କମଳିନୀ
କମଳିନୀ
ହେଇଟି ଶୁଣିଚ, କାଲି ସକାଳ ହେଲେ ମୋତେ ଟିକେ ଆମ ଗାଁ ଆଡେ ବୁଲେଇ ଆଣିବ।ବହୁତ ଦିନ ହେଲା ଯାଇନି।ଆମ ଗାଁ ରଘୁ ମଉସା ଆସିଥିଲେ।କହୁଥିଲେ,ମୋ ଜେଜୀ (ଜେଜେ ମାଆ) କୁଆଡେ କତରା ଧରିଲାଣି।ମୋତେ ଖୋଜୁଛି।
ହଉ ଜିବାଯେ, ସକାଳୁ ଯାଇ ହେବନି। ହଳ ଫିଟାଇ ନଅଟା ଦଶଟା ବେଳକୁ ଯିବା। ଠିକ୍ ଅଛି ତୁମ ଇଚ୍ଛା।,କହିଲା କମଳିନୀ।
କମଳିନୀ ର ଆଜକୁ ପାଞ୍ଚ ବର୍ଷ ହେଲା ବାହାଘର ହୋଇଛି। କୋଳରେ ପିଲା ପିଲି ନାହାଁନ୍ତି।ସେଇଥି ପାଇଁ ସବୁବେଳେ ମନ ମାରି ବସେ। କେତେ ଦିଅ ଦେବତା ପୂଜିଛି। ଠାକୁର ତା' ଡାକ ଶୁଣିଛନ୍ତି।ଚାରି ମାସ ଗଡି ଗଲାଣି ।ଶିବ ମାହାପୁରୁ ଚାହିଁଲେ ତା କୋଳ ପୁରି ଉଠିବ।
ଶ୍ୟାମଳ ବର୍ଣ୍ଣ ହେଲେ କଣ ହେଲା, ଗୋଟିଏ ଚାଉଳରେ ଗଢା। କେଉଁଥିରେ ବାହୁନି ବାକୁ ପଡ଼ିବନି। ଗଢ଼ଣରେ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ। ସେଇଥି ପାଇଁ ତା ମାଆ ତା ନାଆଁ କମଳିନୀ ଦେଇଥିଲା। ଯିଏ ତାକୁ ଏତେ ସରାଧା କରିଥିଲା ,ବର୍ଷ ପାଞ୍ଚଟା ହେବକି ନାହିଁ ପର କରିଦେଇ ଆର ପାରି କୁ ଚାଲିଗଲା।
ଗୋଟି ଗୋଟି ସବୁ କଥା ମୋର ମନେ ପଡି ଯାଉଛି। ମାଆ ରୋଗ ଶଯ୍ୟାରେ ପଡ଼ିଥାଏ।ମୁଁ ବର୍ଷକର ଛୁଆକୁ ଧରି ତା ' ପାଖରେ ବସି ଥାଏ।।ମୋତେ କହିଲା ଏଇ ସୁନା ଟା ତୋତେ ଲାଗିଲା।ମୁଁ ଏ ଦୁରା ରୋଗ ରୁ ବଞ୍ଚିବି ନାହିଁ । ମୁଁ ଜମା ସେ ସବୁ କଥା ବୁଝି ପାରୁ ନ ଥାଏ। କେମିତି ବୁଝିବି । ବୁଝିବାର ବୟସ ମୋର ହୋଇ ନଥାଏ।ବୟସ ମୋର ପାଞ୍ଚ ବର୍ଷ।ଏହି ଅଳ୍ପ ବୟସରେ ଏତେ ବଡ ଭାର ଲଦି ଦେଇ ମାଆ ଚାଲିଗଲା। ଅଲି ଅଳରେ ବଢ଼ି ଥିବା କମଳିନୀ ସେହି ଦିନ ଠାରୁ ସମସ୍ତଙ୍କର ଅଲୋଡା ହୋଇ ଗଲା। ଘର ର ସମସ୍ତ ଭାର ନିଜେ ଉଠାଇ ବାକୁ ଚେଷ୍ଟା କଲା।
