STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

କ୍ଷୀର ଓସୁରା

କ୍ଷୀର ଓସୁରା

2 mins
28.8K


ସୁରା ମଦମତ୍ତ ହୋଇ କ୍ଷୀର ପ୍ରତି ବାକ୍ୟାକ୍ରମଣ କରୁଥିଲା, "ଭୁଲରେ ତୋତେ କିଏ ଅମୃତ ନାମିତ କରିଦେଇଛି ଅଥବା ତୁ କେବେ ଦିିନେ ଥିଲୁ; ଆଜିର ଦୁନିଆରେ ମୋର ଚାହିଦା ବେଶୀ।ତେଣୁ ଅମୃତ ନାମର ଦାବିଦାର ମୁଁ"।କ୍ଷୀର ନମ୍ରତାର ସହ ଉତ୍ତରିଲା, ତୁ କେବେବି ଚାହିଦାଯୁକ୍ତ ନଥିଲୁ କି କେବେ ହୋଇପାରିବୁନି। ତୁୁ କିଛି ଲୋକଙ୍କ ସଉକ ମାତ୍ର; ହେଲେ ମୁଁ ଶିଶୁ ଠାରୁ ବୃଦ୍ଧ ଯାଏଁ ସଭିଙ୍କ ପ୍ରାଣ ରକ୍ଷାକାରୀ ତେଣୁ ମୋର ସମକକ୍ଷ ଦାବି ତୋର ବୃଥା ଆସ୍ଫାଳନ"। ଅଠହାସ୍ୟେ ସୁରା କ୍ଷୀରକୁ ଇସାରା କଲା ଏକ ଦୃଶ୍ୟ ଆଡ଼କୁ।

     ଯୁବକଟି ସ୍ତ୍ରୀ ଯାଚୁଥିବା କ୍ଷୀର ଗ୍ଲାସକୁ ଫୋପାଡ଼ି ଦେଇ ମୁହାଁଇଲା ମଦଭାଟିକୁ।ଏକା ନିଶ୍ଵାସକେ ଗ୍ଲାସେ ମଦ ପିଇ ଫୁର୍ତ୍ତି ଅନୁଭବ କଲା । କହିଲା, "ଦେଖିଲୁତ ଲୋକେ କିପରି ତୋତେ ଫୋପାଡ଼ି ମୋତେ ଆପଣାଉଛନ୍ତି? ଆରେ ଏବେ ଗାଁ ଗାଁରେ ଦେଖ୍ କ୍ଷୀର ପାଇଁ ଗୋପାଳନ କେନ୍ଦ୍ର ନାହିଁ କି ଘରେ ଗାଇ ନାହିଁ। କିନ୍ତୁ ମଦଭାଟି ନିଶ୍ଚୟ ଥିବ । ତୋର ଚାହିଦା ଏତେ କମ୍ ଯେ ବିକ୍ରି ହୋଇପାରୁନୁ ବୋଲି ବିଚରା ଚାଷୀ ହତାଶ ହୋଇ ରାସ୍ତାରେ ଢାଳୁଛନ୍ତି। ଆଉ ମୋତେ ପାଇବା ପାଇଁ .....ହେ...ହେ...ଲୋକେ ଖୋଜି ଖୋଜି ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି। ତୋର ଅଧା ଲିଟର ପ୍ୟାକେଟର ମୂଲ୍ୟ। ମୋର ଶହେ ଗ୍ରାମର ଦାମ୍ ଠାରୁ ବି ସାମାନ୍ୟ । ତୁ କାହାକୁ ନେଇ ଗର୍ବ କରୁଛୁ?" କ୍ଷୀର ସ୍ମିତହସି କହିଲା,"ଗର୍ବ ତ ମୋର କେବେ ବି ନଥିଲା। ବରଂ ତୁ ଦିନକୁ ଦିନ ଅଧିକ ଗର୍ବି ହୋଇଯାଉଛୁ । ଏଇ ଦେଖ୍ ତୋତେ ଗ୍ରହଣ କରିଥିବା ଲୋକର ଅବସ୍ଥା କ'ଣ ?" ଲୋକଟି ଅର୍ଦ୍ଧ ନଗ୍ନ ହୋଇ ଅଣାୟତ ହୋଇପଡୁଥିଲା। ପଥଚାରୀମାନେ ମୁହଁ ବୁଲେଇ ଦୂରେଇ ଯାଉଥିଲେ। ରାସ୍ତା କଡ଼ ଅସନାରେ ପଡ଼ି ମନକୁ ମନ ଗପୁଥିଲା। ମଦର ପ୍ରଭାବ ସାମାନ୍ୟ ହେବା ପରେ ଘରେ ଯାଇ ସମସ୍ତଙ୍କୁ ମାରଧର କରିବାକୁ ଉଦ୍ୟତ ହେଲା। କ୍ଷୀର ଇସାରା କଲା ସୁରାକୁ,"ଦେଖିଲୁତ ସମାଜରେ ମଦ୍ୟପ କେତେ ବିଶୃଙ୍ଖଳିତ?" ସୁରା ଅଟ୍ଟହାସ୍ୟ କରି କହିଲା,"ମୋର ଗୋଟିଏ ମାତ୍ର ଭକ୍ତ ତୋର ଅନେକ ଭକ୍ତଙ୍କୁ ନିକେଦମ କରି ପକେଇଲାଣି" । ଏହିପରି ପ୍ରତିଦିନ ସୁରା ନିଜର ବଡିମା ବଖାଣି ଆତ୍ମହରା ହୋଇପଡୁଥିଲା। କ୍ଷୀର କିନ୍ତୁ ଆଦୌ ବିଚଳିତ ନୁହେଁ।

    ଦିନେ ସେହି ଯୁବକଟି ରୋଗଗ୍ରସ୍ତ ହୋଇ ମୁର୍ମୁଷ ଅବସ୍ଥାରେ ଡ଼ାକ୍ତରଖାନାରେ ଶର୍ଯ୍ୟାଶାୟୀ ହେଲା । ଡ଼ାକ୍ତର କହିଲେ,"ଅତ୍ୟଧିକ ମଦ୍ୟପାନ ଯୋଗୁଁ ତୁମର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହେବାକୁ ବସିଲାଣି। ଉପଯୁକ୍ତ ଚିକିତ୍ସା ନକଲେ ମାତ୍ର କେଇ ଦିନ ମଧ୍ୟରେ ପ୍ରାଣହାନି ହୋଇପାରେ। ମଦ୍ୟପାନ କରି ସର୍ବସାନ୍ତ ହୋଇଥିବା ଯୁବକଟିର ଚିକିତ୍ସା ପାଇଁ ସମ୍ବଳ ନଥିଲା। ସେ କେତେ ଲୋକଙ୍କ ପାଖରେ ଗୁହାରି କଲା। ହେଲେ ସମସ୍ତେ କହିଲେ,"ମଦୁଆକୁ ବିଶ୍ୱାସ ନାହିଁ"। ବାପା, ମାଆ, ସ୍ତ୍ରୀ ଅନ୍ୟକୁ ନେହୁରା ହୋଇକିଛି ସମ୍ବଳ ସଂଗ୍ରହ କଲେ । ଚିକିତ୍ସା ପରେ ମଦ ସଂପୂର୍ଣ୍ଣ ବାରଣ କରାଗଲା। ଔଷଧ ଓ ଖାଦ୍ୟ ସହ ପ୍ରତ୍ୟହ ଦୁଇ ଗ୍ଲାସ କ୍ଷୀର ପିଇବାକୁ ପରାମର୍ଶ ଦିଆଗଲା। କ୍ଷୀର ହସି ହସି କହିଲା,"ତୁ ଜୀବନ ନେଇପାରୁ ଆଉ ମୁଁ ଜୀବନ ଦେଇପାରେ। ସୃଷ୍ଟିର ଆଦ୍ୟ ଓ ଅନ୍ତିମ ପାନୀୟ ମୁଁ। ମୁଁ କାହାରି ନିକଟରେ ବି ଅଛୁଆଁ ନୁହେଁ। ତୁ ମୁଷ୍ଟିମେୟ ଯୁବଗୋଷ୍ଠୀର କୁପଥର ପ୍ରବେଶ ଦ୍ଵାର"।ସୁରା ନିକଟରେ ଆଉ କିଛି ଯୁକ୍ତି ନଥିଲା। ସେ ବି ବୁଝି ସାରିଥିଲା ଯେ ସେ କ୍ଷୀର ସହ କେବେ ବି ତୁଳନୀୟ ନୁହେଁ। କ୍ଷୀରକୁ ଅମୃତ କହିବା ଯୁକ୍ତିଯୁକ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational