Subhakanta Sahu

Tragedy

2.3  

Subhakanta Sahu

Tragedy

ଅନ୍ଧ

ଅନ୍ଧ

4 mins
7.4K


“ଏ ଦେବୁ! ଘରଛାଡି ଆମେ ଅସିବାର ଦୁଇମାସ ପୂର୍ଣ୍ଣ ହେକୁ ବସିଲାଣି । ସାଙ୍ଗରେ ଯାହା ଆଣିଥିଲେ ଆଉ ଅଳ୍ପ ଦିନରେ ସରିଯିବ । ତମେ ଟିକେ କିଛି କାମ ଦେଖନ୍ତନି ? ନହେଲେ ଆମେ ଚଳିବା କିପରି କହିଲ?”ସୀମା ଅତି କୋମଳ ସ୍ୱରରେ କହିଲା । ମୋ ମୁଣ୍ଡକୁ କଥାଟା ପଶିଲା । ସତରେ ଯଦି ମୁଁ କିଛି କାମ ନକରେ, ଆମେ କେମିତି ଚଳିବୁ? ହେଲେ ମୁଁ ତା ସେମିତି କିଛି କାମ କରି ଶିଖିନି । ତା’ ଛଡା ମୋତେ କିଏ କାମ ଦେବ? ଏମିତି ଭାବୁ ଭାବୁ ମୁଁ ବିରକ୍ତି ହୋଇ କହିଲି, “ମୁଁ ମନା କରୁଥିଲି ନା ସୀମା, ଘର ଛାଡି ଆସିବା ପାଇଁ । ଆଉ କିଛି ବର୍ଷ ପରେ ତୁମେ ଆମ ଘରକୁ ବୋହୁ ହୋଇ ଆସିଥାନ୍ତ । ମୋ ବାପା ମୋ କଥାରେ କେବେ ଅରାଜି ହୁଅନ୍ତେନି । ହେଲେ ତିନି ଦିନ ଭିତରେ ଘର ନ ଛାଡିଲେ ତୁମେ ମୋତେ ଆତ୍ମହତ୍ୟାର ଧମକ ଦେଲ ।”କିଛି ସମୟ ଦୁହେଁ ନୀରବ ନିଷ୍ପନ୍ଦ । ମୁଁ ପୁଣି କହିଲି, “ମୁଁ ତ କିଛି କାମ ଜାଣେନି । ପୁଣି ଏ ବେକାର ଗ୍ରାଜୁଏଟ୍ କୁ କିଏ ପଚାରେ?””ଆଛା ଆମ ବଡ ଭିଣୋଇ ଯେଉଁ ଅଫିସରେ ରୁହନ୍ତି, ସେଠାକୁ ଯାଆନ୍ତନି? ତାଙ୍କର ଏଠି ଭାରୀ ନାଆଁ । ସେ ତୁମକୁ କେଉଁଠି ହେଲେ ଲଗାଇ ଦିଅନ୍ତେ ।” “ମୁଁ ପରା ଆଜି ସକାଳେ ସେଠକୁ ଯାଇଥିଲି । ହେଲେ ସେଠାରୁ ଦୁଇମାସ ଆଗରୁ ତମ ଭିଣୋଇ ବଦଳି ହୋଇଗଲେଣି । ଆଉ ତମ ମାମୁଁ ଝିଅ ରହୁଥିବା ଯାଗାକୁ ମଧ୍ୟ ଯାଇଥିଲି । ହେଲେ ସେ ଘର ମାଲିକ କହିଲା ସେମାନେ ମଧ୍ୟ ଛଅମାସ ହେଲା ଘର ଛାଡିଲେଣି ।” କିଛି ସମୟ ନୀରବ ରହିବା ପରେ ସୀମା ପୁଣି କହିଲା, “ହଉ କାଲି ସକାଳୁ ତମେ ପ୍ରଥମେ ମହାଦେବ ମନ୍ଦିରକୁ ଯାଅ । ତୁମକୁ ନିଶ୍ଚୟ କିଛି କାମ ମିଳିଯିବ ।”ମୁଁ ସୀମା କଥାରେ ହଁ ଭରିଲି । ଯଦି ତଥାପି କିଛି କାମ ନମିଳେ, ଆମେ ଗାଁ କୁ ଫେରିଗଲେ ବାପା ମାଆ ଆମକୁ କ’ଣ ଗ୍ରହଣ କରିବେ? ତାଙ୍କ ମୁଁହରେ ମୁଁ ଯେଉଁ କଳା ବୋଳିଛି, ପୁଣି ଗଡରେଜ୍ ଭାଙ୍ଗି... ନାଁ...ନାଁ... ବାପା ତାକୁ କେବେ ବି କ୍ଷମା ଦେବେନି । ଏମିତି ଭାବୁ ଭାବୁ ମୁଁ ଶୋଇ ଯାଇଥିଲି ।

ସକାଳୁ ମୁଁ ନିତ୍ୟକର୍ମ ସାରି ସିଧା ମନ୍ଦିରକୁ ଗଲି । ମନ୍ଦିର ପାହାଚ ଚଢିବା ବେଳେ ଗୋଟେ ଯୁବକ କହୁଥିଲା, “ବାବୁ ଗରୀବ ଅନ୍ଧକୁ ଟଙ୍କାଟିଏ ଦିଅ । ନହେଲେ ମୋ ପିଲା ଛୁଆ ଭାସିଯିବେ ।”ଅଣ୍ଡାଳି ଅଣ୍ଡାଳି ସେ ମୋ ବାମ ହାତକୁ ଧରି ପକାଇଥିଲା । ହୃଷ୍ଟପୁଷ୍ଟ ଚେହେରା ସମ୍ପନ୍ନ ଯୁବକଟି ପୁଣି ଆଖି ଗୁଡିକ ଅନ୍ଧ ଭଳି ଜଣା ପଡୁନଥିଲା । ମୁଁ ତ ବେକାର । କାମ ଖୋଜିଖୋଜି ପାଉନି ବୋଲି ମନ୍ଦିରକୁ ଆସିଛି । ମୁଁ ପଚାରିଲି, “ଏ ଯୁବକ ଅବସ୍ଥାରେ କାମ ନ କରି ଭିକ ମାଗୁଛ କାହିଁକି? ” “ଅନ୍ଧ ଲୋକଙ୍କୁ କି କାମ ମିଳିବ ଆଜ୍ଞା?”ସେ କହିଲା । ମୁଁ ପୁଣି ପଚାରିଲି, “ତମ ଆଖି ତ କାଇଁ ଅନ୍ଧ ଭଳି ଦେଖାଯାଉନି ?” ସେ କହିଲା,“ଭଲ ଆଖି ପରି ଦେଖା ଯାଉଛି ସିନା ହେଲେ ମୁଁ ଅନ୍ଧ ବାବୁ । ଦୟା କରି ଆପଣ ମୋତେ ଟଙ୍କାଟିଏ ଦିଅନ୍ତୁ । ଠାକୁରଙ୍କ ଦୟାରୁ ଆପଣଙ୍କୁ କାମ ମିଳିଯିବ ବାବୁ ।” ସର୍ଟ ପକେଟ୍ ରୁ ଟଙ୍କାଟିଏ ବାହାର କରି ଦେଲି । ପ୍ରଭୁଙ୍କୁ ଦର୍ଶନ କରି କାମ ଟିଏ ପାଇଁ ମିନତି କରି ଫେରିଲି । ତଳେ ପାଟିତୁଣ୍ଡ ଶୁଭୁଥିଲା । କେତେକ ପୋଲିସ୍ କିଛି ଲୋକ ପିଛା ଦୌଡୁଛନ୍ତି । ପିଟାପିଟି କରୁଛନ୍ତି । କାରଣଟା ବୁଝିବା ପାଇଁ ମୁଁ ଛିଡା ହୋଇଥାଏ । ଭିକ ମାଗୁଥିବା ସେଇ ଅନ୍ଧ ଯୁବକଟି ମୋ ସହିତ ଘଷି ହୋଇ ଦୌଡି ପଳାଇବା ବେଳେ ମୁଁ ଧରି ପକାଇ କହିଲି, “ତମକୁ ଦେଖା ଯାଉନି ପର? ଏମିତି ଦୌଡୁଛ କାହିଁକି? ପଡିଯିବନି?” “ଏଇ ପୋଲିସ୍ । ଛାଡ, ଛାଡ” କହି ସେ ମୋତେ ଧକ୍କା ଦେଇ ଖସି ଚାଲିଗଲା । ସେଠାରେ ଅନ୍ଧ ବୋଲି ଭିକ ମାଗୁଥିବା ଲୋକ ଅନ୍ଧ ନୁହନ୍ତି-ଏ କଥା ଅଛପା ରହିଲା ନାହିଁ । ବ୍ୟସ୍ତ ବିବ୍ରତ ତଥା ଲୋକଟି ଉପରେ ମନେ ମନେ ବିରକ୍ତି ହୋଇ ଘର ଆଡକୁ ମୁଁହାଇଲି । ଟଙ୍କା ପାଇଁ ଲୋକ ଅନ୍ଧ ସାଜି ଭିକ ମାଗିବାକୁ ଶସ୍ତା କାମ ଭାବି ନେଇଛନ୍ତି । କି ବିଚିତ୍ର ଲୋକ ସତେ ଏମାନେ! ମନ୍ଦିର ପରି ପବିତ୍ର ସ୍ଥାନରେ ପୁଣି ଡାହାମିଛ । ଏମିତି ଭାବୁ ଭାବୁ ମୁଁ ଘରେ ପହଞ୍ଚ ଯାଇଥିଲି । “ପାଣି ମୁନ୍ଦେ ଦେଲ ସୀମା!”କହି ମୁଁ ସାର୍ଟଟି ହେଙ୍ଗେର୍ ରେ ଝୁଲାଇ ବେଡ୍ ଉପରେ ଅପେକ୍ଷା କଲି । ସୀମା ନିରୁତ୍ତର ଥିଲା । ଘରେ ମଧ୍ୟ କୌଣସି ଶବ୍ଦ ଶୁଭୁନଥିଲା । “ମୁଁ ଜାଣେ ସୀମା କେଉଁଠି ଲୁଚି ପଡି ମୋ ସହିତ ଲୁଚକାଳି ଖେଳୁଥିବ । ଓହୋ ଶୋଷ ହେଲାଣି ଯଲ୍ଦି ପାଣି ଆଣ । ଆଉ ଆଜି ଲୁଚକାଳି ଖେଳନି । ବଝିଲ ଏ ଦୁନିଆଁ ରେ ଏମିତି ମଧ୍ୟ ଅଦ୍ଭୁତ ଲୋକ ଅଛନ୍ତି, ଯାହାକି ତମେ ବିଶ୍ୱାସ କରି ପାରିବନି । ଚାହୁଁ ଚାହୁଁ ତମ ଆଖିରେ ଧୁଳି ଦେଇଦେବେ । ତମେ ପାଣି ନେଇ ଆସ ମୁଁ କହିବି ।” ତଥାପି ସୀମା ନିରୁତ୍ତର ଥିଲା । ଏଥର ମୁଁ ରୋଷେଇ ଘର ଭିତରେ ପ୍ରବେଶ କଲି । ସୀମା ନାହିଁ । ଏରୁଣ୍ଡି ପାଖରେ ଚିଠି ଟିଏ ପଡିଥିଲା । ତାହା ମୋ ଉଦ୍ଦ୍ୟେଶରେ ଥିଲା । “ଦେବୁ,ମୁଁ ଜାଣେ ତମେ କିଛି କାମ କରି ପାରିବ ନାହିଁ । ଆଉ ତମ ପାଖରେ ମୁଁ ଏମିତି ପଡି ରହିଲେ ଅଳ୍ପ ଦିନରେ ଭୋକ ଉପାସ ରେ ଛଟପଟ ହୋଇ ମରିବି । ତେଣୁ ତମେ କାମ ଖୋଜ ବା ନ ଖୋଜ ମୁଁ ପପ୍ପୁ ସହ ଚାଲିଲି ।” ମୋ ପାଦ ତଳ ପୃଥିବୀ ଟା ଯେମିତି ଭୁଷୁଡି ପଡିଲା । ମୋ ମୁଣ୍ଡଟା ଚକ୍କର ମାରି ଘୁରିଲା । ମୁଁ ନିର୍ବାକ୍ ପ୍ରସ୍ତର ମୂର୍ତ୍ତୀ ପରି ଛିଡା ହୋଇଥାଏ । ପପ୍ପୁ କିଏ? ସୀମା ତା’କୁ କିପରି ଜାଣିଲା ? ଏମିତ ଭାବୁ ଭାବୁ ମୁଁ ଆଇନା ସାମନା କୁ ଗଲି ମୁଁ ଅନ୍ଧ କି ଭଲ ଅଛି ଜାଣିବା ପାଇଁ ।

ଠିକଣା- ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ,

ପିନ୍-୭୬୧୧୦୫ ।

ମୋ-୯୮୬୧୭୩୨୨୫୬ ।

E-mail: sahusubhakanta@gmail.com


Rate this content
Log in

Similar oriya story from Tragedy