gitanjali maharana

Tragedy

3  

gitanjali maharana

Tragedy

କିଏ ଲୋ ମାଆ

କିଏ ଲୋ ମାଆ

4 mins
490


ଦୁର୍ଗା ମାଆ ଲୋ ମୋ ଛୁଆ କୁ ତୁ ଭଲ କରି ଦେ ଲୋ ମାଆ ତୁ ଆଜି ଏ ଧରାରେ ଅବତରିଛୁ ଯେତେ କଷ୍ଟ ଦବା କଥା ମତେ ଦେ ପଛେ ମୋ ଛୁଆକୁ ଘଣ୍ଟ ଘୋଡେଇ ରଖ ଲୋ ମା, କହି ବିକଳରେ କାନ୍ଦୁଥାଏ । କାଲି ସନ୍ଧ୍ୟାରୁ ପାହାନ୍ତା ପହର ହେଲାଣି ଛୁଆଟା ବୋଧ ହଉନି, ରା ରା ହେଇ ହାଲିଆ ହେଇଗଲେ ଆଖିବୁଜି ପଡିଯାଉଛି ମା ତା ପାଟିରେ କ୍ଷୀର ଗେଞ୍ଜି ଦଉଚି । କଣ କରିବ ନିଆଶ୍ରୀଟା ।ଛୁଆକୁ କୋଳରେ ଧରି ତାର ଫିକା, ମଉଳା ମୁହଁକୁ ଦେଖି ଛାତି ଫାଟି ଯାଉଛି । ଅଖିଆ ଅପିଆ ପେଟରେ ଘୁମୁରି ଘୁମୁରି କାନ୍ଦୁଚି ।

ତା ଡାକ ଦୁର୍ଗା ମା ଶୁଣିଲେ ବୋଧେ ବାବୁ ବାବୁଆଣୀ ଲାଇଟ ନେଇ ଆସି ମା କୋଳରୁ ଛୁଆକୁ ଆଉଁସି ଆଉଁସି ନେଇ କାଖେଇଲେ । ମା ଝଟ ପଟ ହେଇ ଉଠି ପଡିଲା ଛୁଆ ପୁଣି କାନ୍ଦିଲା । ମା ତା ମୁହଁକୁ ଟିକେ ଚାହିଁ ଆଉଁସି ଦେଲା ଯା ଧନ, କାହିଁକି କାନ୍ଦୁଛୁ କାଲିରୁ ତୋ କାନ୍ଦ ଶୁଣି ତତେ ବୋଧେ ଡାକ୍ତର ପାଖକୁ ନେଉଛନ୍ତି ନହେଲେ କେବେ ତ ଏମିତି ଅଚାନକ ରାତିରେ ବାବୁଆଣୀ ଅଶାନ୍ତିନି? କାନ୍ଦେ ନା ରେ ଧନ ଔଷଧ ବୁନ୍ଦାଏ ପେଟରେ ପଡିଲେ ପେଟ ପୁରା ଭଲ ହେଇଯିବ । ସାଙ୍ଗେ ସାଙ୍ଗେ ନେଇ ଆସିବେ, ପୁଣି ମୋ କୋଳରେ ଶୋଇ କ୍ଷୀର ଖାଇବୁ । ଛୁଆ କାନ୍ଦି କାନ୍ଦି ନିରୀହ ଆଖିର ମାକୁ ଚାହିଁ ଥାଏ ମା ବି ଲୁହ ଟଳ ମଳ ଆଖିରେ ଛୁଆ ଅଦୃଶ୍ୟ ହବା ଯାଏ ଚାହିଁ ଥାଏ ।


ମା ମନଟା ଜମା ବୁଝୁନି ଗଳେଇଘାଣ୍ଟି ହଉଚି ଛୁଆଟା ଯାଇ କେତେବେଳେ ଟିକେ ଖାଇଥିଲା, ତଣ୍ଟି ଶୁଖିଯିବନି କି କଣ? କେତେ କାନ୍ଦୁଥିବ, ଗଲାବେଳେ ଥରେ କ୍ଷୀର ଦେଇଥିଲେ ହେଇଥାନ୍ତା । ବାବୁଆଣୀ ତ ତରତର ହେଇ ନେଇଗଲେ ବାବୁଆଣୀ ନିଶ୍ଚୟ ଜାଣି ପାରି ତାକୁ ପାଣି ଟୋପେ ପେଇଦେଇଥିବେ । ହେଇଲୋ ବାହାରେ ପାଟି ସୁଭିଲାଣି, ମୋ ଧନ ଆସିଲାଣି କି କଣ, ହଁ ତ ଆଉ.... । ବାବୁ ବାବୁଆଣୀଙ୍କ ପଛେ ପଛେ ଦୁଇ ଚାରିଟା ଭୁଷୁଣ୍ଡା ମଣିଷଙ୍କ ଭିତରୁ ଜଣେ ଛୁଆକୁ କାନ୍ଧରେ ପକେଇ ଆଣୁଚି । ଛୁଆଟା ପୁରା ନିଝଲିଆ ହେଇଯାଇଛି ଯେ ଗୋଡ ଦିଟା ଠାଏ ଠାଏ ଝୁଲିଲା ପରି ଦେଖାଯାଉଛି । ଶୀଘ୍ର ଆଣିଲ ମୋ ଛୁଆକୁ ଟିକେ ଖୋଇଦେଇ ଆଉଁସି ଦିଏ । କହୁ କହୁ ସେ ଲୋକ ଛୁଆକୁ ଦାଣ୍ଡ ଦୁଆରେ କଚାଡି ପକାଇଲା । ଛୁଆକୁ ଦେଖି ମା ହାଉ ହାଉ ଚିତ୍କାର କରି ବାଡେଇ ଛାଟି ହେଇ କାନ୍ଦିଲା, ଗତ ବର୍ଷ ତୋ ବାପକୁ ଫୁଲମାଳ ପକେଇ ନେଇଗଲେ ଯେ ଆଉ ସେ ଫେରିଲେ ନାହିଁ ଆଜି ପୁଣି ତୋତେ.... ତୋର ଇ ଅବସ୍ଥା କିଏ କଲାରେ ଧନ... ଜିଏବି ଏମିତି କରିଚି ତାର ସର୍ବ ନାଶ ହଉ.... ସତରେ ମାର ଲୁହ ହଉ କି କୋହ, ଆଶୀର୍ବାଦ ହଉ କି ଅଭିଶାପ କେବେ ବ୍ୟର୍ଥ ଯାଏନି l କାନ୍ଦିବା ଭିତରେ ବାବୁଆଣୀଙ୍କ କଥା କାନରେ ପଡ଼ିଲା ଆର ବର୍ଷ ମୋ ପୁଅ ସିରିଏସ ଥିବାବେଳେ ଗୋଟେ ବଳି ଦେବାକୁ ମାଙ୍କ ପାଖରେ ମାନସିକ କରିଥିଲି, ଯାହାହଉ ଏତେଦିନେ ପୂରଣ ହେଲା l


ମଣିଷ କାହିଁକି କଥା କଥା କେ କହେ "ତୁ ମଣିଷ ନା ପଶୁ "ପଶୁ କଣ ନିଜ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ନିଜ ଶରଣରେ ଥିବା ନିରୀହ ଦୁର୍ବଳ ମାନଙ୍କ ପ୍ରତି ଅନ୍ୟାୟ କରେ l ମଣିଷ କହେ ପଶୁ ମାନଙ୍କର ଅଧ୍ୟାତ୍ମ ଚିନ୍ତନ ନାହିଁ କାରଣ ପଶୁ ସମାଜରେ ମନ୍ଦିର ମସଜିଦ, ପୂଜା ପାଠ ନାହିଁ ସତ କିନ୍ତୁ ସେ କିନ୍ତୁ ଇଶ୍ୱର ଙ୍କ ନାଁରେ ନିଜ ପେଟ ପୂଜା କରେ ନାହିଁ l ସେ ଯୁଗେ ଯୁଗେ ଶାନ୍ତିପ୍ରିୟ ଜିବ, ତାର ଶାନ୍ତି ଯେ ଭଙ୍ଗ କରେ ସେ ଆକ୍ରମଣ କରେ । ନାଇଁ ତ ନିଜ ପେଟର ଭୋକ ସମ୍ଭାଳି ନପାରି ଶିକାର କରେ l ନିଜ ପୁଅର ମଙ୍ଗଳ ପାଇଁ ଅନ୍ୟ ପୁଅକୁ ବଳି ଦିଏ ନାହିଁ । ସତରେ କଣ ଦେବୀ ମା ରକ୍ତ ମାଗନ୍ତି ସେ ରକ୍ତ ବଦଳରେ ଗୋଟେ ମାର କୋଳ ଶୂନ୍ୟ କରି ଆଉ ଗୋଟେ ମାଆର କୋଳ ପୂର୍ଣ୍ଣ କରନ୍ତି l ଛିଃ ଛିଃ ନିଜକୁ ଜ୍ଞାନୀ, ପଣ୍ଡିତ ବୋଲାଉ ଥିବା ମଣିଷ କେତେବଡ ଧର୍ମାନ୍ଧ, ଅନ୍ଧବିଶ୍ୱାସୀ l


