Ratikant Panda

Inspirational

2  

Ratikant Panda

Inspirational

ମୁଁ ଯଦି ହୋଇଥାନ୍ତି

ମୁଁ ଯଦି ହୋଇଥାନ୍ତି

5 mins
146


ଦେବସ୍ୟ ପଶ୍ୟ କାବ୍ୟମ ନ ମମାରମ ନ ଜୀର୍ଯତି l

   ପରମାତ୍ମାଙ୍କ କାବ୍ୟ କେବେ ମୃତ୍ଯୁ ହୋଇନଥାଏ କି ଜୀର୍ଣ୍ଣ ହୋଇନଥାଏ l ତାଙ୍କ ରଚିତ କାବ୍ୟ ସଦା କାଳଜୟୀ ଓ ସୁମଧୁର l ଏ ଦିବ୍ୟ ଅନୁପମ ଶୋଭା ପ୍ରଭୁଙ୍କ କୃପା ଯାହାର ଆଦି ଓ ଅନ୍ତ ଆକଳ୍ପନୀୟ l ଈଶ୍ୱରଙ୍କ ବରଦାନ ସଦୃଶ ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ଶ୍ରେଷ୍ଠ ଓ ଉତ୍କୃଷ୍ଟ l ନିଜର ଶ୍ରେଷ୍ଠତାକୁ ପ୍ରକାଶ କରି ସ୍ୱାର୍ଥ ଓ ଗର୍ବରେ ଅନ୍ଧ ହୋଇ ଈଶ୍ୱର ପ୍ରଦତ୍ତକୁ ସମୟ ସମୟରେ ଅଯଥାର୍ଥ ଓ ଅପ୍ରlସଙ୍ଗିକ ମନେକରେ l ଏକ କ୍ଷୁଦ୍ର ଉଦାହରଣରେ କୁହାଯାଇପାରେ କି ଶରୀରରୁ ଛିଦ୍ର ମଧ୍ୟଦେଇ ନିର୍ଗତ ସ୍ବେଦ ପୁନଃ ଛିଦ୍ର ମଧ୍ୟଦେଇ ଶରୀରକୁ ପ୍ରବେଶ କରିପାରେନି l ଏପରି କଳା କୌଶଳ କେବଳ ସେହି ପରମାତ୍ମାଙ୍କ ଦ୍ୱାରା ସମ୍ଭବ ହୋଇପାରେ l କିନ୍ତୁ ଶ୍ରେଷ୍ଠ ଜୀବ ମାନବ ଆଜି ଗୁଢ ରହସ୍ୟକୁ କିଛି ମାତ୍ରାରେ ଅନୁଭବ କରିଥିଲେ ହେଁ ପରମାର୍ଥୀ ବଦଳରେ ସ୍ଵାର୍ଥୀ ହୋଇ ନିଜର ଶ୍ରେଷ୍ଠତାର ଅପବ୍ୟବହାର କରିଚାଲେ l ନିଜ ନିଜ ସମୂହ ଭିତରେ ବାକ ବିତଣ୍ଡା କରିବାକୁ ପଛାଏ ନାହିଁ l ଶରୀର ଶୁଦ୍ଧ ଦିଗରେ ବ୍ୟଗ୍ର ହେଉଥିଲେ ହେଁ ଆତ୍ମା, ମନ, ପ୍ରାଣ ଶୁଦ୍ଧତା ପ୍ରତି ଅଯତ୍ନବାନ ରହେ l ବାସ୍ତବତାକୁ ଭୁଲି ଭବିଷ୍ୟତ ପଦବୀର ସ୍ୱପ୍ନରେ କବଳିତ ହୋଇ ବର୍ବରମୁଖୀ ହେବାକୁ ପଛlଉନାହିଁ l

