STORYMIRROR

Arjun Sahu

Others

3  

Arjun Sahu

Others

।। ଲୋଭ ପାପର କାରଣ ।।

।। ଲୋଭ ପାପର କାରଣ ।।

2 mins
237

ଗାଆଁର ନାମ ରଘୁନାଥପୁର । ଗାଆଁରେ ବ୍ରାହ୍ମଣ, କରଣ, ଶୂଦ୍ର ଆଦି ସମସ୍ତ ଶ୍ରେଣୀର ଲୋକ ଭାଇଚାରା ମଧ୍ୟରେ ରହିଥାନ୍ତି । ଗାଆଁରେ ଜଣେ ଧୂର୍ତ୍ତ ଯୁବକ ଥାଏ । ସେ ଭାରି ଅଳସୁଆ ମଧ୍ୟ । ନାଆଁ ତାର ଧୁଣ୍ଡା । ନାମ ଅନୁସାରେ କାମ ମଧ୍ୟ । କୂଅକୁ ଯିବାରେ ସେ ଭାରି ଓସ୍ତାଦ । ଯେତେବଡ ଗଭୀର କୂଅ ହୋଇଥିଲେ ମଧ୍ୟ ନିମିଷକ ମଧ୍ୟରେ ବୁଡି ପଡିଥିବା ଜିନିଷ ନେଇ ଆଣେ, ତାର ଏହି ଭଲ ଗୁଣଟି ଗ୍ରାମବାସୀଙ୍କ ଉପକାର ପାଇଁ ନଥିଲା ବରଂ ଲୋକଙ୍କୁ ଠକିବାରେ ପ୍ରୟୋଗ କରୁଥିଲା ସେ । କିଛି ଗରା କି ବାଲଟି କିମ୍ବା ବ୍ୟବହାର ଦ୍ରବ୍ୟ ପଡିଗଲେ ଲୋକେ ଧୁଣ୍ଡାକୁ ଡାକନ୍ତି ଧୁଣ୍ଡା କିନ୍ତୁ କିଛିଟା ଆଳ ଦେଖାଇ କହେ ''କିଛି ଵ୍ୟସ୍ତ ହୁଅନି, ସକାଳୁ ସକାଳୁ ଯାଇ ବାହାର କରିଦେବି'' । ଏଣେ ଧୁଣ୍ଡା ରାତି ଅଧରେ ଯାଇ ବାହାର କରି ପଡିଥିବା ଜିନିଷ ଘରକୁ ନେଇ ଆସେ । ସକାଳୁ ପୁଣି ସେହି ଲୋକଙ୍କ ପାଖକୁ ଯାଇ କହେ ''କଣପଡିଛି ବାହାର କରିବ ପରା ଆସ'' । ଏହିଭଳି କହି କୂଅ ମଧ୍ୟକୁ ଯାଇ ମିଛି ମିଛିକା ଅଣ୍ଡାଳି କହେ, ''କାହିଁ କିଛି ନାହିଁ ତ'' ବିଚାରା ଲୋକେ ମନଦୁଃଖରେ ଘରକୁ ଫେରନ୍ତି । ଏମିତି ଭାବରେ ଲୋକଙ୍କୁ ବେଶ୍ ଠକି ନିଏ । ଗାଆଁର ମାଇପିମାନେ ଭାବନ୍ତି ଏହି କୂଅରେ ବୋଧେ ଭୂତ ରହିଛି । ଦିନକରେ କିଛି ମାଇପି ପାଣି କାଢୁ ଥିବା ବେଳେ ଚମ୍ପା ନାମରେ ମହିଳା ଜଣେ କହିଲେ, ବୁଝିଲୁ ନାନୀ! କାଲି ନାତୁଣୀ ପାଣି କାଢିବା ଵେଳେ ପିତଳ ଗରାଟି ଖସିଗଲା, ଧୁଣ୍ଡାକୁ ଡାକିବାରୁ କହିଲା ସକାଳୁ ଯିବି, ହେଲେ ସକାଳୁ ଦେଖିବା ବେଳକୁ ଗରା ନାହିଁ, ତାକଥା ନ ସରୁଣୁ ଆଉଜଣେ ମାଇପି କହିଲେ, ଆଲୋ ଏଇ କଥା ପରା ଦୁଇ ଦିନ ତଳେ ଝିଅ ପାଣି ନେବାକୁ ଆସି ପିତଳ ବାଲଟିଟି ପକାଇ ଦେଲା, ମୋତେ ମଧ୍ୟ ଧୁଣ୍ଡା ସେହି କଥା କହିଲା, ହେଲେ ସକାଳୁ ଦେଖିଲା ବେଳକୁ ବାଲ୍ଟି କୁଅରେ ନାହିଁ । ଏହା ଶୁଣି ଚମ୍ପା କହିଲା ମୋର ମନେ ହେଉଛି, ଏଧିରେ ସେହି ଧୁଣ୍ଡା ହି ରହିଛି । ଆମେ କୌଶଳ କରି ତାକୁ ଧରି ପାନେ ଦେବା । ଆମ ମଧ୍ୟରୁ ଜଣେ ଯାଇ ଗରାଟିଏ ପଡି ଯାଇଛି କହି ତାକୁ ଡାକିବା ଆଉ ସେ ମଧ୍ୟ ତାକୁ ଆଗ ଭଳି କହିବ । ଆମେ ତାକୁ ରାତିରେ ଜଗି ରହି ଧରିବା । ସେହି ଅନୁସାରେ ଚାରି ମାଇପି ଲୁଚି ରହିଲେ । ଠିକ୍ ଅର୍ଧ ରାତ୍ର ବେଳକୁ ଧୁଣ୍ଡା ଆସି କୂଅରେ ପଶି ଗରାଟି ବାହାର କରି ଉପରକୁ ଉଠିଲା ବେଳେ ସମସ୍ତେ ସେଠାରେ ପହଞ୍ଚି ଗଲେ, ଧୁଣ୍ଡା ସେମାନଙ୍କୁ ଦେଖି ଓଦା ସରସରରେ ଥରୁଥାଏ । ମାଇପିମାନେ ତାକୁ ବାଡିଆ ପିଟା କରି ରାତିସାରା ଅଟକାଇ ରଖି ସକାଳୁ ଗାଆଁ ମୁଖିଆ ପାଖକୁ ନେଲେ । ତା' ଘର ଅନୁସନ୍ଧାନରୁ ସମସ୍ତ ଗରା,ବାଲଟି ଆଦି ଚିହ୍ନି ନିଜ ନିଜର ଜିନିଷ ଘରକୁ ଆଣିଲେ । ନିଷ୍ପତ୍ତି କ୍ରମେ ଗାଆଁ କୋଠ ଉନ୍ନତି ପାଇଁ ପାଞ୍ଚ ଟଙ୍କା ଜରିମାନା ଦେବାକୁ କହିଲେ । ଧୁଣ୍ଡା ମଧ୍ୟ ଆଉ ଏହି ଭଳି କେବେ କରିବ ନାହିଁ କହି ଘରକୁ ଗଲା । ପିଲାଏ ଏହି ଭଳି କେବେ ଲୋକଙ୍କୁ ଠକିବା ପାଇଁ ଚେଷ୍ଟା କରିବ ନାହିଁ । (ଲୋଭ ପାପସ୍ଯ କାରଣମ୍)



Rate this content
Log in