Puspanjali Sahu

Inspirational Others

3  

Puspanjali Sahu

Inspirational Others

ଜେଜେଙ୍କ ଲଣ୍ଠନ

ଜେଜେଙ୍କ ଲଣ୍ଠନ

3 mins
201


ସେତେବେଳେ ମୁଁ ଛୋଟଟେ ହେଇଥାଏ। ଘରେ ସଭିଏଁ ମତେ ଖୁବ୍ ଭଲ ପାଆନ୍ତି। କିନ୍ତୁ ମୁଁ ସବୁଠୁ ବେଶି ଭଲପାଏ ମୋ ଜେଜେଙ୍କୁ। ଘରେ ଆମେ ମାତ୍ର ପାଞ୍ଚ ଜଣ ହେଲେ ସବୁ କାମରେ ଜେଜେ ମୋତେ ହିଁ ଆଗ ଖୋଜିବେ। ଜେଜେ କହୁଥିଲେ ଯେତେବେଳେ ମୋ ମାଆ ନୂଆଁ ବାହାହେଇ ଏ ଘରକୁ ଆସିଥିଲା ସେତେବେଳେ ମୋ ଜେଜି ମାଆ ବି ଠିକ୍ ଏମିତି ମୋ ମାଆକୁ ସବୁ କାମରେ ଖୋଜୁଥିଲା। ହେଲେ ଜେଜି ଚାଲିଗଲା ପରେ ମୋ ମାଆ ପୁରା ଏକା ହେଇ ଯାଇଛି। ଆଉ ଜେଜେ ବେଳେବେଳେ ଏମିତି ବି କୁହନ୍ତି, "ମୁଁ ବା ଆଉ କେତେ ଦିନର ଯେ ? ମୁଁ ବି କେତେବେଳେ ତୋ ଜେଜି ପାଖକୁ ଚାଲିଯିବି ଜଣାନାହିଁ। ହେଲେ ମୁଁ ଚାଲିଗଲେ ତୁ ମନ ଦୁଃଖ କରିବୁନି। ମୁଁ ତତେ ବହୁତ୍ ଭଲପାଏ ସେଥିପାଇଁ ତୁ ଖୁସିରେ ରହିଲେ ମୁଁ ବି ଆରପାରିରେ ଶାନ୍ତିରେ ରହିବି।


ଆଜି କାହିଁକି କେଜାଣି ଜେଜେଙ୍କ କଥା ଭାରି ମନେ ପଡୁଚି। ସେ ଯିବାର ପ୍ରାୟ କୋଡ଼ିଏ ବର୍ଷ ବିତିଗଲାଣି। ହେଲେ ବି ମୋର ସବୁବେଳେ ତାଙ୍କ କଥା ମନେ ପଡେ। ଆଉ ପଡ଼ିବନି ବା କାହିଁକି ! ସେ ମୋର ସବୁଠୁ ଭଲ ସାଙ୍ଗ ବି ଥିଲେ ନା। ତାଙ୍କ ଜୀବନର ପ୍ରତ୍ୟେକ ଛୋଟ ବଡ଼ ଘଟଣା ସେ ମତେ କହୁଥିଲେ, ଯେତେବେଳେ ମୁଁ ରାତିରେ ତାଙ୍କରି ପାଖରେ ଶୁଏ। ହେଲେ ଶେଷ ଦିନ ସେ ମତେ ଯାହା କହିଥିଲେ ମୁଁ ଭାବି ନଥିଲି ସେ କଥା ହିଁ ମୋ ଜୀବନକୁ ବଦଳେଇ ଦବ ବୋଲି।

ସେଦିନ ସକାଳୁ ଜେଜେ ଟିକେ ଅଲଗା ଦିଶୁଥାନ୍ତି। ଏମିତି ଲାଗୁଥିଲା ଯେମିତି ତାଙ୍କ ଦେହ ଆଜି ଭଲ ନାହିଁ ବୋଧେ।ହେଲେ ଯେଣତେଣ ପ୍ରକାରେ ସେ ଦିନସାରା କଟିଗଲା କିନ୍ତୁ ସନ୍ଧ୍ୟା ହଉ ହଉ ଜେଜେଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲା। ବାପା ସାଙ୍ଗେ ସାଙ୍ଗେ ଡାକ୍ତର ଡାକି ଆଣିବାକୁ ଗଲେ। ବୋଉ ଜେଜେଙ୍କ ପାଖରେ ବସି ଗୋଡହାତ ଅଣ୍ଡାଳି ଦଉଥାଏ। ଅପା ବି ବସି ଚୁପଚାପ୍ ସବୁ ଦେଖୁଥାଏ। କିନ୍ତୁ ଜେଜେଙ୍କୁ କିଛି ସାହାଯ୍ୟ କରି ପାରୁ ନଥାଏ, ଠିକ୍ ମୋ ଭଳି। କିଛି ସମୟ ପରେ ଜେଜେ ହାତ ଠାରି ମୋତେ ତାଙ୍କ ପାଖକୁ ଡାକିଲେ ଆଉ ତାଙ୍କ ଖନୀ ମାରିଯାଉଥିବା ସ୍ଵରରେ କହିଲେ ମୋ ଖଟ ତଳେ ମୁଣ୍ଡ ପାଖରେ ଥିବା ବାକ୍ସଟି ଖୋଲ୍। ମୁଁ ବାକ୍ସଟି ଖୋଲି ଦେଖିଲି ସେଥିରେ ଗୋଟେ ଭଙ୍ଗା ଲଣ୍ଠନ ଥୁଆ ହୋଇଥାଏ। ବୋଉ ସେ ଲଣ୍ଠନ ଦେଖି ଲୁଗକାନି ରେ ମୁହଁ ଲୁଚେଇ କାନ୍ଦିଲା। ଅପା ମତେ କହିଲା ବୋଉ କୁଆଡେ ଜେଜମା କୁ ମନେ ପକେଇ କାନ୍ଦୁଚି। ତାପରେ ମୁଁ ଜେଜେଙ୍କୁ ଚାହିଁଲି, ସେ ମତେ ଧୀର କଣ୍ଠରେ କହିଲେ ଏଇଟି ହଉଛି ତୋ ଜେଜେମା ର ଲଣ୍ଠନ। ଯେତେବେଳେ ସେ ନୂଆଁ ବାହାହେଇ ମୋ ସହ ଏ ଘରକୁ ଆସିଥିଲା ମୁଁ ପ୍ରଥମ ଥର ଏଇ ଲଣ୍ଠନ ଆଲୁଅରେ ତା ମୁହଁ ଦେଖିଥିଲି। ତା ପରଠୁ ଏ ଲଣ୍ଠନ ଆମ ସୁଖଦୁଃଖ ସବୁ ଶୁଣିଛି ରାତି ଅଧ ଯାଏ। ହେଲେ ତୋ ଜେଜେମା ମତେ ଛାଡ଼ିଗଲା ପରେ ମୁଁ ଏ ଭଙ୍ଗା ଲଣ୍ଠନ କୁ ଆଉ କେବେ ଖୋଲିନି କି ଜାଳିନି। କିନ୍ତୁ ମୁଁ ଏବେ ଚାହୁଁଛି ତୁ ଏ ଲଣ୍ଠନ କୁ ସଜାଡି ତୋ ପାଖରେ ରଖ। ଏଇ ଲଣ୍ଠନ ଆଲୁଅରେ ମୁଁ ସବୁବେଳେ ତୋ ପାଖରେ ରହିବି। ବାସ୍ ଏତିକି କହି ଜେଜେ ଆରପାରିକୁ ଚାଲିଗଲେ। ବାପା ଡାକ୍ତର ନେଇ ଆସୁ ଆସୁ ଜେଜେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ।

ଜେଜେଙ୍କ କ୍ରିୟା ସଂସ୍କାର ସରିବା ପରେ ମୁଁ ଖୁବ୍ ଯତ୍ନର ସହ ସେ ଭଙ୍ଗା ଲଣ୍ଠନ କୁ ସଜାଡ଼ିଦେଲି। ଆଉ ଯେତେବେଳେ ମୁଁ ଲଣ୍ଠନଟିକୁ ଜଳେଇଲି ମତେ ସତରେ ଲାଗିଲା ଯେମିତି ଜେଜେ ସେ ଆଲୁଅ ଭିତରେ ଥାଇ ମତେ ଦେଖୁଛନ୍ତି। ଘରର ବିଜୁଳି ଆଲୁଅ ଠାରୁ ଏ ଲଣ୍ଠନ ଆଲୁଅ ମତେ ବେଶି ଅଧିକ ଭଳି ଲାଗିଲା। ଆଉ ସେଦିନରୁ ସେ ଲଣ୍ଠନ ମୋ ପଢ଼ା ସାଥି ହେଇଗଲା। ଘରେ ସବୁ ଶୋଇଲା ପରେ ବିଜୁଳି ଆଲୁଅ ଜାଳି ସମସ୍ତଙ୍କୁ ହଇରାଣ ନକରି ମୁଁ ସେ ଲଣ୍ଠନ ଆଲୁଅରେ ପାଠ ପଢିଲି। ବେଳେବେଳେ ଘରର ବିଜୁଳି ଚାଲିଗଲେ ବି ସେ ଲଣ୍ଠନ ବହୁତ୍ କାମରେ ଲାଗୁଥିଲା। ଅପା କେତେଥର ସେ ଆଲୁଅରେ ବୋଉ ସହ ମିଶି ରୋଷେଇ କରିଛି। ବାପା ନିଜ ଅଫିସ୍ ଫାଇଲ ପଢ଼ିଛନ୍ତି ଆଉ ମୁଁ ଜେଜେଙ୍କୁ ନିଜ ପାଖରେ ଅନୁଭବ କରିଛି। ଏମିତିକି ମୁଁ ମୋ IAS ପରୀକ୍ଷା ପାଇଁ ବି ଏଇ ଲଣ୍ଠନ ଆଲୁଅରେ ପଢିଛ । ଯେତେବେଳ ମତେ ଲାଗେ ମୁଁ ପଢି ପଢି ଥକି ଯାଉଛି ସେତେବେଳେ ସେ ଲଣ୍ଠନ ଆଲୁଅ ଭିତରୁ ମୁଁ ଜେଜେଙ୍କ ହସହସ ମୁହଁ ଦେଖିପାରେ। ସତେ ଯେମିତି ସେ ମୋତେ କହୁଛନ୍ତି ବାସ୍ ଆଉ ଅଳ୍ପ ଦୂରରେ ତୋ ଲକ୍ଷ୍ୟ ତତେ ଅପେକ୍ଷା କରିଛି। ଆଉ ମୁଁ ପୁଣି ଲାଗିପଡେ ନିଜ ଲକ୍ଷ୍ୟ ହାସଲ ପାଇଁ।


ବାପା, ବୋଉ, ଅପା ଆଉ ଜେଜେଙ୍କ ଆଶୀର୍ବାଦରେ ମୁଁ IAS ପାଇଲି। ଚାକିରୀ କଲି। ଆଉ ଆଜି ଚାକିରୀ କରିବାର ଦୁଇବର୍ଷ ପରେ ମୋ ବାହାଘର କରେଇଛନ୍ତି ମୋ ଘର ଲୋକ। ଆଜି ମୋ ଜୀବନରେ ବି ସେ ଦିନ ଆସିଛି ଯୋଉଠି ମୁଁ ଠିକ୍ ମୋ ଜେଜେଙ୍କ ଭଳି ସେ ଦେଇଥିବା ଲଣ୍ଠନ ଆଲୁଅରେ ଦେଖିବି ମୋ ନବ ବିବାହିତା ବଧୂର ଚେହେରା।


Rate this content
Log in

Similar oriya story from Inspirational