STORYMIRROR

Baikunth Bihari Swain

Children Stories

4.1  

Baikunth Bihari Swain

Children Stories

ସତ ଗପ

ସତ ଗପ

4 mins
31



       ଜଙ୍ଗଲର ରାଜା। ଠାଣି ମାଣିରେ ଅନ୍ୟ ସମସ୍ତ ବନ୍ୟ ଜନ୍ତୁଙ୍କ ଠାରୁ ଭିନ୍ନ। ନାଆଁ ଶୁଣିଲେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭୟରେ ଥରନ୍ତି। ରାତିରେ ତା ' ନାଆଁ ଧରାଯାଏ ନାହିଁ। ତା 'ନାଆଁ ରେ କଥା ହେଲେ ଘର ପାଖକୁ ଚାଲି ଆସି ଶୁଣେ।ଏକା ଏକା ରହିବାକୁ ଭଲ ପାଉଥିଲେ ମଧ୍ୟ ବେଳେ ବେଳେ ସଂଘବଧ ହୋଇ ରୁହନ୍ତି।ଏକୁଟିଆ ଯେଉଁ ଆଡ଼କୁ ଗଲେ ଜଙ୍ଗଲରେ ପଶୁ ପକ୍ଷୀ ମାନେ ସତର୍କ ହୋଇ ଯାଇ ତାହାର ଉପସ୍ଥିତି ଅନ୍ୟ ମାନଙ୍କୁ ଜଣାଇ ଦିଅନ୍ତି। ଖୁଵ ବଳ ଶାଳୀ ଓ ଚତୁର । ଶିକାର କରିବା ପାଇଁ ଦଶ ବାର ଫୁଟ ରୁ ଅଧିକ ବାଟ ଲମ୍ଫ ଦେଇପାରେ। ହିଂସ୍ର ପ୍ରାଣୀ ହୋଇଥିଲେ ମଧ୍ୟ ତା' ମନ ଭିତରେ କେଉଁଠି ନା କେଉଁଠି ସହନୁ ଭୂତି ଟିକିଏ ଲୁଚି ରହିଥାଏ। ସେ ଆଉ କେହି ନୁହେଁ ,ଆମ ସମସ୍ତଙ୍କର ପ୍ରିୟ ମାମୁଁ ! ବାଘ ମାମୁଁ।

                ପିଲା ବେଳେ ଜେଜେ ମାଆ ପାଖରେ ଜିଦି କରିବାରୁ ସେ ମୋତେ ଗପଟିଏ କହିଲେ ।ଯାହା ଏକ ସତ ଘଟଣା ଉପରେ ଆଧାରିତ।ସେଥି ପାଇଁ ମୁଁ ତାକୁ ସତ ଗପ ଭାବେ ମନେ ରଖିଛି।

                       ଆମ ଗାଁର ରବି ପରିଡ଼ା। ବୟସ ପଚିଶ ଚବିଶ ହେବ। ବାହାଘର ଦୁଇ ବର୍ଷ ହେଲା ହୋଇଛି।ସ୍ତ୍ରୀ ଟି ଦେଖିବାକୁ ସୁନ୍ଦର । ନାକରେ ଲଗାଇ ଥିବା ଦଣ୍ଡିଟି,ଫରଚା ମୁହଁକୁ ଖୁବ୍ ମନୁଥାଏ। କଥା କହିଲେ ଜଣଙ୍କୁ ଛାଡି ଦ୍ଵିତୀୟ ଜଣକୁ ସୁଭେନି। ଘର କାମରେ ନିପୁଣ।ସାଇ ପଡ଼ିଶା ସମସ୍ତଙ୍କର ପ୍ରିୟ ପାତ୍ରୀ। ଏହି ତିନି ମାସ ହେଲା ପୁଅଟିଏ ହୋଇଛି।ଏବେ ଅଧା ସମୟ ତାରି ସାଥିରେ କଟିଯାଏ। ହସ ଖୁସିରେ ଦିନ ଗଡିଯାଏ।

                   ରଜ ପରବ ଚାଲିଛି। ଘର କାମରେ ରଜନୀ କୁ ତର ନାହିଁ। ଚକୁଳି ,ଇଟିଲି, କାକରା ଆଦି ନାନା ପିଠାରେ ଘର ମହକି ଯାଉଛି।ଖାଲି ଯାହା ବାକି ରହିଲା ଶିକାର ଝୋଳ ବନେଇବା।ଏତିକି ବେଳକୁ ପୁଆଟା ରାହା ଧରି କାନ୍ଦିଲା ।ଶାଶୁ ତାଗିଦ୍ କରିବା ଢଙ୍ଗରେ ଡାକିଲେ,ଆଲୋ ଏ ବହୁ ସବୁ କାମ ଚୁହ୍ଲିକୁ ଯାଉ।ତୁ ଆସି ମୋ ନାତିକୁ କ୍ଷୀର ଟୋପେ ପିଆଇ ଦେଇ ଯା। ଛୁଆଟାର ତଣ୍ଟି ଶୁଖିଯିବ।ରଜନୀ ଶାଶୁ କଥାକୁ ଧ୍ୟାନ ନ ଦେଇ ରୋଷେଇ କାମରେ ଲାଗି ରହିଲା। ଶାଶୁ କି ଛାଡ଼ିବା ଲୋକ।ଭଲ କରି ଦୁଇ ପଦ ଶୁଣାଇ ଦେଲା।ରାଗ ତମ ତମ ହୋଇ ରଜନୀ ଛୁଆକୁ କ୍ଷୀର ଦେଲା। ସମସ୍ତଙ୍କୁ ଖାଇବା ପିଇବା ଦେଇ ମନ ମାରି ଶୋଇଲା। ଶାଶୁ ଯେତେ ବୁଝାଇଲେ ଖାଇଲା ନାହିଁ।

               ସଞ୍ଜ ବେଳକୁ ମାଗି ଆସିଥିବା ଧୋବା ଭଣ୍ଡାରି ଙ୍କୁ ବଳକା ପିଠା ଦେଇ ଦେଲା ।ନିଜ ମନକୁ ବୁଝାଇ ରାତି ପାଇଁ ରୋଷେଇ କାମରେ ଲାଗିଗଲା। ସମସ୍ତେ ଖିଆ ପିଆ କଲେ । ନିଜେ ମଧ୍ୟ ଶିକାର ଝୋଳ ଓ ପିଠା ଖାଇଲା। ଖାଇ ସାରି ଘରଟା ଯାକର ଅଇଁଠା ବାସନ ଧରି ବାରି ପଛକୁ ମାଜିବାକୁ ଗଲା।ସାଙ୍ଗରେ ଲଣ୍ଠନ ଆଲୁଅଟିଏ ନେଇଥାଏ।

                           ଉଛୁର ହେବାରୁ ରବି ବାରି ଆଡ଼କୁ ଗଲା।ଦେଖିଲା ଅଧା ମଜା ବାସନ ପଡ଼ିଚି।ଲଣ୍ଠନ ଥୁଆ ହୋଇଛି। ରଜନୀ ନାହିଁ। ହୁରି ପକାଇ ରଜନୀ ରଜନୀ ଡାକିଲା,ଉତ୍ତର ମିଳିଲା ନାହିଁ। ଡାକ ଶୁଣି ଘର ଲୋକ ଚାଲି ଆସିଲେ। ଚାରି ଆଡେ଼ ଖୋଜିଲେ ,ହେଲେ ପାଇଲେ ନାହିଁ।

ଶାଶୁ ବାହୁନି ବାହୁନି ନିଜକୁ ଧିକାର କଲା। ଖରାବେଳେ ବହୁ ସହିତ ହୋଇଥିବା ଝଗଡ଼ା ପାଇଁ ଘାରି ସାରି ହେଲା।ରଜନୀ ଋଷିକି କୁଆଡେ ଚାଲି ଯାଇଛି ବୋଲି ସାଇ ପଡିଶା ଲୋକଙ୍କୁ କହି ବୁଲିଲା। ସମସ୍ତେ ନଦୀ ପୋଖରୀ ଚାରି ଆଡେ଼ ଖୋଜିଲେ। କାଳେ କେଉଁଠି ଜୀବନ ହାରି ଦେଇ ଥିବ, ମନରେ ସଙ୍କା ପଶିଲା।ସକାଳ ହେବାରୁ ରଜନୀ ବାପ ଘରକୁ ଓ ବନ

୍ଧୁ ବାନ୍ଧବ ଘରକୁ ଲୋକ ପଠାଇ ବୁଝିଲେ, କେଉଁଠିକୁ ଯାଇନି।

                 ଧନୀ ବୁଢ଼ା ଖବର ଶୁଣି ରବି ଘରକୁ ଆସିଲା ।ସବୁ କଥା ଶୁଣି , ବୋଧ ଦେଇ ବାରିପଟେ ଘରକୁ ଫେରୁଚି।

କଣ ଗୋଟେ ଦେଖି,ସାରୁ ବାରିରେ ଥମ ହୋଇ ଛିଡାହେଲା।ଚାରି ଆଡକୁ ନିରୀକ୍ଷଣ କଲା ।ରବି ଘରକୁ ଫେରି ଯାଇ କହିଲା,ରବି ମାଆ ! ତୋ ବହୁକୁ ବାଘ ନେଇ ଯାଇଛି। ମୁଁ ତା ' ମଡ଼ା (ପାଦ ଚିହ୍ନ) ଦେଖିଲି। ସମସ୍ତଙ୍କୁ ବାରି ପାଖକୁ ନେଇ ଦେଖାଇଲା।ସମସ୍ତେ ବିଶ୍ୱାସ ଗଲେ।କେମିତି ବିଶ୍ୱାସ ଯିବେନି। ବାଘ ମଡ଼ା ଚିହ୍ନିବାରେ ତାର କେବେ ଭୁଲ ହେବନି। ଏ ଅଞ୍ଚଳ ର ସେ ଜଣେ ନାମକରା ବାଣୁଆ।ଜଙ୍ଗଲକୁ ଯାଇ ଜୀବନରେ ଅନେକ ଗୁଡ଼ିଏ ବାଘ ,ହାତୀ ଅହିରାଜ ଶିକାର କରିଚି। ରାଜ୍ୟରେ ବାଘ ମାତିଲେ ରଜା ଘରୁ ଖବର ଆସେ। ଧନୀ ଜଣେ ପେଣ୍ଠିଆକୁ ନେଇ ବାଘ ଶିକାର କରେ। ତା କଥା କେବେ ଭୁଲ ହେବନି। ରଜନୀ ତିନି ମାସର ଛୁଆକୁ ଛାଡି କୁଆଡେ ଚାଲି ଯାଇ ପାରିବନି କିମ୍ବା ମରି ପାରିବନି । ଏହି କଥାକୁ ବିଶ୍ୱାସ କରି ଘରଟା କାନ୍ଦ ବୋବାଳି ରେ ଫାଟି ପଡ଼ିଲା।

                       ରଜନୀ ମରିଯିବା ସ୍ଥିର ହୋଇ ଗଲା ପରେ, ସାଇ ଭାଇ ସମସ୍ତେ ବାରଣରେ ରହି ଶୁଦ୍ଧି ହେଲେ। ଦଶ ଭାତ ଖାଇ ,ହାଣ୍ଡି ପକାଇ ଦୁଇ ଜଣ ଫେରୁଛନ୍ତି। ପାଳ ଭାଡ଼ି ପାଖରେ କଣ ଗୋଟେ ଖସ ଖସ ଶବ୍ଦ ଶୁଭିଲା। ଲଣ୍ଠନ ଝାପସା ଆଲୁଅର ଦେଖିଲେ ଭାଡ଼ିକୁ ଡେରି ହୋଇ ରଜନୀ ବସିଚି। ପାଟି କରି ଭୂତ ଭୟରେ ଦୌଡ଼ି ପଳାଇ ଆସିଲେ। ସାହାସ କରି ଚାରି ପାଞ୍ଚ ଜଣ ଗଲେ।ଦେଖିଲା ବେଳକୁ ରଜନୀ ବସିଚି।ଆଗ ଅପେକ୍ଷା ଦୁର୍ବଳ ହୋଇଯାଇଛି। ଉଠି ବସିବାକୁ ବଳ ନାହିଁ। ରଜନୀକୁ ଟେକା ଟେକି କରି ଘରକୁ ଆଣିଲେ।ଖାଇବା ପିଇବା ଦେଇ ବିଶ୍ରାମ କରିବାକୁ ଛାଡି ଦେଲେ।

                    ରଜନୀ କୁ ଦେଖିବକୁ ଗାଁ ସାରା ଲୋକ ଧାଡି ବାନ୍ଧି ଆସିଲେ। ଏତେଦିନ ଯାଏ କୁଆଡେ ଯାଇଥିଲୁ କେଉଁଠି ଥିଲୁ ,ପ୍ରଶ୍ନ ବାଣରେ ପୋତି ପକାଇଲେ। ଦାରୁ ଭୂତ ମୁରାରୀ ପରି ରଜନୀ ବସି ରହିଥାଏ।ସତେ ଯେମତି କଥା କହିବା ଭୂଲି ଯାଇଚି। ଘଡ଼ିଏ ଗଲାରୁ କହିଲା ,ସେ ଦିନ ବାସନ ମାଜୁଥିବା ସମୟରେ ଆମ ବାରିରେ ବାଘ ଦେଖି ଚେତା ଶୂନ୍ୟ ହୋଇଗଲି।ଆଖି ଖୋଲିଲା ବେଳକୁ ମୁଁ ଗୋଟିଏ ଗୁମ୍ଫାରେ। ମୋ ପଖରେ ଦୁଇଟି ବାଘ ଛୁଆ।ଚାରି ପାଖରେ ଖଣ୍ଡ ଖଣ୍ଡ କଞ୍ଚା ମାଂସ।ଦୁର୍ଗନ୍ଧ ରେ ନାକ ଫାଟି ପଡୁଥାଏ। ଯେଉଁ ଆଡେ଼ ଶିକାର କରି ଗଲେ ,ସଞ୍ଜ ବେଳକୁ ମୋ ପାଇଁ କଞ୍ଚା ମାଂସ ନେଇକି ଆସେ। ଖାଇବା ପାଇଁ ମୋ ପାଖକୁ ଠେଲି ଦିଏ। ତା ଛୁଆ ମାନେ ଟାଣି ଓଟାରି ଖାଇଥାନ୍ତି। ମୁଁ କେବଳ ଲୁହ ଗଡ଼େଇ କନ୍ଦେ। ପାଟି ଖୋଲି କାନ୍ଦିବାକୁ ଡର ଲାଗେ। ଦୁଇ ତିନି ଦିନ ଗଲା ପରେ ସେ ସବୁ ଦେହ ଶୁଆ ହୋଇଗଲା। ଗୁମ୍ଫା ରୁ ବାହାରି ଘରକୁ ଆସିବାକୁ ଚେଷ୍ଟା କରିଛି କିନ୍ତୁ ବାଘ ଛୁଆ ମାନେ ମୋର ବାଟ ଓଗାଳି ଅଟକାଇ ଦିଅନ୍ତି। ଆସି ହୁଏନି।

                        ହଠାତ୍ କ'ଣ ହେଲା କେଜାଣି।କାଲି ରାତିରେ ମୋତେ ପିଠିରେ ଧରି ବାରି ପଛ ପାଖ ପୁଆଳ ଗଦା ନିକଟରେ ଆଣି ଛାଡିଦେଲା।ମୋ ଗୋଡ଼ରୁ ମୁହଁ ପର୍ଯ୍ୟନ୍ତ ଜିଭ ଲଗାଇ ଚାଟିଲା।ଡର ଥିଲେ ମଧ୍ୟ ମୋତେ ଲାଗିଲା ସେ ଯେମିତି ଗେଲ କରୁଚି। ତା ପରେ ଜଙ୍ଗଲ ଆଡକୁ ଚାଲିଗଲା। ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ରଜନୀ ଆମର ନୂଆ ଜୀବନ ପାଇଲା। ଶାଶୁ ବୁଢ଼ୀ ଅଗଣାରେ ବାଘକୁ (ଶାର୍ଦୂଳ)ମୁଣ୍ଡିଆ ମାରି କହିଲା ତମେ ଆମର ଗୋତ୍ର । ପ୍ରଭୁ ! ସେଇଥି ପାଇଁ ତମେ ଆମ ଉପରେ ଦୟାକଲ। ସବୁବେଳେ ମୋ ପରିବାର ଉପରେ ତୁମର ଶୁଭ ନଜର ଥାଉ ।ତୁମକୁ କୋଟି କୋଟି ମୁଣ୍ଡିଆ।।

            


Rate this content
Log in