STORYMIRROR

Puspanjali Sahu

Tragedy

3  

Puspanjali Sahu

Tragedy

ମୋ ଜନ୍ମଦିନ

ମୋ ଜନ୍ମଦିନ

2 mins
281

ବାବୁଙ୍କ ଘରେ ଆଜି ବହୁତ୍ ଭିଡ଼। ମାଆ ଆଉ ମୁଁ ସକାଳୁ କାମରେ ଲାଗିଛୁ ଯେ ଏଯାଏଁ ସରୁନି। ଦିନ ସାରା ବନ୍ଧୁ ପରିଜନଙ୍କଠୁଁ ଆରମ୍ଭ କରି କେତେ ଲୋକ ଆସୁଛନ୍ତି ଯାଉଛନ୍ତି ତାର ହିସାବ ନାଇଁ। ସଂଜ ହଉ ହଉ ବାବୁଆଣି ନୂଆଁ ଶାଢ଼ୀ ଆଉ ଗହଣା ପିନ୍ଧି ସଜବାଜ ହେଇ ବାବୁଙ୍କୁ ପାଟି କରୁଥାନ୍ତି ଶୀଘ୍ର ତିଆର୍ ହେବାକୁ। ମୁଁ ଯେ ସକାଳୁ ଏବେ ଯାଏଁ ମାଆକୁ ପଚାରି ଚାଲିଥାଏ ସେ ଏକା ପ୍ରଶ୍ନ, "ମାଆ ଆଜି ବାବୁଙ୍କ ଘରେ କଣ ହବ ?" ଆଉ ମାଆ ବି ମତେ ସକାଳୁ ସେଇ ଗୋଟିଏ ଉତ୍ତର ଦେଉଥାଏ, "ଆଜି ବାବୁଙ୍କ ଝିଅର ଜନ୍ମଦିନ।"

 " ହେଲେ ଏ ଜନ୍ମଦିନ ମାନେ କଣ ମାଆ ? ମୁଁ ତ ଜାଣିନି। ମୋ ଜନ୍ମଦିନ କେବେ ? ତୁ ତ ମତେ କେବେ କହିନୁ। ଆଉ ମୋ ଜନ୍ମଦିନରେ ଏମିତି ତ କେବେ ଲୋକ ଆସିବା ମୁଁ ଦେଖିନି। କହନା ମାଆ ମୋ ଜନ୍ମଦିନ କେବେ !! " ଏମିତି କେତେ କଣ ମୁଁ ପଚାରିଲି ମାଆକୁ। ମାଆ କିନ୍ତୁ ମତେ ଆଉ କିଛି ନକହି ତା ପଣତରେ ପୋଛୁଥାଏ ତାର ଲୁହ ଭିଜା ଆଖିକୁ। 

ଧିରେ ଧିରେ ସଂଜ ଗଡ଼ି ରାତି ହେଲା। ଆଉ ବାବୁଙ୍କ ଘରେ ଗହଳି ବି ବଢିଲା। ବାବୁଙ୍କ ଝିଅ ପରୀ ବି ଠିକ୍ ପରୀଟେ ପରି ନୂଆଁ ଡ୍ରେସ୍, ନୂଆଁ ଜୋତା , ହାତରେ ନୂଆଁ ଚୁଡ଼ି ଆଉ ପାଦରେ ନୂଆଁ ପାଉଁଜି ପିନ୍ଧି ଛମ୍ ଛମ୍ ଶବ୍ଦରେ ସିଡିରୁ ତଳକୁ ଓହ୍ଲେଇ ଆସିଲା। ହଲ୍ ରେ ଥୁଆ ହେଇଥିବା ବଡ଼ କେକ୍ ର ମହମବତୀ ସବୁକୁ ଲିଭେଇ କେକ୍ କାଟିଲା। ସମସ୍ତେ ଖୁବ୍ ଜୋର୍ ତାଳି ମାରି ମାରି ଗୀତ ଗାଇଲେ, ଆଉ ଆଣିଥିବା ଉପହାର ସବୁ ପରୀ ହାତକୁ ବଢେଇଦେଲେ। ମୁଁ କୋଣରେ ଠିଆ ହେଇ ସବୁ ଦେଖୁଥାଏ ଆଉ ମନେ ମନେ ଭାବୁଥାଏ ମୋ ମାଆ ଭାରି ଲୋଭୀ। ସେ କେବେ ତ କାଇଁ ଏମିତି ମୋ ଜନ୍ମଦିନ ପାଳିନି। ସେତେବେଳେ ପଛରୁ ମୋ ମାଆର କାନ୍ଦ କାନ୍ଦ କଥା ମତେ ଶୁଣାଗଲା। ସେ ଆଉ ଜଣେ କାମବାଲୀ ମାଉସୀଙ୍କୁ କହୁଥାଏ, " ମୋ ଝିଅକୁ ମୁଁ ଜନ୍ମ ଦେଇଥିଲେ ସିନା ମୁଁ ଜାଣନ୍ତି ତା ଜନ୍ମଦିନ କେବେ, ହେଲେ ମୁଁ ତ ତାକୁ.... କହୁକହୁ ମାଆ ଅଟକି ଗଲା।" ହଲ୍ ଭିତରେ ଖୁବ୍ ଜୋରରେ ଗୀତନାଚ ଆରମ୍ଭ ହେଇଗଲା ଆଉ ମୁଁ ସେ ଶବ୍ଦ ଭିତରେ ଜାଣିପାରିଲିନି ମୋ ଜନ୍ମଦିନ କେବେ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy