Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sudhanshu Bal

Tragedy

3  

Sudhanshu Bal

Tragedy

ପାଲଭୂତ

ପାଲଭୂତ

5 mins
128



ସକାଳୁ ଆଜି କାହା ମୁହଁ ଚାହିଁଲି କେଜାଣି । ସମୟ ଆସି ୨ଟା ବାଜିଲାଣି, କାମରୁ ଟିକେ ଫୁରସତ ନାହିଁ । ବ୍ରାଞ୍ଚ ମ୍ୟାନେଜର ପୁଣି ଗୁଡ଼ାଏ ଫାଇଲ ଦେଇ ଯାଇଛନ୍ତି, ରିକଂସିଲେସନ୍ କରି କାଲି ଆଗରୁ ଦେବାର ଅଛି । ଭାବି ଥିଲା ଆଜି ବ୍ୟାଙ୍କ୍ ରୁ ଶୀଘ୍ର ଘରକୁ ଫେରିବି,କିନ୍ତୁ ଭାଗ୍ୟ ଖରାପ !!!


ଘରକୁ ଆସି ପହଞ୍ଚିଲି ସେଇ ୬ଟା ପାଖ ପାଖି ।ମିନି ଆଣି ଚା କପେ ଆଉ ଭଜା ଚୁଡ଼ା ଥୋଇ ପାଖରେ ବସିଲେ । ଛୁଆ ମାନେ ସନ୍ଧ୍ୟା ନାସ୍ତା କରି ନିଜ ଷ୍ଟଡି ରୁମ୍ ରେ ପାଠ ପଢୁଥିଲେ । ଆଜି ମନ ଟା କାହିଁକି ଭାରି ଭାରି ଲାଗୁଥାଏ, ଗାଁ କଥା,ବାପା ବଉଙ୍କ କଥା, ମକାରା କକାଙ୍କ କଥା ମନେ ପଡୁଥାଏ । କେବେ ଠୁ ଆଉ ଗାଁକୁ ଯାଇ ନଥିଲି । ଆର ବର୍ଷ ଏଇ ଧାନ କଟା ବେଳେ ଯାହା ମୁଁ ଆଉ ମିନି ଯାଇଥିଲୁ । ଅଫିସ୍ କାମ,ପିଲାଙ୍କ ପାଠ ପଢ଼ା ଭିତରେ ମଣିଷ ଏତେ ଛନ୍ଦି ହେଇ ଯାଇଛି ଯେ ନିଜ ମାଟି ,ନିଜ ଗାଁ ପାଇଁ ସମୟ ନାହିଁ । ସତରେ ଏଇ ସହରି ଜୀବନ ଟା କେବଳ ମଟର ଧୂଆଁ ଖାଇ ସରିଗଲା। ଚା ପିଇ ଦେଇ ,ବାପାଙ୍କୁ ଫୋନ୍ ଲଗେଇଲି । ଆଜି କିନ୍ତୁ ବୋଉ ଫୋନ୍ ଉଠେଇଲା । ବାପା ଭାଗବତ ପଢୁଥିଲେ । ବୋଉ ସହିତ ଢେର୍ ସମୟ କଥା ହେଲି , ବଉ ଦେହ ,ବାପାଙ୍କ ଦେହ ,ଘର,ବିଲ,ବାଡ଼ି ସବୁ କଥା ପଚାରି ଚାଲିଲି । ଶେଷରେ ମକରା କକାଙ୍କ କଥା । ବଉ କହୁଥିଲା ମକରା କକାଙ୍କ ଦିହ କୁଆଡେ ଆଉ ଏତେ ଭଲ ରହୁନି । ଏଇ ୩-୪ ମାସ ତଳେ ବିଲ ରେ କାମ କରୁଥିଲେ , ହତାଟ୍ ମୁଣ୍ଡ ବୁଲେଇ ପଡିଗଲେ । ବିଲରେ କାମ କରୁଥିବା ଅନ୍ୟ କିଛି ଲୋକ ତାଙ୍କୁ ଘରକୁ ନେଇକି ଆସିଲେ । ଡାକ୍ତରଖାନା ରେ ଡାକ୍ତରଙ୍କୁ ଦେଖେଇଲା ପରେ ଜଣା ପଡିଲା ଯେ ତାଙ୍କୁ କୁଆଡେ ହାର୍ଟ ଜନିତ ରୋଗ ହେଇଛି । ଔଷଧ ଖାଉଛନ୍ତି କିନ୍ତୁ ଏବେ ଆଉ ସେ ଆଗ ପରିକା ଦମ୍ଭ ନାହିଁ । ସେପଟେ ବାପା କହୁଥିଲେ ଭାଗବତ ପଢି ସାରି ,ତାକୁ କୁହ ବହୁ, ପିଲାଙ୍କୁ ସାଙ୍ଗରେ ନେଇ ଏଇ ରଜକୁ ଗାଁକୁ ଆସୁ । ଏଥର ଏଠି ପାଳନ ହବ। ବହୁ ହାତ ରନ୍ଧା କେବେ ଠୁ ଖିଆ ହେଇନି । ମତେ କିନ୍ତୁ କେବଳ ମକରା କକାଙ୍କ ଚିନ୍ତା ହଉଥିଲା । 


ସବୁ ମନେ ପଡି ଯାଉଥିଲା ଛୁଆ ବେଳ ଦିନ। ଧାନ ବୁଣା ଠୁ ଆରମ୍ଭ କରି ଧାନ ଫସଲ ରୁଇବା ଯାଏଁ,ମକରା କକା କେମିତି ବିଲ ରେ ପାଲଭୂତ ବନେଇ ଠିଆ କରନ୍ତି ଯେମିତି କେହି ପଶୁ ପକ୍ଷୀ ବିଲ ଭିତରକୁ ପଶି ଧାନ ଫସଲ ନଷ୍ଟ ନ କରି ଦିଅନ୍ତୁ । ମତେ କେତେ ଥର ସେ ନିଜ କାନ୍ଧରେ ବସେଇ ବୁଲେଇଛନ୍ତି ଆମ ବିଲ,ଧାନ କିଆରୀ, ପୋଖରୀ ହୁଡ଼ା । ବାପା ସବୁ ବେଳେ ତାଗିଦ୍ କରନ୍ତି ପାଠ ପଢିବାକୁ ,କିନ୍ତୁ କକା ସବୁ ବେଳେ କୁହନ୍ତି ଆମ ଟୋକା ଭଳ କୃଷକ ଟେ ହବ ,ଦେଶ ପାଇଁ କିଛି କରିବ।ଗାଁ ପିଲାଙ୍କ ସମସ୍ତଙ୍କର ପ୍ରିୟ ମକରା କକା । ଖରା ଦିନ ,ତୋଫା ଜନ୍ହ ଆଲୁଅରେ ଆମ ଘର ଚଉଁରା ମୂଳେ ବସି ଥିବେ ମକରା କକା ଆଉ ତାଙ୍କୁ ଘେରି ବସିଥିବୁ ମୁଁ,ମୋ ଭଉଣୀ, କକାଙ୍କ ପୁଅ,ଅାଉ ଘର ପାଖ କିଛି ଛୋଟ ଛୁଆ ମାନେ ଆଉ କକା ତାଙ୍କ ଗପ ପେଡ଼ି ମେଲେଇ ବସିଥିବେ । ଖୁବ୍ ମନେ ପଡେ ସେ ଦିନ ସବୁ । କେତେବେଳେ ଭୂତ ଗପ ଶୁଣି ମୁଁ କକାଙ୍କ କୋଳରେ ଯାଇଁ ଲୁଚିବି, ତ କେତେବେଳେ ଟୁଆଁ ଟୁଇଁ ଗପ ଶୁଣି ହସି ହସି ଚଉଁରା ମୂଳେ ଗଡ଼ି ଯାଉଥିବି । କେତେ ଥର ମୁଁ ଆଉ ମକରା କକା ଦୁହେଁ ମିଶି ଗାଁ ବହୁ ଆଉ ପିଲାଙ୍କୁ କେତେ ଡରେଇଛୁ ତା ହିସାବ ନାହିଁ । ଠିକ୍ ମୁହଁ ସନ୍ଧ୍ୟା ହେଇ ଆସିଲା ବେଳକୁ , ଗାଁ ବହୁ ଆଉ ପିଲା ମାନେ ଶୌଚ ହବାକୁ ଯାଇଥାନ୍ତି ବିଲ କୁ । ମୁଁ ଆଉ ମକରା କକା ପାଳ ଭୂତ ହେଇ ପାଖ ପାଖ କିଆରୀ ରେ ଠିଆ ହେଇ ଥିବୁ ,ଯେମିତି କିଆରୀ ପାଖ ଦେଇ ସେମାନେ ଯିବେ , ଧୁସ୍ କିଣା ପଡି ଯିବୁ ନହେଲେ ତାଙ୍କ ପଛ ରେ ଗୁଡେଇବୁ । କିଛି ଦିନ ମଝିରେ ଗାଁରେ ହୋ ହାଲ୍ଲା ହେଲା ଯେ କୁଆଡେ ଆମ କିଆରୀ ରେ ପାଳ ଭୂତ ଜିଇଁ ଉଠିଛି । ଲୋକଙ୍କୁ ଗୋଡଉଛି । ଗାଁ ମାଇପି, ଭୁଆସୁଣୀ ,ପିଲା ମାନେ କିଛି ଦିନ ପାଇଁ ଡରିକି ଆଉ ଗଲେ ନାହିଁ ବିଲ , ବାଡିକୁ । ଯେବେ ଘରେ ଏ କଥା ଜଣା ପଡ଼ିଲା, ବାପା ଠିକ୍ ଜାଣିଲେ ଯେ ମକରା କକା ଆଉ ମୋ ଛଡା ଏଇ କାମ ଆଉ କାହାରି ନୁହେଁ । ମୋ ପିଠିରେ କୁଆ ଛୁଆ ଉଡିଗଲା । ବାପା ନିଜେ ସତ କଥା ଟି ସମସ୍ତଙ୍କୁ କହିଲେ ତାପରେ ଯାଇଁ ଗାଁ ଲୋକଙ୍କୁ ବିଶ୍ୱାସ ହେଲା । 


