STORYMIRROR

Manaswani Sahoo

Inspirational

4  

Manaswani Sahoo

Inspirational

ଗୁରୁମା'

ଗୁରୁମା'

4 mins
22

ଭଦ୍ରକ ସହର ଉପାନ୍ତରେ ଆଦର୍ଶ ବିଦ୍ଯାଳୟ । ଭଲ ସ୍କୁଲ ଭାବେ ପରିଚୟ ଥିବାରୁ ସବୁ ବର୍ଗର ପିଲା ଓ ସେମାନଙ୍କର ପିତାମାତାଙ୍କର ସେ ସ୍କୁଲ ହିଁ ପ୍ରଥମ ପସନ୍ଦ।ଶ୍ରୀମତୀ ମହାପାତ୍ର ଅଳ୍ପଦିନ ଆଗରୁ ଶିକ୍ଷୟତ୍ରୀ ଭାବେ ସେ ସ୍କୁଲରେ ଯୋଗ ଦେଇ ଥାନ୍ତି।ତାଙ୍କୁ ଅଷ୍ଟମ ଶ୍ରେଣୀର ଶ୍ରେଣୀ ଶିକ୍ଷକ ଦାୟିତ୍ଵ ଦିଆଯାଇଥାଏ।ଶ୍ରୀମତୀ ମହାପାତ୍ର “ Good morning, Love you Students “ କହି ପ୍ରତିଦିନ ତାଙ୍କର କ୍ଳାସ ଆରମ୍ଭ କରନ୍ତି। କିଛିଦିନ ପରେ ଏକ ପିଲାର ଗତିବିଧି ଅନୁଧ୍ୟାନ କରି ସେ ଉପଲବ୍ଧି କଲେ ଯେ ସେ ପିଲାଟିର ଆଚରଣରେ ସେ ସନ୍ତୁଷ୍ଟ ନୁହନ୍ତି।ତେଣୁ ସେହି କ୍ଳାସରେ ତାଙ୍କର ‘Love you students’ ବକ୍ତବ୍ୟଟି ଯେ ସଠିକ , ସେଥିରେ ସେ ସନ୍ଦିହାନ ହେଲେ ।

ପିଲାଟି କ୍ଳାସର ଶେଷ ଧାଡିରେ ସବୁଦିନେ ବସେ।କୌଣସି ପ୍ରଶ୍ନର ଉତ୍ତର ଦିଏ ନାହିଁ, ମୁହଁ ତଳକୁ କରି ବସିଥାଏ। ସ୍କୁଲବ୍ୟାଗ ଅସ୍ତବ୍ଯସ୍ତ , ପୋଷାକ ଅପରିଷ୍କାର.,ମୁଣ୍ଡ କୁଣ୍ଡାଇବା ସେ ବୋଧେ ଶିଖି ନାହିଁ । ପିଲାର ନାଁ ଟି ତାର ଶୁଭମ।ପଢାଇଲା ବେଳେ ଶ୍ରୀମତୀ ମହାପାତ୍ର ସବୁ ପ୍ରକାର ନକାରାତ୍ମକ ଟିପ୍ପଣୀ ଶୁଭମକୁ ଲକ୍ଷ୍ୟ କରି ଦେଇଥାନ୍ତି ଓ ନିଜର ବିରକ୍ତି ଭାବ ତା ଉପରେ ହିଁ ଶେଷ କରିଥାଆନ୍ତି ।ସ୍କୁଲର ନିୟମ ଅନୁସାରେ ପ୍ରତି ତିନି ମାସରେ ପିଲାଙ୍କ ଉନ୍ନତି ଅନୁଧ୍ଧାନ କରାଯାଏ ଓ ସେସବୁ ଅଧ୍ଧକ୍ଷ ନିଜେ ତଦାରଖ କରନ୍ତି ।ଅଷ୍ଟମ ଶ୍ରେଣୀର Progress Report ଦେଖିଲା ବେଳେ ଶୁଭମର Progress Report ପାଖରେ ଅଟକିଗଲେ ଅଧ୍ଧକ୍ଷ।ଅଷ୍ଟମ ଶ୍ରେଣୀର କ୍ଳାସ ଟିଚର ଶ୍ରୀମତୀ ମହାପାତ୍ରଙ୍କୁ ଡକାଇଲେ ସେ ।ତାଙ୍କୁ କହିଲେ ଛାତ୍ରଟିର କଣ progress ହୋଇଛି ତାହା ଜଣାଇବା ପରିବର୍ତେ ଆପଣ ଏସବୁ କଣ ଲେଖିଛନ୍ତି ?