   ଏ ସୁନ୍ଦର ସୃଷ୍ଟିରେ କେବଳ ଚେତନ ଶକ୍ତି ପାଖରେ ଉପଭୋଗର ଚାବି l ଜଡ ବସ୍ତୁର ସଂରକ୍ଷଣ ଓ ତାର ଉପଭୋଗ କେବଳ ଚେତନ ଶକ୍ତି ଦ୍ୱାରା ସମ୍ଭବ l ଏ ବିରାଟ ସୃଷ୍ଟିରେ ଈଶ୍ୱର ସବୁକିଛି ଚେତନ ଶକ୍ତିର ପଦାର୍ପଣ ପୂର୍ବରୁ ସଂରଚନା କରିଛନ୍ତି l ସେହି ଉପଭୋଗର ମାତ୍ରାକୁ କଳ୍ପନା କଲେ କେବଳ ମଣିଷ ନବେ ପ୍ରତିଶତ ଭୋଗ କରୁଥିବା ଅନୁମେୟ l କିନ୍ତୁ ମାନବ ଉପଭୋଗ ପ୍ରତି ଅତି ମାତ୍ରାରେ ଆସକ୍ତି ପ୍ରବଣ, ତେଣୁ ସଂରକ୍ଷଣ ଦିଗ ପ୍ରତି ପୂର୍ଣ୍ଣ ବିସ୍ମୃତ ଅନୁଭବ ହୁଏ l ନିଜର ଲୋକୈଷଣା, ଵିତୈଷଣା,ପୁତ୍ରେଇଷଣା ଇତ୍ୟାଦି ବନ୍ଧନରେ ନ୍ୟାୟିକ ଉପଯୁକ୍ତ ସିଦ୍ଧାନ୍ତରୁ ବିମୁଖତା ପରିଲକ୍ଷିତ ହୁଏ l