ମିନି ଖାଇବା ବାଢ଼ି ଡାକ ପକାଉଥିଲେ,ମୁଁ ସତେ ଯେମିତି କେଉଁ ଭାବନା ରାଇଜରେ ହଜି ରହି ଥିଲି । ଖାଇବାକୁ ଇଚ୍ଛା ନଥାଏ, ଟିକେ କଣ କୁଆ ଭଳିଆ ଖୁମ୍ପି ଦେଇ ଖାଇବା ପାଖରୁ ଉଠି ଗଲି । ଆଜି ଶୀଘ୍ର ବେଡ୍ ରୁମ୍ କୁ ଶୋଇବାକୁ ପଲେଇଲି । ମିନି ମୋ ପଛେ ପଛେ ଆସିଲେ ସବୁ କାମ ସାରି।ଝର୍କା ଖୋଲା ଥାଏ,ତୋଫା ଜନ୍ହ ଆଲୁଅ ବିଞ୍ଚି ହେଇ ଯାଉଥାଏ ବେଡ୍ ରୁମ୍ ରେ ,ଅଳ୍ପ ଅଳ୍ପ ପବନ ବୋହୁଥାଏ ଝର୍କା ଦେଇ। ମୋ ଗୋଡ଼ ହାତ ଚିପି ଦେଲେ । କେତେ ବେଳେ ଆଖି ଲାଗି ଯାଇଛି ଜଣା ନାହିଁ । 


ହଠାତ୍ ଆଖି ଖୋଲି ଗଲା, ଦେଖେ ଝରକା ପାଖରେ ସତେ ଯେମିତି ପାଲଭୂତ ଟିଏ ଠିଆ ହେଇ ମତେ ଅନେଇଛି । ମୁଁ ଟିକେ ଡରି ଗଲି । ମିନି ନିଘୋଟ୍ ନିଦରେ ଶୋଇ ଥିଲେ । ଟିକେ ଡର ଲାଗିଲା ,ଆସ୍ତେ କିଣା ମୋବାଇଲ ଟର୍ଚ୍ଚ ପକେଇଲି ଝର୍କା ଆଡକୁ ,କାଇଁ କେହି ନଥିଲେ । ଆଉ ନିଦ ହେଲା ନାହି, ଉଠିକି ବସିଲି । ପାଣି ପି ,ବାଥରୁମ୍ ଗଲି । ମନେ ମନେ ନିଶ୍ଚୟ କରି ସାରିଥାଏ, ସକାଳ ପାହିଲେ ଗାଁକୁ ଯିବି । ସେମିତି ବେଡ୍ ରେ ପଡି ଘଡିକୁ ଚାହିଁ ଥାଏ, ଆଜି କିନ୍ତୁ ସମୟ ଖୁବ୍ ଧୀରେ ଚାଲୁଥିଲା । ଭୋର ୪ଟା ଯେମିତି ହେଇଛି , ଗୋଟେ ଛୋଟ କାଗଜ ରେ ଲେଖି ଦେଲି "ମୁଁ ଗାଁକୁ ଯାଉଛି" ଆଉ ମିନିଙ୍କ ମୁଣ୍ଡ ପାଖରେ ଥିବା ପାଣି ଗ୍ଲାସ୍ ତଳେ ରଖି ଦେଲି ଯେମିତି ସେ ବ୍ୟସ୍ତ ନ ହୁଅନ୍ତୁ ସକାଳୁ ଉଠିଲେ । କାର ଧରି ବାହାରି ପଡ଼ିଲି ଗାଁକୁ ,ଭୁବନେଶ୍ୱର ରୁ ପ୍ରାୟେ ୧୩୦ କିଲୋ ମିଟର ଭଦ୍ରକ । ଫାଙ୍କା ରାସ୍ତା,ଭୋର ସମୟରେ ଏତେ ଗାଡି ଗୁଡ଼ା ନଥାଏ । ବାପା ବାଉଙ୍କୁ ବି କହି ନଥିଲି କିଛି । 


