Barsha Mallik

Tragedy Inspirational Others

4  

Barsha Mallik

Tragedy Inspirational Others

ନିଜର ପରିଚୟ

ନିଜର ପରିଚୟ

4 mins
424


 ବିବାହର ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ସେଇ ଜୀବନ ଓ ସେଇ ପରିବାରରେ ବହୁତ କିଛି ବଦଳି ଯାଇଛି। ମୁଁ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ।ଆଗ ଅପେକ୍ଷା ମୋର ଦାୟିତ୍ଵ ଓ ସେଥିରେ ଯୋଗଦାନ ବଦଳି ଯାଇଛି।


   ମୁଁ ଯେ ଏଇ ସଂସାରଟାରେ ଏକ ବାଇ ଚଢ଼େଇର ସାଜି ଯାଇଛି । ସେଇ ବାଇଚଢ଼େଇ ଯାହାକୁ ଭୋକ ହେଉଥିଲେ ମଧ୍ୟ ଖାଇ ପାରେନା ଏବଂ ଶୋଷ ହେଉଥିଲେ ମଧ୍ୟ ତାର ତୃଷ୍ଣା ମେଣ୍ଟାଇ ପାରେନା।ମୋର ଏଇ କର୍ମମୟ ଜୀବନ ବଡ଼ ରୋମାଞ୍ଚକର । ଭଲପାଇ ହାତ ଧରିଥିଲି ଆଉ ଭାବିଥିଲି ଯେ ସେ ମତେ ବୁଝିପାରିବେ ଆଉ ମୁଁ ତାଙ୍କୁ ବୁଝିପାରିବି। ଜୀବନର ସବୁ ପ୍ରତିକୂଳ ପରିସ୍ଥିତି କୁ ଦୁହେଁ ମିଶି ସାମ୍ନା କରିବୁ।ତାହା ହୋଇଛି ମଧ୍ଯ। କିନ୍ତୁ ଦୁଃଖ କେବଳ ଏତିକି ମୁଁ ସମସ୍ତଙ୍କ ସାଥିରେ ସମସ୍ତଙ୍କ ପାଖରେ ଥାଇ ମଧ୍ୟ ସମସ୍ତଙ୍କ ଠାରୁ ଦୂରେଇ ଯାଇଛି।ମୋର କହିବାର ତାପର୍ଯ୍ୟ ହେଲା ସମସ୍ତଙ୍କ ସହିତ ମୋର ଦୈହିକ ସଂପର୍କ ଥିଲେ ମଧ୍ଯ ମାନସିକ ସଂପର୍କ ଆଦୌ ନାହିଁ।


    ବିତି ଯାଇଥିବା ସେଇ ମୋର ଅତୀତ ଓ ବର୍ତ୍ତମାନର ପରିସ୍ଥିତିକୁ ଯଦି କେବେ ମୁଁ ଏକାଠି କରି ଦେଖେତ ମତେ ଦେଖାଯାଏ କେବଳ ଆକାଶ ପାତାଳ ଫରକ। ମନେ ପଡ଼ିଯାଏ ମୋର ସେଇ ପିଲାବେଳର ଖୁସିର ମୁହୂର୍ତ୍ତ ସବୁ।ଏବେ ମୋର ଏଇ ଜୀବନ କୁ ଦେଖି ମୋ ଲୁହ ଭିଜା ଆଖି ଛଳ ଛଳ ହୋଇଉଠେ। ମାତ୍ର ମୁଁ ନିଜକୁ ସେଇ ଲୁହର ନଦୀକୁ ବହିଯିବାକୁ ଦିଏନା କାରଣ ମୁଁ ଜାଣେ ଏ ଲୁହ ଯେ କେବଳ ମତେ ଦୁର୍ବଳ କରିବ ସିନା.... କିନ୍ତୁ ମୁଁ କରିଥିବା ଭୁଲ କୁ ଠିକ୍ କରି ପାରିବନାହିଁ।


    ଜୀବନରେ ଗୋଟିଏ ଭୁଲ ଯେ ଜୀବନ ବଦଳେଇ ଦେଇ ପାରେ ଏହା ଜାଣିବା ମୋର ବାକି ନାହିଁ।ସେଇ ଗୋଟିଏ ଭୁଲ ପାଇଁ ମୁଁ ଆଜି ପର୍ଯ୍ୟନ୍ତ କଷ୍ଟ ପାଇ ଚାଲିଛି।ମୋ ବାପା ବୋଉଙ୍କର ହଜାରେ ବାରଣ ସତ୍ତ୍ୱେ ମୁଁ ତାଙ୍କର କିଛି ବି କଥା ନ ଶୁଣି ପ୍ରେମ ବିବାହ କରିଥିଲି।ଭାବିଥିଲି ମୋ ବାପଘରଠାରୁ ଅଧିକ ସ୍ନେହ ଓ ଭଲପାଇବା ମିଳିବ। ହେଲେ କେବଳ ମୋ ଭାବନା ନୁହେଁ ମୁଁ ଯେ ଏକଦମ ଭୁଲ ଥିଲି ସେଥିପାଇଁ ମୁଁ ଆଜି ଅନୁତାପ କରୁଛି।ବହୁ ମନମାଳିନ୍ୟ ପରେ ମୋ ଘର ଲୋକ ମୋ ସହ କଥା ହେଲେ ମଧ୍ୟ ମୁଁ ତାଙ୍କର ପୂର୍ବ ପ୍ରତ୍ୟୟ ଆଉ ଫେରି ପାଇନାହିଁ।ତଥାପି ମଧ୍ୟ ଭାବିଥିଲି ଯେ ମୁଁ ଯାହା ହାତ ଧରି ବିବାହ କରିଥିଲି ତା ସହ ସାଥୀ ହୋଇ ମୋ ଜୀବନକୁ ବିତେଇ ଦେବି।ସେ ହିଁ ମୋର ସବୁ ଦୁଃଖସୁଖର ସାଥୀ ହେବେ ।ହେଲେ କଥାରେ ଅଛି,ବାହାଘର ସରି ଗଲେ ବେଦୀ ମୁହଁ ପୋଡ଼ା।ସେହି ଭଳି ମୋର ଦିନଯାକର ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ସେ ମୋର କଷ୍ଟ ନ ବୁଝି ମୋର କାମ ଓ ତାଙ୍କ ପାଇଁ ମୋର ଯେଉଁ ଉତ୍ସର୍ଗକୁ ସେ ମୁଁ କଣ କରୁଛି କହି ନଷ୍ଟ କରିଦିଅନ୍ତି।ସେତେବେଳେ ମୋର ଦୁଃଖ ଦୁଇ ଗୁଣିତ ହୋଇଯାଏ।


      ଥିଲି ବୋହୂ ହେଲି ମାଆ। ଭାବିଥିଲି ମୋ ସ୍ବାମୀଙ୍କ ମୋ ସଙ୍ଗେ ଏବଂ ମୁଁ ତାଙ୍କ ସଙ୍ଗେ ମନ ମିଳାଇ ଚାଲିବା କଷ୍ଟକର ହେଉଛି... ହେଲେ ବି ମୋ ଦୁଇ ପୁଅ ଅଛନ୍ତି ହୁଏତ ସେମାନେ ମୋ କଥା ବୁଝିପାରିବେ।ସେମାନେ ହିଁ ମୋର ସାହାରା ସାଜିବେ। ଭାଗ୍ୟର ବିଡମ୍ବନା ଯେ ଆଉ କଣ ମୁଁ କେମିତି ଜାଣିବି ।ଦୁଇ ପୁଅ ବଡ ହୋଇଗଲାପରେ ସେମାନେ ଭୁଲି ଗଲେ ଯେ ସେମାନଙ୍କର କେହି ମା ଥିଲା ବୋଲି ।


  ବଡ ପୁଅକୁ ନିଜଠାରୁ ଅଧିକ ଭଲ ପାଇଥିଲି ହେଲେ ସେ ବି ମୋର ସବୁ ଆଶା ଭରସା କୁ ଧୂଳିସାତ କରିଦେଲା। ତାର ମୁଣ୍ଡକୁ ହାତ ପାଇଯିବା ପରେ ସେ ମୋ ଉପରକୁ ହାତ ଉଠେଇବାକୁ ବି ପଛେଇ ନଥିଲା।ଗୋଟିଏ ଅଜଣା ଝିଅଟିଏ ପାଇଁ ତାର ମୋ ସହିତ ଥିବା ସେଇ ଦୀର୍ଘ ୨୩ ବର୍ଷ ର ଥିବା ସ୍ନେହ ପ୍ରେମ ସମ୍ପର୍କକୁ ସେ ଏକ ଶତ୍ରୁତା ରୂପେ ଗ୍ରହଣ କରିଦେଇଛି।ମୋ ମମତାର ମୂଲ୍ୟ ସେ ଏହିପରି ଭାବରେ ମତେ ଫେରେଇ ଦେଇଛି।


  ମୋର ଏଇ ଜୀବନର ଅକୁହା କ୍ଳେଶ ଓ ଯନ୍ତ୍ରଣା କୁ ମୁଁ ସବୁ ଏଇ ଛତିତଳେ ଜାବୁଡ଼ି ଧରି ସମୟ ଡୋରିରେ ବନ୍ଧା ହୋଇ ମୁଁ ମୋ ଜୀବନରେ ଆଗେଇ ଚାଲିଛି।


