STORYMIRROR

Arjun Sahu

Tragedy

3  

Arjun Sahu

Tragedy

କମ୍ବଳ

କମ୍ବଳ

2 mins
323

ଶିତୁଆ ସଂଧ୍ୟା ଵୁଢିମା"ଟିଏ ଗୋଟିଏ କୋଣରେ ବସି ଶୀତରେ ଥରୁଥାଏ। ବିବାହର ମାତ୍ର ଦଶ ବର୍ଷରେ ପତିଙ୍କର ବିୟୋଗ ଘଟିଥିଲା । କୋଳରେ ସାତବର୍ଷର ପୁଅଟିଏ ଥିଲା। ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି, ଅନ୍ୟ ଘରେ କାମଧନ୍ଦା କରି ନିଜେ ଭୋକ ଉପାସରେ ରହିମଧ୍ୟ ପୁଅକୁ ପାଠ ପଢ଼ାଇଲା ମା' ଟି । ପୁଅ ଯୋଗ୍ୟ ହୋଇଗଲେ ଆରାମ କରିବ ଏହି କଥା ବୁଢୀ ମା' ଟି ମନେ ମନେ ଭାବୁଥାଏ, ସମୟ କ୍ରମେ ପୁଅ ପାଠ ପଢ଼ି ଭଲ ଚାକିରୀ ଖଣ୍ଡେ ପାଇଲା। କିଛି ଦିନ ପରେ ପୁଅର ଵିଵାହ କରାଇ ଦେଲା । ପୁଅର ଉନ୍ନତି ଦେଖି ବୁଢ଼ୀର ଆନନ୍ଦ କହିଲେ ନ ସରେ, ହେଲେ ସମୟ ଵିତିବା ସଙ୍ଗେ ସଙ୍ଗେ ପୁଅ ବୋହୁଙ୍କ ପାଖରେ ବୁଢ଼ୀର ଭଲମନ୍ଦ ବୁଝିବାପାଇଁ ସମୟ ଟିକେ ହଉନଥାଏ."ଜୀବନର ଅତି ପରିବର୍ତ୍ତନ,---ଆଗେ ପର ଘରେ ବାସନ ମାଜୁଥିବା ମା'ଟି ଏବେ ପୁଅ, ବୋହୂ ଓ ନାତିର ସବୁ କାମ କରିବାକୁ ପଡୁଛି , ତଥାପି ବୁଢ଼ୀ ମା'ର ମନ ଖୁସି କାରଣ ଏବେ ନିଜ ସନ୍ତାନ, ସନ୍ତତି ଙ୍କର କାମ କରୁଛି।

ଥଣ୍ଡା ଦିନ, ବୁଢ଼ୀମା'ଟି ଗୋଟିଏ ଛିଣ୍ଡା କମ୍ବଳ ଘୋଡି ହୋଇ ବସିଥାଏ। ଛିଣ୍ଡା କମ୍ବଳ ଟିରେ ବୁଢ଼ୀର ଶୀତ ସରୁ ନଥାଏ।ଭାବିଲା ପୁଅତ ଏଥର ଯୋଗ୍ୟ ହୋଇଗଲାଣି ଆଜି ପୁଅ ଅଫିସ୍ ରୁ ଆସିଲେ ଖଣ୍ଡିଏ ଭଲ କମ୍ବଳ ଆଣି ଦେବାପାଇଁ କହିବି। ସଂଧ୍ୟା ସମୟ, ଅଫିସ୍ ରୁ ଆସି ଘରେ ପୁଅ ବିଶ୍ରାମ ନେଇଥାଏ,ମା ଧୀରେ ଧୀରେ ଯାଇ ପୁଅକୁ କହିଲା ପୁଅରେ !ଏ ପ୍ରବଳ ଥଣ୍ଡାରେ ଏଇ ଖଣ୍ଡିଆ ଚିରା କମ୍ବଳରେ ଶୀତ ଯାଉନାହିଁ,ମୋ ପାଇଁ ଭଲ କମ୍ବଳ ଖଣ୍ଡିଏ ଆଣି ଦିଅନ୍ତୁ ନାହିଁ, ଏହା ଶୁଣି ପୁଅ ପାଟିକରି କହିଉଠିଲା-ଏ ମାସରେ କେତେ ଖର୍ଚ୍ଚ ହୋଇଛି ତୁ ବୋଧେ ଜାଣି ନାହୁଁ.ଘରର ସଉଦା ପତ୍ର, ପୁଅର କଲେଜ ଆଡ଼ମିଶନ,ଏସବୁରେ ଖର୍ଚ୍ଚ ହୋଇଗଲା, ସେଥିରେ ତୋ ବୋହୂ ପାଇଁ ଭଲ କମ୍ବଳ ଖଣ୍ଡେ ନିହାତି ଆଣିବାକୁ ପଡ଼ିବ।ଏହିଟିରେ ‌ଏ ବର୍ଷ ଚଳାଇଦେ,ଆରଵର୍ଷକୁ ତୋ ପାଇଁ ଆଣିବା।

ପୁଅର କଥାରେ ନିରୂପାୟ ହୋଇ ଚୂପ ରହିଗଲା ବୁଢୀମା'ଟି। ହାଡ଼ଭଙ୍ଗା ଶୀତରେ ସେଇ ଚିରା କମ୍ବଳରେ ଚଳାଇବାକୁ ପଡ଼ିଲା। କ୍ରମେ କ୍ରମେ ବୁଢ଼ୀର ଦେହ ଖରାପ ଆଡ଼କୁ ଗଲା। ଅସହ୍ୟ ଶୀତରେ ଵୁଢୀକୁ ସନ୍ନିପାତ ହୋଇଗଲା ଏବଂ ବୁଢ଼ୀର ଜୀବନ ଚାଲିଗଲା। ମା'ର ବିୟୋଗରେ ପୁଅ ବନ୍ଧୁବାନ୍ଧବ ,ସାହି ପଡୋଶୀଙ୍କୁ ନେଇ ଧୂମଧାମରେ ଅନ୍ତିମ ସଂସ୍କାର କଲା। କୋୖଣସିରେ‌ ଅଭାବ କରିନଥିଲା। ଏପରିକି ଶେଷରେ ଦାମୀ କମ୍ବଳ ଖଣ୍ଡେ ଆଣି ମା'ର ପାର୍ଥବ ଶରୀର ଉପରେ ଘୋଡାଇ ଦେଲା ।ସାଇପଡୋଶୀ ଏହା ଦେଖି ମନେ ମନେ କହିଲେ ସମସ୍ତଙ୍କୁ ଏଭଳି ପୁଅଟିଏ ମିଳନ୍ତାକି ? ମାତ୍ର କାହାରିକୁ ଜଣାନଥିଲା ମା'ର ମୃତ୍ୟୁ ପଛରେ ଏଇ ଖଣ୍ଡିଏ କମ୍ବଳର କାହାଣୀ।ସାମାନ୍ଯ କମ୍ବଳଟିଏ ପାଇଁ ମୃତ୍ୟୁ ପରେ ମଧ୍ୟ ମା'ର ଅନ୍ତର କାନ୍ଦୁ ଥିବ ନିଶ୍ଚୟ।

ଆଜିର ସମାଜରେ ପ୍ରତ୍ୟେକ ଘରର ଏହି କାହାଣୀ"ଆଜିର ଶିକ୍ଷିତ ସନ୍ତାନ ମାନଙ୍କ ପାଇଁ ବୃଦ୍ଧ ବାପା ଓ ମା ସତେ ଯେପରି ଏକ ବୋଝ"

 ସେମାନେ ଭୂଲି ଯାଆନ୍ତି : ପିତା ମାତା ସନ୍ତାନ ପାଇଁ ବିଶାଳ ବୃକ୍ଷର ଛାୟା!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy