STORYMIRROR

Subhakanta Sahu

Others

2  

Subhakanta Sahu

Others

ପ୍ରେମ ରହିତ ପ୍ରେମିକ

ପ୍ରେମ ରହିତ ପ୍ରେମିକ

2 mins
3.4K


“ଗଳ୍ପ ଲେଖିବାର ଏକମାତ୍ର ବିଷୟ ବସ୍ତୁ କ’ଣ ପ୍ରେମ? ପ୍ରେମ ବ୍ୟତିରେକେ ଆହୁରି ଅନେକ ମାନବୀୟ ମୂଲ୍ୟବୋଧ ରହିଛି, ଯାହାକୁ ନେଇ ଆପଣ ଗଳ୍ପ ଲେଖିପାରିବେ ।” ତଥା କଥିତ ବସ୍ତୁବାଦୀ ପ୍ରେମ ଦୀପରେ ଘିଅ ଢାଳୁଥିବା ‘ପ୍ରେମ ଗଳ୍ପ’ରୁ ନିଜକୁ ସାବଧାନ ଦୂରତାରେ ରଖି ଶିବ ଭାଇ ଦେଇଥିବା ଉପଦେଶରେ ଯେ ଅନ୍ତର୍ନିହିତ ଥିଲା ନିଚ୍ଛକ ପ୍ରେମ; ଏହା ମୁଁ ଅନୁଭବୁ ଥିଲି ଏକାନ୍ତ ମୋ ହୃଦୟରେ । ପ୍ରତ୍ୟକ୍ଷ ସାକ୍ଷାତରେ ନହେଲେ ବି ଫୋନ୍ ରେ ସେ ଯେଉଁ ଉପଦେଶାତ୍ମକ ବାର୍ତ୍ତାଳାପ କରିଥିଲେ,ମୋ କଳ୍ପନାରେ ମୁଁ ଆଙ୍କି ପାରିଥିଲି ତାଙ୍କ ଖର୍ବ କୃତି ହୃଷ୍ଟ ବପୁ । ମାପି ପାରିଥିଲି ମୋ ପ୍ରତି ଥିବା ତାଙ୍କର ଗଭୀର ଭଲ ପାଇବାକୁ । ସମୟ ଚକ୍ରରେ ଯଦିଓ ଅଟକି ଯାଇଥିଲା ଦୂରଭାଷ ବାର୍ତ୍ତାଳାପ, ତଥାପି ପ୍ରତି ଗଳ୍ପ ଆରମ୍ଭରେ ମନେ ପଡିଯାଉଥିଲା ତାଙ୍କ ମାନବୀୟ ମୂଲ୍ୟବୋଧ ଓ ସମାଜ ସଂସ୍କାର ପ୍ରସଙ୍ଗ ।

ଦୈନିକ କାର୍ଯ୍ୟସୂଚୀ ମଧ୍ୟରେ ଦିନେ ତାଙ୍କ କର୍ମସ୍ଥଳୀକୁ ଭ୍ରମଣ ଯୋଗ ଥିଲା । ବିଦ୍ୟାଳୟର ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ମଧ୍ୟରେ ଯଦିଓ ତାଙ୍କୁ ଭେଟିବାର ଆଶ କମ୍ ,ତଥାପି ଅନୁସନ୍ଧିଥିଲି ତାଙ୍କ କର୍ମକ୍ଷେତ୍ର ‘ରକ୍ତ ଭଣ୍ଡାର’ ସ୍ୱଳ୍ପ ସମୟରେ ସେଠାର ପହଞ୍ଚି ନପାରି ମୋବାଇଲ୍ ରେ ଖୋଜିଲି ତାଙ୍କ ଫୋନ୍ ନମ୍ବର । କିନ୍ତୁ ନିରାଶ ହେବାକୁ ପଡିଲା ଠିକଣା ସମୟରେ ତାହା ନ ପାଇ । ଘରେ ପହଞ୍ଚି ଓଲଟାଇଲି ପୁରୁଣା ମୋବାଇଲ୍ ଗୁଡିକ, ଅନ୍ତତଃ ଜଣାଇଦେବି ଯେ ମୁଁ ତାଙ୍କ କର୍ମ କ୍ଷେତ୍ରକୁ ଯାଇ ତାଙ୍କୁ ଖୋଜୁଥିଲି । ପନ୍ଦର ଦିନ ପରେ ନଳିନୀ ଭାଇଙ୍କ ଚିଠିରୁ ଜାଣିଲି ବହୁ ଦିନ ଆଗରୁ ଶିବ ଭାଇ ବିଦାୟ ନେଇ ସାରିଥିଲେ ସ୍ଥୂଳ ପୃଥିବୀରୁ । ତାହା ବାସ୍ତବ କି ଦୁଃସ୍ଵପ୍ନ ପ୍ରତୀତ ହେଲା ନାହିଁ କିନ୍ତୁ ପ୍ରତି ମାସରେ ଅନ୍ତତଃ ଗୋଟିଏ ଗପ ଲେଖିବାର ସ୍ନେହାପୋଦେଶ ଗୁଞ୍ଜରିତ ହେଉଥିଲା ମୋ ଅନ୍ତଃ କର୍ଣ୍ଣରେ । ବୋଧହୁଏ ସେ ଚାଲିଯିବା ଦିନଠୁଁ ହିଁ ତାଙ୍କ ନମ୍ବର ବି ସ୍ୱତଃ ଅପସରି ଯାଇଥିଲା ମୋ ମୋବାଇଲ୍ ରୁ । ମୋ ଅଜ୍ଞତାରେ ହୁଏତ ସେ କହି ସାରିଥିଲେ ଏ ବସ୍ତୁବାଦୀ ଦୁନିଆରେ ତାଙ୍କ ସ୍ଥୂଳତାକୁ ଆଉ ନ ଖୋଜିବାକୁ । କିନ୍ତୁ ସେପାରିରୁ ବି ମୁଁ ଲୋଡୁଛି ତାଙ୍କ ଅନାବିଳ ପ୍ରେମକୁ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା, ଗଂଜାମ, ପିନ୍-୭୬୧୧୦୫ ।


Rate this content
Log in