଇ ପୁଣି ତା ଶୂନ୍ୟକୋଳକୁ ଭରିଦେଲେ l ତା'ପରେ ସେ ଭୁଲି ଯାଇଥିଲା ମୃତବତ୍ସା ହେବାର ଦୁର୍ଭାଗ୍ୟ l ସମାଜ ବି ଭୁଲି ଯାଇଥିଲା ତାହା ଦେଇଥିବା ଅପବାଦ ସବୁକୁ l ଜୀବନର ସେହି ନିର୍ଦ୍ଦୟ କ୍ଷଣ ବୋଧେ ତା' ହୃଦୟକୁ ଅଧିକ ସମ୍ୱେଦନାରେ ଆର୍ଦ୍ର କରି ଦେଇଥିଲା l ତେଣୁ ସେ ନିଜ ପିଲାଙ୍କ ପରି ସବୁ ପିଲାଙ୍କୁ ସ୍ନେହ କରୁଥିଲା l ତା ଆଖିରେ ନିଜପିଲା-ପରପିଲାର ଭେଦ ହିଁ ନଥିଲା l କୌଣସି ପିଲାକୁ ସେ ଗାଳି ଦେଇଥିବାର କେହି କେବେ ଦେଖିନାହିଁ l
ନିର୍ମାୟା ହସଟି ତଳେ କୋଉଠି ଲୁଚି ରହିଥିଲା ଏତେ ସାହସ କେଜାଣି ! ବାଘୁଣୀ ପରି ଜଗି ରହୁଥିଲା ଆମକୁ ଅସୁବିଧା
ସମୟରେ l ସମୟର ଖରାତାତି ନିଜେ ସହି ଆମକୁ ତା ସ୍ନେହର ଶୀତଳ ଛାଇରେ ଘୋଡାଇ ରଖୁଥିଲା l ଜୀବନ-ଯୁଦ୍ଧରେ କେବେ ବି ହାରିନି ସେ, ଆମକୁ ବି ହାରିବାକୁ ଦେଇନି l
ନନା ଯିବାର ଦଶ ବର୍ଷ ପରେ ବୋଉ ଚାଲିଗଲା l ସେତେବେଳେ ମନେହେଲା ଆମେ ସତକୁ ସତ ଅନାଥ ହୋଇଗଲୁ l ଏଥର ଗାଁକୁ ଯାଇ ଘର ଭିତରକୁ ପଶିଗଲା ବେଳେ ମନେହେଲା ବୋଉ ସେମିତି ବସିଚି ଦାଣ୍ଡଘରେ ଖଟ ଉପରେ l ଆଖି ମଳି ମଳି ପୁଣି ଥରେ ଭଲକରି ଚାହିଁଲି l ନା, କେହି ନାହିଁ l ତଥାପି ହୃଦୟ ଆଶ୍ୱାସନାରେ ପୂରି ଗଲା l ଏବେ ବି ବୋଉ ଅଛି ଆମ ପାଖେ ପାଖେ l ଏଇଠି ରହିଛି ଆମର ଗୃହଦେବୀ ହୋଇ l
ତା ଫଟୋ ଆଗରେ ପ୍ରଣିପାତ କରି ମନେ ମନେ କହିଲି - ଈଶ୍ୱର ତୋ ପରି ବୋଉର କୋଳରେ ମୋତେ ଜନ୍ମ ଦେଉ ଥାଆନ୍ତୁ
ବାରମ୍ବାର l କେବଳ ତୋରି ସ୍ନେହ ପାଇବାକୁ ମୁଁ ଫେରି ଆସୁଥାଏ ପୃଥିବୀକୁ ଜନ୍ମଜନ୍ମାନ୍ତର l
@ନରେନ୍ଦ୍ର କୁମାର ଆଚାର୍ଯ୍ୟ