gitanjali maharana

Children Stories Inspirational

3  

gitanjali maharana

Children Stories Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

7 mins
151


ଆସି ଦିନ ଦିପହର ହେଲାଣି ରାଜଜେମା ଶୋଇଛନ୍ତି l କିଲୋ...ଉଠିବୁନି କି l ତେଣେ ବାବୁ ଘରେ ତତେ ଅନେଇ ଥିବେ l  

  ମୀନାକୁ ଦୁଇ ଦିନ ହେଲା ଜର l ତଥାପି କାଲି କାମ କରିବାକୁ ଯାଇଥିଲା l ସକାଳୁ ସଞ୍ଜ ଯାଏ ବାବୁ ଘରେ କାମ କରେ l ବାସନ ମାଜେ l ଝାଡୁ ମାରେ l କପଡା ସଫା କରେ l ତାରି ବୟସର ବାବୁଙ୍କ ଝିଅ ସୁଇଟିର ଜୋତା ସଫା କରେ l ତା ବ୍ୟାଗ ସ୍କୁଲ ଗାଡି ପାଖକୁ ନେଇଯାଏ, ଆଉ ଟହଲ ଟୁକୁରା କରେ l ଏଥିପାଇଁ କେତେ ପାରିଶ୍ରମିକ ପାଏ ତାକୁ ଜଣା ନାଇଁ, ତା ସାବତମାଆ ଜାଣେ l ସେ କିନ୍ତୁ ବାବୁ ଘରେ ଦି ଓଳି ଦି ମୁଠା ପେଟ ଭରି ଖାଏ ସେତିକି ତା ପାଇଁ ଢେର l ମାସ ଶେଷକୁ ତା ମାଆ ବାବୁ ଘରୁ ଟଙ୍କା ଆଣେ ବୋଲି ରାତିରେ ମୁଠାଏ ଖାଇବାକୁ ଦିଏ l ଯୋଉ ଦିନ ମଦୁଆ ବାପ ଉପରେ ମାର ତାନ ଉଠିଥାଏ ସେଦିନ ମାନି ଉପରେ ରାଗ ସୁଝେଇ ଗୋଇଠା ବିଧାରେ ତା ପେଟ ପୁରାଏ l ବାର ତେର ବର୍ଷର ପିଲା ବିନା ଦ୍ୱିଧାରେ ମେସିନ ପରି କାମ କରୁଥାଏ l 