    ସମୟ ସୁଅରେ ଭାସି ଚାଲିଛି ଏକ ଶୁଖିଲା ପତ୍ର ପରି।କିନ୍ତୁ ଏହା ଜାଣିନାହିଁ କୁଆଡେ ଯାଇ ପହଁଚିଛି। ମୁଁ ମୋ ନିଜକୁ କେଉଁ ଏକ ଅଜଣା କୂଳରେ ପାଇଛି । କୂଳରେ ଥାଇ ମୁଁ ସେଇ ସୁଅରେ ଖୋଜି ଚାଲିଛି ମୁଁ ମୋ ନିଜର ପ୍ରତିବିମ୍ବକୁ । ଜାଣିଚି ତ ମୁଁ ସେଇ ସୁଅରେ କେବେ ବି ମୋ ପ୍ରତିବିମ୍ବ ଦେଖିପାରିବିନି ହେଲେ କାହିଁକି କେଜାଣି ହୃଦୟର କୌଣସି ଏକ କୋଣରେ ହାରିଯାଇଥିବା ସେଇ ହୃଦୟରେ ପୁଣିଥରେ ଜିତିବାର ଭାବନା ଘରକରି ନେଉଛି। ମୁଁ ମୋର ଏଇ ଛୋଟ ହତଭାଗିନୀ ଜୀବନରେ ବହୁତ କିଛି ଶିଖିଯାଇଛି। ଅନ୍ତତଃ ମୁଁ ମୋ ନିଜ ପାଇଁ ଟିକେ ସମୟ ଦେଇପାରିଛି।


    ଆଗେଇ ଚାଲିଛି ମୁଁ ମୋ ନିଜ ପରିଚୟ ସୃଷ୍ଟି କରିବାକୁ।ନିଜ ପାଇଁ ଜୀଇଁବାକୁ।ଦେଖା ଯାଉ ଏହି ମୋର ଜୀବନର ରାସ୍ତା ମତେ କୁଆଡେ ନେଇ ଯାଉଛି।


  ଏହା ଥିଲା ଏକ ଛୋଟ କାହାଣୀ।ଗୋଟିଏ ନାରୀର। ସେ ମାଆଟିଏ ହୋଇପାରେ, ଝିଅଟିଏ,ବୋହୂଟିଏ ମଧ୍ୟ ହୋଇପାରେ।ସେ ନାରୀଟିଏ ବେଶୀ କିଛି ଆଶା କରିନଥାଏ ତା ସ୍ବାମୀ ଓ ପିଲାମାନଙ୍କ ପାଖରୁ କେବଳ ସେ ଚାହିଁ ଥାଏ ଟିକିଏ ସ୍ନେହ , ଭଲପାଇବା ଓ ସହାନୁଭୂତି।ଗୋଟେ ଝିଅ ଅବିବାହିତା ଥିଲେ ତା ବାପଘରେ ଥାଏ ଓ ବିବାହ ପରେ ସେ ଶାଶୁ ଘରକୁ ଚାଲିଯାଏ।ହେଲେ ଏ ବାପଘର ଏବଂ ଶାଶୁଘର ଭିତରେ ତାକୁ ନିଜଘର ମିଳି ନ ଥାଏ । ସେଥିପାଇଁ ତାର ଜୀବନ କଣ ସେ ନିଜ ମଧ୍ଯ ବୁଝିପାରେନା। ଆମେ ସମସ୍ତେ ଯଦି ଆମ ମା, ବୋହୂ, ଝିଅମାନଙ୍କୁ କେବେ ଏହା ଅନୁଭବ କରିବାକୁ ଦେବନି ଯେ ତାଙ୍କର କିଛି ଅଭାବ ଅଛି ସେ ଅଶିକ୍ଷିତା ଇତ୍ୟାଦି ଇତ୍ୟାଦି। ହୁଏତ ସେମାନେ ଟିକିଏ ଖୁସି ପାଇପାରିବେ । ଯେତେ ଯାହା ହେଲେ ବି ସେ ଅଶିକ୍ଷିତା ହେଲେବି ସେ ଆପଣଙ୍କୁ ଯେ ଅଶିକ୍ଷିତ କରିନାହାନ୍ତି ସେ ହେଉଛି ବଡ କଥା।ଆଉ ଦ୍ଵିତୀୟ କଥା ଏହି ଯେ ଗୋଟେ ଝିଅ କେବେ ବି ଅଭିଶାପ ହୋଇ ନ ପାରେ ସେ ତ ଗୋଟେ ଆଶୀର୍ବାଦ । କେବେ ତାକୁ ବୋଝ ଭାବିବା ଉଚିତ ନୁହେଁ, କିଏ ଜାଣେ ତାକୁ ଯଦି ଆପଣ ଉଡିବାକୁ ପର ଦେବେ ତ ସେ କଳ୍ପନା ଚାୱଲା ନହେଲେ ଗୁଞ୍ଜନ ସକ୍ସ୍ସେନା ହେଇ ବାହାରିବ।



  




Rate this content
Log in

Similar oriya story from Tragedy