ମୁଢ଼ି ବସ୍ତା
ମୁଢ଼ି ବସ୍ତା
୧୯୯୮ ମସିହା ର କଥା ମାସ ଓ ତାରିଖ ମନେ ନାହିଁ। ମୁଁ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ପରୀକ୍ଷା ପାସ କରି କଟକ ରେଭେନ୍ସା କଲେଜରେ ନାମ ଲେଖାଇ ଥାଏ। ମୟୂରଭଞ୍ଜ ର ପ୍ରିୟ ଖାଦ୍ୟ ମୁଢି ବୋଲି ପ୍ରାୟ ସମସ୍ତ ବିଶ୍ଵବାସୀ ଜାଣନ୍ତି।ତା ଛଡା ଆମ ଘରର ଆର୍ଥିକ ପରିସ୍ଥିତି ସେ ସମୟରେ ଏତେ ସ୍ୱଚ୍ଛଳ ନଥିଲା ଯେ ମୁଁ ପ୍ରତ୍ୟେକ ଦିନ ଟିଫିନ୍ କିଣି ଖାଇ ପାରିବି। ମୟୂରଭଞ୍ଜ ର ପ୍ରାୟ ସମସ୍ତ ଲୋକ ଙ୍କ ର ଅତି ପ୍ରିୟ ଜଳଖିଆ ହେଉଛି ମୁଢ଼ି। ମୟୂରଭଞ୍ଜ ର ମୁଢି ମାଂସ ତ ଜଗତ ପ୍ରସିଦ୍ଧ। ମୟୂରଭଞ୍ଜ ର ପ୍ରତ୍ୟେକ ବାହାଘରରେ ମୁଢି ମାଂସ ହେବାଟା ଥୟ। ଯଦି ମୁଢ଼ି ମାଂସ ନହେଲା ତାହାହେଲେ ବାହାଘର ଭୋଜିରେ ଗଣ୍ଡଗୋଳ ହେବାଟା ନିଶ୍ଚିତ। ବେଳେ ବେଳେ ତ ବେଦୀରୁ ବର ଉଠି ଯିବା ପର୍ଯ୍ୟନ୍ତ କଥା ଯାଏ।
ଚୁଡ଼ା,ଚକୁଳି, ଉପମା କି ସୁଜି ଆଦି ଜଳଖିଆ କେବଳ ପର୍ବପର୍ବାଣୀ ରେ ଖିଆ ଯାଇଥାଏ। ମୟୂରଭଞ୍ଜ ର ପ୍ରତ୍ୟେକ ଘରେ ମୁଢି ଟିଣ ଟେ ରହିବା ନିଶ୍ଚିତ।ଆଉ ମୟୂରଭଞ୍ଜ ର ଯେଉଁ ପିଲା ମାନେ ବାହାରେ ରହି ପାଠ ପଢୁଥିଲେ ସେମାନେ ସମସ୍ତେ ମୁଢି ନେଇ ଯାଉଥିଲେ।ମୋ ଭଉଣୀ ମାନେ ମଧ୍ୟ ହଷ୍ଟେଲରେ ରହୁଥିବା ସମୟରେ ବସ୍ତା ରେମୁଢି ନେଇ ଯାଉଥିଲେ। ତେଣୁ ମୁଁ ମଧ୍ୟ ପ୍ରଥମ ଥର ପାଇଁ ଯେବେ ରେଭେନ୍ସା ଲେଡିଜ୍ ହଷ୍ଟେଲ କୁ ଆସିଲି, ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ସହିତ ଗୋଟିଏ ବସ୍ତାରେ ବସ୍ତେ ମୁଢି ଧରି ହଷ୍ଟେଲରେ ପହଞ୍ଚିଲି। ମୋତେ ଦେଖି ସେଠାରେ ଉପସ୍ଥିତ ଥିବା ପିଲା ମାନେ ହସିବାକୁ ଲାଗିଲେ। ମୁଁ ହଠାତ୍ ବୁଝି ପାରିଲି ନାହିଁ ସେମାନେ କାହିଁକି ହସୁଛନ୍ତି। ମୁଁ ଭାବିଲି ସେମାନେ ବୋଧେ ମୋର ବେଶ ପୋଷାକ ଦେଖି ହସୁଛନ୍ତି। ତେଣୁ ମନେ ମନେ ଭାବିଲି ସେମାନେ ମୋ ଆର୍ଥିକ ସ୍ଥିତି ବିଷୟରେ ଜାଣି ନାହାଁନ୍ତି ତେଣୁ ହସୁଛନ୍ତି, ହସନ୍ତୁ।
ମୋ ମାଆ ପିଲା ପାଖରୁ ସବୁବେଳେ ଆମକୁ ଗୋଟେ ପ୍ରଶ୍ନ ପଚାରେ।କହେ "ଗୋଟେ ପଟେ ଗୋଟେ ପିଲା ସୁନ୍ଦର ବେଶ ପୋଷାକ ହୋଇ ଯାଉଥିବ ଅନ୍ୟ ପଟେ ଅନ୍ୟ ଗୋଟେ ପିଲା ସାଧାରଣ ଡ୍ରେସ୍ ପିନ୍ଧିଥିବ କିନ୍ତୁ ଅସାଧାରଣ ପ୍ରତିଭା ର ଅଧିକାରୀ ହୋଇଥିବ, ତେବେ ଲୋକ ଙ୍କ ଦୃଷ୍ଟି କାହା ପଟକୁ ଯିବ ସେଇ କଥା ଭାବ ଆଉ ସେଇ ଅନୁସାରେ ନିଜ କୁ ଗଢି ତୋଳ।"ମାଆର ସେଇ କଥା କୁ ମନେ ପକାଇ ମୁଁ ପିଲା ଙ୍କ ହସ ପ୍ରତି ନଜର ନ ଦେଇ ନିଜ ରୁମ ମୁଖେ ଅଗ୍ରସର ହେଲି। ରୁମ୍ ରେ ଯାଇ ଦେଖେ ତ ମୋ ପାଇଁ ଉଦ୍ଦିଷ୍ଟ ଥିବା ବେଡ୍ ଟିରେ ଆଉ ଜଣେ ସ୍ଥାନ ଅଧିକାର କରି ସାରିଛି। ତାଛଡା ସେ ରୁମ ରେ ରୁ ରୁମର ଆକାର ଅନୁସାରେ ଯେତେ ପିଲା ରହିବା କଥା ତା ଠୁ ବହୁତ ବେଶୀ ପିଲା ରହୁଥିଲେ। ଯେଉଁ ବେଡ୍ ରେ ରହୁଥିଲେ ସେଇ ବେଡ୍ ଟି ତାଙ୍କ ପାଇଁ ସବୁ କିଛି ଥିଲା। ଏହା ଦେଖି ମୁଁ ସେଠାରେ ସେ ସମୟରେ ବାଣିଜ୍ୟ ବିଭାଗ ର ବରିଷ୍ଠ ଅଧ୍ୟାପକ ଥିବା ମୋର ଜଣେ କକା ଙ୍କୁ ଫୋନ୍ କଲି। ଯାହା ହେଉ ହଷ୍ଟେଲର ଭାରପ୍ରାପ୍ତ ଅଧିକାରୀ ଙ୍କୁ କହି ମୋତେ ହଷ୍ଟେଲର ମେଟ୍ରନ୍ ଙ୍କ ସହ ତାଙ୍କ ରୁମରେରହିବା ର ବ୍ୟବସ୍ଥା କରିଦେଲେ।
ହଷ୍ଟେଲ ର ମେଟ୍ରନ୍ ଙ୍କ ରୁମ୍ ଟା ହଷ୍ଟେଲ ର ଆରମ୍ଭ ରେ ଥିଲା। ତେଣୁ ସବୁ ପିଲା ସେଇ ରୁମରେ ଆଗ ଦେଇ ବାହାରକୁ ଯାଉଥିଲେ। ସେଇ ଦିନ ସନ୍ଧ୍ୟାରେ ମୋର ସକାଳୁ ଯେଉଁ ପିଲା ସବୁ ମୋତେ ଦେଖି ହସିଦେଲେ ସେମାନଙ୍କ ସହ ଦେଖାହେଲା। ମୁଁ ସେଇ ପିଲା ମାନଙ୍କ ସହ ନିଜ କୁ ପରିଚିତ କଲି।ତାଙ୍କ ସହ କଥା ବାର୍ତ୍ତା ରୁ ଜାଣିଲି ସେ ଭିତରୁ ତିନି ଜଣ ଆମ ଅନର୍ସ ରବୋଲି। ସେମାନେ ମୋ ସହ କଥା ହେଉ ହେଉ ମୋତେ ଦେଖି କାହିଁକି ହସୁଥିଲେ ସେ କଥା କହିଲେ। ସେମାନେ ପଚାରିଲେ ତୁମେ ସେ ବସ୍ତାରେ କଣ ଆଣିଛ ତାକୁ ଦେଖି ଆମେ ହସୁଥିଲୁ। ମୁଁ କହିଲି ବସ୍ତାରେ ମୁଁ ମୁଢ଼ି ଆଣିଛି। ସେମାନେ କହିଲେ ବସ୍ତାରେ ବସ୍ତାଏ ମୁଢି?ଆଉ ଥରେ ପୁଣି ସେମାନେ ହସିଲେ।କହିଲେ ତୁମ ପଟେ ଏମିତି ଏତେ ମୁଢି ଖାଆନ୍ତି?ଆଉ ଥରେ ପୁଣି ହସିବାକୁ ଲାଗିଲେ।
ମୋତେ ବହୁତ ଅପମାନିତ ଲାଗୁଥାଏ। ରାଗ ମଧ୍ୟ ଲାଗୁଥାଏ। ହେଲେ ମୁଁ ତ ହଷ୍ଟେଲରେ ନୂଆ। ସେମାନେ ମୋ ଠାରୁକିଛି ଦିନ ପୂର୍ବରୁ ହଷ୍ଟେଲ ଆସି ଥାଆନ୍ତି। ମୁଁ ଦେହ ଖରାପ ପାଇଁ ଟିକେ ବିଳମ୍ବରେ ହଷ୍ଟେଲ ଯାଇ ଥିଲି। ତେଣୁ ମୁଁ ମୋ ରାଗ କୁ ଯଥା ସମ୍ଭବ ମୋ ମନ ଭିତରେ ଚାପି ରଖି ମନେ ମନେ ଉପାୟ ପାଞ୍ଚିଲି, କେମିତି ଏ ପିଲା ମାନଙ୍କୁ ତାଙ୍କ ଭୁଲ୍ କୁ ଜଣାଇ କାହାର ଅସହାୟତା କି ତା ଖାଦ୍ୟ ପେୟ ପାଇଁ ତା ଉପରେ ହସିବା ଭଲ କଥା ନୁହଁ ବୋଲି ବୁଝାଇବି।
ମନକୁ ଗୋଟେ ଉପାୟ ଆସିଲା। ସେଦିନ କ୍ଲାସ୍ କୁ ଯିବା ସମୟରେ ମୁଁ ସେ ପିଲା ମାନଙ୍କୁ ଡ଼ାକି କହିଲି ଆଜି ସନ୍ଧ୍ୟା ସମୟରେ ସମସ୍ତେ ମୋ ରୁମକୁ ଆସିବ। ମୁଁ ତୁମ ମାନଙ୍କୁ ଗୋଟେ ଭଲ ଜିନିଷ ଟେଷ୍ଟ କରାଇବି।ମୋ କଥା ଅନୁସାରେ ସେ ପିଲାମାନେ କ୍ଲାସ ପରେ ମୋ ରୁମକୁ ଆସିଲେ। ମୁଁ ସେତେବେଳକୁ ମୁଢ଼ିରେ ମିକ୍ସଚର୍, ପିଆଜ, ଲଙ୍କା, ସୋରିଷ ତେଲ ଓ କାକୁଡ଼ି କୁ ଛୋଟ ଛୋଟ କାଟି ମିଶାଇ ଝାଲ୍ ମୁଢିର ବଢିଆ ପାଗଟେ ବନାଇ ଥାଏ। ସେମାନେ ରୁମକୁ ଆସିବା ପରେ ତାଙ୍କୁ ବସାଇ ପୁରୁଣା ପେପର୍ ରୁ ଖଣ୍ଡେ ଖଣ୍ଡେ ଛିଣ୍ଡାଇ ପେପର୍ ରୁ ତିନି କଣିଆ ଠୋଲା ତିଆରି କରି ପୂର୍ବରୁ ପ୍ରସ୍ତୁତ ମୁଢି କୁ ତା ଭିତରେ ଭର୍ତ୍ତି କରି ତାଙ୍କ ହାତକୁ ବଢାଇ ଦେଲି।ଆଉ ତାଙ୍କୁ ଖାଇବା କୁ କହିଲି।ସେ ମୁଢି ଖାଇ ସେମାନେ ପୁରା ଖୁସି ହୋଇଗଲେ। ସେଇ ସମୟରେ ମୁଁ ତାଙ୍କୁ କହିଲି ତୁମେ ମାନେ ଗତ କାଲି ମୋ ହାତ ରେ ମୁଢି ବସ୍ତା ଦେଖି ହସୁଥିଲ। ହେଲେ ହସିବା ପୂର୍ବରୁ ଭାବିଲନି ମୁଁ କାହିଁକି ମୁଢି ବସ୍ତା ଧରି ଆସିଛି? ତୁମେ ମାନେ ଜାଣିଛ ମୋର ଆର୍ଥିକ ପରିସ୍ଥିତି ତୁମ ଭଳି ସ୍ୱଚ୍ଛଳ ନୁହଁ। ତେଣୁ ପ୍ରତ୍ୟେକ ଦିନ ତୁମ ଭଳି ବାହାରୁ କିଛି କିଣି ଖାଇବା ମୋ ପକ୍ଷେ ସମ୍ଭବ ନୁହଁ।ଆଉ ଆମ ଘର ମଧ୍ୟ ବହୁତ ଦୂର। ସବୁ ବେଳେ ବସ୍ ଭଡା ଦେଇ ଘରକୁ ଯିବା ମଧ୍ୟ ମୋ ପକ୍ଷେ ସମ୍ଭବ ନୁହଁ। ତେଣୁ ମୁଁ ଏକାଥରେ ବସ୍ତେ ମୁଢି ନେଇ ଆସିଛି।
ତୁମ ମାନଙ୍କ ଭଳି ଘରେ ବାପାଙ୍କ ଉପରେ ଯୋର୍ କରି ଟଙ୍କା ଆଣିବା ର ମାନସିକତା ମଧ୍ୟ ମୋର ନାହିଁ। କାରଣ ମୋତେ ମୋ ଘରର ଆର୍ଥିକ ପରିସ୍ଥିତି ବିଷୟରେ ଭଲ ଭାବରେ ଜଣା। ମୁଁ ଅଧିକ ଟଙ୍କା ମାଗି ଆମ ଘର ଲୋକଙ୍କୁ ଅଧିକ ଚିନ୍ତା ଦେବାପାଇଁ ଚାହେଁନା।ଆଉ ଅନ୍ୟ କାହା ଠାରୁ କୌଣସି ଜିନିଷ ଗ୍ରହଣ କରିବା ମୋ ନିତି ବିରୁଦ୍ଧ। ଆଜି ଯିଏ ଟଙ୍କା ର ଜିନିଷ ଦେଇଥିବ କାଲି ସେ ତାକୁ ବଢେଇ ଚଢ଼େଉ କେତେ କଥା କହିବ।ଆଉ ତୁମ ଠାରୁ ତା ବଦଳରେ ତୁମ ସ୍ବାଭିମାନ କୁ ମାଗିବ।ସେ ପିଲା ମାନେ କହିଲେ ସ୍ବାଭିମାନ ମାଗିବ ମାନେ? ମୁଁ କହିଲି ତୁମକୁ ଏମିତି କିଛି କଥା କରିବା ପାଇଁ କହିବ ଯାହା ତୁମ ସ୍ବାଭିମାନ କୁ ଆଘାତ ଦେବ। ମୁଁ ମୋ ସ୍ବାଭିମାନ କୁ ବଳି ଦେଇ କୌଣସି କାମ କରିବା ପାଇଁ ଚାହେଁନା। ମୋ ସ୍ବାଭିମାନ ମୋ ପାଇଁ ସବୁଠାରୁ ଅଧିକ ମୂଲ୍ୟ ରଖେ।
ସେ ପିଲା ମାନେ ଆଉ କିଛି ନ କହି ତଳକୁ ମୁହଁ ପୋତି ରହି ଥାଆନ୍ତି। ମୁଁ କହିଲି ତମେ ମାନେ କ'ଣ ଏତିକି ଜାଣିନ କାହା ବିଷୟରେ କିଛି ନ ଜଣି ତାକୁ ଉପହାସ କରିବା ଭଲ କଥା ନୁହଁ ବୋଲି । ତୁମ ର ଏଇ ପ୍ରକାର ବ୍ୟବହାର ତାକୁ ମାନସିକ ସ୍ତରରେ କେତେ କଷ୍ଟ ଦେଉଥିବ ବୋଲି?ସେମାନେ କହିଲେ ଆମକୁ କ୍ଷମା କରିଦିଅ।ଆମ ମାନେ ଗୋଟେ ବଡ଼ ଭୁଲ୍ କରି ଦେଇଛୁ। ମୁଁ କହିଲି ଗୋଟେ ସର୍ତ୍ତ ରେ ମୁଁ ତୁମ ମାନଙ୍କୁ କ୍ଷମା କରିବି ତୁମେ ମୋତେ କଥା ଦିଅ ଭବିଷ୍ୟତରେ କାହା ହାତରେ ମୁଢ଼ି ବସ୍ତା ଦେଖି ତୁମେ ମାନେ ତାକୁ ଏମିତି ଅପମାନିତ କରିବ ନାହିଁ। ସେମାନେ ମୁହଁ ତଳକୁ କରି କହିଲେ ଆମେ ଆମର ଭୁଲ୍ ବୁଝି ପାରିଛୁ। ଆମେ ତୁମକୁ କଥା ଦେଉଛୁ ଭବିଷ୍ୟତ ରେ କେବେ କାହାକୁ ଏଭଳି ଅପମାନିତ କରିବୁ ନାହିଁ।
ହେଲେ ତୁମ କୁ ବି ଆମର ଗୋଟେ କଥା ମାନିବା କୁ ହେବ। ମୁଁ କହିଲି କି କଥା? ସେମାନେ କହିଲେ ତୋତେ ମଝିରେ ମଝିରେ ଆମକୁ ଏମିତି ବଢିଆ ଝାଲ ମୁଢି ଖାଇବାକୁ ଦେବାକୁ ହେବ। ମୁଁ ହସିଦେଇ କହିଲି ଠିକ୍ ଅଛି।