ଦିନା କେତେ ବାପା କାମକୁ ଗଲେନି।ଗୁମ୍ ହୋଇ ବସି ରହିଲେ। ଜେଜୀ ବୁଝାଇ କହିଲା।ଦୁଇ ଦୁଇ ଟା ଛୁଆ,କାମ ଧନ୍ଦା ନ କରି ଏମିତି ବସି ରହିଲେ ଚଳିବ। ଦିନ କେତେଟା ଗଡି ଯାଉ। ପୁଣି କୋଉଠି ଝିଅଟେ ଦେଖି ହାତକୁ ଦିହତେ କରିଦେବି।ମୋ ପୁଅର କ'ଣ ବୟସ ଗଡି ଯାଇଛି ।
ବାପା କିଛି ଉତ୍ତର ଦିଅନ୍ତି ନାହିଁ।ମୋତେ ତାଙ୍କ ଭାବ ଭାଙ୍ଗିରୁ ଲାଗେ , ଏ ସବୁ କଥା ତାଙ୍କ ଦେହରେ ଯାଉନି। ଜେଜୀ କିନ୍ତୁ ଛାଡ଼ିବା ଜନ୍ତୁ ନୁହେଁ।ବାରମ୍ବାର ସେହି କଥାକୁ ଦୋହରାଏ । ମୁଁ ତୋ ଘର କାମ କରି ପାରିବି ନାହିଁ। ପାଣି ଆଣି ପାରିବି ନାହିଁ ,କି ରୋଷେଇ କରି ପାରିବି ନାହିଁ।ତୋ ଛୁଆ ପିଲାଙ୍କୁ ଆତେଇ ପାରିବି ନାହିଁ।
ହଠାତ୍ ବାପା ଚିହିଁକି ଉଠି କହିଲେ। ଠିକ୍ ଅଛି କାଲି ଠାରୁ ତୋର କିଛି କରିବା ଦରକାର ନାହିଁ।ମୁଁ ସବୁ କରିବି କିନ୍ତୁ ମୋ ପିଲା ମାନଙ୍କୁ ଆଡେଇ ଦେଇ ,ଜଣେ ସାବତ ମାଆ ଆଣି ପାରିବି ନାହିଁ।
ବାପା ରୋଷେଇ ବାସ ସାରି ଦେଇ କାମକୁ ବାହାରି ଯାଆନ୍ତି।ମୁଁ ତାଙ୍କୁ କିଛି କିଛି ସାହାଯ୍ୟ କରେ। ଏ ମାଆ, ପନିକି ଟା ଆଣିଲୁ।ପାଣି ବାସନ ଟା ବଢେଇ ଦେଲୁ।ନେ ଏଇ ବାସନ ପାଣି ତୋରାଣି ହାଣ୍ଡିରେ ଢାଳି ଦେବୁ। ବରାଦ ମୁତାବକ ସବୁ କାମ କରିଦିଏ।
ଧିରେ ଧିରେ ସବୁ କାମ ମୁଁ ସିଖି ଗଲି। ବାପାଙ୍କୁ ଆଉ କିଛି କରିବାକୁ ପଡ଼ିଲା ନାହିଁ।ଭାତ ଗାଳିବା ଏବଂ ଗାଈ କୁଣ୍ଡରେ ତୋରାଣି ଦେବା ଏହି ଦୁଇଟା କାମ ପାରେନା।ବାପା କରି ଦିଅନ୍ତି ,ନଚେତ ଜେଜି କରିଦିଏ।
ଯେଉଁ ଦିନ ଜେଜୀ ଭାତ ଗାଳେ ବା ତୋରାଣି ନେଇ ଗାଈ କୁଣ୍ଡରେ ଦିଏ।ମୋ ଉପରେ ଗର ଗର ହୁଏ। ସେଥି ପାଇଁ ସେ କାମ ଦୁଇଟା କରିବା ପାଇଁ ମୁଁ ଚେଷ୍ଟା କରେ।ବାପାଙ୍କ ଅନୁପସ୍ଥିତ ରେ ଦିନେ ମୁଁ ଭାତ ଗାଳୁ ଥାଏ।ହାଣ୍ଡିଟା ଖସି ଯାଇ ମୋ ଗୋଡ଼ରେ ପଡ଼ିଲା। ତତଲା ପେଜ ଲାଗି ମୋ ଗୋଡ଼ରୁ ଚମଡା ଛାଡ଼ି ଗଲା। କଷ୍ଟରେ ମୁଁ ଚିତ୍କାର କରୁଥାଏ। ଜେଜି ଆସି ଦେଖିଲା। ଆଶ୍ଵାସନା ଦେବା ପର କଥା ବରଂ ମୋ ଛୁଟି ଧରି ଦୁଇ ଗୋଇଠା ପକାଇଲା।କହିଲା ମାଆକୁ ଖାଇଲୁ ଏଠି ରହିଛୁ କଣ ମୋତେ ଖାଇବୁ।ଯା, ଏ ଗରାଟା ନେଇ ପାଣି ଗରେ ଅଣିବୁ।ଘରଟା ସୁଙ୍ଖୁଡ଼ି କରିଦେଲୁ ଧୋଇବାକୁ ପଡ଼ିବ
ଗରା ନେଇ କୂଅକୁ ଗଲି। ଦଉଡି ବାନ୍ଧି କୂଅରେ ପକାଇଲି।ପାଣି ଗରାର ଓଜନ ମୋ ଓଜନ ଠାରୁ ଅଧିକ।ଦଉଡି ଭିଡିଲା ବେଳକୁ କୂଅରେ ପଡ଼ିଗଲି।ଯୋଗକୁ କୂଅ ଉପର କାଠରେ ଦଉଡିଟା ଭିଡା ହୋଇଥାଏ।କୂଅ ଭିତରେ ଝୁଲା ଦଉଡିକୁ ଧରି ଝୁଲି ରହିଲି। ଯେତେ ଡାକ ପକାଇଲେ କାହାକୁ ଶୁଭୁ ନଥାଏ। ପାଣି ଲାଗି ପୋଡ଼ା ଘାଆ ଟା ଜଳୁ ଥାଏ।ହାତ ଦଉଡ଼ି ଧରି ଫୋଟକା ହୋଇ ଗଲାଣି।ଯେତେ ଚେଷ୍ଟା କଲେ ମଧ୍ୟ ଉପରକୁ ଉଠିବା ସମ୍ଭବ ହେଉନି। କୂଅ ଭିତରେ ଥାଇ ଗୋଟି ଗୋଟି ସବୁ କଥା ମୋର ମନେ ପଡିଯାଉଛି।ଜେଜେ ମାଆ ମୋତେ ବାପାଙ୍କ ଠାରୁ ଗାଳି ଖୁଆଇବା ପାଇଁ ଅନେକ ଥର ତୁଣ ରେ ଅଧିକା ଲୁଣ ଲଙ୍କା ଗୁଣ୍ଡ ପକାଇଛି।ମୋ ବିରୁଦ୍ଧରେ ଅନେକ କଥା କହିଛି। ହେଲେ ବାପା କୌଣସି କଥା ଶୁଣନ୍ତି ନାହିଁ।
ବାପା ବିଲରୁ ଆସି ଖାଇବାକୁ ବସିଲେ।ଜେଜେ ମାଆ କୁ ପଚାରିଲେ କମଳି। ଜେଜେ ମାଆ ଦୋ ତୁଣ୍ଡ ରେ କହିଲା ମୁଁ ମନା କରୁଚି ଯାଇଛି ପାଣି ଆଣିବାକୁ।ବାପା ଖାଇବା ଜାଗାରୁ ଉଠିଗଲେ।କୂଅକୁ ଚାହିଁ ଦେଖିଲେ ମୁଁ ଦୌଡ଼ି ଧରି ଝୁଲୁଛି। କୂଅରେ ପଶି ମୋତେ ବାହାରକୁ ଆଣିଲେ
ରାତିରେ ବାପା ମୋ ଗୋଡ଼ରେ ମଲମ ଲଗାଇ କହିଲେ,ମାଆ ରେ ! କାଲି ତୋତେ ନେଇ ତୋ ମାମୁଁ ଘରେ ଛାଡ଼ି ଦେଇ ଆସିବି। ତୁ ଏଠି ବହୁତ କଷ୍ଟ ଭୋଗୁଛୁ। ନା ନା ମୁଁ ଯିବିନି।ମୁଁ ଚାଲିଗଲେ ତୁମ କଥା କିଏ ବୁଝିବ।ଆମ ପୁଅ କଥା କିଏ ବୁଝିବ।
ମୋ ସାନ ଭାଇ ଜାଗା ।ମୁଁ କେବେ ତା ' ନାଆଁ ଧରି ଡାକିନି। ପୁଅ ବୋଲି ଡାକେ। ବର୍ଷକର ହୋଇଥିଲା ।ମାଆ ମରିଗଲା। ସେଇ ଦିନ ଠାରୁ ସମସ୍ତ ଦାଇତ୍ୱ ମୁଁ ତାର ନେଇଛି। ଥରେ ଝାଡ଼ା ହେଉ ଥାଏ ।ଯେତେ ଔଷଧ ଦେଲେ ଭଲ ହେଲା ନାହିଁ। ଗଦା ଗଦା ମଇଳା ଲୁଗା ପଟା । ସେ ସବୁ ନେଇ ମୁଁ ନଦୀରେ ସଫା କରିଛି। ଜର ହେଲେ ତା ମୁଣ୍ଡ ରେ ଓଦା କନା ପକାଇ ରାତିରେ ଜଗି ବସିଛି। ମୁଁ ଚାଲିଗଲେ ଏ ସବୁ କିଏ କରିବ।ବାପା କହିଲେ, ଠିକ୍ ଅଛି ତୁମେ ଦୁହେଁ ଯାକ ମାମୁଁ ଘରକୁ ଯିବ। ସେଠାରେ ରହିବ।
ମାମୁଁ ଘରେ ସମସ୍ତେ ଆମକୁ ଆଦର କଲେ ।ଜଗା ର ସେଠି ସ୍କୁଲରେ ନାଆଁ ଲେଖା ହେଲା। ଦିନା କେତେ ଯାଇଚି। ମାଇଁଙ୍କ କାର୍ଯ୍ୟ କଳାପ ରେ ପରିବର୍ତନ ଆସିଲା। ବିଭିନ୍ନ କାମ ମୋ ଉପରେ ଲଦି ଦେଲେ। ମାମୁଁ ଥିଲା ବେଳେ ଖୁବ୍ ଗେହ୍ଲେଇ ହୋଇ କଥା କୁହନ୍ତି।କିନ୍ତୁ ଅନ୍ୟ ସମୟରେ ଟିକିଏ ଟିକିଏ କଥାରେ ମୋ କାନ ମୋଡି ଜାବୁଡ଼ା ମାରନ୍ତି।ବାପା ଭଲ ମନ୍ଦ କଥା ପଚାରିଲେ କିଛି କୁହେନି।
ରଜ ପୂର୍ବ ଦିନ ଚୂନା କୁଟା ହେଲା। ମାଇଁ କହିଲେ ସୁଙ୍କେଇ ଦେବାକୁ।ମୁଁ କହିଲି ମୋତେ ଆସିବ ନାହିଁ। ଖାଇଲା ବେଳକୁ ବେଶ୍ ଜାଣୁଛ। ଏଇଟା କେମିତି ଆସିବନି। ଡରରେ ଚାଉଳ ସୁଙ୍କେଇଲି । ଢ଼ିଙ୍କି ରେ ମୋ ହାତ ଛେଚି ହୋଇଗଲା। ବାପା ଖବର ପାଇ ଆସିଲେ।ମାଇଁ କହିଲେ ଦେଖୁନ,ମୁଁ ମନା କରୁଚି କେମିତି ଜୋର୍ କରି କାମ କରୁଥିଲେ।ଏବେ ପାଅ। ବାପା ମେଡ଼ିକାଲରେ ଦେଖାଇ ମାମୁଁ ଘରେ ଛାଡ଼ିବାକୁ ନେଉଥିଲେ। ମୁଁ ମନା କଲି।କହିଲି ମୁଁ ତୁମ ପାଖରେ ରହିବି।ଜଗା ବଡ଼ ହୋଇ ଗଲାଣି ତାର କିଛି ଅସୁବିଧା ହେବନି।
କଥାଟା ସିନା କହିଦେଲି।କିନ୍ତୁ ମାଇଁଙ୍କ କଥା ମୋର ବେଶି ମନେ ପଡୁଥାଏ। ଜଗାକୁ ଯଦି ମାଇଁ କାଠ ହାଣିବାକୁ କୁହନ୍ତି। କାଠ ହାଣୁ ହଣୁ ଗୋଡ଼ ହାଣିଦେବ।
ତା'ର କଣ ହେବ। ସବୁ ସେହି ଠାକୁର ବୁଝିବେ।ମୁଁ ଘରକୁ ଚାଲି ଯିବି।
ଘରକୁ ଗଲି ଜେଜି ଆଉ ଅଗଭଳି ନ ଥାଏ। ଦୁର୍ବଳ ହୋଇ ଯାଇ ଥାଏ।ମୋତେ ସ୍ନେହ ନ କଲେବି ଆଗ ପରି ଆଉ ହରକତ କରେନା। ସବୁ କଥା ଭୂଲି ମୁଁ ତାର ଯତ୍ନ ନିଏ।ମୁଣ୍ଡ କୁଣ୍ଡେଇ ଦିଏ। ଖାଇବା ପିଇବା ଦେଇ ବାସନ ଉଠାଏ।
ଏତେ ଜଞ୍ଜାଳ ଭିତରେ କେତେ ବେଳେ ମୁଁ ବଡ଼ ହୋଇ ଯାଇଛି ଜାଣିନି। ମୋର ବାହାଘର ଠିକ୍ ହୋଇ ହୋଇଗଲା।ମୁଁ ବହା ହୋଇ ଶାଶୁ ଘରକୁ ଚାଲି ଆସିଲି।ଆଜି ଯାଉଛି ଜେଜି କୁ ଦେଖିବାକୁ। ଜେଜି ଆଜକୁ ଆଠ ଦିନ ହେଲା ହେଁସ ଧରିଚି।
ଜେଜୀ ଘରର ଗୋଟିଏ କୋଣରେ ସୋଇଛି।ଆଖି ଦୁଇଟି ଭିତରକୁ ପଶି ଯାଇଛି। ଶରୀର ରେ କେବଳ ହାଡ଼ ଗୁଡ଼ିକ ବାରି ହୋଇ ପଡ଼ୁଛି। ପାଖରୁ ଡାକିଲି ଜେଜି ! ମୋତେ ଏକ ସ୍ତିର ନଜର ରେ ଚାହିଁଲା। ପାଖରେ ବସିବାକୁ ହାତରେ ଇସାରା ଦେଲା। ମୋ ମୁଣ୍ଡଟିକୁ ନିଜ ଆଡକୁ ଆଉଜେଇ ନେଲା। ବାଷ୍ପ ରୁଦ୍ଧ କଣ୍ଠ ରେ କହିଲା ନାତୁଣୀ !।ତୋତେ ମୁଁ କେତେ ହଇରାଣ କରିଚି। ତୁ ମୋ କଥା ଧରିବୁନି। ତୁ ମୋର କେତେ ସେବା କରିଛୁ। ମୁଁ ତୋରି କୁଳରେ ଜନ୍ମ ନେଇ ତୋ ଋଣ ଶୁଝି ଦେବି।ମୁଁ ତୋରି ଆସିବା ବାଟକୁ ଚାହିଁ ର.....। ସେତିକିରେ ତା'ର ବାକ୍ ରୁଦ୍ଧ ହୋଇ ଗଲା। ତାର ଦୁଇ ଆଖି କୋଣରୁ ଦୁଇଟୋପା ଲୁହ ବୋହି ଆସିଲା। କାନ୍ଦ ବୋବାଳି ରେ ଘରଟା ଫାଟିପଡ଼ିଲା। ଅଜାଣତରେ ମୋ ହାତଟା କେତେବେଳେ ଜଠର ଉପରେ ବୁଲି ଆସିଲା ମୁଁ ଜାଣି ପାରିଲି ନାହିଁ।।
