Satyabati Swain

Tragedy

4  

Satyabati Swain

Tragedy

ମୁଁ ବିଲକୁଲ ବଦଳି ନାହିଁ ବାପା

ମୁଁ ବିଲକୁଲ ବଦଳି ନାହିଁ ବାପା

6 mins
302



ସମସ୍ତେ ଚାଲୁଥିବା ସର୍ବସାଧାରଣ ରାସ୍ତାରୁ,ଭିଡରୁ ବାହାରି ନିଜ ପସନ୍ଦିଆ ଅଲଗା ରାସ୍ତାଟିଏ ନିଜ ହାତରେ ତିଆର କରି ଚାଲିଲେ ପୁଅ ବଦଳି ଯାଆନ୍ତି କି !!


    ଚକ୍ ଚକ୍ ଅନ୍ଧାର ଘରେ ଆଲୁଅ ଦେଉଥିବା ହୀରା ଖଣ୍ଡକ ଅଙ୍ଗାର ହୋଇଗଲା କେମିତି ! ନିଜକୁ ଟିକେ ଅନେଇଁଲି ।କାଇଁ ନାଇଁ ତ ଠିକ୍ ଆଗ ପରି ଅଛି।କିଛି ବଦଳିନି। ନା ବଦଳିଛି ମୋ ମନ ନା ଆଚାର ବ୍ୟବହାର କି ମୋତେ ମିଳିଥିବା ସଂସ୍କାର । ବଦଳିଛି କେବଳ ମୋ ଶରୀର , ମୁହଁ ଏବଂ ମୋ ଚିନ୍ତାଧାରା। ଆଗ ପରି ଡରକୁଳା ପରାଙ୍ଗ ପୃଷ୍ଠ ଜୀବ ହୋଇ ରହି ନାହିଁ । ମୋତେ କେଉଁ ସାର୍ଟ ଭଲ ମାନିବ ସେଇଟା ବି ବାଛି ପାରେନି ବୋଲି ପବି ଭାଇ କୁହେ, ତୁ ହେବୁନିରେ ସମୀ। ପସନ୍ଦ ନାପସନ୍ଦ ତୋର କିଛି ନାହିଁ। ବାପା ପସନ୍ଦ କରିବେ ଯାହାକୁ ତୁ ପିନ୍ଧିବୁ ? ଛିଃ ଛିଃ ତୁ ଗୋଡେ ଅଗାଡି ହେବୁ ।ଦେଖ ଆଉ ମୁଁ ଅଗାଡି ହୋଇ ନାହିଁ। ଧାନ ହୋଇ ଯାଇଛି । ଅଗାଡିର ମୂଲ୍ୟ ନାହିଁ ।ତା ଉପରେ ସମସ୍ତେ ହସନ୍ତି ଅନାଦର କରନ୍ତି। ଧାନ ତ ଅମୂଲ୍ୟ ; ସଭିଙ୍କ ପ୍ରଥମ ଆବଶ୍ୟକତା । ସେଇ ଧାନ ହୋଇଛି । ଅନାଦର କାହିଁକି ? ଏଇ ଦେଖୁଛ ମୋ ମୁହଁ ?

   ଏଥିରେ କୈଶୋରର ନିଷ୍କପଟ କୋମଳତା ନାହିଁ କିମ୍ବା ଜ୍ୟୋତି । ଦାଢ଼ି ଲାଞ୍ଚ ଦେଇ ଯୌବନ ମୋ କୋମଳ କୈଶୋରର ସରଳତା, ସନ୍ତୁଷ୍ଟତା ଚୋରେଇ ନେଇ ଯାଇଛି। ଏହାର କୋମଳତା କୁଆଡେ ହଜିଗଲା ଆଜୀବନ। ମୁହଁ ଓ ଦେହ ସାରା ରୁକ୍ଷତା ବୋଲି ଦେଇଛି ବୟସ। ବୟସ ହୋଲି ଖେଳିଛି ମୋ ସହ। ରଙ୍ଗ ମାଖିଛି ବେରଙ୍ଗ ମନରେ। ଏବେ ସବୁ କାମ ନିଜେ କରିପାରୁଛି। ସମର୍ଥ ଓ ସକ୍ଷମ କରି ଗଢି ତୋଳିଛି ନିଜକୁ। ନିଷ୍ପତ୍ତି ନେବାର ଦକ୍ଷତା ଆସି ଯାଇଛି ମୋ ଭିତରେ। ତୁମେ ଚାହୁଁଥିଲ ମୁଁ ସକ୍ଷମ ହୁଏ ଆଉ କେତୁଟା ପୁଅଙ୍କ ପରି।ପୁସ୍ତକ କୀଟ ନ ହୋଇ ବାହାର ଦୁନିଆଁରେ ସାମିଲ ହେବାକୁ । ମୋର ଏତେ ପରିବର୍ତ୍ତନ ଚାହୁଁଥିଲଟି? ଏତେରୁ ଗୋଟିଏ ହେଲି ତ ତୁମେ ସବୁ ଖୁସି ନ ହୋଇ ଏମିତି ହେଉଛ ? ଉଠାଉଛ ପକାଉଛ ଦାଣ୍ଡ !ଏତେ ଚିଡୁଛ, ରାଗୁଛ ! କଣ ପାଇଁ ?


   କେମିତି କହିବି ବାପା ମୋର ସ୍ଵଭାବ କିଛି ବଦଳିନି ମୁଁ ତୁମର ସେଇ ସମୀ ହୋଇ ରହି ଅଛି। ମୋ ବର୍ତ୍ତମାନ କାଣ୍ଡ ଦେଖି ତୁମେ କେଉଁ ବିଶ୍ବାସ କରିବ ନା ମୁଁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରିବି ! ଉତ୍ତମ ପୁଅ ପରା ତୁମର ମୁଁ ! ବାପ ମୁହଁ ଉପରେ ଭଲ ପୁଅ କଣ ଜବାବ ରଖେ ? ହେଲେ କୁହ ତ ତୁମେ କଣ ମୋତେ ଚିହ୍ନିନ ! ଯାହାକୁ ତୁମେ ସବୁ ଭଲ ଗୁଣ ଭରି ମନ ଧ୍ୟାନ ଦେଇ ଅଣତିରିଶ ବର୍ଷ ହେଲା ଗଢ଼ିଥିଲ ତାକୁ ବୁଝି ପାରୁନ !


    ମୋ ରକ୍ତରେ ପରା ତୁମ ଦିଆ ହୁଆ ସଂସ୍କାର ବୋହୁଅଛି। ଏସବୁ ଛାଡିଦେଲେ ତୁମ ସମୀର

ମୃତ୍ୟୁ ହେବ। ମନ ହେଉଥିଲା ଚିତ୍କାର କରି କୁହନ୍ତି ବିଲକୁଲ୍ ଅଙ୍ଗାର ହୋଇ ନାହିଁ ମୁଁ । ସେମିତି ହୀରା ହୋଇ ଅଛି। ତୁମେ ମାନେ ଯାହା କଳା ଚଷମା ପିନ୍ଧିଛ। ଦୋଷ ତୁମ ଆଖିର ,ମାନସିକତାର । ଖୋଲିଦିଅ ସେ ଚଷମା ମୋତେ ଠିକ୍ ଦେଖି ପାରିବ। ଚିହ୍ନି ପାରିବ ମୋ ଉଦ୍ଦେଶ୍ୟ ଏବଂ ଚିନ୍ତା ଚେତନାକୁ।


