ନିରୀହ ଆଦିବାସୀ
ନିରୀହ ଆଦିବାସୀ
ଆଦିମ କାଳରେ ଆମର ପୂର୍ବଜମାନେ ପାହାଡ ଜଙ୍ଗଲରେ ହିଁ ରହୁଥିଲେ । ଜଙ୍ଗଲ ଜାତୀୟ ପଦାର୍ଥକୁ ବ୍ୟବହାର କରୁଥିଲେ । ନା ଆଲୋକର ବ୍ୟବହାର ବିଷୟରେ ଜାଣିଥିଲେ ଆଉ ନା ଗମନା ଗମନ ପାଇଁ କୌଣସି ରାସ୍ତା ଆଉ ଜାନବାହନର ବ୍ୟବସ୍ଥା ଥିଲା । ଏବେ ବି ସେମିତି କିଛି ଆଦିବାସୀ ଏରିଆ ଅଛି ଯେଉଁଠି ଲୋକମାନେ ସହରର ଚାକ ଚମ୍ୟ ଠାରୁ ଦୂରରେ ଅଛନ୍ତି । ଆଜିର କାହାଣୀ ସେମିତି ଗୋଟିଏ ଗାଁ କୁ ନେଇ ।
ପାହାଡର ପାଦ ଦେଶରେ ଗାଁଟିଏ । ଗାଁର ନା ନିଆଳି । ଗାଁର ପରିବେଶ ଭାରି ମନୋମୁଗ୍ଧକର । ଚାରିଆଡେ ସବୁଜ ଗଛ । ଶାନ୍ତ ପରିବେଶ ନା ଅଛି ଗାଁ କୁ ପକା ରାସ୍ତା ନା ଗାଡି ମଟରର ଶବ୍ଦ । ସେଠିକାର ଘର ଗୁଡିକ ମଧ୍ୟ ଛୋଟ ଛୋଟ ଚାଳ ଛପର ଘର । ନାଲି ମାଟି ରେ ଘର ଗୁଡିକ ଲିପା ଯାଇଛି ଆଉ ତା ଉପରେ ସୁନ୍ଦର ସୁନ୍ଦର ଝୋଟି । ସତରେ ସେ ଘରର ସୌନ୍ଦର୍ଯ୍ୟ ଆଗରେ ଆମର ଏ ମାର୍ବଲ ଘର ମଧ୍ୟ ଫିକା ପଡିଯିବ । ସେଠିକାର ଲୋକମାନେ ସବୁ ଜଙ୍ଗଲ ଉପରେ ହିଁ ଭରଷା କରି ଚଳିଥାନ୍ତି । ବହୁତ ନିରିହ ଲୋକ । ହରିବାବୁ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ତାଙ୍କର ନିଆଳି ଗାଁକୁ ବଦଳି ହେଇଯାଇଥାଏ । ସେ ବହୁତ ଚିନ୍ତାରେ ଥାନ୍ତି । କଣ କରିବେ କେମିତି ପିଲାମାନଙ୍କୁ ବୁଝେଇ ସ୍କୁଲ କୁ ଆଣିବେ ଆଉ ପାଠ ପଢେଇବେ । କାରଣ ସେମାନେ ତ ପାଠ ପଢିବାକୁ ଆଗ୍ରହି ନୁହନ୍ତି । ପୁଣି ଘରଠୁ ଏତେ ଦୂର । ଯଦି ଘରେ କିଛି ଅସୁବିଧା ହୁଏ ତାଙ୍କ ପାଖରେ ଖବର ବି ପହଞ୍ଚି ପାରିବନି । କିନ୍ତୁ ଯିବାକୁ ତ ପଡିବ ସରକାରି ଚାକିରି ଯାହା ତାଙ୍କର ନିର୍ଦ୍ଦେଶ ତାକୁ ମାନିବାକୁ ପଡିବ ।
ରମାଦେବୀ ହରିବାବୁଙ୍କ ଧର୍ମପତ୍ନୀ ଶୁଣିଲା ପରେ ଭାରି ମନ ଦୁଃଖ କଲେ ।
ରମା ଦେବୀ: ଆଛା ଶୁଣ ତମକୁ ଯଦି ଏକୁଟିଆ ଯିବାକୁ ଭଲ ଲାଗୁନି ତାହାଲେ ବବୁଲ ଆଉ ମୁଁ ତମ ସାଙ୍ଗରେ ଯିବୁ ଆଠ ଦଶଦିନ ରହି କରି ଆସିବୁ । ତା ଭିତରେ ତମେ ସେଠି ଲୋକମାନଙ୍କ ସହ ଭଲ ଭାବରେ ପରିଚିତ ହେଇଯିବ ।
ବବୁଲ:କିନ୍ତୁ ମାମା ମୋ ସ୍କୁଲ