ସକାଳୁ ସକାଳୁ ବାବୁ ଘରେ ଚହଳ ପଡିଗଲା, ସୁଇଟିର ଘଣ୍ଟା ଚୋରି ହେଇ ଯାଇଛି l ସମସ୍ତେ ଘର ସାରା ଖୋଜି ସାରିଲେଣି ହେଲେ ମିଳୁନି l ସୁଇଟି କହିଲା କିଏ ନେଇଛି ମୁଁ ଜାଣିଚି ବାପା l ସେଇ ମିନା ନେଇଛି l କାଲି ମୋ ଘଣ୍ଟାକୁ ଖାଲି କଣେଇ କଣେଇ ଚାହୁଁ ଥିଲା l ସମସ୍ତଙ୍କ ମନକୁ ପାଇଲା.କାହଁକି ନା ସତରେ ବି ମୀନାର ଟିକେ ହାତ ଉଠା ପ୍ରକୃତି ଅଛି l ଦିନେ ଦିନେ ଆଁରା କାଆଁରା ହେଲା ପରି ଚାରିଆଡେ ଆଖି ବୁଲାଉଥାଏ l କାମ କରୁ କରୁ ଯାହା ପାଏ ଲୁଚେଇ କି ପାଟିରେ ପୁରେଇ ଦିଏ l ବାବୁ କାନରେ କି ଆଖିରେ କଥା ପଡିଲେ ତାକୁ ବାଡେଇ ବାଡେଇ ତା ଅଭ୍ୟାସ ଥଣ୍ଡା କରନ୍ତି l ମିଛରେ ବାହାନା ମାରି କହେ କାଲିଠୁ ବୋଉ ଖାଇବାକୁ ଦେଇନି l ଭୋକରେ ପେଟ ମୁଣ୍ଡ କଣ ହେଇ ଗଲାଣି ବାବୁ l ଆରେ ଖାଇନୁ ଯଦି ଆଉ ଘଣ୍ଟାଏ ପରେ ଖାଇବୁ l କିଏ ମନା କଲା l ଅପେକ୍ଷା କର ସମସ୍ତେ ଖାଇ ସାରନ୍ତୁ ହେଲେ ସେ କି ମାନିବାର ଜନ୍ତୁ l ଏବେଠୁ ତା ମୁହଁ ନ ଭାଙ୍ଗିଲେ କାଲି ଯେ ଆଉ କଣ ଚୋରି ନ କରିବ ବୋଲି କିଏ କହିବ l କାଲି କଥା ଦେଖ ସୁଇଟିର ମାମୁଁ ସୁଇଟି ପାଇଁ ବାହାର ଦେଶର ଘଣ୍ଟା ଗୋଟେ ଆଣିଥିଲେ, ବାବୁଆଣୀ ଝିଅକୁ ଘଣ୍ଟା ପିନ୍ଧେଇ ଦେଇ ଡାଇନିଂରେ ଝିଅକୁ ବସେଇ ମୁଣ୍ଡକୁ ଆଉଁସି ଆଉଁସି ଖୋଇ ଦଉଥିଲେ, ବାପା, ମାମୁଁ ମଧ୍ୟ ପାଖରେ ବସିଥିଲେ ମୀନା ବାହାନା କରି ସେଇ ବାଟେ ବାରମ୍ବାର ଯିବା ଆସିବା କରୁଥାଏ, ଆଉ କଣେଇ କଣେଇ  ସୁଇଟିର ଘଣ୍ଟାକୁ କେମିତି ଚାହୁଁ ଥାଏ l ସମସ୍ତେ ଦେଖିଛନ୍ତି l ତେଣୁ ସୁଇଟି କଥା ସମସ୍ତଙ୍କ ମନକୁ ପାଇଲା l ବାବୁଙ୍କ ଆଖି ରାଗରେ ଲାଲ ପଡିଗଲା l ମୀନାକୁ ଡାକ ପଡିଲା l 

   ସାବତ ମାଆ ଡାକରେ ମିନା ଉଠି ବସିଲା, ଜର ଟିକେ ଓହ୍ଲେଇ ଯାଇଛି l କାନ୍ଥକୁ ଧରି ପାଦେ ପାଦେ ଚାଲି ଆସି ଦାଣ୍ଡ ଦୁଆରେ ବସିଛି କି ନାହିଁ ସିଆଡୁ ବାବୁ ଘରର ପରପୁଅ (ଚାକର) ଆସି କହିଲା ମିନା ଚାଲ ଶୀଘ୍ର, ତତେ ବାବୁ ଡାକୁଛନ୍ତି l ମିନା କହିଲା ମୋ ଦେହ ଭଲ ନାହିଁ l ଦୁଇ ଦିନ ହେଲାଣି ଜର ହେଇଚି l ଚାଲି ପାରୁନି କେମିତି ଯିବି l କାଲି ଯାଇ କାମ କରିବି l ପର ପୁଅ ଗାମୁଛାରେ ମୁହଁରୁ ଝାଳ ପୋଛି କହିଲା, ମିନା ତୁ ଭଲରେ ନଗଲେ ବାବୁ ଆସି ତତେ ଟାଣି ଟାଣି ନେବେ l ଭଲ ଯୋଗ ଅଛି ଯଦି ତୁ ଶୀଘ୍ର ଚାଲ l 