ହେଲେ ଏତେକଥା ମାଆ ବୁଝେନାହିଁ, ସେ କେବଳ ଏତିକି ଜାଣେ ତା ପୁଅକୁ ବଳି ଦେଇ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି । ହେଲେ ତୁ ପ୍ରତିବାଦ କରିପାରିବୁ ନାହିଁ କି ସେମାନଙ୍କୁ ଟାଣି ଘୋଷାରି ମାରିପାରିବୁ ନାହିଁ କାରଣ ତୁ ଗୋଟେ ନିରୀହ ଶରଣାର୍ଥୀ । ତୁ ଏମାନଙ୍କ ପାଖେ ଶରଣ ପସିଛୁ । ତେଣୁ ସେମାନେ ଯାହା ଚାହିଁବେ ସେଇଆ କରିବେ । ତୁ କାନ୍ଦି କାନ୍ଦି ମରିଗଲେ ବି କାହାରି କିଛି ଯାଏ ଆସେନାହିଁ । କାରଣ ତୁ ଗୋଟେ ସାମାନ୍ୟ ଛେଳି, ତୋ ଛୁଆ ଗୋଟେ ଛେଳି ଛୁଆ l

ସବୁଦିନ ଛେଳି ମା ଛାତି ଫଟେଇ ନିଃଶବ୍ଦରେ କାନ୍ଦେ...

ବହୁଦିନ ପରେ ଦେଖିଲା ମୁଣ୍ଡରୁ ପାଦ ଯାଏ ବିଶେଷ ଧରଣର ପୋଷାକରେ ଆବୃତ ମଣିଷ ସଦୃଶ ଜନ୍ତୁ ମାନେ ଆସି ବାବୁଆଣୀ ଠାରୁ ତାଙ୍କ ଜରୁଆ ଛୁଆକୁ ଛଡେଇ ନେଇଗଲେ । ବାପ ମା ଦିହେଁ ଘରେ ତାଲା ଦେଇ ଗାଈ, ଛେଳି, ମେଣ୍ଢା ଖୋଲିଦେଇ କୁଆଡେ ଚାଲିଗଲେ ।

ଛେଳିଟି ଯୁଆଡେ ଚାହୁଁଚି ସିଆଡେ ଯାଉଛି ।ନୀଳ ଆକାଶରେ ଧଳା ବାଦଲ ଖଣ୍ଡ ଖୁସିରେ ଭାସି ଯାଉଛି । ରାତିର ସ୍ପଷ୍ଟ ଆକାଶରେ ଜହ୍ନ ତାରା ମାନେ ଆହୁରି ଚିକ ମିକ କରୁଛନ୍ତି । ନିର୍ମଳ ସୁଲୁସୁଳିଆ ପବନ । ପଶୁ ମାନେ ସବୁଜ ଜଙ୍ଗଲର ନୀଳ କଅଁଳିଆ ପତ୍ର ଖାଇ ପରିଷ୍କାର ନଦୀ ଝରଣାର ପାଣି ପି ରାସ୍ତାରେ ଦଳ ଦଳ ହେଇ ଏ ସୁନ୍ଦର ସୃଷ୍ଟିକୁ ଉପଭୋଗ କରୁଛନ୍ତି । ବାଧା ଦବାକୁ ମଣିଷ ନାହାନ୍ତିl

ଘରେ ଘରେ ତାଟି କବାଟ । ଛେଳି ମାର କିନ୍ତୁ ବାବୁଆଣୀଙ୍କ ଛୋଟ ଛୁଆ କଥା ମନେପଡେ । ସେଦିନ ଦେଖିଲା ବାପ ମା ଦୁହେଁ ଫେରିଲେ, ତାଙ୍କ ପୁଅକୁ କୋରାନା ବୋଲି କିଏ ଗ୍ରାସ କରିଥିଲା ଯେ ଆଉ ଛାଡିଲା ନାହିଁ । ପୁଅକୁ ଶେଷ ଥର ପାଇଁ ଦେଖେଇ ନଦେଇ ତାକୁ ନେଇ ଇଲେକ୍ଟ୍ରି ଚୁଲ୍ଲାରେ ଉଭାନ କରିଦେଲେ । ଇଏ କି କଥା ଲୋ ମା ।ଆମ ପରି ନିରୀହ ପଶୁ ପକ୍ଷୀ ମାନଙ୍କ ଆଗରେ ନିଜ ପିଲା , ସ୍ୱାମୀ, ସମ୍ପର୍କୀୟଙ୍କୁ ଟାଣିନେଇ ହାଣି ମାରି ନିଜ ପେଟରେ ଉଭାନ କରିଦେଉଥିବା ମଣିଷର କିଏ ପୁଣି ତା ଆଖି ଆଗରେ ତା ପରିବାରର ଗୋଟେ ଗୋଟେ ଲୋକଙ୍କୁ ନେଇ ନଦେଖେଇ ନ ଛୁଁଏଇଁ କୋଉ ଚୁଲ୍ଲାରେ ଉଭାନ କରିଦେଉଛି l ।

ଏ ମଣିଷ ମାନଙ୍କୁ ନିଜ ଘରେ ବାନ୍ଧି ଏ ମୂର୍ଖ ନିର୍ବୁଦ୍ଧିଆ ପଶୁମାନଙ୍କୁ ଏତେ ସ୍ୱାଧୀନତା ଦେଲା କିଏ ଲୋ ମା..... l


Rate this content
Log in

Similar oriya story from Tragedy