  ମୁଁ ସମୀର ମହାନ୍ତି ; ଇନ୍ଦ୍ର ମହାନ୍ତିଙ୍କ ସାନ ପୁଅ ଥିଲି ଏବଂ ରହିବ ମଶାଣିରେ ମୁଠେ ପାଉଁଶ ହେବା ପର୍ଯ୍ୟନ୍ତ ।ଭାବୁଥିଲି ଚିଲେଇ କହିବି ଶୁଣ ମୁଁ କିଛି ବି ଭୁଲ୍ କରି ନାହିଁ। ଭୁଲ୍ ବୁଝୁଛ ତୁମେ। ଇଚ୍ଛା ହେଉଥିଲା ସମସ୍ତ ଘଟଣା କୁହନ୍ତି ଗୋଟି ଗୋଟି କରି। କିନ୍ତୁ ମନ ଭିତରେ ଭାବି ହେଲି ସିନା ବାପାଙ୍କ ଉଗ୍ର ରୂପ ଦେଖି ମୁହଁ ଖୋଲି ପାରିଲି କେଉଁଠି ?ଗଦାଏ ବିଶ୍ବାସ ନେଇ ଆସିଥିଲି ଯେ ମୋ ବାପାମାଆ ଏବଂ ମୋର ନିଜର କହୁଥିବା ସବୁ ମଣିଷ ମୋତେ ବୁଝିବେ। ବାଃ ବାଃ ନ କରନ୍ତୁ ପଛେ ଖୁସି ଟିକେ ଆଶୀର୍ବାଦ ରୂପରେ ଦେବେ । ଶୁଭାଶିଷ କି ମଙ୍ଗଳ କାମନା କରିବେ କଣ ଖାଲି ତ ରାଗର ନିଆଁ ବର୍ଷା କରୁଛନ୍ତି। ଯିଏ ଯାହା ପାଉଛି କହି ଯାଉଛନ୍ତି । ସବୁଠାରୁ ବେଶୀ ଗର୍ଜୁଛନ୍ତି ବାପା । ଜେଜେ ନିରବ। ତାଙ୍କ ନୀରବତା ଯେ ବାପାଙ୍କ କଥାକୁ ସମର୍ଥ କରୁଛି ଏହା ଅଛପା ନ ଥିଲା ମୋତେ।


   ବୟସ୍କ ମଣିଷ ଅଚଳ ମୁଦ୍ରା ।ଖୁବ୍ ଅଲୋଡ଼ା।

ବହୁତ ଅସହାୟ ଏବଂ ଵିଵଶ। ତାଙ୍କ ମତ କି ମନ୍ତବ୍ୟର କିଛି ମୂଲ୍ୟ ନ ଥାଏ ବା ଘରେ କେହି ଲୋଡ଼ନ୍ତି ନାହିଁ ସେମାନଙ୍କ ପରାମର୍ଶ । ଜେଜେ ସେମିତି ସବୁ ଶୁଣନ୍ତି କିନ୍ତୁ ପ୍ରତିବାଦ କରନ୍ତି ନାହିଁ କେଉଁଥିରେ । ସେଥିରେ ବାପା ଯେତେବେଳେ ଭିଷଣ ରାଗି ଯାଆନ୍ତି ତ ପାଲଟି ଯାଆନ୍ତି ବଶିଷ୍ଠ ଋଷି। ସେତେବେଳେ ଯେ କେହି ବି ତାଙ୍କ ସାମନାକୁ ଆସିବ ତାର ରକ୍ଷା ନାହିଁ । ମାଆର ବାତ୍ସଲ୍ୟ ପ୍ରେମ ହେତୁ ତାର ଆଙ୍ଗୁଠି କେବେ କେମ୍ପା ତ କେବେ ପାପୁଲି ଫାଟି ରକ୍ତ ଝରିଛି।


   ଜେଜେମା ଘର ଭିତରେ ହୁଏତ କେବେ କଦବା ବାପାଙ୍କୁ ଆକଟ କରି କିଛି କୁହେ ଯାହା ବାପା କେଉଁ ଆଳ ଦେଖାଇ ତାକୁ ଭୁଲ୍ ପ୍ରମାଣିତ କରି ତା କଥା କାଟି ଦିଅନ୍ତି। ମୋତେ ଲାଗେ ଏଇ ଏକ ଜିଦିଆ ଓ କାହା କଥା ନ ଶୁଣିବା ଗୁଣଟି ଅଧିକ ପରିମାଣରେ ମୋ ପ୍ରବୀର ଭାଇ ଆଣିଛି। ବାପା ଏ ଗୁଣରେ ଦଶ ନମ୍ବର ରଖିଲେ ଭାଇ ଶହେକୁ ଶହେ ରଖିବା ପିଲା।


