KUMAR SIPUN

Tragedy Action Crime

3  

KUMAR SIPUN

Tragedy Action Crime

କଳି

କଳି

2 mins
111


ମାଆ ଚାଲିଯିବା ପରେ ଶୁଦ୍ଧି କ୍ରିୟା ଭଲରେ ଭଲରେ ହେଇଗଲା, ଦୁଇ ଭାଇ ଆଜି ପଇସା ପାଇଁ ମାଡଗୋଳ ଲାଗିଛନ୍ତି । ବଡ଼ ଭାଇ କହୁଥାଏ, "ମୁଁ ବଡ଼ ତେଣୁ ମୋର ବେଶି ଅଧିକାର ସାନ କହୁଥାଏ "ମାଆ ମୋତେ ବେଶି ଭଲ ପାଉଥିଲା । ତେଣୁ ଏଥିରେ ମୋର ବେଶି ଅଧିକାର" । 


ଦୁଇ ଯାଆ ମୁରୁକି ମୁରୁକି ହସୁଥାନ୍ତି । କେମିତି ଦୁଇ ଭାଇ କଳି ଝଗଡ଼ା ଲାଗୁଛନ୍ତି ଛୋଟ ପିଲାଙ୍କ ପରି ଘର ଚାଳି ବାହାରଟାରେ ।

ସେ ବି କୁମ୍ପୀ ଡବାଟେ ପାଇଁ ! ମାଆର କୁମ୍ପୀ ଡବା ସେ ବି କୋଉ ମେଳା କି ବଡ଼ ଦୋକାନରୁ କିଣା ହେଇନଥିଲା । ନଡ଼ିଆ ତେଲ ସରିଗଲା ପରେ ସେଇ ଟିଣା ଡବାରେ ହିଁ ଛୋଟ କଣା କରି ଖୁଚୁରା ପଇସା ରଖିବା ମାଆର ବହୁତ ପୁରୁଣା ଅଭ୍ୟାସ । ଆଇସକ୍ରିମ ବାଲା ଆସୁ କି ପାମ୍ପଡ ବାଲା ଗାଁକୁ ବିକ୍ରି ଆସିଲେ ଦୁଇ ଭାଇ ଚୋରି କରି ନିଅନ୍ତି ସେଇ କୁମ୍ପୀ ଡବାରୁ ଦୁହିଁଙ୍କ ଭିତରୁ କେହି ଯଦି ଏକା ଏକା ନେଇଯାଏ ଆର ଜଣଙ୍କ ମାଆ ପାଖରେ ଫେରାଦ୍ ଦିଏ । ମାଆ ମାରେନି କୁମ୍ପୀ ଡବାକୁ ଲୁଚେଇ ଦିଏ ଆଜି ସିନା ଏ ଦୁଇ ଭାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ହେଲେ ଦିନ ଥିଲା ସେଇ କୁମ୍ପୀ ଭାଙ୍ଗିଲେ ହିଁ ଗାଁ ମେଳଣ ପଡ଼ିଆରେ ଏମାନେ ଯାତ୍ରା ଦେଖିପାରନ୍ତି ଭଲ ମନ୍ଦ ଖାଇ ପାରନ୍ତି । 


ଆଜି ସେଦିନ ଆଉ ନାହିଁ କି ମାଆ ବି ନାହିଁ । ଗୋଟେ ପୁଅ ବାଙ୍ଗାଲୋରରେ ସଫ୍ଟୱେର ଇଞ୍ଜିନିୟର ତ ଆଉ ଜଣେ ବମ୍ବେରେ ଡାକ୍ତର । ଦୁଇ ଜଣଯାକଙ୍କର କୋଉଥିରେ ବି ଅଭାବ ନାହିଁ । ହେଲେ ଆଜି ୟେ କହୁଛି, "ମାଆର କୁମ୍ପୀ ମୋ ପାଖରେ ରହିବ" ତ ଆଉ ଜଣେ କହୁଛି ମୋ ପାଖରେ ରହିବ । କାହିଁକି ନା ସେ କୁମ୍ପୀ ଡବାରେ ଖାଲି ଖୁଚୁରା ନଥିଲା ! ଥିଲା ଅନେକ ଅଭୁଲା ସ୍ମୃତି, ଅଜସ୍ର ଭାବାବେଗ, ଅସରନ୍ତି ଭଲପାଇବା, ମାଆର ମିଠା ତାଗିଦ୍...ଖାଲି ଆଜି ବୋଲି ନୁହେଁ ପିଲାଟି ଦିନରୁ ହିଁ ଦୁଇ ଭାଇଙ୍କର ଆଖି, ମାଆର ସେଇ କୁମ୍ପୀ ଡବା ଉପରେ ।


ଦୁଇ ଯାଆ ହସି ହସି ଏକା ବେଳେ କହିଲେ, "ତୁମେ ଦୁଇ ଭାଇ ଅଲଗା ଜାଗାରେ ନ ରହି ଗୋଟିଏ ଜାଗାରେ ରହିଲେ ହୁଅନ୍ତାନି" । ଦୁଇ ଭାଇ ଦିହେଁ ଦିହିଁଙ୍କୁ ଅନାଅନି ହେଲେ, ଏକା ସାଙ୍ଗରେ କହି ଉଠିଲେ ଏଥର ଗାଁ'ରେ ହିଁ ରହିବା ସମସ୍ତେ ଏକାଠି । ଠିକ୍ ଏତିକିବେଳେ ଶୁଭିଲା ଆଇସକ୍ରିମ ବାଲାର ଡବ୍ ଡବି ଦୁଇ ଭାଇ କୁମ୍ପୀ ଆଡ଼କୁ ଚାହିଁଲେ । ସାନ ଧାଇଁ ଯାଇ ଚିମୁଟାଟା ଆଣି ବଡ଼ ଭାଇ ହାତକୁ ବଢେଇ ଦେଲା । କୁମ୍ପୀ ଖଡଖଡ କରି ବଡ଼ ପଇସା କାଢିଲା ବେଳକୁ ଏମିତି ଲାଗିଲା ଯେମିତି ମାଆ ପାଟି କରି କହୁଛି , "ହେଇ ରଖ ସେ କୁମ୍ପୀ" ! ରଖିଦେଲେ ଦୁଇ ଭାଇ କୁମ୍ପୀଟିକୁ । ମାଆ ଫଟୋ ଆଡ଼କୁ ଅନେଇଲେ ଦୁଇ ଭାଇ । ମାଆ ମୁରୁକି ହସି କହୁଥିଲା, "ହଉ ଆଜି ନେଇଯାଅ ପଇସା, ହେଲେ ଖବରଦାର ଯେତିକି ନେଇଛ ସେତିକି ଯେମିତି ଆଣି ପୁରେଇ ଦେବ ଯଥାଶୀଘ୍ର । ଲକ୍ଷ୍ମୀଛଡା କରିବନି ମୋ କୁମ୍ପୀଡବାକୁ" ।



Rate this content
Log in

Similar oriya story from Tragedy