ରାହାବାଳୀ ମାଆ ଘର ଭିତରୁ ପାଟି ଚିଲେଇ ଚିଲେଇ ବାହାରି ଆସିଲା ଆଲୋ କଣ କରିଚୁ କି, ନିଆଁ ଜଳି, ପୋଡା ମୁହିଁ ଜନମରୁ ତ ମାଆକୁ ଖାଇଛୁ, ତୋ ଜାଳାରୁ ଆମେ ବି ମରିବୁ l ସାବତ ମାଆର ହାତ ଗୋଡ଼ ତା ପିଠିରେ ଚାଲିବା ପୂର୍ବରୁ ମୀନା ଛିଣ୍ଡା ଲୁଗା ଖଣ୍ଡେ ଘୋଡେଇ ହେଇ ପାଦେ ପାଦେ ଚାଲି ବାବୁ ଘରକୁ ବାହାରିଲା.


 ବାବୁ ଘର ଦାଣ୍ଡରେ ପାଦ ନ ଦେଉଣୁ ବାବୁ ତାକୁ ରାସ୍ତାରୁ ତାଙ୍କ ଉପର ଦାଣ୍ଡକୁ ଘୋସାରି ଘୋସାରି ନେଇଗଲେ l ଆଜି କାହିଁକି କାମକୁ ଆସିନୁ, ମୀନା ଥର ଥର ହାତକୁ ଯୋଡ଼ି କହିଲା ବାବୁ ମତେ ଦି ଦିନ ହେଲା ଜର ହେଇଚି l ସେଥିପାଇଁ....ତା ପାଟିରୁ କଥା ଛଡେଇ ନେଇ ସୁଇଟି କାନ୍ଦି କାନ୍ଦି କହିଲା ବାପା କାଲି ମୋ ଘଣ୍ଟା ନେଇଛି ବୋଲି ଆସିନି l କହୁଛି କଣ ନା ମୋ ଦେହ ଭଲ ନାହିଁ l କହି ମାଆ ପାଖକୁ ଗେହ୍ଲେଇ ହେଇ ଆଉଜି ଗଲା l 

  ବାବୁ ମୀନା ହାତକୁ ଧରି କହିଲେ କାଇଁ ଜର ନାଇଁ ତ l ମୋ ଝିଅ ସତରେ କହୁଥିଲା ବାହାନା କରୁଛି l କହି ହଳୁଆ ପାଞ୍ଚଣ ଆଣି ଗାଇ ଗୋରୁ ପରି ପିଟି ଦେଇ ଗଲେ l ପାଟିରେ ଭାଷା ଅଭାଷା ଯେତେ ଜୋର ମୀନା ଉପରେ ମାଡ଼ ବି ସେତେ ଜୋର l ମୀନା କୁକୁର ଛୁଆ ପରି କେଁ କେଁ ହେଇ ଦାଣ୍ଡ ଧୂଳିରେ ନଟକାଳୀ ହେଇ ମୁଣ୍ଡ କାନ ପିଠି ଆଉଁସୁ ଥାଏ l ପାଟି ଅଠା ଅଠା ହେଇଗଲାଣି l କିଛି କହିବାକୁ ଦେହରେ ଜୁ ନାହିଁ l ଧୀରେ ଧୀରେ ନିରବ ହେଇଗଲା l ବାବୁ ତଥାପି ପିଟି ଚାଲିଛନ୍ତି l ବାବୁଆଣୀ ସହି ନପାରି ଦୌଡ଼ି ଆସି ବାବୁଙ୍କ ହାତ ଧରି ପକେଇ କହିଲେ ପିଲାଟାକୁ ମାରିଦେବ ନା କଣ.? ବାବୁ ସେଇଠି ପାଞ୍ଚଣ ଫୋପାଡ଼ି ଦେଇ ଥୁ କରି ଘର ଭିତରକୁ ଚାଲିଗଲେ l ବାବୁଆଣୀ ପାଣି ଟୋପେ ତା ମୁହଁରେ ଛାଟିଲେ ମୀନା ବିଳି ବିଳଉ ଥିଲା ବାବୁ ମୁଁ ଘଣ୍ଟା ନେଇନି, ମୁଁ ଘଣ୍ଟା ନେଇନି....ବାବୁଆଣୀ କହିଲେ ମୀନା ତୁ ଏଠୁ ଜୀବନ ନେଇ ପଳେଇ ଯା l ବାବୁ ପୁଣି ଯଦି ଆସିବେ ତୁ ଆଉ ଜୀବନ ପାଇବୁନି...