ଶ୍ରୀମତୀ ମହାପାତ୍ର ଶୁଭମ ବିରୁଦ୍ଧରେ ସମସ୍ତ ଅଭିଯୋଗ ଜଣାଇବା ପରେ ଅଧ୍ଧକ୍ଷ ତାଙ୍କୁ ଯିବାକୁ କହିଥିଲେ ଓ ଶୁଭମର ଗତ ତିନି ବର୍ଷର progress report ତାଙ୍କ ନିକଟକୁ ପଠାଇ ଦେଇଥିଲେ।Common Room ରେ ବସି ଶ୍ରୀମତୀ ମହାପାତ୍ର ଶୁଭମ୍ ର Progress Report ପଢୁଥିଲେ ।ଷଷ୍ଠ ଶ୍ରେଣୀର Progress Report ରେ ମନ୍ତବ୍ୟ : Brilliant and outstanding. He is asset of the Class ।ଆଶ୍ଚର୍ଯ୍ୟ ହୋଇଥିଲେ ଶ୍ରୀମତୀ ମହାପାତ୍ର Iସପ୍ତମ ଶ୍ରେଣୀର ମନ୍ତବ୍ୟ : Average , His mother is suffering from CHONIC DISEASE Iଭାଙ୍ଗି ପଡୁଥିଲେ ଶ୍ରୀମତୀ ମହାପାତ୍ର ଅଷ୍ଟମ ଶ୍ରେଣୀର ପ୍ରଥମ ତ୍ରୈୟମାସିକ ର ମନ୍ତବ୍ୟ : Below Average .He has lost his mother. He needs compassion and sympathetic attention .ଶ୍ରୀମତୀ ମହାପାତ୍ର Common Room ର ନିଭୃତ କୋଣରେ ବସି ସମସ୍ତଙ୍କ ଅଲକ୍ଷ୍ୟରେ ଲୁହ ପୋଛୁଥିଲେ ।

ପରଦିନ କ୍ଳାସରେ ପହଞ୍ଚି ଶ୍ରୀମତୀ ମହାପାତ୍ର ପ୍ରତିଦିନ ଭଳି କହିଥିଲେ : Love you students।ଦୀର୍ଘଶ୍ଵାସ ନେଇ ଉପଲବ୍ଧି କରିଥିଲେ , ଭୁଲ କହୁଛନ୍ତି ସେ ଶୁଭମକୁ , କେବଳ ଶୁଭମକୁ ହିଁ ସେ ସବୁଠାରୁ ଅଧିକ ଭଲ ପାଆନ୍ତି।ସେଇଦିନଠାରୁ ଶୁଭମ ପ୍ରତି ତାଙ୍କର ଧାରଣା ଓ ବ୍ୟବହାର ବଦଳି ଯାଇଥିଲା ।