   ପ୍ରବୀର ଭାଇ ଯାହାକୁ ମୁଁ ପଭାଇ ଡାକେ ସେ ବାପାଙ୍କ କଥାକୁ ପୂର୍ଣ୍ଣ ସମର୍ଥନ କରୁଥାନ୍ତି। ଏଇ ସେଇ ପଭାଇ ଯେ ପ୍ରତିଦିନ ହଜାରେ କେସ୍ ଆଣି ଘରେ ପୁରାଉଥିଲା ବୋଲି ବାପା ଖୁବ୍ ମର୍ମାହତ ହୋଇ ମାଆ ଉପରେ ଝାଡ଼ି ବାଡ଼ି ହେଉ ଥିଲେ। ମାଆର ମୁହଁ ପାଇ ପବି ଭାଇ ଏମିତି ହେଉଛି ବୋଲି କରୁଥିଲେ ଦୋଷାରୋପ। ମହାନ୍ତି ଘର ଛୁଆ ଇତର ପିଲାଙ୍କ ପରି ହେଉଛି ? ବାଳୁଙ୍ଗାକୁ ମୂର୍ଖ । ଅପଗଣ୍ଡ !ତୋର ଯଦି ଏତେ ତଳକୁ ଖସିବାର ଥିଲା ଏ ଘରେ କାହିଁକି ଜନ୍ମ ନେଉଥିଲୁ ? ମୋ ଚଉଦ ପୁରୁଷଙ୍କ ମୁହଁରେ କାଳି ବୋଳିବାକୁ ?


    ଜେଜେମାଆ ବାପାଙ୍କୁ ଆକଟ କରି କୁହେ ପିଲା ଲୋକ ବୁଦ୍ଧି ହୋଇନି। ବଡ଼ ହେଲେ କଣ ଏଇ ବୁଦ୍ଧି ଥିବ। ସବୁବେଳେ ମୋ ଛୁଆଟାକୁ ମାଡ଼ ଗାଳି କଲୁ। ଏ ଗାଁ ଲୋକେ ଦେଖି ସହି ପାରୁ ନାହାନ୍ତି। ଇନ୍ଦ୍ର ମହାନ୍ତିର ଏତେ ସମ୍ପତ୍ତି ବାଡି଼କୁ ସରକାରୀ ଚାକିରି। ତୋତେ ରଗେଇବା ପାଇଁ ଲଗେଇ ଜଟେଇ ପିଲାଟା ନାଁ ରେ କହୁଛନ୍ତି । ତୁ କିଛି ସତ୍ୟାସତ୍ୟ ପରୀକ୍ଷା ନକରି ଯାଉଣୁ ଆସୁଣୁ ନଦୁଛୁ ?


    ତୋର ଆଉ ତୋ ଗୁଣମନ୍ତ ବୋହୂର ମୁହଁ ପାଇ ସେ ହାରାମଜାଦା ଏମିତି ଉପର ମୁହାଁ ହୋଇଛି। ଏଇ ଛୋଟ ଲୋକ ଗୁଡା ଯିଏ ଆମର ଗୋଟିଏ ପାହାଚ ଉପରକୁ ଉଠିବାକୁ ସାହସ କରନ୍ତି ନାହିଁ ସେମାନେ ପାହାଚ ଡେଇଁ ଘର ଭିତରେ ପଶି ମୋତେ ଆସି ଧମକ ଦେଲା ପରି କହୁଛନ୍ତି! ଏଗୁଡ଼ାକ ତୋତେ ଶୁଣିବାକୁ ଭଲ ଲାଗୁଛି ମାଆ ?