୬:୩୦ଟା ଭିତରେ ଭଦ୍ରକ କ୍ରସ କରିଲି । ମିନି ଫୋନ୍ କରୁ ଥାନ୍ତି ବାରମ୍ବାର । ଟିକେ ଗାଡି ରଖି ଦେଇ ତାଙ୍କ କଲ୍ ଉଠେଇ କହିଲି ଯେ ମୁଁ ଭଦ୍ରକ ପହଞ୍ଚି ସାରିଲିଣି ଆଉ ୨୦ ମିନିଟ୍ ରେ ଗାଁରେ । ମୁଁ ଗାଁ ପହଞ୍ଚି କି କଥା ହଉଛି । ୭ଟା ହେଇ ଆସୁଥାଏ, ମୋ କାର ଗାଁ ରାସ୍ତା ଦେଇ ଆଗେଇ ଚାଲିଥାଏ ଘରକୁ । ରାସ୍ତାରୁ ଆମ ବିଲ ଦେଖା ଯାଏ, ଆଜି କିନ୍ତୁ ଆମ କିଆରୀ ରେ ପାଳ ଭୂତ ଦେଖା ଯାଉ ନଥିଲା । ମନ ଟା ପୁରା ରୁନ୍ଧି ହେଇ ଆସିଲାଣି ସେତେ ବେଳକୁ । ଘର ଦାଣ୍ଡରେ କାର ଶବ୍ଦ ଶୁଣି ,ବଉ ଦଉଡ଼ି ଆସିଲା । ଲୁହ ବୋହି ଯାଉଥାଏ ତା ଆଖିରୁ ,ପାଟି ଖନି ମାରୁଥାଏ । ମୋ ମନକୁ ପାପ ଛୁଇଁ ସାରିଥିଲା । 


ବାବୁଲି ରେ ଆଉ ତୋ ମକରା କକା ନାହିଁ ରେ । ଆମକୁ ଏକା କରି ଚାଲି ଗଲା । ଏତିକି କହି ବଉ ମତେ କୁଣ୍ଢେଇ କାନ୍ଦିବାକୁ ଲାଗିଲା । ମକରା କକା ଏଇ ୬:୩୦ ବେଳେ ହାର୍ଟ ଷ୍ଟ୍ରୋକ ରେ ଚାଲିଗଲେ । ବାପା ସେମିତି ଖୁଣ୍ଟ ପରି ଠିଆ ହେଇଥାନ୍ତି । ମକରା କକାଙ୍କ ଘର ଆଗରେ ଗାଁ ଲୋକ କୋକେଇ ବାନ୍ଧିବାରେ ବ୍ୟସ୍ତ । 


ମୁଁ ସେମିତି ପଥର ପରି ଅନେଇ ଥାଏ । କାଲି ରାତିର ଝର୍କା ପାଖରେ ଠିଆ ହେଇଥିବା ସେ ପାଲଭୂତ ମୋ ଆଖି ସାମ୍ନାରେ ନାଚି ଉଠୁ ଥାଏ । 


Rate this content
Log in

More oriya story from Sudhanshu Bal

Similar oriya story from Tragedy