STORYMIRROR

Sarat Jal

Inspirational

2  

Sarat Jal

Inspirational

ମାଧୁରୀ ମାଧବୀ ରଖିଲେ ନାଁ

ମାଧୁରୀ ମାଧବୀ ରଖିଲେ ନାଁ

2 mins
14.9K


ମଧୁଗଡ ଶାସନରେ ବିଦ୍ୟାଳୟଟିଏ ଥିଲା । ତା'ର ନାଁ ମଧୁସୂଦନ ପ୍ରାଥମିକ ବିଦ୍ୟାଳୟ । ସେଇ ବିଦ୍ୟାଳୟକୁ ଆଖପାଖ ଗାଁର ପିଲାମାନେ ପାଠ ପଢିବାପାଇଁ ଆସୁଥିଲେ । ବିଦ୍ୟାଳୟଟି ଦେଖିବାକୁ ଭାରି ସୁନ୍ଦର । ସେଇ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ଭିତରେ ମାଧୁରୀ ଓ ମାଧବୀ ମେଧାବୀ ଛାତ୍ରୀ ଭାବେ ବାଛି ହେଇ ଯାଉଥିଲେ ।ମାଧୁରୀ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ମାଧବୀ ପଞ୍ଚମ ଶ୍ରେଣୀରେ ପଢୁଥିଲା ।ଦୁହିଁଙ୍କର ମଧୁର ଗୁଣ ଗାଁ ଲୋକ ଓ ଗୁରୁଜୀଗୁରୁମାଙ୍କ ମନଙ୍କୁ କିଣି ନେଉଥିଲା । ଦୁହେଁ ସାଂଗ ହେଇ ସ୍ଖୁଲ୍ ଯାଉଥିଲେ । ଏକାଠି ଖାଉଥିଲେ ଏବଂ ଏକାଠି ଖେଳୁଥିଲେ । ଗାଁର ସବୁ ଲୋକ ଓ ଗୁରୁଜୀ ଗୁରୁମା’ମାନେ କୁହାକୁହି ହେଉଥିଲେ ଦୁହେଁ ବଡ ହେଲେ ଦେଶର କାମ କରିବା ସହିତ ନାରୀଜାତି ଓ ଗାଁର ଟେକ ରଖିବେ ।

ଆଗକୁ ଅଗଷ୍ଟ ପନ୍ଦର ଆସୁଥାଏ । ସ୍କୁଲର ସବୁ ପିଲାଙ୍କ ମନରେ ଖୁସିର ଜୁଆର ଲହରୀ ମାରୁଥାଏ ।ସେଇ ବରଷ ପ୍ରଧାନ ଗୁରୁମା’ ମଧୁସ୍ମତା ମେମ୍ ସ୍କୁଲକୁ ନୂଆ କରି ଆସିଥାନ୍ତି । ସ୍କୁଲରେ ସ୍ଵାଧିନତା ଦିବସ କିପରି ଧୂମ୍ ଧାମରେ ପାଳନ କରାଯିବ ସେଥିପ୍ରତି ବେଶ୍ ଧ୍ୟାନ ଦେଇଥାନ୍ତି । ସକାଳୁ ସକାଳୁ ଅଗଷ୍ଟ ପନ୍ଦର ତାରିଖ ଦିନ ପ୍ରଧାନ ଗୁରୁମା’ ସ୍କୁଲରେ ଠିକ୍ ସମୟରେ ପହଞ୍ଚିବା ସହିତ ଅନ୍ୟ ଗୁରୁଜୀ ଗୁରୁମା’ମାନେ ମଧ୍ୟ ପହଞ୍ଚିଥିଲେ ।ପିଲାଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଇ ଜାତୀୟ ପତାକା ଉତ୍ତୋଳନ କରିବା ପରେପରେ ପ୍ରଧାନ ଗୁରୁମା’ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ସ୍ଵାଧିନତା ସଂଗ୍ରାମୀ ଓ ବୀର ସୈନିକମାନଙ୍କ ବୀର ଗାଥାକୁ ଭାଷଣ ମାଧ୍ୟମରେ ପିଲାମାନଙ୍କୁ ଅତି ସୁନ୍ଦର ଭାବରେ କହିଥିଲେ । ଭାରତୀୟ ବୀରା ନାରୀ ଝାନସି୍ ରାଣୀ ଲକ୍ଷ୍ମୀବାଈ,ସରୋଜିନୀ ନାଇଡୁ ଓ ରମାଦେବୀଙ୍କ ଜୀବନ କାହାଣୀ ପିଲାମାନଙ୍କ ମନରେ ଗଭୀର ରେଖାପାତ କରିଥିଲା । ମାଧୁରୀ ଓ ମାଧବୀ ପ୍ରଧାନ ଗୁରୁମା’ଙ୍କ ଦେଶ ପ୍ରୀତି ଭାଷଣରେ ପ୍ରଭାବିତ ହେଇ ସେଦିନ ମନେମନେ ତ୍ରିରଂଗା ପତାକା ତଳେ ସଂକଳ୍ପ କରିଥିଲେ । ଭବିଷ୍ୟତରେ ଜଣେ ଜଣେ ଭାରତର ବୀରା ନାରୀ ହେଇ ଦେଶ କାମ କରିବା ସହିତ କାନ୍ଧରେ ବନ୍ଧୁକ ପକେଇ ମାଆ ମାଟିର ସେବା କରିବେ ବୋଲି । ଦିନ ପରେ ଦିନ ଗଡି ଚାଲିଲା । ଦୁହେଁ ବଡ ହେଲେ । ଅକ୍ଳାନ୍ତ ପରିଶ୍ରମ କରି କଲେଜ ପାଠ ପଢା ସାରିଲେ ।ତତ୍ ସଂଗେ ସଂଗେ ଚାକିରୀଟିଏ ପାଇଁ ଖେଳକୁଦ ଓ ଦୌଡାଦୌଡି କରିବାରେ ଲାଗିପଡିଲେ । ଭାଗ୍ୟକୁ ଦୁଇ ଜଣଙ୍କର ଦୁଇଟି ଚାକିରୀ ହେଲା । ଜଣେ ଭାରତୀୟ ଅକାଶ ବାହିନୀରେ ଚାକିରୀ କରିବା ସହିତ ଆଉ ଜଣେ ଭାରତୀୟ ସୈନ୍ୟ ବାହିନୀରେ ନିଯୁକ୍ତି ପାଇଲେ । ଏଇ କଥା ମଧୁଗଡ ଗାଁ କାହିଁକି ସାରା ରାଇଜରେ ବିଜୁଳି ବେଗରେ ପ୍ରଚାର ହେବାକୁ ଲାଗିଲା ।ଏଇ ଖବର ଯିଏ ଶୁଣିଲେ ସିଏ ଦୁହିଁଙ୍କୁ ଧନ୍ୟ ଧନ୍ୟ ବୋଲି କହିବାକୁ ଲାଗିଲେ । ମଧୁଗଡ ଗାଁରେ ପୂର୍ବରୁ କେହି କେବେ ଏପରି ଚାକିରୀଟିଏ କରିନଥିଲେ ସେଇଥିପାଇଁ ସଭିଏଁ କହାକୁହି ହେଲେ ଦୁହେଁ ଝିଅ ନୁହେଁ ଆମ ଗାଁର ହୀରା ମୋତି ଏବଂ ଆମ ଗାଁର,ସ୍କୁଲର,ଦେଶର ଓ ନାରୀଜାତିର ନାଁ ରଖିଲେ। ଆଉ ପ୍ରଧାନ ଗୁରୁମା’ ମଧୁସ୍ମିତା ମେମ୍ ଏଇ ଖବର ଶୁଣୁଶୁଣୁ ତାଙ୍କର ମଧୁର କଣ୍ଠରୁ ଆପେ ଝରିଆସିଲା "ମାଧୁରୀ ମାଧବୀ ରଖିଲେ ନାଁ" । ଏଇ କଥାଟା ଗଗନ ପବନରେ ପ୍ରତିଧ୍ୱନିତ ହେଇ ପୁଣି ଗୁରୁମା’ଙ୍କ କାନରେ କିଏ ଆସି କହିଦେଲା "ମାଧୁରୀ ମାଧବୀ ରଖିଲେ ନାଁ" ।

ଶରତ ଚନ୍ଦ୍ର ଜାଲି

ତା:୧୩/୦୮/୦୧୮


Rate this content
Log in

Similar oriya story from Inspirational