   ପଭାଇ ସେତେବେଳେକୁ ଜେଜେମାଆ କାନି ଘୋଡେଇ ଚୁପ୍ କରି ଲୁଚି ବସୁଥିଲା। ସବୁଦିନ ପଭାଇ ପାଇଁ ଘରେ ଝଡ଼ର ତାଣ୍ଡବ ହୁଏ। ଅଦ୍ଭୁତ ବଦମାସୀ କରେ ସେ ପ୍ରତିଦିନ । ଖୁବ ଅସ୍ଥିର , ଚଗଲା, ନିଷ୍ଠୁର ପ୍ରକୃତିର । ଭାଙ୍ଗିବା, ମାରି ଖଣ୍ଡିଆ ଖାବେରା କରିବାରେ ସେ ଅକଳନ ଆନନ୍ଦ ପାଏ ଯେମିତି ।. କେହି ତା ଦ୍ୱାରା କଷ୍ଟ ପାଇ କାନ୍ଦିଲେ ସେ ପ୍ରାଣ ଖୋଲି ହସେ। ଏତେ ହୃଦୟହିଁନ ପଭାଇ କେମିତି କେହି ବୁଝି ପାରନ୍ତିନି ।

  ଦିନେ ଦିନେ ତ ବାପା ରାଗିକି ଅଖିଆ ଅପିଆ ରୁହନ୍ତି। ଇନ୍ଦ୍ର ମହାନ୍ତି ; ବ୍ରହ୍ମା ମହାନ୍ତି ପୁଅର ପୁଣି ଏ ଦିନ ଦେଖିବାର ଥିଲା କହି ଗୁମ୍ ହୋଇ ଘଡ଼ିଏ ବାହାର ବାରଣ୍ଡା ଆରାମ ଚୌକିରେ ବସିପଡ଼ନ୍ତି। କେବେ କେବେ ପଭାଇ ପିଠିରେ ପାଞ୍ଚଣ ଫାଟେ। ମାଆ ସହି ନ ପାରି ଧରେ ତ ତାର ବି ନିସ୍ତାର ହୁଏନି। ମାଡ଼ ବସି ମାଆର ଗୋଟେ ଆଙ୍ଗୁଠି କେମ୍ପା।


ତିନି ପିଲାଙ୍କ ମଧ୍ୟରେ ମୁଁ ସାନ।ଭାରି କୌତୁକିଆ ହୋଇଥିଲି ବୋଲି ମାଆ ଓ ମୋ ପିଲା ବେଳ ଫଟୋ କୁହନ୍ତି । ସୁନ୍ଦର ଚେହେରାକୁ ଖୁବ୍ ଶାନ୍ତ ଓ ସରଳ ସ୍ଵଭାବ ମୋର। ଏଣୁ ବାପାଙ୍କ ସମେତ ଘର ବାହାରେ ମୁଁ ଥିଲି ଅତି ଗେଲ ବସାରିଆ କୋଳପୋଛା ପୁଅ।କୁହୁ ନାନୀକୁ ଓ ମୋତେ ସେ ବହୁତ ଗେହ୍ଲା କରନ୍ତି। କିନ୍ତୁ କୁହୁ ନାନୀ ପଭାଇ ଉପରେ ତାଙ୍କ ରାଗ ,ମାଡ଼ ଓ ନାଲି ଆଖି ଦେଖି ତାଙ୍କୁ ବହୁତ ଡରେ। ତାଙ୍କ ପାଖ ମାଡେନି ସେ । ସବୁବେଳେ ମାଆ କାନି ଧରି ଚାଲେ।ଯେଉଁ ଦିନ ପଭାଇର କୌଣସି ବଦମାସିକୁ ନେଇ ଅତ୍ୟଧିକ ରାଗିଥିବେ ତ ମାଆ ମୋତେ ଠାରି ଦେଇ କୁହେ ଯା ବାପା କୋଳରେ ବସିବୁ। ସେତେବେଳେକୁ ମୋ ବୟସ ଚାରି, କୁହୁ ନାନୀକୁ ସାତ ଓ ପବି ଭାଇକୁ ଏଗାର ବର୍ଷ। ଗୁଣ୍ଠୁଣୀ ହାତୀ ପରି ଦୌଡ଼ି ଦୌଡ଼ି ଯାଇ ବାପାଙ୍କ କୋଳରେ ମୁଁ ନଥ୍ କରି ବସି ପଡେ।ବାପା ରାଗରେ ମୋତେ ତାଙ୍କ କୋଳରୁ ଟାଣି ନେଇ କାଚି ଦିଅନ୍ତି ତଳେ। ଭେଁ କରି କାନ୍ଦି ଉଠେ ମୁଁ।


    ଜେଜେମା ଚିହ୍ନିଙ୍କି ଉଠେ। ଦେ ମାରିଦେ ସମସ୍ତଙ୍କୁ। ପର ଲୋକଙ୍କ କଥା ଶୁଣି ମୋ ପେଟ ଛୁଆ ଗୁଡାଙ୍କୁ କି ହନ୍ତସନ୍ତ କରୁଛୁ କେଜାଣି। ତୁ ପରା ପିଲା ଦିନେ ବଣ ବିଛୁଆତି ଥିଲୁ ? ଆମ୍ବ ଗଛରେ ଆମ୍ବ ନ୍ ଫଳି କଣ ଆମ୍ବେଡା ଫଳନ୍ତା ?

   କାନ୍ଦ ମୋର ବାପାଙ୍କ ରାଗକୁ ପାଣି କରିଦିଏ। ମୋ ସୁନାଟା କହି ବାଡ଼ିପଡ଼ ପୋଖରୀ ମୂଳକୁ ନେଇ ଯାଇ କୁହନ୍ତି,ଦେଖିଲୁ ଧନ କେତେ ବଲ ବଲ ମାଛ।ଏଇ ଦେଖିଲୁ ଦେଖିଲୁ କାଉ।କାଉ ଯା ମୋ ସମୀ କାନ୍ଦ ବନ୍ଦ କଲାଣି। କାଉ ବି ବାପାଙ୍କ କଥା ମାନି ଠିକ୍ ସେତକି ବେଳକୁ କା କା କରି ଉଡିଯାଏ ଆମ୍ବ ଗଛରୁ। ମୋ କାନ୍ଦ ବନ୍ଦ ହୋଇଯାଏ କାଉକୁ ଦେଖି।ଅଳ୍ପକେ ସନ୍ତୁଷ୍ଟ ନିର୍ବୋଧ ପିଲା ମନ ମୋର କାଉ ପରି ଉଡିଯାଏ ନୀଳ ଆକାଶକୁ। ଆଖିରୁ ଦୂର ହେବା ପର୍ଯ୍ୟନ୍ତ ବେକ ଭାଙ୍ଗି ତାକୁ ବିସ୍ମୟରେ ଅନାଇଁ ରୁହେ। ବାପାଙ୍କ ମୁହଁକୁ ଉପରକୁ ଟେକି କୁହେ ମୋତେ କାଉ ଦିଅ। ମୋଲ କାଉ ଦଲକାର।


  ସେ କୁହନ୍ତି କାଉ ନାଇଁ ଇ ଇ…..ମେଘ ସହ ଖେଳିବ ବୋଲି ସେ ଉଡି ଗଲାଣି।

ମେଘ ସହ ! ମୁଁ ଉଲି ଉଲି ଯିବି ବାପା। ମେଘ ପିଠିଲେ ବସିବି ଘୋଲା କଲି।


  ତାଙ୍କ ଆଖିରେ ଝଲସି ଉଠେ ସ୍ୱପ୍ନର ଇନ୍ଦ୍ରଧନୁ। ସେ ଖୁସିରେ ମୋ ଦୁଇ ଗାଲ ଚୁଚୁମି ଦେଇ କୁହନ୍ତି ମୋ ମନ କହୁଛି ତୁ ପାରିବୁ ସମୀ। ଏଇ ଯେଉଁ ଆକାଶଟି ଦେଖୁଛୁ ନା ସମୀ ତୁ ସେଇଠି ତୋ ନାଁ ଲେଖିବୁ। ଏ ସାରା ଆକାଶଟି ଦିନେ ତୋର ହେବ।ଦିନେ ମେଘ ପିଠିରେ ତୁ ବସିବୁ ଧନ।


  ଆଜି ମୁଁ ମେଘ ପିଠିରେ ବସିଛି ବାପା। ବିଲକୁଲ ବଦଳି ନାହିଁ।



Rate this content
Log in

Similar oriya story from Tragedy