STORYMIRROR

Jayashree Das

Fantasy

3  

Jayashree Das

Fantasy

ଫଗୁଣର ଖୁସୀ

ଫଗୁଣର ଖୁସୀ

2 mins
180


ପଲ୍ଲବିତ ଆମ୍ବ କୁଞ୍ଜରେ କୋଇଲିର ପଞ୍ଚମ ତାନ, ମୃଦୁ ମଧୁ ସମୀରର ମତୁଆଲା ଶିହରଣ, କୁଳୁକୁଳୁ ଝରଣାର ଚପଳଛନ୍ଦା ଗତି, ମାଧବୀ ମନକୁ କରୁଛି ରୋମାଂଚିତ, ହୃଦୟ ଗବାକ୍ଷ ଖୋଲି ଯାଉଛି ଧୀରେ ଧୀରେ, ମନ ପରଦା ଆଡେଇ ପଶି ଆସୁଛି ସ୍ମୃତି ! ଦୀର୍ଘ ପଚିଶ ବର୍ଷର ବ୍ୟବଧାନ ପରେ ମାଧବୀ ପାଦ ଦେଇଛି ତାର ଜନ୍ମ ମାଟିରେ ! ସମୟ ଚକ୍ରରେ ସବୁ ବଦଳିଛି, ସେ ନିଜେ ବି ବଦଳି ଯାଇଛି ଏହି ଦିନ କେତେଟା ଭିତରେ ! ନାକ କାନ୍ଦୁରୀ ମାନୁ ଏବେ ମିସେସ ନିଖିଳେଶ ମାଧୁରୀ ନାମରେ ଖୁବ୍ ପରିଚିତ ଓଡିଶାର ରାଜଧାନୀରେ ରାଜଧାନୀର ଚାକଚକ୍ୟ ଜୀବନ ଭିତରେ ଅଣନିଶ୍ୱାସୀ ହୋଇଯାଉଥିବା ମାନୁ ରୂପକ କିଶୋରୀ ପଚିଶି ବର୍ଷ ହେଲା ଛାଟିପିଟି ହେଊଛି ସରଳ ନିଷ୍କପଟ ମଫସଲରେ ବିତାଇଥିବା ତାର ସ୍ମୃତିକୁ ନିରେଖିବା ପାଇଁ !ପୁଣି ଥରେ ତାର ପ୍ରିୟ ଗ୍ରାମର ନିପଟ ମଫସଲି ସାଙ୍ଗ ସାଥୀ ବାପା, ମା, ଭାଈ ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଏକାକାର ହେବା ପାଇଁ କିନ୍ତୁ ସେ ସୁଯୋଗ ଆସିନଥିଲା ଏ ଗାଁରୁ ଗୋଡ଼ କାଢି ଯିବା ଦିନଠାରୁ !ସେ ଆଜି ଆସିଛି ତା ଜୀବନର ସ୍ୱର୍ଣ୍ଣିମ ଅଧ୍ୟାୟକୁ ବିଶ୍ଳେଷଣ କରିବାକୁ, ସତରେ କେତେ ମହାର୍ଘ୍ୟ ଦିନ ଗୁଡିଏ ନଥିଲା ତା ପିଲାଦିନ ! ସ୍ବର୍ଗୀୟ ସୁଷମା ଖଞ୍ଜି ଦେଇଛି ପ୍ରକୃତି ତାରି ଗାଁ ରେ, ସୁଖ ଦୁଃଖର ସମିଶ୍ରଣରେ କଟିଛି ବାଲ୍ୟ ଓ କୈଶୋର !କେତେ ଆନନ୍ଦ ଦାୟକ ଅଭୂଲା ଥିଲା ସେ ଦିନ ସବୁ ସାଙ୍ଗ ମାନଙ୍କ ଗହଣରେ ବିଦ୍ୟାଳୟ ଯିବା ଏହି ଝରଣାର କାଚକେନ୍ଦୁ ପାଣିରେ ଗାଧୋଇବା, କୋଇଲି ସହିତ ତାଳ ଦେଇ କୁହୁ କୁହୁ ରାଗିଣୀ ତୋଳିବା, ରଜ,କୁଆଁର ପୁନେଇଁ ପର୍ବ ଭିତରେ କୁଆଁରୀ ମନର ଚପଳତା ନେଇ ବଉଳ, ମକର ସହିତ ଗାଁ ସାରା ବୁଲିବା, ବାପା, ମା ଙ୍କ ଅଲିଅଳୀ କଣ୍ଢେଇ ହୋଇ ଜେଜେମାର ନୟନ ତାରା ହୋଇ ବେ ଫିକର ଜୀବନ ଜିଇଁବା, କେତେ ଅବିସ୍ମରଣୀୟ ଥିଲା ସେ ସବୁ !