Narayan chandra Senapati

Tragedy

3  

Narayan chandra Senapati

Tragedy

ମାଉସୀ

ମାଉସୀ

4 mins
254


ପ୍ରୀତିର ଉଜାଣି ସୁଅରେ ସତେ ଯେମିତି ଭାସୁଥିଲା ସ୍ନେହର ନୌକା।ତରଙ୍ଗର ସର୍ବାଙ୍ଗ ଶରୀରରେ ଖେଳୁଥିଲା ଉତ୍କଣ୍ଠାର ଚମକ।ଚଇତା ନଦୀକୂଳରେ ବସି ଖାଉଥିଲା ଶୀତୁଆ ପବନ ଆଉ ଭାବୁଥିଲା ଅସୀମ, ଅସୁମାରୀ ଆଶାର ଗମ୍ଭୀରି ଭିତରେ ପଶି।ହଠାତ୍ ପୁତୁରା ଅମୀତ ଆସି କହିଲା, କକା ତୁମର କୋରିଅରରେ କଣ ଆସିଛି।ଉତ୍କଣ୍ଠାର ଖେଳ ପଡ଼ିଆରେ ସତେ ଯେମିତି ସେ କରୁଥିଲା ଆନନ୍ଦର ମାରାଥନ ଦୌଡ଼।ଏଇ କେତେଦିନ ହେବ ଦେଇଥିଲା ରେଲୱେ ବିଭାଗର ପରୀକ୍ଷା,ସେଥିରେ ସେ ପାସ କରିଯାଇଛି କି?ଯଦି ହୋଇଥାଏ ତେବେ ଭଗବାନ ତା ଆଶା ପୂରଣ କଲେ।ପାଇବ ଚାକିରୀ।ପୁରି ଉଠିବ ତା ବହୁ ପ୍ରତୀକ୍ଷିତ ଆଶା।ସ୍ବପ୍ନ ରାଇଜରେ ଗଢ଼ିବ ତା କେତେ ଛୋଟ ଛୋଟ ଆକାଂକ୍ଷାର ବାଲିଘର।ଘରକୁ ଆସି କୌତୁହଳରେ ଦେଖିଲା।ସେଥିରେ ଥିଲା ତା ନୂଆ ଚାକିରୀ ପାଇଁ ଆପଏଣ୍ତମେଣ୍ଟ ଲେଟର।ଜଏନ କରିବ ସାତ ଦିନ ଭିତରେ ଯାଜପୁର ରେଲୱେ ଷ୍ଟେସନରେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଭାବରେ।ବାପା ମା,ସାଙ୍ଗ ସାଥି ସାହି ଭାଇ ସମସ୍ତଙ୍କୁ ଜଣାଇ ପ୍ରେମ ସ୍ନେହ ଭିକ୍ଷା ଗ୍ରହଣ କଲା।ପ୍ରସ୍ତୁତ ହେଲା ଜଏନ କରିବାକୁ ତା ପୁରୁଣା ପରିଚିତ ଐତିହାସିକ ଯାଜପୁର ସହରରେ ଯାହା ସହ ତାର ଅନେକ ସ୍ମୃତି ଯୋଡି ହୋଇ ଯାଇଛି।


 ତାପରଦିନ ପାହାନ୍ତାରୁ ଉଠି ସ୍ନାନ ଶୌଚ ସାରି ଛୋଟ ଲଗେଜ ବ୍ୟାଗ ନେଇ ଚାଲିଲା ଜଏନ କରିବ ତା ନୂତନ କର୍ମସଂସ୍ଥାନରେ।ରେଲୱେ ଷ୍ଟେସନରେ ପହଞ୍ଚି ଧରିଲା ଟ୍ରେନ ଆଉ ଟ୍ରେନରେ ବସି ଭାବୁଥିଲା ତା କଲେଜ ଜୀବନର କିଛି ସ୍ମୃତି।ସେଇ ନଦୀ,ସେଇ ଜଙ୍ଗଲ ଆଉ ଏସବୁକୁ ପାର ହୋଇ ଯାଉଥିଲା ସେ ପଢିବାକୁ ବ୍ୟାସନଗର କଲେଜକୁ।କାଲିପରି ପଢ଼ା ସରିଲା ପରେ ସେ ଫେରିଯାଇଥିଲା ଏଇ ଟ୍ରେନ ରେ।ଏଇ ଟ୍ରେନ ଥିଲା ମୂକସାକ୍ଷୀ ଭାବୁଥିଲା ଆଉ ଏଠାକୁ ଆସିବାର ସୌଭାଗ୍ୟ କଣ ମିଳିବ?ମା ବିରଜାଙ୍କ ଲୀଳା,ଆଜି ସେଠାରେ ମିଳିଲା ଚାକିରୀ।ପହଁଚିଗଲା ଷ୍ଟେସନରେ।ସଂଗେ ସଂଗେ ଚାଲିଗଲା ଅଫିସ।ଜଏନ କରି ବହୁତ ଖୁସି ହେଲା ସେ।ସେଦିନ ଅଫିସରେ ପ୍ରଥମ ଚାକିରୀର ପ୍ରଥମ ଅଭିଜ୍ଞତା ଥିଲା ମନ ମୁଗ୍ଧକର।ଚାରିଟା ବେଳେ ପ୍ଲାଟଫର୍ମରେ ବୁଲୁବୁଲୁ ମନେପଡ଼ିଗଲା ତାର ଅତି ଆପଣାର ମାଉସୀ କଥା।


 ବାସ୍ତବରେ ସେ ଥିଲା ବହୁତ ଗରିବ।ଘରେ କେଇଟା ଟଙ୍କା ଦେବାକୁ କଷ୍ଟ ହେଉଥିଲା ବାପା ମାଆଙ୍କୁ।କଲେଜ ଫି,ମେସ ଚାର୍ଜ ଦେବା ବହୁତ କଷ୍ଟକର ହେଲା।ଶେଷରେ କଲା ଟ୍ୟୁସନ।ପୁଣି କଲେଜର ହେଡ କ୍ଲର୍କ ମଲ୍ଲିକ ବାବୁଙ୍କ ଘରେ।ସେଦିନ କଲେଜ ଅଫିସରେ କେଇପଦ କଥାରେ ଚଇତାର ଅଭାବ କଥା ଶୁଣି ଡାକିଆଣିଥିଲେ ଘରକୁ।ଛୋଟ ଛୋଟ ପୁଅ ଦୁଇଟି ତାଙ୍କର କୁନା ଆଉ ମୁନା।ବହୁତ ଦୁଷ୍ଟ,ପାଠପଢ଼ା କଥା କହିଲେ ଲୁଚନ୍ତି।ମା ବିମଳା ଦେବୀ ଭାରି ସ୍ନେହୀ।ଏତେ ଗେହ୍ଲା କରିଛନ୍ତି ଯେ ସେମାନେ କିଛି ମାନନ୍ତି ନାହିଁ।ବିମଳା ଦେବୀ ସ୍ୱାମୀ ଅଶୋକଙ୍କୁ କହିଥିଲେ ଜଣେ ଟ୍ୟୁସନ ମାଷ୍ଟ୍ରର ଆଣିବାକୁ।ମଲ୍ଲିକ ବାବୁ ଡାକି କହିଲେ,ବିମଳା...ଦେଖ ତୁମ ଗୁଣବନ୍ତ ପୁଅ ମାନଙ୍କ ପାଇଁ ଜଣେ ଭଲ ସାର୍ ଆଣିଛି।ବିମଳା ଦେବୀ ତାଙ୍କୁ ଆଦରରେ ଘର ଭିତରକୁ ନେଇ ଗଲେ।ସୁନ୍ଦର ସ୍ୱାଦିଷ୍ଟ ଜଳଖିଆ ଦେଲେ ଓ ମଧୁର ଭାବରେ ଦୁଇପଦ କଥା ହେଲେ।ସେଇଦିନଠୁ ସେ ହେଲେ କୁନା ମୁନାଙ୍କର ଟ୍ୟୁସନ ମାଷ୍ଟର।ବହୁତ ଭଲ ପାଠ ପଢ଼ାଇଲେ,ସେମାନେ ବି ବହୁତ ଭଲ ପଢିଲେ।ବିମଳା ଦେବୀ ବହୁତ ଖୁସି। ତା ଭିତରେ ଚଇତାର ମାଉସୀ ଡାକ ତାଙ୍କୁ ବିମୋହିତ କରିଥିଲା।ଏତେ ଆଦର କରୁଥିଲେ ଚଇତାକୁ ଯେ ଯିଏ ଭାବିବି ସେ ତାଙ୍କ ନିଜ ବଡ ପୁଅକୁ ଆଉ।ଆଜି ସେଇ ମାଉସୀ ଘରକୁ ଯିବ।ଯେଉଁଦିନ ସେ ଯାଜପୁର ଛାଡିଥିଲା ତା ମାଉସୀ କହିଥିଲେ,ଚଇତା,ତୁମେ ବଡ଼ ହୋଇ ଚାକିରୀ କଲେ ଏ ମାଉସୀଟାକୁ କେବେ ମନେ ପକାଇବ ନା?ସେ କହିଥିଲା, ଦେଖିବେ ମାଉସୀ,ମୁଁ ଚାକିରୀ କଲେ ପ୍ରଥମେ ଆପଣଙ୍କୁ ଦେଖା କରିବାକୁ ଆସିବି।ସେ ଏବେବି ଭୁଲି ନାହିଁ ସେ କଥା।ଚାଲିଲା ମାଉସୀ ଘରକୁ।ଅବଶ୍ୟ ପାଖାପାଖି ଆଠ ବର୍ଷ ହେବ ସେ ଆଉ ଯାଇନାହିଁ ସେଠାକୁ।ମାଉସୀ ଆଉ ତାକୁ କଣ ମନେ ରଖିଥିବେ?ଏଇମିତି ଭାବି ଆସି ପହଁଚିଲା ତାଙ୍କ ଗେଟ୍ ପାଖରେ।ହାତରେ ନେବାକୁ ଭୁଲି ନ ଥାଏ ମାଉସୀଙ୍କ ପ୍ରିୟ ଛେନା ମୁଡ଼କୀ।


 ଡାକିଲା ମାଉସୀ.....ମାଉସୀ।କିଛି ଉତ୍ତର ନାହିଁ।ପୁଣି ଡାକିଲା ମାଉସୀ...ମାଉସୀ..ମୁଁ ଚଇତା ଆସିଛି।କିଛି ଉତ୍ତର ନାହିଁ।


 ଚଇତା ମନରେ ଏକ ଆଶଙ୍କା ଆସିଲା,ସେଇ ଗେଟ୍,ସେଇ ଜାଗା, ସେଇ ବଉଳ ଗଛ ମୁଳ,ସେ ତ ଭୁଲ ଜାଗାକୁ ଆସିନାହିଁ,ହେଲେ ମାଉସୀ କାହିଁକି ଆସୁନାହାନ୍ତି ?ଏଇ କାଲି ପରି ତା ମନରେ ଉଙ୍କି ମାରୁଛି।ସେ ତାଙ୍କ ଘରକୁ ଆସିଲା ବେଳେ ଗୋଟିଏ ଡାକ ମାରିଥିବେ,ଆସୁଛି ଆସୁଛି କହି ଦଉଡି ଆସି ଖୋଲନ୍ତି ସରାଗରେ ତାଙ୍କ ଗେଟ୍।ଆଉ ପାଛୋଟି ନିଅନ୍ତି ଆଗେ ଡ୍ରଇଂ ରୁମକୁ।ଭଲ ଜଳଖିଆ ଖାଇବାକୁ ଦେଇ ପାଖରେ ବସି ଦି ପଦ ଭଲମନ୍ଦ ପଚାରନ୍ତି ଓ ପରେ ସେ ପଢ଼ାନ୍ତି କୁନା ମୁନାକୁ।ସେ ଟିକେ ଲାଜକୁଳା ହେଲେ ମାଉସୀ ଏତେ ସ୍ନେହୀ ଏତେ ନିଜ ପରି ବ୍ୟବହାର କରନ୍ତି ଯେ,ସେ କେବେ କାଟିପାରେନାହିଁ ତାଙ୍କ କଥା।ହେଉ ମଉସା ତ ଥିବେ ସେ ବି ନାହାନ୍ତି।ମଉସା ଟିକେ ଚୁପ ଚାପ ହେଲେ ଅନ୍ତରରେ ଅନ୍ତରେ ଶ୍ରଦ୍ଧା।


କିଛି ସମୟ ପରେ ଆସିଲା ମୁନା।ଗେଟ୍ ଖୋଲି ଜୁହାର ହେଲା।ବଡ଼ ପିଲାଟେ ହୋଇଗଲାଣି।ନଣ୍ଡା ହୋଇଛି ତେଣୁ ଜାଣିପାରିଲା ନାହିଁ ସେ। ଆସନ୍ତୁ କହି ଡାକି ନେଲା ସେ ତା ମାଉସୀର ଘରକୁ।ବେଡ଼ ପାଖ ଚେୟାରରେ କହିଲା ବସନ୍ତୁ।ସେ ମାଉସୀଙ୍କୁ ନମସ୍କାର ମାରି ବସିଲା।ମାଉସୀ ବସିଥାନ୍ତି ବେଡ଼ରେ।ମନରେ ସରସତା ନାହିଁ କି ଫୁର୍ତ୍ତି ବି ନାହିଁ।ସେ ସ୍ଥାନ ବି ଲାଗୁଥାଏ ଶୁଷ୍କ ଶୁଷ୍କ।ସେ ମୁନାକୁ ଡାକି ଦେଲା ମିଠା।କହିଲା ମାଉସୀ,ଆପଣଙ୍କ ଆଶୀର୍ବାଦ ଯୋଗୁଁ ମୁଁ ପାଇଛି ଏଇ ରେଲୱେ ରେ ଚାକିରୀ,ଆଜି ଜଏନ କରିଛି।ଭାବିଲି ଆପଣମାନଙ୍କୁ ଜଣାଇ ଦିଏ,ଚାଲି ଆସିଲି।ମାଉସୀ ଫିକା ହସରେ ବହୁତ ଭଲ ବୋଲି କହିଲେ।ଚଇତା ଏପଟ ସେପଟ ବାରମ୍ବାର ଅନାଇ ଖୋଜୁଥାଏ କାହାକୁ,କାହାକୁ ବା କଣ, ତା ମଉସାକୁ ଯିଏ ତାକୁ ଏ ଘରକୁ ଡାକିଆଣିଥିଲେ।ଚଇତା ,କହିଲା ମାଉସୀ....ମଉସା ନାହାନ୍ତି କି,କାହିଁ ଦିଶୁନାହାନ୍ତି?ଛଳ ଛଳ ଆଖିରେ ବିମଳା ଚାହିଁଲା କାନ୍ଥ ଉପରି ଭାଗକୁ।ଚଇତା ଦେଖି ଚମକି ଉଠିଲା।ମଉସାଙ୍କ ଫଟୋ ଚିତ୍ରରେ ଫୁଲମାଳ।ଭୋ ଭୋ ହୋଇ କାନ୍ଦିପକାଇଲା।ଏସବୁ ଗାଡି ଦୁର୍ଘଟଣାରେ ବୋଲି ସେ ଜାଣିଲା।ତାର ଗୋଟିଏ ଖୁସିର ଅତଡା ଖସି ପଡ଼ିଲା।ପୁଣି କେବେ ଆସିବ କହି ନମସ୍କାର ଜଣାଇ ଚାଲିଗଲା,ପିଛାକୁ ଚାହିଁ ଦେଖିଲା ମାଉସୀ ତା ପଛରେ ଆସୁନାହାନ୍ତି।ତା ମନରେ ଏକ ପ୍ରଶ୍ନ ଉଙ୍କି ମାରିଲା,ଯେଉଁ ମାଉସୀ ଡାକ ଶୁଣି ଗେଟ୍ ଖୋଲନ୍ତି,ଆଜି ତାହା ସେ ପାଇଲା ନାହିଁ,ହେଲେ ସେ ଗଲାବେଳେ ବି ପଛରେ ଯାଇ ବାଟେଇ ଦିଅନ୍ତି।ଅବଶ୍ୟ ମନଦୁଃଖ ଯୋଗୁଁ ଆସିଲା ବେଳେ ଗଲେନାହିଁ,ହେଲେ ସେ ଘରୁ ଯାଉଛି ଅତି କମ ରେ ଟିକେ ପଛରେ ଆସିବା କଥା,କିନ୍ତୁ...।ସେ ଫେରିଲା,ଭାବିଲା ନ କହିଲେ ଅବଶୋସ ରହିଯିବ।ପିଛାକୁ ଫେରି କହିଲା, ମାଉସୀ ଆପଣ ଟିକିଏ ବଦଳି ଯାଇଛନ୍ତି,ମୋ ଡାକ ଶୁଣିଲେ ଆପଣ ଦଉଡି ଯାଆନ୍ତି,ଆଉ ମୁଁ ଗଲାବେଳେ ବି ବାଟେଇ ଦିଅନ୍ତି କିନ୍ତୁ ଆଜି...ଏ ବ୍ୟତିକ୍ରମ ମୋତେ ବହୁତ ବାଧିଲା। ଏତିକି ଶୁଣିଲାପରେ ବିମଳା ଦେବୀ ନିଜ ଗୋଡ଼ ଉପରେ ପକାଇଥିବା ଚଦରଟାକୁ ଖୋଲିଦେଲେ।ଚଇତା ଦେଖି ଚିତ୍କାର କଲା।ଗୋଟିଏ ଗୋଡ଼ ଜଂଘଠାରୁ ନାହିଁ, କଟାଯାଇଛି।ଚିତ୍କାର କଲା ଚଇତା ।ବହୁତ ବୁକୁ ଫଟାଇ କାନ୍ଦିଲା ସେ।କାନ୍ଦିଲେ ବିମଳାଦେବୀ।ଖାଲି ସେତିକି ନୁହଁ କାନ୍ଦିଲା ସେ ପରିବେଶ,ପରିବେଷ୍ଟନୀ ଓ ପ୍ରକୃତି।ଭୋ ଭୋ କାନ୍ଦି ଏକମୁହାଁ ହୋଇ ଚାଲିଗଲା ଚଇତା...ଆଉ ସେଦିନୁ କେବେବି ଫେରିଲାନାହିଁ ମାଉସୀର ଏ ଦୁରବସ୍ଥା ଦେଖିବାକୁ।



Rate this content
Log in

Similar oriya story from Tragedy