   ଈଶ୍ୱରଙ୍କର ଏ ପରିବର୍ତ୍ତନଶୀଳ ଜଗତରେ ଏକ ଅପରିବର୍ତ୍ତନୀୟ ନିୟମ ଅଦୃଶ୍ୟମାନ l ଚେତନ ସତ୍ତାକୁ କେବଳ ବିଚାର ପରିସର କଲେ ଜଣାଯାଏ ଜନ୍ମ, ବୃଦ୍ଧି, ମୃତ୍ଯୁ ଏକ ଅପରିବର୍ତ୍ତନୀୟ ନିୟମ l ଉକ୍ତ ତିନି ପାଦରେ ବୃଦ୍ଧିର ସମୟ ପରିସୀମା ଅଧିକ l ତେଣୁ ଏହି ସମୟରେ କର୍ମର ପ୍ରତିଫଳନ ହୋଇଥାଏ l ଶକ୍ତି ସାମର୍ଥ୍ୟ ଅନୁସାରେ ମଣିଷ ଅନେକ ସ୍ବପ୍ନ ଦେଖିବା ଆରମ୍ଭ କରିଥାଏ l ବେଳେବେଳେ ସ୍ୱପ୍ନର ଏତେ ଗଭୀରତାକୁ ଚାଲିଯାଏ ଯେ ନିଜର ବାସ୍ତବତାକୁ ଭୁଲିଯାଇଥାଏ l ଏହା ମଧ୍ୟରେ ଗର୍ବ ଅହଂକାର ଇତ୍ୟାଦି ବସା ବାନ୍ଧିନିଏ l ଏହି ସମୟରେ ଅନେକ କିଛି ପଦବୀ ପାଇଲେ ଏମିତି କରିବି ଇତ୍ୟାଦି ଭବିଷ୍ୟ ସୋପାନର ଇଛାରେ ସମୟକୁ ବିନିଯୋଗ କରିଦେଇଥାଏ l ଏମିତି ମଧ୍ୟରେ ବୃଦ୍ଧିର ଅନ୍ତିମ ପର୍ଯାୟରେ ଉପନୀତ ହୋଇଯାଏ l ଅନ୍ତିମ ପର୍ଯ୍ୟାୟରେ ଯେଉଁ ସ୍ଥାନ ଗ୍ରହଣ କରିଥାଏ ସେଥିରେ ସନ୍ତୁଷ୍ଟ ରହିପାରେନି l ଶାସ୍ତ୍ରନୁସାରେ ବୁଦ୍ଧି ଦ୍ୱାରା ଜ୍ଞାନ ଶୁଦ୍ଧ ହୋଇଥାଏ l ମଣିଷର ଅହେତୁକ ଲୋଭ ସତ୍ୟ, ବିଦ୍ୟା, ଜ୍ଞାନ, ତପ ଇତ୍ୟାଦିକୁ ଅଣଦେଖା କରିଦିଏ l ନିଜ ବ୍ୟକ୍ତିତ୍ୱ ଓ ମାନବିକତାକୁ ଭୁଲି ଅଯଥା ସ୍ୱପ୍ନରେ ବ୍ୟଗ୍ର ରହିଯାଏ l ଅଯଥା ବିଚାର ମନକୁ କଳୁଷିତ କରିଦିଏ l ଏପରି ନିଜ ବୁଦ୍ଧି ବିବେକ ହରଣ ପ୍ରତି ଧ୍ୟାନ ନଥାଏ l ଏକଦା ଗୁରୁ ଶିଷ୍ୟମାନଙ୍କୁ ବୁଝେଇବାକୁ ଯାଇ ଏକ ଉଦାହରଣ ଦେଇଥିଲେ l ଏକ ମେଳାରେ ଗୋଟେ ଦୋକାନୀ ବୁଦ୍ଧି ବିକ୍ରି ଦୋକାନ ଦେଇଥିଲେ ଯେଉଁଠାରେ ଲେଖାଥିଲା ମଣିଷ ବୁଦ୍ଧି ୧00 ଟଙ୍କା, ବାଘ ବୁଦ୍ଧି ୨00 ଟଙ୍କା, କୁଆ ବୁଦ୍ଧି ୩00 ଟଙ୍କା ଓ ବିଲୁଆ ବୁଦ୍ଧି ୫00 ଟଙ୍କା l ଗୁରୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ମଣିଷ ବୁଦ୍ଧିର ମୂଲ୍ୟ କାହିଁକି କମ ବୋଲି ଦୋକାନୀକୁ ପଚାରିବାରୁ ଉତ୍ତର ମିଳିଲା ମଣିଷ ଏବେକା ସମାଜରେ ସ୍ଵାର୍ଥୀ, କାମୁକ, ଅନ୍ୟର ଦୋଷ ବାଛିବାରେ ସର୍ବୋତ୍ତମ l ନିଜର ଶ୍ରେଷ୍ଠତାକୁ ଅପବ୍ୟବହାର କରି କ୍ଷୁଦ୍ର ରୁ କ୍ଷୁଦ୍ରତର ଅବସ୍ଥାକୁ ଯିବାକୁ ପଛାଉନାହିଁ l ଯେଉଁଠି ଚରିତ୍ର ନଥିଲେ ସବୁ ଅସାର ବୋଲି ସଂକଳ୍ପ ଥିଲା ତାହା ଆଜି ନାଇଁ l କିନ୍ତୁ ଅନ୍ୟ ଜୀବମାନଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ l ତେଣୁ ମଣିଷ ବୁଦ୍ଧିର ମୂଲ୍ୟ ହ୍ରାସ ହୋଇଯାଇଛି l କହିବାର ତାତ୍ପର୍ଯ୍ୟ ମଣିଷ ତାର ବୁଦ୍ଧିକୁ ଉତ୍ତମ କର୍ମରେ ବିନିଯୋଗ କଲେ ନିଜ ସ୍ଥିତିରେ ଆତ୍ମସନ୍ତୋଷ ଲାଭ କରିପାରିବା ସହ ଅନ୍ୟର ଉନ୍ନତିରେ ସହାୟକ ହୋଇପାରିବ l ଏମିତି ହେଲେ ଏମିତି କରିବିର ଅଯଥାର୍ଥ ଭାବନା ମନରୁ ପାଶୋରି ଏକ କେନ୍ଦ୍ରିକ ହେବାରେ ସମର୍ଥ ହୋଇପାରିବ l ଆର୍ଯ୍ୟସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ରଚିତ ଦଶ ନିୟମରେ ବର୍ଣ୍ଣନା କରିଛନ୍ତି ଯେ ଜଡ କୁ ଜଡ ଓ ଚେତନ କୁ ଚେତନ ଜାଣିବା l ଏହାଦ୍ୱାରା ସର୍ବଦା ସତ୍ୟଓ ଅସତ୍ୟକୁ, ଉଚିତ ଅନୁଚିତ କୁ ବିଚାର କରି କାର୍ଯ୍ୟ କରିବା l ଯେଉଁ ପଦାର୍ଥ ଯେମିତି ତାହାକୁ ସେମିତି ବର୍ଣ୍ଣନା କରିବା ଇତ୍ୟାଦି ଶିକ୍ଷା ମିଳେ l ତେଣୁ ମଣିଷ ନିଜର ଅବସ୍ଥିତିକୁ ନେଇ ସନ୍ତୁଷ୍ଟ ରହି ପୁନଃ କର୍ମ କରି ନିଜର ଉନ୍ନତି କଲେ ଆତ୍ମସନ୍ତୋଷ ଲାଭ କରିବ l ଏମିତି ବିଚାର କେବେବି ଇର୍ଷା ଦ୍ୱେଷ ସୃଷ୍ଟି କରିବ ନାହିଁ l ପୁନଃ ସ୍ୱାମୀଜୀ, ନିଜ ଉନ୍ନତିରେ ସନ୍ତୁଷ୍ଟ ନହୋଇ ଅନ୍ୟର ଉନ୍ନତି ପ୍ରତି ଯତ୍ନବାନ ରହିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି l ତେଣୁ ନିଜେ ଆତ୍ମସନ୍ତୋଷ ରହି ଅନ୍ୟକୁ ଆତ୍ମସନ୍ତୋଷ ରଖିବା ଉପରେ ଧ୍ୟାନ ଦେବାକୁ ବର୍ଣ୍ଣନା କରିଛନ୍ତି l ତେଣୁ ବ୍ୟକ୍ତିର ବର୍ତମାନର ସ୍ଥିତିରେ ଖୁସି ହୋଇ ଭବିଷ୍ୟତ ଉନ୍ନତି ପ୍ରତି ଯତ୍ନବାନ ରହିବା ଶ୍ରେୟସ୍କର l କଣ ହେଇଥିଲେ କଣ କରିଥାନ୍ତାର ବିଳାପରୁ ବିରତ ହୋଇ ନିଜର ସାମର୍ଥ୍ୟ ସାହାରାରେ ଉଚିତ ବ୍ୟବହାର ପ୍ରଦର୍ଶନ ଉନ୍ନତିକୁ ସୁଗମ କରି ଗଢି ତୋଳିବାରେ ସହାୟକ ହେବ l