ରମା ଦେବୀ : ମୁଁ ତୋ ସ୍କୁଲରେ କହି ଛୁଟି ନେଇ ଆସିବି ଆଉ ତୋ ବହି ସବୁ ନେଇଥିବୁ ବାବା ତତେ ସେଠି ପଢେଇଦେବେ । ବାସ୍ ଗୋଟେ ସପ୍ତାହ ପାଇଁ ।
ବବୁଲ: ମାମା ତମର ଯିବାର ଅଛି ତମେ ଯାଅ ମୁଁ ସେ ଆଦିବାସୀ ଏରିଆ କୁ ଯିବିନି ସେଠି ଲାଇନ ନାହିଁ ଏସି ନାହିଁ ଆଉ ସବୁଠୁ ବଡ ପ୍ରୋବଲେମ ମୋବାଇଲ ନେଟୱର୍କ ନାହିଁ plz ମୁଁ ସେଠିକୁ ଯିବିନି ମୋତେ ମାମୁ ଘରେ ଛାଡିଦିଅ ।
ରମା ଦେବୀ:ତୁ ଥରଟେ ସେଠିକି ଚାଲ ଦେଖିବୁ ସେଠିକାର ପରିବେଶ ତତେ ଭଲ ଲାଗିବ ଆଉ ମୋବାଇଲ କଥା ତୁ ପୁରା ଭୁଲିଯିବୁ । ତୁ କହୁଥିଲୁ ନା ବାବା ଆମେ କୁଆଡେ ଗୋଟେ ବୁଲିବାକୁ ଯିବା ବୋଲି । ତୁ ଏଇଟାକୁ ପିକନିକ ଟୁର ବୋଲି ଭାବିନବୁ । ବହୁତ ବୁଝା ବୁଝି ପରେ ବବୁଲ ରାଜି ହୋଇଗଲା ଯିବାପାଇଁ । ତାପରଦିନ ସମସ୍ତେ ବାହାରିଲେ ନିଆଳି ଗାଁକୁ ।
ସେଠି ପହଞ୍ଚିବାକୁ ତାଙ୍କୁ ଗୋଟିଏ ଦିନ ଲାଗିଗଲା । ସେଠି ଯାଇ ସ୍କୁଲର ଗୋଟିଏ ଘରେ ରହିଲେ । ଯେଉଁଠି ଆଉ ଜଣେ ଶିକ୍ଷକ (ରମେଶ) ମଧ୍ୟ ରହୁଥିଲେ ଏକୁଟିଆ । ସିଏ ସ୍କୁଲ ବିଷୟରେ ହରିବାବୁଙ୍କୁ ସବୁକିଛି କହିଲେ । ସମୁଦାୟ 12 ଟି ପିଲା ଆସୁଥିଲେ ସ୍କୁଲକୁ । ତେଣୁ ହରିବାବୁଙ୍କ ପ୍ରଥମ କାମ ଥିଲା କେମିତି ସ୍କୁଲରେ ପିଲା ସଂଖା ବଢାଯିବ ସିଏ ସେଥିରେ ଲାଗିପଡିଲେ । ରମା ଦେବୀଙ୍କୁ ସେଠିକାର ସ୍ତ୍ରୀ ଲୋକଙ୍କ ସହ ମିଳିମିଶା କରିବାକୁ ଭାରି ଭଲ ଲାଗୁଥିଲା ସେମାନେ ପିନ୍ଧିଥିବା ଗହଣା ସବୁ ମଧ୍ୟ ତାଙ୍କୁ ଭାରି ଭଲ ଲାଗୁଥିଲା । କିନ୍ତୁ ବବୁଲ ତାକୁ ଏଠି ଜମ୍ମା ଭଲଲାଗୁନଥାଏ । ସେ କାହା ସାଙ୍ଗରେ ମିଶୁ ନଥାଏ ସବୁବେଳେ କହୁଥାଏ ଏମାନଙ୍କୁ କେବେ ବି ଆମ ଘରକୁ ଡାକନି ଏମାନେ ବିଲକୁଲ ବି ପରିଷ୍କାର ନୁହନ୍ତି ବହୁତ ଅସନା ।
ରମା ଦେବୀ ଆଉ ହରିବାବୁ ସବୁବେଳେ ତାକୁ ବୁଝାନ୍ତି କି ଏମିତି କହିବାଟା ଠିକ ନୁହଁ, କିନ୍ତୁ ସିଏ କେବେ ବି ମାନେନି ।
