ମସ୍ତରାମ୍
ମସ୍ତରାମ୍
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
🙏ପଢ଼ନ୍ତୁ ଏକ ମଜାଦାର କ୍ଷୁଦ୍ର ଗପ-ମସ୍ତରାମ।
'ଉଠ ଜାଗ ଜ୍ଞାନର ଯଜ୍ଞରେ ଅଜ୍ଞାନକୁ ଆହୁତି ଦିଅ।'ଶିଷ୍ୟ ମସ୍ତରାମ ନିଜ ଗୁରୁ ତେଜମାର୍କାଙ୍କ ଏହି ଶିକ୍ଷା ପାଇ ଜ୍ଞାନ ଅର୍ଜନ କରିବାକୁ ଲାଗିଲା କିନ୍ତୁ ତାର ଅଜ୍ଞାନତା ଦୂର ହେଉ ନ ଥାଏ।ବାରମ୍ବାର ଗୁରୁଙ୍କୁ କହୁଥାଏ ଅଜ୍ଞାନତା ଦୂର ହେଉନି, ଆପଣ ଦୂର କରିଦିଅନ୍ତୁ।
ଗୁରୁ ବିରକ୍ତି ନିଜ ଭିତରେ ରଖି କହିଲେ,-" ତୋର ତିନି ଭାଗ ଦୂର ହୋଇଛି ଆଉ ଭାଗେ ଅଛି, ତୁ ସକାଳୁ ସକାଳୁ ହର୍ଲିକ୍ସ ପିଇ ପୂରା ଜ୍ଞାନୀ ହୋଇଯିବୁ୍।' ମସ୍ତରାମ ଟିକେ ବୋକା ହେଲେ କଣ ହେଲା,ଗୁରୁ ତେଜମାର୍କାଙ୍କ ଉପରେ ସମ୍ପୂର୍ଣ୍ଣ ଅତୁଟ ବିଶ୍ବାସ।ସେ ପ୍ରତିଦିନ ହର୍ଲିକ୍ସ ପିଉଥାଏ ଏବଂ ଭାବନା କରୁଥାଏ ତାର ଅଜ୍ଞାନ ଅନ୍ଧକାର ଦୂର ହୋଇଯାଉଛି।
ଦିନେ ବ୍ରହ୍ମମୂହୁର୍ତ୍ତରେ ଧ୍ୟାନ କରୁ କରୁ ତାର ଆତ୍ମସାକ୍ଷାତକାର ହୋଇଗଲା।ଦିନକୁ ଦିନ ତାର ଖ୍ୟାତି ବଢ଼ିବାରେ ଲାଗିଲା।ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ,ତାର ଆଧ୍ୟାତ୍ମିକ ତେଜ ଦେଖି।ମସ୍ତରାମର ପ୍ରସିଦ୍ଧି ବିଷୟରେ ଶୁଣି ତାର ଗୁରୁଙ୍କ ଆଖି ଟେରା ହୋଇଗଲା, ତାକୁ ଦେଖାକରିବାକୁ କଟକ ଜିଲ୍ଲାର ଡମଡମଣୀ ପାହାଡ଼ ଉପରେ ଥିବା ସାଧନାଶ୍ରମକୁ ଗଲେ।
ମସ୍ତରାମ ବଡ଼ ଆନନ୍ଦରେ ଗଦ୍ ଗଦ୍ ହୋଇ ଗୁରୁଙ୍କ ପାଦ ଧରି ପ୍ରଣାମ କଲା।ଗୁରୁ ପଚାରିଲେ," ତୁ କୋଉ ଗୁରୁ ଏମିତି ପାଇଗଲୁ ଯେ ତୋତେ ଏତେ ସିଦ୍ଧି ମିଳିଗଲା।" ମସ୍ତରାମ ହାତ ଯୋଡ଼ି କହିଲା,ପ୍ରଭୁ ଆପଣ ହିଁ ମୋତେ ଏହି ଜ୍ଞାନ ଦେଇଥିଲେ,ଆପଣ କହିଥିଲେ ହର୍ଲିକ୍ସ ପିଇବାକୁ,ମୁଁ ତାହା ହିଁ କଲି, ମୋର ଅଜ୍ଞନତା ଦୂର ହୋଇ ଆତ୍ମଜ୍ଞାନ ଉଦୟ ହେଲା।"
ତେଜମାର୍କାଙ୍କ ଛାତି ଗର୍ବରେ ଫୁଲି ଉଠୁଥାଏ ଏବଂ ଈର୍ଷାଜନିତ ଜ୍ବାଳାରେ ଜଳିଉଠୁଥାଏ କିନ୍ତୁ ନିଜର ଭାବାବେଗକୁ ଭିତରେ ରଖି କହିଲେ,"ତୋ ଉପରେ ମୁଁ ବହୁତ ଖୁସି, ମୋର ଆଜ୍ଞା ହେଲା ତୁ ଯା ଏଥର ମୋ ସେହି ଅଗ୍ନିବର ଆଶ୍ରମରେ ରହିବୁ କିନ୍ତୁ କାହାକୁ କହିବୁନି ତୋ ବିଷୟରେ।ଏଠି ସମସ୍ତଙ୍କୁ କହିଦେ ମୋର ଗୁରୁ ଆପଣମାନଙ୍କ କଥା ବୁଝିବେ।ମୁଁ ପ୍ରବଜ୍ୟାରେ ଯିବି।"
ଗୁରୁ ଆଜ୍ଞା ଅବଜ୍ଞା କଲେ ନର୍କଗତି ଆମ ସଂସ୍କୃତିର ତଥା ଶାସ୍ତ୍ରର ଏହି ଶିକ୍ଷାକୁ ସେ ଭଲଭାବରେ ଆତ୍ମସାତ୍ କରିଥିଲା।ସେ
ଯାଇ ପୁଣି ସାଧନାରେ ମଜ୍ଜି ଏବଂ ଲୋକଙ୍କୁ ଭଲ ଶିକ୍ଷା ସହ ଉଚିତ ରାସ୍ତା ଦେଖାଇବାରେ ଲାଗିଲା।ଦିନ କେତେଟାରେ ଅଗ୍ନିବର ଆଶ୍ରମର ବାତାବରଣ ଆନନ୍ଦମୟ ହୋଇ ଲୋକଙ୍କୁ ସ୍ବର୍ଗୀୟ ସୁଖ ଅନୁଭବ କରାଇ ଚାଲିଲା।
ଏଣେ ଗୁରୁ ତେଜମାର୍କାଙ୍କ ତେଜ୍ ସୈତାନୀ ଦିମାକର କାର୍ଯ୍ୟକଳାପ ବିଷୟରେ ସଚେତନ ବ୍ୟକ୍ତିମାନେ ଜାଣିବାକୁ ଲାଗିଲେଣି କିନ୍ତୁ କେତେକ ଝିଣ୍ଟିକା ଟାଇପର ଲୋକ ଗୁରୁଙ୍କର ଭକ୍ତ ହୋଇଯାଇଥାନ୍ତି,ସେମାନଙ୍କୁ ଗୁରୁଙ୍କ କୃପାରୁ ଗଞ୍ଜେଇ, ସୋମରସ ଏବଂ ଖାଦ୍ୟ ମିଳିଯାଏ।ସେମାନେ ମଧ୍ୟ ନୂଆ ନୂଆ ଗରାଖଙ୍କୁ ବାବାଙ୍କ ମିଥ୍ୟା ମହିମା ଶୁଣାଇ ଟାଣୁଥାନ୍ତି।ଯାହା ହେଲେ ବି ମିଥ୍ୟାର ଆଡୁଆଳରେ ସତ୍ୟକୁ କେତେ ଦିନ ପର୍ଯ୍ୟନ୍ତ ଗୁପ୍ତ ରଖିହେବ??
ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟହୋଇ କଥାବାର୍ତ୍ତା ହେଉଥାନ୍ତି-" କି ଅଦ୍ଭୁତ କଥା!ଏତେ ମହତ ସାଧୁ ମସ୍ତରାମ କିପରି ଏହି ସୈତାନର ଚେଲା ହେଲେ।"ଜଣେ ବୃଦ୍ଧ ବିଜ୍ଞ ଏକଥା ଶୁଣି କହିଲେ,-" ହଁ ଏହା ସମ୍ଭବ।ଯଦି ଜଣେ ଅତ୍ୟନ୍ତ ସାଧାସିଧା,ନିର୍ମଳ, ପବିତ୍ର ମନର ଅଧିକାରୀ ହୋଇଥାଏ ଏବଂ ଗୁରୁଙ୍କ ପ୍ରତି ଅତୁଟ,ଦୃଢ଼ ବିଶ୍ୱାସ ରଖେ,ତେବେ ଗୁରୁ ଭଣ୍ଡ ହେଲେ ମଧ୍ୟ ପରମ ଗୁରୁ ଈଶ୍ବରଙ୍କ କୃପାରୁ ଦିବ୍ୟ ଆଧ୍ୟାତ୍ମିକ ଶକ୍ତିର ମାଲିକ ହୋଇପାରେ।"
ଆଉଜଣେ ତତ୍ତ୍ବଦର୍ଶୀ କହିଲେ-'ଠିକ କଥା, ପ୍ରକୃତ ସାଧୁ ଯିଏ ନର୍କକୁ ସ୍ବର୍ଗରେ ପରିଣତ କରିପାରେ,ସୈତାନକୁ ସ୍ବର୍ଗ ମିଳିଗଲେ ସେ ନର୍କରେ ବଦଳାଇ ଦେବ।ଏଇ ଦେଖୁନ ମସ୍ତରାମ ସାଧୁଙ୍କ ପୀଠ,ଏବେ କେମିତି କଦର୍ଯ୍ୟ ହୋଇ ଆସୁରିକ ବ୍ୟକ୍ତିତ୍ବ କବଳରେ।
ହଠାତ୍ ଦିନେ ଦେଖୁ ଦେଖୁ ଖବର ପ୍ରଚାରିତ ହେଲା ଯେ ତେଜମାର୍କାଙ୍କ ଚେଲାମାନେ ସାଙ୍ଘାତିକ ଭାବେ ଖଣ୍ଡିଆଖାବରା ହୋଇ ମେଡ଼ିକାଲରେ ଓ ଗୁରୁ ତେଜଙ୍କ ତେଜ ହରଣ ହୋଇଗଲା ଜନସାଧାରଣଙ୍କ ଉତ୍ତମ ମଧ୍ୟମରେ ଏବଂ ବଡ଼ ଡହଳବିକଳ ହୋଇ ତାଙ୍କ ପ୍ରାଣବାୟୁ ଉଡ଼ିଗଲା।ନିଜ ଯୋଗବଳରେ ସ୍ବାମୀ ମସ୍ତରାମ ଏହା ଜାଣି ପାରି ଆସିଥିଲେ ଗୁରୁଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ।ସେଦିନ ବିଭିନ୍ନ ମିଡିଆବାଲା ଏବଂ ଜନସାଧାରଣ ଭିଡ଼ରେ ସାଧନାଶ୍ରମରେ ପୂର୍ଣ୍ଣ ହୋଇଯାଇଥିଲା।ସେ ଗୁରୁଚେଲାଙ୍କ କାହାଣୀ ଏବେ ମଧ୍ୟ ଲୋକମାନଙ୍କ ମୁହଁରେ ଶୁଣିବାକୁ ମିଳୁଛି।