ଗୁରୁଦିବସରେ ପିଲାମାନଙ୍କ ତରଫରୁ ଶ୍ରେଣୀ ଶିକ୍ଷକଙ୍କୁ କିଛି ଉପହାର ଦେବାର ବିଧି ପ୍ରଚଳିତ ଥାଏ ସେ ସ୍କୁଲରେ। ସମସ୍ତଙ୍କ ଉପହାର ସୁଦୃଶ୍ୟ ପ୍ୟାକେଟରେ ସଜାହୋଇ ଥୁଆ ହୋଇଥାଏ। କେବଳ ଗୋଟିଏ ପ୍ୟାକେଟ ଲୋଚାକୋଚା ଖବର କାଗଜରେ ଗୁଡା ହୋଇ କାନ୍ଥ କଡକୁ ଅଣଦେଖା ହୋଇ ପଡିଥିଲା।କାହିଁକି କେଜାଣି ଶ୍ରୀମତୀ ମହାପାତ୍ର ମନକୁ ଆସିଲା କାନ୍ଥ କଡରେ ଥିବା ପ୍ୟାକେଟଟା ନିଶ୍ଚୟ ଶୁଭମର ହୋଇଥିବ।ପ୍ୟାକେଟଟି ଖୋଲିଲେ ସେ ।ସେଥିରେ ଥିଲା ଅଧା ବ୍ୟବହାର କରାଯାଇଥିବା ଏକ ଇତ୍ର ଓ ପୁରୁଣା ଘଡି ଟିଏ।ସାଥି ପିଲାଙ୍କ ହାସ୍ୟରୋଳରେ କ୍ଳାସ କମ୍ପି ଉଠିଥିଲା i ଶ୍ରୀମତୀ ମହାପାତ୍ର ନିରବୀ ଯାଇଥିଲେ। ଦେଖୁଥିଲେ ଶୁଭମକୁ। ଶୁଭମ ଚାଲିଯାଇଥିଲା ଅନ୍ୟ ଏକ ଜଗତକୁ, ଖୋଜୁଥିଲା ସେଠାରେ ମା’ ର ଆଦର ଓ ମମତା। ଅନ୍ୟ ସମସ୍ତ ଉପହାର ଗୁଡିକୁ ଏଡେଇ ଦେଇ ଶ୍ରୀମତୀ ମହାପାତ୍ର ଦେହରେ କିଛି ଇତ୍ର ଲଗାଇଥିଲେ ଓ ଘଡିଟିକୁ ପିନ୍ଧିଥିଲେ ହାତରେ I ଧୀରେ ଧୀରେ ପାଖେଇ ଯାଇଥିଲେ ଶୁଭମ ନିକଟକୁ।ଜାବୁଡି ଧରିଥିଲେ ଆଦରରେ ତାକୁ। ଆଖିରେ ଥିଲା ତାଙ୍କର ଲୁହ। ଅନ୍ତରରେ ଥିଲା ଅଜସ୍ର ମମତାର ଫଲଗୁ।ଶ୍ରୀମତୀ ମହାପାତ୍ର ଙ୍କୁ ମୁହଁକୁ ଚାହିଥିଲା ଶୁଭମ I ଆଖିରେ ଥିଲା ତା’ର ଲୁହI କହିଥିଲା : ମୁଁ ମା’ଙ୍କୁ ଆଜି ଖୁବ ପାଖରୁ ଦେଖି ପାରୁଛି ,ତାଙ୍କର ଉପସ୍ଥିତି ଅନୁଭବ କରି ପାରୁଛି। ଏଇ ଇତ୍ର ମା’ ଙ୍କର ଅତି ପ୍ରିୟ. ମା’ଙ୍କୁ ମଶାଣିକୁ ନେଲା ପୂର୍ବରୁ ତାଙ୍କ ହାତରୁ ଏଇ ଘଡିଟି ଖୋଲି ଦିଆଯାଇଥିଲା ।

ଦିନ ମାସ ହୋଇ ସରିଯାଉଥିଲା ବର୍ଷ I ପ୍ରତି ସ୍କୁଲ ବର୍ଷର ଶେଷରେ ଶ୍ରୀମତୀ ମହାପାତ୍ରଙ୍କ ନିକଟକୁ ଚିଠିଖଣ୍ଡେ ଆସୁଥିଲା। ଶୁଭମ ଲେଖୁଥିଲା : ଅନେକ ଶିକ୍ଷକଙ୍କ ପାଖରେ ପାଠ ପଢିଛି , ସମସ୍ତଙ୍କ ଭିତରେ ଆପଣ କିନ୍ତୁ ସର୍ବୋତ୍ତମ ।ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲା I ଶୁଭମ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ସହରକୁ ଚାଲି ଯାଇଥିଲା।ଶ୍ରୀମତୀ ମହାପାତ୍ର ମଧ୍ୟ ଚାକିରିରୁ ଅବସର ନେଇ ସାରିଥିଲେ। ଦୀର୍ଘଦିନ ଧରି କେହି କାହାର ଖବର ରଖି ନଥିଲେ।ଶ୍ରୀମତୀ ମହାପାତ୍ରଙ୍କ ଠିକଣାରେ ଦିନେ ଖଣ୍ଡେ ଚିଠି ମିଳିଲା I ଲେଖିଥିଲା ଶୁଭମ।ଚିଠିରେ ଲେଖାଥିଲା : ମାଡ଼ାମ, ଏହାରି ଭିତରେ ମୋର ପାଠ ଶେଷ ହୋଇଯାଇଛି।ଅନେକ ଶିକ୍ଷକଙ୍କ ଭିତରେ ଆପଣଙ୍କୁ ଖୋଜି ପାଇବାକୁ ଚେଷ୍ଟା କରିଛି କିନ୍ତୁ ପାଇ ନାହି। ଆପଣ ହିଁ ମୋ ଶିକ୍ଷା ଜୀବନର ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ। ମୋର ବାହାଘର ଠିକ ହୋଇଛି I ଆପଣଙ୍କ ଅନୁପସ୍ଥିତିରେ ତାହା ସମ୍ଭବ ହେବ ନାହି।ଆପଣଙ୍କ ଆଶୀର୍ବାଦକୁ ଅପେକ୍ଷା କରୁଛି. ପ୍ରେରକ ଥିଲେ - Dr. Subham . ଚିଠି ଭିତରେ ଯିବା ଆସିବା ପାଇଁ flight ticket ମଧ୍ୟ ଆସିଯାଇଥିଲା Iଶ୍ରୀମତୀ ମହାପାତ୍ରଙ୍କ ଆଖିରେ ନାଚି ଯାଇଥିଲା ଛୋଟିଆ ଶୁଭମର ଦୁଃଖଦ ମୁହଁଟି I

ବିବାହ ମଣ୍ଡପରେ ପହଞ୍ଚିଲା ବେଳକୁ ଅତିଥି ମାନଙ୍କର ଭିଡ ଥିଲା I Reception Hall ର ଶେଷରେ ପଢିଥିବା ଏକ ଖାଲି ଚେୟାର ଦେଖି ବସିଲେ ଶ୍ରୀମତୀ ମହାପାତ୍ର। ଅବିଳମ୍ବେ କେତେଜଣ ଶୁଭମ୍ ର ସହକର୍ମୀ ତାଙ୍କୁ ଆଦରରେ ବାଟ କଢାଇ ନେଲେ ସାମନାରେ ପଡିଥିବା ଏକ ସୁସଜ୍ଜିତ ଏକ ଚେୟାର ନିକଟକୁ।ସେ ମେଜ ରେ ଲେଖଥିଲା ‘ ମା ‘। ପାଖରେ ଠିଆ ହୋଇଥିଲେ ବରକନ୍ୟା Iଉଭୟ ପ୍ରଣିପାତ କରିଥିଲେ ତାଙ୍କୁ। ବସାଇଥିଲେ ଖୁବ ଆଦରରେ।ତାଙ୍କ ପାଦ ତଳେ ବସିଥିଲା ଶୁଭମ , ନିଜ ପତ୍ନୀକୁ ତଳେ ବସିବାକୁ ନିର୍ଦେଶ ଦେଇଥିଲା I ଶ୍ରୀମତୀ ମହାପାତ୍ର ପିନ୍ଧିଥିଲେ ଶୁଭମ ମା’ ଙ୍କର ଘଡି ଓ ତାଙ୍କ ଦେହରୁ ଆସୁଥିଲା ଶୁଭମର ସେଇ ପରିଚିତ ଇତ୍ର।ଶୁଭମ ଚାହିଥିