ମାଟି ସ୍ଲେଟ
ମାଟି ସ୍ଲେଟ
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରାର ଧମାକା ଚାଲିଥିଲା. ପାଞ୍ଚକୋଶ ଦୂରରୁ ଓ ପାଖରୁ ଭକ୍ତମାନଙ୍କର ଭିଡ଼ ଓ ଗହଳିର ଧମାକା ଲାଗିରହିଥିଲା. କିଏ ଅବଢ଼ା ଖାଇବାକୁ ଆଗ୍ରହୀ ଥିଲା ତ କିଏ ଦର୍ଶନ ଲୋଭରୁ ମୁକୁଳି ପାରିନଥିବା ବେଳେ ଛୋଟ ଗାଁଟିରେ ଦୀନବନ୍ଧୁଙ୍କ ଘରେ ମାହୋଲ ବଡ଼ ଧମାକା ପୂର୍ଣ୍ଣ ଥିଲା. ଛୋଟ ନାତୁଣୀ ପାଇଁ ଜୀଵନଟା ପୁଣି ଧମାକା ପୂର୍ଣ୍ଣ ହୋଇଆସିବା ବେଳକୁ ସେ ଧମାକାରେ ଆଜି ପୂର୍ଣ୍ଣଛେଦ ପଡିଛି. ପ୍ରତିଦିନ ସକାଳୁ ମାଟି ସ୍ଲଟ ଧରି ନାତୁଣୀ ବସିଯାଏ ଜେଜେଙ୍କ ପାଖରେ ଓ କହେ ମତେ ଲେଖା ଶିଖେଇଦିଅ ଜେଜେ. ମୁଁ ପାଠ ପଢିଲେ ମୋ ମାଆ ଓ ପାପା ପାଖକୁ ଯିବି. ତୁମେ ପରା କହିଥିଲ ମୁଁ ମନଦେଇ ପାଠ ପଢିଲେ ସେମାନେ ବିଦେଶରୁ ମୋ ପାଖକୁ ଖୁବ ଶୀଘ୍ର ଫେରିଆସିବେ.ମୋ ମାମା ଆଉ ପାପା ଫେରିଆସିବେ ବୋଲି ତୁମେ କହୁଥିଲ ନା ଜେଜେ! ଜେଜେ ଦୀନବନ୍ଧୁ ନିରବୀ ଯାଆନ୍ତି କିଛି କହିନପାରି ସ୍ଲେଟରେ ତିନମୁଣ୍ଡଳୀ ଅର୍ଥାତ ତିନି ଶୂନ ଲେଖି କହନ୍ତି ଏହି ତିନି ଶୂନ ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର. ଆଙ୍କ ଏହି ତିନି ମୁଣ୍ଡଳୀ ଓ ଲେଖେ ରୁବି ସ୍ଲେଟରେ ତିନି ଶୂନ. ରୁବି ବୋଲୁଥାଏ ନଈ ପାଣି ନଈକୁ ଯାଆ... ମୋ ସିଲଟ ଶୁଖି ଯାଆ.ଲେଖୁ ଲେଖୁ ପଚାରୁଥାଏ ତେବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କିଏ ଜେଜେ? ସେମାନେ ରଥ ଉପରେ ବୋଲି ତମେ କହୁଥିଲ ସତ ହେଲେ ମତେ କେଵେ ନେବ ଜେଜେ?ସମସ୍ତେ ଯାଉଛନ୍ତି. ତମେ ମତେ କାହିଁକି ନେଉନ ଜେଜେ! ଟୁକୁ କହୁଥିଲା ରଥ ଦେଖି ବେଲୁନ ଓ ପେଁକାଳୀ କିଣି ଆଣିଛି ପୁରୀରୁ. ପୁଣି ମିତା କହୁଥିଲା ଅଭଡ଼ା ଖାଇଲା ବେଳେ ତାକୁ କୁଆଡେ ଲାଗିଲା ଏମିତି ଖାଦ୍ୟ ସେ ଆଗରୁ କୋଉଠି ଖାଇନି. ତା ମାଆ କରୁଥିବା ପିଠା, କ୍ଷୀରି, ଖେଚେଡ଼ି ଇତ୍ୟାଦି ଠାରୁ ଅଭଡ଼ା ବହୁ ସ୍ୱାଦିଷ୍ଟ. ମତେ କେଵେ ନେବ ଜେଜେ? ଆଜି ପା ତୁ ଯିବୁ ରୁବି. ଖୁସିରେ ରୁବିର ଗୋଡ଼ ତଳେ ଲାଗୁନଥିବା ବେଳେ ଜେଜେଙ୍କ ହୃଦୟ ଫାଟି ପଡୁଥିଲା. ଦୂରରୁ ଶୁଭୁଥିଲା ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ... ସବୁଥିରୁ ବଞ୍ଚିତ କରି.ଯାହା ଦେଇଥିଲ ସବୁ ତ ନେଲଣି.... ଆଉ ଏବେ କିସ ଛଡ଼ାଇବ ହେ... ସବୁଥିରୁ ବଞ୍ଚିତ କରି. ହୃଦୟରୁ ଉଠୁଥିବା କୋହ ଓ ଆଖିରେ ଢଳ ଢଳ ହେଉଥିବା ଲୁହକୁ ଚାପି ଦୀନବନ୍ଧୁ ଭାବୁଥିଲେ ପତ୍ନୀ କଥା. ଗଲା ତ ଗଲା. ପଛକୁ ପଛ ଅନ୍ଧର ଲଉଡ଼ି ଏକୋଇର ବଳା ବିଶିକେଶନ ଏକମାତ୍ର ପୁଅ ସୂର୍ଯ୍ୟ ଓ ବୋହୁ ତାରାଙ୍କୁ ବି ଡାକି ନେଇଗଲା. ଋଣ କରି କିଣିଦେଇଥିବା ଓ ନିଜ ସାଇକେଲ ସୁଦ୍ଧା ବିକି ପୁଅ ପାଇଁ କିଣିଥିବା ସ୍କୁଟି ହିଁ ପୁଅ ବୋହୁ ଦୁହିଁଙ୍କ ଜୀଵନ ନେଲା. ଅଳ୍ପ ଅଳ୍ପ କଥା କହି ଶିଖି ଆସୁଥିବା ନାତୁଣୀଟା ସିନା ଜେଜେଙ୍କ ପାଖେ ଛାଡି ଯାଇଥିଲେ ଜରୁରୀ କାମରେ ପୁଅ ବୋହୁ ହେଲେ ଗଲେ ଯେ ଗଲେ ଟ୍ରକ ତଳେ ଚାପିହୋଇ ଆଉ ଫେରିଲେ ନାହିଁ. ଜେଜେ ଭାବୁଥିଲେ ସେ ଦୁଃଖ ନସରୁଣୁ ନାତୁଣୀର ଭାର ସମ୍ଭାଳିବା ତାଙ୍କ ପକ୍ଷରେ ଏଣିକି ଅସମ୍ଭବ କାରଣ ଆର୍ଥିକ ଅନାଟନ ସାଙ୍ଗକୁ ବୟସ ଢଳିଥିଲା.... ଚଉଷଠରୁ ଚଉସ୍ତରି ଆଡକୁ ଯାଉଥିଲା ଜେଜେଙ୍କୁ ଏଣିକି. ଆଉ କେତେ ଅବା ବାକି!
ଏ ଅଫିସ ସେ ଅଫିସ, ବ୍ଲକ, ତହସିଲ ଦଉଡି ଦଉଡି ଜେଜେ ଶେଷକୁ ବାଳ ଅନାଥଆଶ୍ରମରେ ପହଁଚିଲେ. ନୂଆ କରି ସରକାରୀ ଅଫିସର ଯିଏ ଥିଲେ ତାଙ୍କ ନାମ ରେଣୁକା ଦାସ. ସେ ଦୀନବନ୍ଧୁ ଓ ନାତୁଣୀ ରୁବର କଥା ଶୁଣି ନିଜ ପିଲାଦିନ କଥା ମନେ ପକାଇ ବିଗଳିତ ହେଲେ ମଧ୍ୟ କିଛି କରିନପାରି ଏତିକି ପ୍ରତିଶ୍ରୁତି ଦେଇ ପାରିଲେ କି ଵିନା ପଇସାରେ ରୁବିର ସମସ୍ତ ଭାର ନେବେ କାରଣ ଏଇ ସରକାରୀ ବାଳଆଶ୍ରମରେ କୋଟାରେ ଥିବା କୋଟିଏଟି ସିଟ ରୁ ଗୋଟିଏ ରୁବି ପାଇଁ ରିଜର୍ଭ କରି ଦେଇପାରିବେ. ଜେଜେ ଦୀନବନ୍ଧୁ ସେଦିନ କୃତ୍ୟ କୃତ୍ୟ ହୋଇଯାଇଥିଲେ ଓ ରେଣୁକାଙ୍କୁ କେତେ ଆଶୀର୍ବାଦ ଦେଇ ଫେରିଲା ପରେ ରୁବିକୁ ଧରି ଏମିତି କାନ୍ଦିଥିଲେ ବୋଧହୁଏ ପୁଅ ବୋହୁଙ୍କୁ ହରାଇ ଏତେ ପରିମାଣରେ ଭାଙ୍ଗି ପଡ଼ିନଥିଲେ. ଗାଡି ଆସି ଲାଗିଗଲାଣି ଦୁଆରେ. କର୍ମୀ ବଦଳରେ ନିଜେ ମ୍ୟାଡାମ ଆସିଛନ୍ତି ରୁବିକୁ ଘେନିଯିବେ. ରୁବି ମଧ୍ୟ ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖିବା ସହ ତାଙ୍କ ସୁନାବେଶ ଦେଖିବ ବୋଲି ଖୁସିରେ ବାହାରିଲା ବେଳେ ଜେଜେଙ୍କ ହୃଦୟ ଫାଟିପଡୁଥିଲା. ଗାଡିରେ ବସିବା ପରେ ଜେଜେ ତା ଅତିପ୍ରିୟ ସ୍ଲେଟଟିକୁ ଆଣି ଦେଲା ବେଳେ ରୁବି କହୁଥିଲା ସ୍ଲେଟ କଣ ହେବ ଜେଜେ. ମୁଁ ଫେରିଲେ ସେଥିରେ ଆଙ୍କବି ଜଗନ୍ନାଥଙ୍କୁ. ତୁମେ ଯିବନି କି ଶୀଘ୍ର ଆସ କହି ଜେଜେଙ୍କୁ ଡାକୁଥିଲା ବେଳେ ମ୍ୟାଡାମ କହିଲେ ସେ ପରେ ଯିବେ ରୁବି ତୁମେ ଆଜି ମୋ ସହ ଯିବ. ଗାଡି ଛାଡିଦେଲା ପରେ ସ୍ଲେଟିକୁ ଛାତିରେ ଚାପି ଜେଜେ ଭୂଇଁରେ ଲୋଟିବା ଦୃଶ୍ୟରେ ଗାଁରେ ସୁନାବେଶ ଦେଖିବାକୁ ନଯାଇ ରହିଯାଇଥିବା ଲୋକେ ଘେରିଯାଇଥିଲେ ଦୀବବନ୍ଧୁଙ୍କୁ.କିଏ କହୁଥିଲା ଏଇ ଧମାକା ଏ ବୟସରେ ସମ୍ଭାଳିଲେ ହେଲା. ଦୂରରୁ ଭଜନର ସ୍ୱର ଭାସି ଆସୁଥିଲା ଜଣାଣଟିର ସେହି ପଦଟି.ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ.