   ପ୍ରାଣୀ କର୍ମ କରିବାରେ ସ୍ୱତନ୍ତ୍ର ଓ ଫଳ ଭୋଗିବାରେ ପରତନ୍ତ୍ର l ତେଣୁ ଧର୍ମ ପୂର୍ବକ କର୍ମକୁ ପ୍ରାଧାନ୍ୟ ଦେବା ଉଚିତ l ଫଳ ପ୍ରତି ଅହେତୁକ ଆସକ୍ତି ନିଜକୁ କଠୋର ଯନ୍ତ୍ରଣା ଦିଗକୁ ଠେଲି ଦେଇଥାଏ l ଥରେ ଜଣେ ବିଦ୍ୱାନ ପିଲାମାନଙ୍କୁ କର୍ମରେ ଈଶ୍ୱରଙ୍କ ଫଳକୁ ବୁଝେଇବାକୁ ଯାଇ କହିଲେ, ଦୁଇଜଣ ସାଙ୍ଗ ଏକଦା ଗୋଟିଏ ମନ୍ଦିର ବୁଲିବାକୁ ଗଲେ l ହାତରେ ଖାଦ୍ୟ ନେଇକି ଯାଇଥାନ୍ତି l ମନ୍ଦିର ବୁଲି ଫେରିବା ସମୟରେ ଏକ ଗଛମୂଳେ ବସି ଖାଇବାର ଯୋଜନା କଲେ l ଖାଇବା ସମୟରେ ଏକ ପଥିକ କିଛି ଖାଦ୍ୟ ମାଗିବା ଆସିଲା l ଭୀଷଣ ଭୋକ ହେତୁ ସାହାଯ୍ୟ ମାଗୁଥିବାରୁ ଦୁଇ ସାଙ୍ଗ ଖାଇବାଲାଗି ବସିବା କହିଲେ l ଦେଖିଲେ ଜଣେ ୩ ପଟ ଓ ଆଉ ଜଣେ ୫ ପଟ ରୋଟି ଆଣିଛନ୍ତି l କଥାହୋଇ ପ୍ରତ୍ୟେକ ରୋଟିକୁ ୩ ଭାଗ କରିଖାଇଲେ l ପଥିକ ଜଣକ ବିଦାୟନେବା ସମୟରେ ୮ ଟଙ୍କା ଦେଇଗଲେ l ଦୁଇ ସାଙ୍ଗ ମଧ୍ୟରୁ ଜଣେ କହିଲା ତୁ ୩ ଟଙ୍କା ଓ ମୁଁ ପାଞ୍ଚ ଟଙ୍କା ନେଇଯିବା l ସେ ସାଙ୍ଗ ଆଣିଥିବା ରୋଟି ହିସାବରେ ଭାଗ କରିଦେଲେ l କିନ୍ତୁ ଅନ୍ୟଜଣେ ସାଙ୍ଗ ମନରେ କିଛି ଶଙ୍କା ଉପୁଜିଲା l ପାଖରେ ଜଣେ ସାଧୁ ଥିଲେ l ତାଙ୍କ ପାଖକୁ ଯାଇ ପଚାରିଲେ କିଏ କେତେ ଟଙ୍କା ନେବ? ସେ ସାଧୁ ଜଣକ ଉତ୍ତର ଦେଲେ ତା ପରଦିନ ଈଶ୍ୱରଙ୍କ ସହ କଥା ହୋଇ ବିଚାର ଦେବେ l ପୁଣି ପରଦିନ ସାଙ୍ଗ ଦୁଇ ଆସିଲେ, ସାଧୁ ଜଣକ କହିଲେ ୩ ପଟ ଆଣିଥିବା ପିଲା ୧ ଟଙ୍କା ଓ ୫ ପଟ ଆଣିଥିବା ପିଲା ୭ ଟଙ୍କା ନେବ l କାରଣ ଯିଏ ୩ ପଟ ରୋଟି ଆଣିଥିଲା ସିଏ ମାତ୍ର ଏକ ଅଂଶ ଦାନ କରିଛି ଓ ଯିଏ ୫ ପଟ ଆଣିଥିଲା ସିଏ ୭ ଅଂଶ ଦାନ କରିଛି l କହିବାର ତତ୍ପର୍ଯ୍ୟ ମଣିଷ ନିଜ ହିସାବରେ ଭାବୁଥିବା ଫଳ ଈଶ୍ୱର ଦିଅନ୍ତିନି l ଈଶ୍ୱର ସର୍ବଦା କର୍ମ ହିସାବରେ ଫଳ ଦିଅନ୍ତି l ତେଣୁ ମଣିଷ ଉତ୍ତମ ଚିନ୍ତନ ଅନୁସାରେ ଭଲ କର୍ମକୁ ପ୍ରାଧାନ୍ୟ ଦେଇ ଉପଯୁକ୍ତ ଉନ୍ନତ ଫଳ ପାଇପାରିବ l କଣ ହେଲେ କଣ ହେବ ଭାବନା ଦ୍ୱାରା ଫଳ ପାଇପାରିବ ନାହିଁ l

   ଅତଃ ବେଦରେ ଗାୟତ୍ରୀ ମନ୍ତ୍ରରେ ବର୍ଣ୍ଣିତ "ଧି ୟୋ ୟୋ ନଃ ପ୍ରଚୋଦୟାତ" ପ୍ରାର୍ଥନାକୁ ସର୍ବଦା ପ୍ରାଧ୍ୟାନ୍ୟ ଦେଇ ଆମେ ଆମର ଧି ଶକ୍ତି ବୃଦ୍ଧି ପ୍ରତି ଯତ୍ନବାନ ହେବା l ଧି ଶକ୍ତିର ବୃଦ୍ଧି ହେଲେ ଅଯଥା ବିଚାର ମନକୁ ଆସିପାରେ କିନ୍ତୁ ପ୍ରଭାଵଶାଳୀ ହୋଇପାରିବ ନାହିଁ l ତେଣୁ କଣ ହେଲେ କଣ କରିଥାନ୍ତି ବିଚାରକୁ ପ୍ରାଥମିକତା ନଦେଇ ସମର୍ଥ୍ୟlନୁସାରେ ବୁଦ୍ଧି ପୂର୍ବକ କାର୍ଯ୍ୟ ସମ୍ପାଦନ କରି ଏକ ଭଲ ମଣିଷ ହେବା ଦିଗରେ ଅଗ୍ରସର ହେବା ଉଚିତ l କିଛି ପଦ ପଦବୀ ପ୍ରାପ୍ତିର ଏଷଣାକୁ ପରିହାର କରି ଭଲମଣିଷ ହେବାର ସ୍ବପ୍ନ ଦେଖିଲେ ତେନ ତ୍ୟାକ୍ତେନ ଭୁଞ୍ଜିଥା ଅର୍ଥାତ ତ୍ୟାଗ ପୂର୍ବକ ଭୋଗ ବାଣୀକୁ କର୍ମରେ ପ୍ରତିଫଳନ କରିବାର ପ୍ରୟାସ ସମ୍ଭବ ହୋଇପାରିବ ଓ ଯଦି ହୋଇଥାନ୍ତିର ଭାବନାରୁ ବିରତ ରହି ବର୍ତ୍ତମାନ ଅବସ୍ଥାରେ ଉତ୍ତମ କର୍ମ କରି ଭବିଷ୍ୟତ ଉନ୍ନତି ସହ ଉତ୍ତର ପୀଢ଼ିର ମୌଳିକତା ବଞ୍ଚାଇ ରଖିହେବ l ଭଲ ମଣିଷର ଭାବନା ଯଦି ରୂପକ ରାକ୍ଷସ କବଳରୁ ମୁକୁଳି ୠତଦେବୀଙ୍କ କୋଳରେ ଜାଗ୍ରତ ହୋଇରହିବ l


Rate this content
Log in

Similar oriya story from Inspirational