ଅଇଁଠା ଭାତ
ଅଇଁଠା ଭାତ
ଅସଜଡା କେଶ ଅସଜଡା ଦାଢିରେ ଭରପୁର ହୋଇଛି ଲୋକଟିର ମୁଣ୍ଡ ଆଉ ମୁହଁ । ଦ୍ୱାରଦ୍ୱାର ବୁଲି ଭିକ୍ଷାମାଗୁଥାଏ ଲୋକଟି । କିଏ ଦେଉଥାଏ ଚାଉଳ ମୁଠାଏତ କେହିକେହି ଦେଉଥାନ୍ତି ଖୁଚୁରାପଇସା ଟଙ୍କାଟିଏ ଅବା ପଚାସ ପଇସାଟିଏ । ଏମିତି ବୈଶାଖ ମାସ ଖରାରେ ଗାଁ ଗାଁ ବୁଲି ଭିକ୍ଷା ମାଗୁମାଗୁ କିଏ ଜାଣିଥିଲା ତାକୁ ମିଳିବ ବୋଲି ପଖାଳ ଭାତ ମୁଠାଏ ।
ସେଇ ରଂଗବେରଂଗର କୋଠାଘରୁ ସ୍ତ୍ରୀଲୋକଟିଏ ବାହାରି ଭିକାରୀଟିର ମଇଳା ପଲିଥିନିଟିକୁ ଅଜାଡି ଦେଉଥିଲେ ତୋରାଣୀ ଭିଜା ପଖାଳଭାତକୁ । ଆଉ କହୁଥିଲେ କାଲିକି ବି ଆସିବ ବହୁତ ଦିନର ପଖାଳ ଭାତ ଆମରି ଘରେ ମହଜୁତ ହୋଇ ରହିଯାଇଛି । ଭାଗ୍ୟକୁ ଆଦରି ବୁଢା ଭିକାରୀଟି କଳା ମଚମଚ ଓଠରେ ହଁ ବୋଲି କହି ପକାଇଥିଲେ । ସେଇ ଦୁଆରୁ ଲୋକଟି ପ୍ରସ୍ଥାନ ହେବା ପରେପରେ ପଲିଥିନି ଭିତରେ ଥିବା ଭାତମାନେ ହସୁଥିଲେ । ଆଉ ଲୋକଟିକୁ ସତେ କହିଯାଉଥିଲା, ଖାଇଯା..ମନଭରି ମତେ ଖାଇଯା...ଆନନ୍ଦ ମନରେ ଖାଇଯା ।ମୁଁ ବହୁତ ଦିନ ହେଲା ଅପେକ୍ଷା କରି ରହିଥିଲି ଅଇଁଠା ଥାଳିରେ ।କେବଳ ତୁମକୁ । ତୁମ ପରି ଅନେକ କାଙ୍ଗାଳକୁ। ମତେ ଖାଇ ସାରିବାପରେ ଜମା ଲୁହ ଢାଳୁବୁନି ମୁଁ ହେଉଛି ଅଇଁଠା ଭାତ ହଁ ହଁ ଅଇଁଠା ଭାତ ।
ଶରତ ଚନ୍ଦ୍ର ଜାଲି
ପଥରା,ଖଲିକୋଟ,ଗଂଜାମ