   ମୀନା ପାଦେ ପାଦେ ଚାଲି ଦାଣ୍ଡ ତଳକୁ ଗଲା ସାବତ ମାଆ କଥା ମନ ପଡ଼ିବାରୁ ଭୟରେ ଶିତେଇ ଉଠିଲା l ପାଞ୍ଚଣ ପାହାରରେ ଦେହ ନୋଳା ଫାଟି ରକ୍ତ ଜର ଜର l ପାଦରୁ ମୁଣ୍ଡ ଯାଏ ପୋଡା ଜ୍ୱାଳା ହଉଚି l ଦେହ ମନ ସବୁ ଅସହ୍ୟ ଯନ୍ତ୍ରଣାରେ ଛଟ ପଟ l ତଣ୍ଟି ଶୁଖି ଗଲାଣି l ଆଖ ପାଖ ଚାହିଁଲା କାହାରି ଘର ନାହିଁ l ରାସ୍ତା କଡରେ ଆମ୍ବ ତୋଟା, ସେଇଠି ଗୋଟେ ପୋଖରୀ ଅଛି l ସେଇ ଆମ୍ବ ତୋଟା ଭିତରେକୁ ପଶିଲା ପାଣି ଟୋପେ ପିଇବା ପାଇଁ l ଆମ୍ବ ତୋଟାର ଛାଇ ନିଜ ପଣତରେ ସତେ କି ଆଉଁସି ଦଉଥିଲା ତାକୁ l ଭାରି ଆରାମ ଲାଗିଲା l ଦେହ ଝାଏଁ ଝାଏଁ ହେଇ ଯାଉଛି l ସେଇ ପୋଖରୀ କୁଳ ଆମ୍ବ ଗଛ ମୂଳେ ଥକା ହେଇ ଘଡ଼ିଏ ବସିଗଲା l  


  ସୁଇଟି ଆଲମିରା ଖୋଲି ବ୍ରେସଲେଟ ଡବାଟା ଆଣି ଖୋଲିଲା ବେଳକୁ ଘଣ୍ଟା ଅଛି l ତରତର ହୋଇ ଡ୍ରେସିଂ ଟେବୁଲର ଡ୍ର ଖୋଲିଲା ବେଳକୁ ଦେଖେ ତ ସେଥିରେ ବ୍ରେସଲେଟ ଅଛି ସୁଇଟିର ମନ ପଡିଲା କାଲି ଅନ୍ଧାରରେ ଶୋଇବା ବେଳେ ସେଇ ଡ୍ରରୁ ବ୍ରେସଲେଟ ବଦଳରେ ଘଣ୍ଟା ଆଣି ଆଲମିରାରେ ରଖି ଦେଇଛି l ମୁଣ୍ଡ ତାର ଝାଇଁ ଝାଇଁ ହୋଇଗଲା l କାହାକୁ କିଛି ନ କହି ମୀନା ଘରକୁ ଦୌଡିଲା, ମୀନା ଭଉଣୀ ଦାଣ୍ଡ ଦୁଆରେ ଠିଆ ହୋଇଥିଲା, ମୀନା ଶୋଇଥିବ ଭାବି ସୁଇଟି ତା ଭଉଣୀକୁ ପଚାରିଲା ମୀନା କୋଉଠି ଶୁଏ, ତା ଭଉଣୀ ସୁଇଟିକୁ ତା ଘର ଭିତରକୁ ନେଇଗଲା l ମେଲାର ସନ୍ତସନ୍ତିଆ ମାଟି ଚଟାଣ ଉପରେ ଏନ୍ତୁଡି ପରି ଖଣ୍ଡିଆ ସପ ଉପରେ ଛିଣ୍ଡା କନ୍ଥା, ଲୁଗା, ତକିଆ ଆଳିମାଳି ହେଇ ପଡିଛି l ମୀନା ଭଉଣୀ ସେ ସବୁକୁ ଉଠେଇ ଝାଡି ଦେଲା, ତକିଆ ତଳୁ ମୀନା ବୋଉର ପୁରୁଣା ଫୋଟୋ ଖଣ୍ଡେ ମିଳିଲା, ତା ଭଉଣୀ କହିଲା ସୁଇଟି ଦିଦି ଭଲ ଭାବରେ ହେଇ ଦେଖ ସେ ଘଣ୍ଟାକୁ କୋଉଠି ରଖିନି l ତାକୁ ଦୁଇ ଦିନ ହେଲା ଜର କାଲି ମୋ ବୋଉ ତାକୁ ମାରିକି ଜବରଦସ୍ତି ତମ ଘରକୁ କାମ କରିବାକୁ ପଠେଇ ଥିଲା l ତମ ଘରୁ ସେ ଆସିଲା ପରେ ମୁଁ ଖାଇବାକୁ ଡାକିଲି ମନା କଲା କହିଲା ଦେହ ଭଲ ଲାଗୁନି କହି ଏ ଫୋଟୋ ଧରି କାନ୍ଦି କାନ୍ଦି ଶୋଇ ପଡିଲା l ଆଜି ସକାଳୁ ବିଛଣାରୁ ଉଠି ଦାନ୍ତ ବି ଘଷିନି ତମ ଘରକୁ ଯାଇଛି ଯେ ଏ ଯାଏ ଆସିନି. l 


  ଘର ପାଖ ପିଲା ଜାଣେ ଆସି କହିଲା ମୀନା ଆମ୍ବ ତୋଟା ଭିତରକୁ ଯାଉଥିଲା ମୁଁ ଦେଖିଛି l ସ୍ତବ୍ଧ ହେଇ ଛିଡା ହେଇଥିବା ସୁଇଟି କାହାକୁ କିଛି ନକହି ଆମ୍ବ ତୋଟାକୁ ଦୌଡିଲା, ତା ପଛେ ପଛ ସେ ପଡୋଶୀ ପିଲା, ମୀନାର ସାନ ଭଉଣୀ, ସାବତ ମାଆ ସମସ୍ତେ ଦୌଡ଼ିଲେ l ଆମ୍ବ ଗଛକୁ ମୀନା ଅଚିନ୍ତାରେ ଆଉଜି କି ଶୋଛି l ପାଦେ ଗଲେ ପୋଖରୀ ହେଲେ ଯାଇ ପାରିନି ଶୋଇକି ଉଠିଲେ ଯାଇ ପାଣି ପିଇବ ବୋଲି ଭାବି ବୋଧହୁଏ ଶୋଇଛି, ଦରଫୁଟା, ନିଷ୍କପଟ ଫୁଲ ପରି ମୁହଁ ଚିନ୍ତା, ଦୁଃଖ, ଯନ୍ତ୍ରଣାରୁ ମୁକ୍ତ ହୋଇ ଯେମିତି ଶାନ୍ତିରେ ଶୋଇଲାପରି ଦେଖାଯାଉଛି l ସୁଇଟି ତାକୁ ମୀନା ମିନା କହି ହଲେଇ ଦେବାରୁ ସେ ଟଳି ପଡିଲା ଆର ପଟକୁ l 

