STORYMIRROR

Kananbala Nayak

Inspirational

2  

Kananbala Nayak

Inspirational

କଞ୍ଜୁସ୍

କଞ୍ଜୁସ୍

4 mins
59

 ସମସ୍ତେ କହୁଥିଲେ ବୁଢାଟା କୁଆଡେ ବହୁତ କଞ୍ଜୁସ୍ । ତା ହାତରୁ ପାଣି ଵି ଗଳେନି । ତା ଘର ଚାରିପାଖରେ ଉଚ୍ଚ ପାଚେରୀ ଘେରି ରହିଛି । ତା ଘର ଭିତରକୁ ମଣିଷ କଣ ଜୀବ ଜନ୍ତୁଙ୍କର ମଧ୍ୟ ପ୍ରବେଶ ନିଷେଧ ତା ଅନୁମତି ବିନା । ବୁଢାର ସୁଉଚ୍ଚ ପ୍ରସାଦ କିନ୍ତୁ ପାଚେରୀ ଉପରକୁ ମଧ୍ୟ ଦେଖାଯାଏ । ସେଇ ପ୍ରାସାଦଟି କୁଆଡେ ତା ବାପା ଜେଜେ ବାପାଙ୍କ ଅମଳରୁ ସେଇ ଠାରେ ସେମିତି ରହିଛି । ତା ବଂଶର ଗାରିମାର ବାର୍ତ୍ତାବହ ସ୍ୱରୂପ । ବୁଢାର ଜେଜେ ବାପା ଓ ତାଙ୍କ ପୂର୍ବପୁରୁଷ ବଣିକ ଥିଲେ । ସେମାନେ ବୋଇତ ନେଇ ଦୂର ଦେଶକୁ ବଣିଜ କରିବା ପାଇଁ ଯାଉଥିଲେ । ସେ ଦେଶରୁ ବିଭିନ୍ନ ପ୍ରକାରର ଗୃହ ସଜ୍ଜା ଉପକରଣ ଆଣି ତାଙ୍କ ବାସ ଗୃହରେ ଲଗାଇ ଥିଲେ । ବୁଢାର ପ୍ରାସାଦ ଟା ଏତେ ସୁନ୍ଦର ଥିଲା ଯେ ରାସ୍ତାରେ ଚାଲିଯାଉଥିବା ଲୋକ ତାକୁ ଦେଖିବା ପାଇଁ ତାଙ୍କ ଘର ଆଗରେ ଘଡ଼ିଏ ଅଟକି ଯାଉଥିଲା । ବୁଢାର ଗୋଟିଏ ଦାମି ଗାଡ଼ି ଥିଲା । ବୁଢାର ବୁଢ଼ୀର ମୁହଁ କିଛି ଅତି ନିଜର ଲୋକଙ୍କୁ ଛାଡି ଆଉ କେହି ଦେଖି ନଥିଲେ । ବୁଢୀ ଯେତେବେଳେ ବି ବାହାରକୁ ଯାଏ ଗାଡ଼ିରେ ଯାଏ । 


 ବୁଢା ଵୁଢୀଙ୍କର ସନ୍ତାନ ସନ୍ତତି କିଛି ନଥିଲେ । ବୁଢ଼ା ବୁଢ଼ୀ ସେଥିପାଇଁ ଅନେକ ଡାକ୍ତର ଓ ବୈଦଙ୍କୁ ଦେଖାଇ ଥିଲେ ମଧ୍ୟ କିଛି ସୁଫଳ ପାଇ ନ ଥିଲେ । ବୁଢାର ବନ୍ଧୁ ବାନ୍ଧବ ମାନେ ସମସ୍ତେ ତାଙ୍କ ପିଲାଙ୍କ ଭିତରୁ ଜଣକୁ ପୋଷ୍ୟପୁତ୍ର ‌ରୂପେ ଗ୍ରହଣ କରିବା ପାଇଁ ବୁଢ଼ା ଉପରେ ଅନେକ ଚାପ ପକାଇ ଥିଲେ । ହେଲେ ‌ବୁଢା ରାଜି ହୋଇ ନଥିଲା । ବୁଢ଼ା କହୁଥିଲା ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଈଶ୍ୱର ଯଦି ଆମକୁ ସନ୍ତାନ ଦେଇ ନାହାଁନ୍ତି ତେବେ ସେଥିରେ ମଧ୍ୟ ତାଙ୍କର କିଛି ମହତ୍ ଉଦ୍ଦେଶ୍ୟ ଥିବ । କେତେକ ତ ବୁଢ଼ାକୁ ଆଉ ଥରେ ବିବାହ କରିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ । ବୁଢ଼ା କିନ୍ତୁ ସମସ୍ତ ପ୍ରସ୍ତାବକୁ ଏଡାଇ ଦେଇଥିଲା । କହୁଥିଲା ଅଗ୍ନିକୁ ସାକ୍ଷୀ ରଖି ବେଦ ମନ୍ତ୍ର ଉଚ୍ଚାରଣ କରି ଯେଉଁ ସ୍ତ୍ରୀକୁ ମୁଁ କଥା ଦେଇଛି ଯେ ମୃତ୍ୟୁ ପର୍ଯ୍ୟନ୍ତ ତା ସାଥିରେ ରହିବି ବୋଲି ଆଜି ସନ୍ତାନଟିଏ ନ ହେଲା ବୋଲି ସେ ସ୍ତ୍ରୀର ହାତ ଛାଡି ଆଉ କାହାର ହାତ ଧରିବି?


  ତା ଛଡା ସନ୍ତାନ ନ ହେବା ପାଇଁ କଣ ଖାଲି ସେ ଦାୟୀ? କାହିଁ ମୁଁ ବି ହୋଇଥାଇ ପାରେ? କାହିଁ ମୋ ସ୍ତ୍ରୀକୁ ତ କେହି କହୁନ ଦ୍ଵିତୀୟ ବାହାଘର ପାଇଁ? ଆମେ ଦୁଇ ଜଣ ଦୁଇଜଣଙ୍କ ସହ ବହୁତ ଖୁସିରେ ଅଛୁ । ତେଣୁ ଦ୍ଵିତୀୟ ବାହାଘର କଥା କେହି ଉଠାଅ ନାହିଁ । ସେବେଠାରୁ ବୁଢାକୁ ଆଉ କେହି ବାହାଘର କଥା କହି ନାହାଁନ୍ତି । ହେଲେ ବନ୍ଧୁ ବାନ୍ଧବ ଗାଁ ସାହି ପଡିଶା ସମସ୍ତଙ୍କ ମୁହଁରେ ଗୋଟିଏ କଥା ବୁଢାର ଏ ଅଚଳାଚଳ ସମ୍ପତ୍ତିର ତା ଅନ୍ତେ କଣ ହେବ?ଗାଁ ସାହି ପଡିଶା ସମସ୍ତଙ୍କର ଆଶା ବୁଢ଼ା ସମସ୍ତଙ୍କୁ ସବୁ ବେଳେ କିଛି କିଛି ଦାନ ଦେଉ । ବୁଢ଼ା କିନ୍ତୁ କେବେ କାହାକୁ ‌କିଛି ଦାନ ଦେବା ତ ଦୂରର କଥା । ନୂଆ ପଇସା ଟେ ମଧ୍ୟ ନିଜ ପକେଟରୁ କାଢେନି । ଗାଁର କୈାଣସି ଲୋକ ଯଦି ବିପଦରେ ପଡ଼ିକେବେ ବୁଢ଼ା ପାଖକୁ କିଛି ସାହାଯ୍ୟ ମାଗିବା ପାଇଁ ଆସନ୍ତି ତେବେ ବୁଢ଼ା ତାଙ୍କୁ ରୋକ୍ ଠୋକ୍ ମନା କରିଦିଏ । ତେଣୁ ଗାଁର କେହି ବି ଲୋକ ବୁଢ଼ାକୁ ଭଲ ପାଆନ୍ତି ନାହିଁ । ସମସ୍ତେ ବୁଢ଼ାକୁ ବିରକ୍ତ ହୁଅନ୍ତି । କଞ୍ଜୁସ୍ ବୁଢ଼ା ନାଁରେ ଚାରିଆଡ଼େ ତା ଡ଼ାକ ।  


 ହଠାତ୍ ଦିନେ ଗାଁ ଲୋକେ ଖବର ପାଇଲେ ବୁଢ଼ା କୁଆଡେ ବହୁତ ଅସୁସ୍ଥ । ବୁଢ଼ୀ ବୁଢ଼ାକୁ ଧରି ହସ୍ପିଟାଲ ଅଭିମୁଖେ ବାହାରି ଗଲା । ସେତେବେଳେ ବୁଢ଼ାର ଅନ୍ୟ ମାନଙ୍କ ସାହାଯ୍ୟର ଆବଶ୍ୟକତା ପଡ଼ିଲା‌ । ବୁଢ଼ୀ ଗାଁ ଲୋକଙ୍କୁ ଖବର ଦେଲା । ହେଲେ ଜଣେ ହେଲେ କେହି ବୁଢାକୁ ସାହାଯ୍ୟ କରିବାକୁ ରାଜି ହେଲେନି । ସମସ୍ତଙ୍କ ମୁହଁରେ ସେଇ ଗୋଟାଏ ଶବ୍ଦ କଞ୍ଜୁସ୍ ବୁଢ଼ା ଆମ ବିପଦ ଆପଦରେ କେବେ ସାହାଯ୍ୟ କରିନି ଆମେ କାହିଁକି ତାକୁ ସାହାଯ୍ୟ କରିବୁ?


  ବୁଢ଼ା ହସ୍ପିଟାଲ ବେଡରେ ପଡି ପଡି ଭାବୁଥାଏ ସତରେ ସାରା ଜୀବନ ମୁଁ ଖାଲି ଟଙ୍କାକୁ ଦି ଟଙ୍କା କରିବାରେ ଲାଗିଛି । ଏତେ ସମ୍ପତ୍ତି ଥାଉ ଥାଉ କେବେ କାହାକୁ ଟଙ୍କାଟେ ଦାନ କରିବା ତ ଦୂରର କଥା ଧାର୍ ସୂତ୍ରରେ ମଧ୍ୟ ଦେଇନାହିଁ । ତେଣୁ କେହି ମୋ ପାଖ ମାଡୁ ନାହାଁନ୍ତି । ସେ ଭଲ ଭାବରେ ବୁଝି ପାରୁଥିଲା ଯେ, ସେ ସାରା ଜୀବନ ଯେଉଁ ସମ୍ପତ୍ତି ପଛରେ ଦଉଡି ଛି ଜୀବନ ପାଇଁ ସେ ସବୁ ସମ୍ପତ୍ତି ଠାରୁ ଆଉ ଗୋଟେ ସମ୍ପତ୍ତିର ଅଧିକ ଆବଶ୍ୟକତା ଅଛି । ତାହା ହେଉଛି ନିଜର ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ ଓ ଗାଁ ସାଇ ପଡ଼ିଶାଙ୍କ ସ୍ନେହ, ପ୍ରେମ । ଜୀବନରେ କେତେ ବେଳେ କଣ ଘଟିବ କହି‌ ହେବନି । ଆଉ ବିପଦ ସମୟରେ ଟଙ୍କା ପଇସାର ଯେତିକି ଆବଶ୍ୟକତା ଅଛି ଲୋକ ବଳର ମଧ୍ୟ ସେତିକି ଆବଶ୍ୟକତା ଅଛି । ମୋ ପାଖରେ ମୋ ଆବଶ୍ୟକତା ଠାରୁ ଅଧିକ ଧନ ଅଛି କିନ୍ତୁ ଆବଶ୍ୟକ ଥିବା ଲୋକ ବଳ ନାହିଁ । ମୁଁ ଯଦି କଞ୍ଜୁସ୍ ନହୋଇ ମୋ ଆବଶ୍ୟକତା ମୁତାବକ ଧନ ରଖି ଅଧିକ ଧନକୁ ଅନ୍ୟ ମାନଙ୍କ ବିପଦ ସମୟରେ ସାହାଯ୍ୟ କରିବାରେ ବିନିଯୋଗ କରିଥାଆନ୍ତି, ଆଜି ହୁଏତ ମୋ ବିପଦ ସମୟରେ ମୁଁ ଏକା ନ ଥାଆନ୍ତି । କେହି ନା କେହି ମୋ ସହ ଥାଆନ୍ତେ । 


 ହେଲେ ଏବେ ଭାବିଲେ କଣ ହେବ?ନେଡି ଗୁଡ଼ ତ କହୁଣୀକୁ ବହି ଗଲାଣି । ତଥାପି ବୁଢ଼ା ଗୋଟେ ଶେଷ ଚେଷ୍ଟା କରିବାକୁ ଚାହିଁଲା । ଗାଁର ମୁଖିଆଙ୍କୁ ଡାକି ନିଜର ସବୁ ସମ୍ପତ୍ତି ତା ଅନ୍ତେ ଗ୍ରାମବାସୀଙ୍କ ମଙ୍ଗଳ କାମରେ ଲାଗିବ ବୋଲି କହିଲା । ଆଉ ଗ୍ରାମବାସୀଙ୍କ ସାହାଯ୍ୟ କାମନା କଲା । ଗ୍ରାମବାସୀ ମାନେ ମୁଖିଆଙ୍କ ଠାରୁ ସବୁ କଥା ଶୁଣି ବୁଢ଼ା ବୁଢ଼ୀଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ବୁଢ଼ା ସୁସ୍ଥ ହୋଇ ଘରକୁ ଫେରିଲା । ସେ ଦିନ ପାଖରୁ ବୁଢ଼ା ଗ୍ରାମବାସୀମାନଙ୍କୁ ତା ପରିବାର ବୋଲି ଭାବିଲା । ଗ୍ରାମବାସୀ ମାନେ ମଧ୍ୟ ବୁଢ଼ା ବୁଢ଼ୀଙ୍କୁ ନିଜର ବାପା ମାଆ ଭଳି ସମ୍ମାନ କଲେ । ଏବେ ବୁଢ଼ାକୁ ଆଉ କେହି କଞ୍ଜୁସ୍ ବୁଢ଼ା ବୋଲି କହୁନଥିଲେ । ସମସ୍ତେ ତାକୁ ତା ପ୍ରକୃତ ନାଁ ନାରାୟଣ ଦାସ ନାଁରେ ଡାକୁ ଥିଲେ । 



Rate this content
Log in

Similar oriya story from Inspirational