ଯେଉଁଦିନ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ଏ ଗାଁ ଛାଡିଥିଲା ରାଜଧାନୀର ଏକ ଖାନଦାନୀ ଘର ବିଲାତ ଫେରନ୍ତା ପୁଅ ନିଖିଳେଶଙ୍କ ହାତ ଧରି ସେହିଦିନ ଠାରୁ ତା ଗାଁ ତା ପାଇଁ ସ୍ବପ୍ନ ହୋଇ ଯାଇଥିଲା !ନିଖିଳେଶ ଓ ତାଙ୍କ ପରିବାର ଦିନକ ପାଇଁ ମଧ୍ୟ ମାନୁକୁ ଛାଡି ନଥିଲେ ତା ପ୍ରିୟ ଗାଁ କୁ !ଯେଉଁଠି ସେ ଅଠରଟି ଫଗୁଣକୁ ଅତିକ୍ରମ କରିଥିଲା !ମନ ଭିତରେ ରାତିର ଅନ୍ଧାରରେ ଗୁମୁରି ଗୁମୁରି କାନ୍ଦୁଥିଲା ମାନୁ, ଝୁରି ହେଉଥିଲା ତା ଅତି ଆପଣାର ଗାଁ ଓ ଆତ୍ମୀୟ ମାନଙ୍କୁ, ହେଲେ ସମ୍ଭବ ନଥିଲା ସମ୍ଭ୍ରାନ୍ତ ଜମିଦାରୀ ଶାଶୁ ଶଶୁରଙ୍କ ପାଖରେ ମୁହଁ ଖୋଲି ମନ କଥା କହିବାକୁ ! ଆଜି ସେ ଦଉଡି ଆସିଛି ତା ପୁଞ୍ଜିଭୂତ ସ୍ବପ୍ନର ଗାଁ କୁ ଦେଖିବାକୁ ଫଗୁଣରେ ଦୋଳ ବିମାନରେ ରାଧା ମାଧବଙ୍କୁ ଦେଖିବାକୁ, ଅବିର ରଙ୍ଗରେ ରଙ୍ଗେଈ ହେବାକୁ କିନ୍ତୁ ଏ ତାର ସେ ଗାଁ ନୁହେଁ, ସେଇ ଝରଣା ବହୁଛି ସେଇ କୋଇଲି ଆମ୍ବ ବଉଳ ଭିତରେ ଲୁଚି ବସି ପଞ୍ଚମ ଆଳାପ କରୁଛି କିନ୍ତୁ ନାହାନ୍ତି ତାର ସାଙ୍ଗ ସାଥୀ ନାହାନ୍ତି ତାର ବାପା ମା, ନାହିଁ ଆଉ ଜେଜେମା, ତା ଘରେ ପାଖ ଗାଁର ମଙ୍ଗୁଳି ଜେନା ଘର ଜଗିଛି, ଗୋଟିଏ ବୋଲି ଭାଈ ଭାଉଜ ସହିତ ଆମେରିକାରେ, ପୁରୁଣା ଲୋକ ସବୁ ନାହାନ୍ତି କିଏ ଚିହ୍ନିବ ମାନୁକୁ ? ଫଗୁଣର ସାତ ରଙ୍ଗ ଫିକା ଲାଗୁଛି ମାଧବୀଙ୍କୁ ରାଧା ମାଧବଙ୍କ ଉଦେଶ୍ୟରେ ପ୍ରଣିପାତ କରି ମାଧବୀ ପୁଣି ଥରେ ଗୋଲାପି ଫଗୁଣର ଗୋଲାପି ଗୋଧୂଳୀରେ ଶେଷ ଥର ପାଇଁ ତା ଗାଁକୁ ନିରେଖି ନେଉଛି ଦରଦୀ ନୟନରେ, କୋହ ଭରା ହୃଦୟରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy