STORYMIRROR

Baikunth Bihari Swain

Tragedy

4  

Baikunth Bihari Swain

Tragedy

କଣ୍ଡୁରୁ

କଣ୍ଡୁରୁ

3 mins
379


     ଅହଃ,ଅହ! ହ ,ଚାଲ ବେଗି ଵେଗି ଚାଲ। ଘରେ ସୋଇଥିବା ଅବସ୍ଥାରେ ଏମିତି ଶଦ୍ଦ ଶୁଣି ନିଦଟା ଭାଙ୍ଗି ଗଲା। ଆଖି ମଳି ମଦୁଆଙ୍କ ପରି ଢଳି ଢଳି ବାରି ପଛ ପାଖକୁ ଚାଲିଲି। ହାତରୁ ପାଞ୍ଚଣଟା ଛଡେଇ ନେଇ ପିଚାକୁ ଦୁଲ୍ ଦୁଲ ଦୁଇ ଚାରି ପାହାର କଷି ଦେଲି। ଓଃ ମରିଗଲି ମରିଗଲି କହି ଡାହୁଣିଆ ବଳଦ ପରି ଦୁଇଭେରା ବେଙ୍ଗଳାରେ ଦୌଡ଼ି ଆସିଲା। ମୁଁହରେ ଫୁଟି ଉଠୁଥିବା କଷ୍ଟ ଲୁଚାଇ ଦାନ୍ତ ନେଫେଡି କହିଲା। ସାନ ବାବୁ ! ମୋର କାଇଲି ହୋଇଛି। ଅଧିକ ଜାଡ ପଡ଼ୁଚି ସେଇଥି ପାଇଁ ତୁମକୁ ନିଦରୁ ଉଠାଇଲି ନାହିଁ। ତା ' କଥା ପଦକ ଶୀତ ରାତିର ଜାଡ ଅପେକ୍ଷା ଆହୁରି ଶିଥିଳ ଥିଲା। ମୁଁ ଟିକିଏ ଶଙ୍କି ଗଲି।

       ତୁ ଯା ଉମ୍ମେଇ ପାଖରେ ବସି ଚାଆ ପିଇ ନେ। ମୁଁ ବେଙ୍ଗଳା ଆଡଉଚି। ମୋ କଥାକୁ ଗୋଟିଏ ଆଜ୍ଞାଧିନ ଚାତ୍ର ପରି ମାନି ନେଲା। କେଟିଲିରେ ଥିବା ଚାଆ ଗରମ କରି ନିଜେ ପିଇଲା।ମୋ ପାଇଁ ବଡ଼ ଷ୍ଟିଲ ଗ୍ଲାସରେ ମୁଢ଼ି ଦୁଇ ମୁଠା ପକାଇ ଆଣି ଧରାଇ ଦେଲା।ମୁଁ ଗ୍ଲାସରୁ ଢୋକେ ଢୋକେ ଚାଆ ପିଇବା ସହ ବେଙ୍ଗଳା ଆଡେଇବାର ମଜା ନେଉଥାଏ।କିନ୍ତୁ ତା' ଦେହରେ ଏ ସବୁ ହଜମ ହେଉନଥାଏ।ରାମ ଶିଆଳ ପରି ଆଗ ପଛ ଚାହିଁ ମୋତେ କାକୁତି ମିନତି ହୋଇ କୁହେ, ସାନ ବାବୁ ମୋତେ ପଞ୍ଚଣଟା ଦିଅ ମୁଁ ଅଡେଇବି।ବଡ଼ ବାବୁ ଆସିଯିବେ ମୋତେ ବେଜିତ୍ କରିବେ। ଆରେ ତୁ ଯା ବସ ସେଠାରେ ସେମିତି କିଛି ହବନି। ତାକୁ ଆଶ୍ଵାସନା ଦେଲି।

         ବାର ତେର ବର୍ଷର ପିଲା। ଅଳ୍ପ ଶ୍ୟାମଳ ବର୍ଣ୍ଣ। ଗୁଲୁ ଗୁଲିଆ ଚେହେରା ସାଙ୍ଗକୁ ଧୋବ ଫର ଫର ଦାନ୍ତ ଗୁଡ଼ିକ ତା ଚେହେରାକୁ ଖୁବ୍ ମାନୁଥାଏ। ଅଜାଙ୍କ ଘରେ କୁଠିଆ ଥିଲା। ନାଆଁ ତାର କଣ୍ଡୁରୁ। ଅଜା ତାକୁ ଶ୍ରଦ୍ଧାରେ କଣ୍ଡୁ ବୋଲି ଡାକନ୍ତି।କିନ୍ତୁ ତାର କାର୍ଯ୍ଯ କଳାପ କଣ୍ଡୁ ର ସମ୍ପୁର୍ଣ୍ଣ ବିପରୀତ।ପିଲାଟି ର ବାପା ପିଲା ଦିନରୁ ଆର ପାରିକୁ ଚାଲି ଯାଇଛନ୍ତି। ମାଆ ମାଗି ଜାଛି ଏତେ ବଡ଼ କରିଚି।

       ମାଆ ର ଦୁଃଖ ଦୂରେଇ ଦେବା ପାଇଁ ସେ ଆସି କୁଠିଆ ଅଛି। ଅଳ୍ପ କେତେ ଟଙ୍କା ପାଉଣା ନିଏ। ଖାଇବା ପିଇବାରେ ଅସୁବିଧା ନାହିଁ।ମୋତେ ଲାଗେ ସେ ଯେମିତି ଖୁବ୍ ଖୁସିରେ ଅଛି।ସକାଳୁ ଉଠି ନିତ୍ୟକର୍ମ ସାରି ଠିକ୍ ଆଠଟା ବେଳକୁ ମଇଁଷି ଚରେଇବାକୁ ବାହାରି ଯାଏ। ଖରା ବର୍ଷାକୁ ଖାତିରି ନାହିଁ। ମୁଣ୍ଡରେ ଟୋପର ହାତରେ ବାଡ଼ି ସେଇ ଦୁଇଟି ତା'ର ସାହାରା।ଦୁଇଟା ବେଳକୁ ଘରକୁ ଆସି ଖାଇ ଦେଇ ଯାଏ ଏବଂ ସଞ୍ଜକୁ ମଇଁଷି ମାନଙ୍କ ସହ ଘରକୁ ଫେରେ। ମଇଁଷି ମାନେ ହିଁ ତାର ସଂସାର ଏବଂ ଜୀବନ କହିଲେ ଅତ୍ୟୁକ୍ତି ହେବନାହିଁ।ଯେତେ ଦୂରରେ ଥିଲେ ମଧ୍ୟ,ଟିପା, ଚନ୍ଦା, କାଳିଆ ନାଆଁ ଧରି ଡାକି ଦେଲ ପାଖରେ ଆସି ଛିଡା ହୋଇ ଯାଆନ୍ତି।ତା ' ଦେହରେ ଘଷି ହୋଇ ସମବେଦନା ଜଣାନ୍ତି ।ସେଇଥିରେ ତାରା ଆନନ୍ଦ।

      କଣ୍ଡୁରୁ ସହିତ ଯୋଡ଼ିଟା ମୋର ବେସ ଜମେ। ସନ୍ଧ୍ୟା ବେଳକୁ ଦାଣ୍ଡ ପିଣ୍ଡାରେ ବସି ଗୋଟାଏ ଗାମୁଛାରେ ମୁଢ଼ି ମିକ୍ଚର ଓ ଲଙ୍କା ପିଆଜ ଖାଇଥାଉ।ମୁଁ ସ୍କୁଲ ରୁ ଫେରି ବ୍ୟାଗଟାକୁ 

ଫୋପାଡି ଦେଇ କଣ୍ଡୁରୁ ପାଖକୁ ଚାଲି ଆସେ। ବୁଧେଇ ଆଈ ତା ସହିତ ଏକାଠି ଖାଇବା ପାଇଁ ମୋତେ ବାରଣ କରେ।ସେ କୁଆଡେ ନୀଚ ଜାତିର।ତା ସହିତ ଖାଇବା ମନା। କିନ୍ତୁ ସେ ସବୁ ମୋ ମୁଣ୍ଡରେ ପସେନି।ମୁଢ଼ି ଖାଇବା ସମୟରେ ତା ସହିତ ଅନେକ କଥା ଆଲୋଚନା ହୁଏ। କେଉଁ ଗଛରେ ଆମ୍ବ ପଚିଲାଣି। ଗୁଣ୍ଡୁରି ଛୁଆ ଦେଲେଣି କି ନାହିଁ।ପାଳରେ ଛତୁ ଫୁଟିଲାଣି କି ନାହିଁ।

          ମାର୍ଗଶୀର ମାସ।ଧାନ କଟା ସରିଥାଏ। କଣ୍ଡୁରି ଠିକ୍ କରି ଆସିଥିବା ବସାରୁ ଗୁଣ୍ଡୁରୀ ଧରିବା ପାଇଁ ଵିଲକୁ ଗଲୁ।ହିଡ ମଝିରେ ଥିବା ଗାତରେ ହାତ ପୁରାଇ ଗୁଣ୍ଡୁରୀ ଧରିବାକୁ ଉଦ୍ୟମ କରନ୍ତେ ସେମାନେ ଉଡ଼ି ଯାଇଥାନ୍ତି।ଆମେ ସେମାନଙ୍କ ପିଛା କରୁ ଏବଂ ଅନ୍ୟ ବସାରୁ ଧରିବାକୁ ଚେଷ୍ଟା କରୁ। ଗୋଟିଏ ବସାରୁ ଗୁଣ୍ଡୁରୀ ଧରିବାକୁ ଗାତରେ ହାତ ଦେବା ସମୟରେ ମାଆ ଗୁଣ୍ଡୁରୀଟି ଉଡି ପଳାଇଲା।ଆମେ ଗାତ ଭିତରୁ ଛୋଟ ଛୋଟ ଶାବକ ଦୁଇଟି ପାଇଲୁ।ମୁଁ ଘରକୁ ଆଣିବା ପାଇଁ କହିଲି। କଣ୍ଡୁରୁ ମନାକରି କହିଲା, ଏମାନଙ୍କୁ ନେଇଗଲେ ତା' ମାଆ ଆସି କାନ୍ଦିବ। ମୁଁ ପ୍ରଶ୍ନ କଲି, ତୁ ଆସି ଏତେ ଦୂରରେ ରହିଛୁ ତୋ ମାଆ ତ କାନ୍ଦୁଥିବ।

   ଲୁହ ଡବ ଡବ ଆଖିରେ ହାତମାରି ଲୁହ ପୋଛିଲା।ତାର ଗଳା ବାକ ରୁଦ୍ଧ ହୋଇଗଲା। କେବଳ ମୁଣ୍ଡ ହଲେଇ ମୋ କଥାରେ ସମ୍ମତି ଦେଲା।ଏହା ପରେ ତା'ସହ ଯେତେ କଥା ହେଲେବି ମୁଁ ପଦୁଟିଏ ଉତ୍ତର ପାଇଲି ନାହିଁ। ତା ' ପରଦିନ ସ୍କୁଲରୁ ଫେରି ଦେଖିଲା ବେଳକୁ କଣ୍ଡୁରୁ ଆଉ ନାହିଁ। ଅଜାଙ୍କୁ ପଚାରିବାରୁ କହିଲେ ,ତା ମାଆ ଦେହ ଖରାପ ଅଛି।ସେ ତା ଗାଆଁକୁ ଯାଇଛି। ଭଲ ହୋଇଗଲେ ଫେରି ଆସିବା। ଦଶ ପନ୍ଦର ଦିନ ଛାଡ଼ି ଅଜା କଣ୍ଡୁରୁକୁ ଆଣିବାକୁ ତାଙ୍କ ଗାଆଁକୁ ଗଲେ। କଣ୍ଡୁରୁ ଆସିବାର ଶୁଣି ମୁଁ ଖୁବ୍ ଖୁସି ଥିଲି। କିନ୍ତୁ କଣ୍ଡୁରୁ ଆଉ ଫେରିଲା ନାହିଁ। ଅଜା ଫେରି ଆସି କହିଲେ,ତା ମାଆ ତାକୁ ଏକୁଟିଆ କରି ଆରପାରିକୁ ଚାଲି ଗଲା। ଏ କଥା ଶୁଣି,ତାର ନିରୀହ ଆଖି ଦୁଇଟି ମୋ ହୃଦୟ କୁ ଆନ୍ଦୋଳିତ କଲା। ମୋ ଅଜାଣତରେ ଆଖିରୁ ଦୁଇଟୋପା ଲୁହ ବୋହିଗଲା।ଅନେକ ଚେଷ୍ଟା କରିଛି କିନ୍ତୁ କଣ୍ଡୁରି ସହ ମୋର ଆଉ ଭେଟ ହୋଇନି।

          


Rate this content
Log in

Similar oriya story from Tragedy