    ସୁଇଟି ଛାତିରେ ଅଦୃଶ୍ୟ ନିଆଁ ହୁଳାଟା ଯେମିତି ଗେଂଜି ହେଇଗଲା l ପାଦରୁ ମୁଣ୍ଡ ଯାଏ ସେ ନିଆଁର ଯନ୍ତ୍ରଣାରେ ଅସ୍ତ ବ୍ୟସ୍ତ l ସୁଇଟି ଭାବୁଥିଲା ସତ କଥା ନଜାଣି ସନ୍ଦେହରେ ଏମିତି କଥାଟା ହାଲକା ଭାବରେ କହି ଦେଲି ଜାଣି ନଥିଲି ମିନା ସେଥିପାଇଁ ତୁ ମତେ ଏତେ ବଡ ଶାସ୍ତି ଦବୁ ବୋଲି l ପାଉଁଶ ତଳର ନିଆଁ ଭଳି ସୁଇଟି ମନରେ ସମସ୍ତଙ୍କ ଅଜାଣତରେ ଜଳୁଥିଲା ନିଆଁ l ଜଳୁଛି, ଜଳିବ ଜୀବନ ଥିବା ଯାଏ ଜାଳୁଥିବ ଏମିତି l ଅବ୍ୟକ୍ତ କୋହର ଅନ୍ତର୍ଦାହରେ ଛଟପଟ ହଉଥିବ....

  ସୁଇଟି ମିନାକୁ କୁଣ୍ଢେଇ କାନ୍ଦୁ କାନ୍ଦୁ ହଠାତ ରହିଯାଇ ମିନା ଛାତିରେ ଭଲ ଭାବରେ ମୁଣ୍ଡ ଥୋଇ କାନ ପାରିଲା l ଉଠି ପଡି ଚିତ୍କାର କରି ସମସ୍ତଙ୍କୁ ଚାହିଁ କହିଲା ମିନା ବଞ୍ଚିଛି...ମିନା ମୁହଁକୁ ହାତରେ ଧରି କହିଲା ମିନା ତୋର କିଛି ହବନି ମୁଁ ଅଛି କହି ଘରକୁ ଦୌଡିଲା l ଧଇଁ ସଇଁ ହେଇ ବାପାକୁ କହିଲା ବାପା ଶୀଘ୍ର ଗାଡି ବାହାର କର l ବାପା ଆଶ୍ଚର୍ଯ୍ୟ ହେଇ କିଛି ପଚାରିବା ପୂର୍ବରୁ ସୁଇଟି କହିଲା କିଛି ପଚାରନା ମୋ ରାଣ ଗାଡି ଶୀଘ୍ର ବାହାର କର l ମୁଁ ଗାଡ଼ିରେ ସବୁ କଥା କହିବି l 

  ବାବୁ ଗାଡିକୁ ସିଧା ନେଇ ଆମ୍ବ ତୋଟାରେ ଛିଡା କରି ମିନାକୁ କାନ୍ଧରେ ପକେଇ ଆଣି ଗାଡ଼ିରେ ପଛ ସିଟରେ ଶୁଆଇ ଦେଲେ l ସୁଇଟି ମିନା ମୁଣ୍ଡକୁ ନିଜ କୋଳରେ ରଖି ପଛ ସିଟରେ ବସିଲା l ବାପା ଆଗରେ ନିଜର ସବୁ ଭୁଲ ମାନିଲା କହିଲା ବାପା ମିନାକୁ ଯେମିତି ହେଲେ ଭଲ କରିଦିଅ l ମୋ ଭୁଲ ପାଇଁ ତା ପରି ନିରୀହ, ସରଳ ଗରିବ ପିଲା କେତେ କଷ୍ଟ ପାଇଲା l ତାର ଯଦି କିଛି ହେଇଯାଏ ମୁଁ ମୋ ନିଜକୁ କ୍ଷମା କରି ପାରିବି ନାହିଁ l କହି ମିନା ମୁଣ୍ଡକୁ ଆଉଁସି ଦେଇ କଇଁ କଇଁ ହେଇ କାନ୍ଦିଲା l ବାବୁ ନିଜ ଝିଅର ପଶ୍ଚାତାପ ଓ ନିର୍ମଳ ହୃଦୟକୁ ଦେଖି ଖୁସି ହଉଥିଲେ ଆଉ ନିଜର କ୍ରୂରତା ପାଇଁ ସେତିକି ଅନୁତାପ କରୁଥିଲେ ମଧ୍ୟ l  

   କିଛି ସମୟ ପରେ ଗାଡି ଯାଇ ହସ୍ପିଟାଲରେ ପହଞ୍ଚିଲା l ମିନାର ଚିକିତ୍ସା ଆରମ୍ଭ ହେଲା l କିଛି ସମୟ ପରେ ଡାକ୍ତର ଆସି କହିଲେ ଧନ୍ୟବାଦ ଆପଣଙ୍କୁ ପିଲାଟାକୁ ଠିକ ସମୟରେ ଆଣି ପହଞ୍ଚେଇଲେ l ଏବେ ସେ ବିପଦରୁ ମୁକ୍ତ l ସେ ବହୁତ ଦୁର୍ବଳ ହେଇ ଯାଇଛି ଠିକ ହବାକୁ ସମୟ ଲାଗିବ l ମିନା ଖୁସିରେ କାନ୍ଦି କାନ୍ଦି ବାପା ହାତ ଧରି କହିଲା ବାପା ମୋ ଜନ୍ମ ଦିନ ଆଉ ଆଠ ଦିନ ପରେ ଏଥର ମୋ ଗିଫ୍ଟ ମତେ ମୋ ଇଚ୍ଛାରେ ଦବ ମତେ କଥା ଦିଅ . l ବାପା ହସି କି ହଁ କହିଲେ l ସୁଇଟି କହିଲା ତେବେ ଆଜିଠୁ ମିନା ତୁମର ଆଉ ଗୋଟିଏ ଝିଅ ହବ l ମାନେ ତମେ ମତେ ଗୋଟେ ମୋ ଭଉଣୀ ଦବ l ମୁଁ ଯେମିତି ରହୁଛି, ଖାଉଛି, ପଢୁଛି, ପିନ୍ଧୁଚି ଯୋଉ ସ୍କୁଲ ଯାଉଛି ସବୁ ସମାନ ସୁବିଧା ସୁଯୋଗ ସେ ମଧ୍ୟ ପାଇବ l ସେ ମୋ ଜୀବନ ବଦଳେଇ ଦେଇଛି ବାପା l ସେ ମେଡିକାଲରୁ ଗଲେ ତାଙ୍କ ଘରକୁ ନୁହେଁ ସିଧା ଆମ ଘରକୁ ଯିବ l ବାପା ବି ଚାହୁଁଥିଲେ ନିଜର ପ୍ରାଯଶ୍ଚିତ ପାଇଁ ତେଣୁ ସମ୍ମତି ଜଣେଇଲେ l ହସ୍ପିଟାଲରେ ସୁଇଟି ସାତ ଦିନ ରହି ତାର ସେବା ଶୁଶ୍ରୁଷା କରି ଭଲ କରି ଘରକୁ ଆଣିଲା l 

 ମିନାର ନା ଏବେ ସୁଇଟିର ଭଉଣୀ ବିଉଟି ହେଇଗଲାଣି l ବାବୁ ବାବୁଆଣୀଙ୍କୁ ବାପାବୋଉ ଡାକୁଛି l ସୁଇଟି ଆଉ ବିଉଟି ଦି ଜଣଙ୍କୁ ଏବେ ବାବୁଆଣୀ ଦି ପାଖରେ ବସେଇ ଡାଇନିଂରେ ଖୋଇ ବି ଦେଉଛନ୍ତି l  


  



Rate this content
Log in