STORYMIRROR

Soumyajit Panda

Crime Inspirational

3  

Soumyajit Panda

Crime Inspirational

ମଦ୍ୟପ

ମଦ୍ୟପ

2 mins
28.1K


ମଦ୍ୟପ
°°°°°°
ମଦର ନିଶା ଭାରି ମାରାତ୍ମକ, ଥରେ ଧରିଲେ ଛାଡିବା ଭାରି କଷ୍ଟକର। ସେଥିପାଇଁ ବୋଧେ ସିପୁନକୁ ଆଜି ମାଡ ପଡିଛି । ମିଶ୍ର ବାବୁ କହି କହି ଥକିଗଲେ ସେ ବିଷଗୁଡାକ ପିଇନା । ଏ ବୟସରେ ଯଦି ଏମିତି ପିଇକି ବୁଲିବୁ, ତା'ହେଲେ ଜୀବନସାରା ପଶ୍ଚାତ୍ତାପ କରିବାକୁ ପଡିବ। ହେଲେ ସେ ଶୁଣିଲେ ତ,  ଦିନ ତମାମ ଯାହା ଗାଳି ଶୁଣେ ସନ୍ଧ୍ୟା ହେଲାବେଳକୁ ତାକୁ ପାସୋରିଦିଏ । ଆଉ ବାହାରିପଡେ ଗ୍ରୁପ୍ ଷ୍ଟଡି ନାଁରେ ତା'ର ଦୁଶ୍ଚରିତ୍ର ବନ୍ଧୁ ଆଲୋକ ଘରକୁ । ଆଲୋକ କୋଟିପତି ପ୍ରଶାନ୍ତବାବୁଙ୍କ ପୁଅ ।
ମାତୃହୀନ, ତେଣୁ ଅଧିକ ଗୋହ୍ଲା ଓ ତଦ୍ଅନୁରୂପ ଉଶୃଙ୍ଖଳ । ମାତ୍ର ସିପୁନ୍ ଜଣେ କର୍ତ୍ତବ୍ୟନିଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଞ୍ଜନ ମିଶ୍ରଙ୍କର ପୁଅ ହୋଇ ବି ଆଜି ମଦ୍ୟପ, ଅସାମାଜିକ ।
 
ଯାହା କରୁଥିଲା ମିଶ୍ରବାବୁ ସବୁ ସହିଯାଉଥିଲେ। ଅଣ୍ଟି ଛୁରୀ ଯେବେ ତଣ୍ଟି କାଟିବ ତ କହିବେ କାହାକୁ । ହେଲେ କାଲି ରାତିର ଘଟଣା ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଦେଲା। ସିପୁନ୍ ନିଶାରେ ଆସି ପଡୋଶୀ ସୁଶାନ୍ତବାବୁଙ୍କ ଝିଅକୁ ଗୋଳିଗୁଲଜ କରିବା ଓ ଅଶ୍ଲୀଳ ମନ୍ତବ୍ୟ ଦେବା ତାଙ୍କ କଳ୍ପନା ଓ ସହନଶକ୍ତିର ବାହାରେ ଥିଲା। ତେଣୁ ସେ ନିଜ ଏକୋଇଶି ବର୍ଷର ପୁଅକୁ ପିଟିପିଟି ରାତିଯାକ ବାହାରେ ଛିଡା କରିଦେଲେ।
ସକାଳୁ ସିପୁନର ନିଶା ଉତୁରିଲା ପରେ ରାଗିକି ଘରକୁ ନଯାଇ ଆଲୋକ ଘରକୁ ଚାଲିଗଲା।
ଦିନଯାକ ସେଠି ରହିବା ପରେ ସନ୍ଧ୍ୟାରେ ରୁସ୍ତମ ବାର୍ ରେ ଦୁହେଁ ଖୁବ ପିଇଲେ । ଫେରିବା ବେଳେ ସିପୁନ ଗାଡ଼ି ଚଳାବାକୁ କହିବାରୁ ଆଲୋକ ତାକୁ ଚାବି ଦେଇ ପଛ ସିଟ୍ ରେ ଶୋଇଗଲା । କିଛି ସମୟ ଗାଡି ଚଳାଇଲା ପରେ ସିପୁନର ଅଖି ଲାଗିଆସୁଥାଏ । ଏତିକିବେଳେ ଗାଡି ଗୋଟିଏ ମୋଡାଣିରେ ବୁଲିବାବେଳେ କିଛି ଗୋଟାଏ ଗାଡିରେ ପିଟିହେବା ପରି ତାକୁ ଲାଗିଲା। ହେଲେ ନିଶାରେ ଥିବାରୁ ଠିକ୍ ଭାବରେ ଲକ୍ଷ୍ୟ କରିପାରିଲା ନାହିଁ । ଅତ୍ୟଧିକ ପିଇଥିବାରୁ ସେଦିନ ସିପୁନ୍ ଆଉ ଘରକୁ ନଯାଇ ଆଲୋକ ଘରେ ରହିଗଲା।
 
ପରଦିନ ନିଦ ଭାଙ୍ଗିଲାବେଳକୁ ୧୦ଟା ବାଜିଛି । ଫୋନ୍ ଦେଖିଲାବେଳକୁ ଏକ ଅଜ୍ଞାତ ନମ୍ବରରୁ ୬ଟା ମିସ୍ କଲ୍ । ସିପୁନ୍ ସେ ନମ୍ବରକୁ ଲଗେଇଲା ତ ପାଖ ପୋଲିସ୍ ଷ୍ଟେସନ୍ କୁ ଲାଗିଲା। ସେପଟରୁ କେହିଜଣେ କହିଲେ କାଲି ରାତିରେ ରୁସ୍ତମ୍ ବାର ପାଖ ଛକରେ ଗୋଟେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ତାଙ୍କ ପର୍ସରୁ ଆପଣଙ୍କ ଫୋନ୍ ନମ୍ବର ମିଳିଛି । ଆପଣ ଆସି ସିଟି ହସ୍ପିଟାଲ୍ ରେ ଶବଟିକୁ ଚିହ୍ନଟ କରନ୍ତୁ । ସିପୁନ୍ ମୁଣ୍ଡରେ ଯେମିତି ବଜ୍ର ପଡିଲା । ସେ ତୁରନ୍ତ ଯାଇ ଡାକ୍ତରଖାନାରେ ପହଞ୍ଚିଲା । ସେଠି ଥିବା ପେଲିସ୍ ଅଧିକାରୀ ଯେବେ ତାକୁ ଶବଟିକୁ ଦେଖାଇଲେ, ତା ପାଟିରୁ ଗୋଟେ ଚିତ୍କାର ସହ ବାହାରିପଡିଲା - ବାପା......
ପୋଲିସ୍ ଅଧିକାରୀ ତାକୁ ଶବ ନିକଟରୁ ମିଳିଥିବା ଏକ ବ୍ୟାଗ୍ ଦେଲେ, ଯେଉଁଥିରେ ଥିଲା ତା ପାଇଁ ଗୋଟେ ସାର୍ଟ ଆଉ ନିଶାନିବାରଣ କେନ୍ଦ୍ରର ଗୋଟିଏ ଫର୍ମ....।
---------------
- ସୌମ୍ୟଜିତ୍ ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Soumyajit Panda

ମଦ୍ୟପ

ମଦ୍ୟପ

2 mins ପଢ଼ନ୍ତୁ

Similar oriya story from Crime