ଥରେ ରମାଦେବୀଙ୍କ ଉପରେ ରାଗିକରି ବବୁଲ ଘରୁ ବାହାରିଗଲା ଏକୁଟିଆ । ଜଙ୍ଗଲ ରାସ୍ତା ତାକୁ ରାସ୍ତା ବି କିଛି ଜଣାନାହିଁ । କିଛିବାଟ ଗଲାପରେ ଥକା ଲାଗିବାରୁ ଗୋଟିଏ ଗଛ ତଳେ ବସିପଡିଲା । ସେ ଗଛରେ ଗୋଟିଏ ସାପ ଥିଲା ଯିଏ ବବୁଲକୁ କାମୁଡିଦେଲା ଆଉ ବବୁଲ ବହୁତ ଜୋରରେ ଚିଲେଇବାକୁ ଲାଗିଲା ସେଠି କିଛି ପିଲା କେନ୍ଦୁ ଖାଇବାପାଇ ଆସିଥାନ୍ତି । ସେମାନେ ପାଟି ଶୁଣି ଶବ୍ଦ ଆସୁଥିବା ଜାଗାଆଡକୁ ଗଲେ । ଦେଖିଲେ ବବୁଲ ସେଠି ପଡି ଛଟ ଛଟ ହଉଛି । ତାଙ୍କ ଭିତରୁ ଜଣେ କହିଲା ଆରେ ଇଏତ ହରି ସାରଙ୍କ ପୁଅ । କଣ ହେଲା ବବୁଲ ବାବୁ ବୋଲି ଜଣେ ପଚାରିଲା ।
ମୋତେ ଗୋଟେ ସାପ କାମୁଡି ଦେଇଛି ବୋଲି ବବୁଲ କହିଲା । ସଙ୍ଗେ ସଙ୍ଗେ ଜଣେ ଗଛର ଲତାକୁ ଛିଣ୍ଡାଇ ଆଣି ବବୁଲର ଗୋଡରେ ବାନ୍ଧିଦେଲା । ଆଉ ଜଣେ କିଛି ପତ୍ର ଆଣି ତା ହାତରେ ମକଚି ସେ ଚୋଟ ବାଜିଥିବା ଜାଗାରେ ଲଗେଇ ଦେଲା । ଆଦିବାସୀ ପିଲା ତେଣୁ ସେମାନେ ସାପ କାମୁଡା ପାଇଁ କେଉଁ ଚେରମୂଳି ଗଛ ଦରକାର ଅଳ୍ପ ବହୁତ ଜାଣିଥାନ୍ତି । ଆଉ ଜଣେ କୋଉ ସାପ କାମୁଡିଛି ଜାଣିବା ପାଇ ଗଛ ଲତାତଳେ ସାପକୁ ଖୋଜିବାରେ ଲାଗିଲା । ତାଙ୍କ ଭିତରୁ ଜଣେ ସବୁଠୁ ବଡ ଥିଲା ଟିକେ ହୃଷ୍ଟପୃଷ୍ଟ ଥିଲା ସିଏ ବବୁଲ କୁ କାନ୍ଧରେ ପକେଇ ଗାଁ ବଇଦଙ୍କ ପାଖକୁ ଦଉଡିଲା । ଆଉ କହିଲା ଶିଘ୍ର ଯାଇ ସାର୍ ଙ୍କୁ ଖବର ଦିଅ ଆଉ ତାଙ୍କୁ ବଇଦଙ୍କ ଘରକୁ ଆସିବା ପାଇଁ କୁହ ।
ଆଉ ଜଣେ କହୁଛି ବଇଦଙ୍କ ଘରଏଠୁ ଏତେ ଦୂର ଆମେ କଣ ଏମିତି କାନ୍ଧେଇକି ୟାଙ୍କୁ ନେଇପାରିବା । ବଳ ସାଳି ପିଲାଟି କହୁଛି ଆଉ କଣ କରିବା ଯେମିତି ହେଲେ ବଞ୍ଚେଇ ବାକୁ ପଡିବ ୟାଙ୍କୁ ଆମ ସାର୍ ଙ୍କ ପୁଅଟି ଇଏ । ବବୁଲ ସବୁ ଶୁଣୁଥାଏ ଆଉ କିଛି ସମୟ ପରେ ସେ ଚେତାଶୂନ୍ୟ ହେଇଗଲା ।
ଆଉ ଯେତେବେଳ ତାର ଚେତା ଆସିଲା ସେ ନିଜକୁ ବଇଦଙ୍କ ଘରେ ଖଟିଆ ଉପରେ ଶୋଇଥିବାର ପାଇଲା । ଆଉ ସେତେବେଳକୁ ସିଏ ବୁଝିସାରିଥିଲା ଯେଉଁମାନଙ୍କୁ ସେ ଆଦିବାସୀ ଅପରିଷ୍କାର ବୋଲି କହୁଥିଲା ଆଜି ସେଇମାନଙ୍କ ପାଇଁ ସେ ବଞ୍ଚିଛି । ସେମାନଙ୍କର ସରଳ ପଣିଆ, ଭଲପାଇବା ଆଉ ତା ବାବାଙ୍କ ପ୍ରତି ସମ୍ମାନ ତାକୁ ଆଜି ବଞ୍ଚେଇ ଦେଇଛି । ଯାହା ହୁଏତ ସହରର ଲୋକମାନଙ୍କ ପାଖରେ ସିଏ କେବେ ଦେଖିବାକୁ ପାଇନଥିଲା ।
ତେଣୁ ମଣିଷର ପରିଚୟ ତାର ପିନ୍ଧିବା ଶୈଳିରୁ ନୁହଁ ବରଂ ତାର ହୃଦୟରୁ ଜଣାଯାଏ ।
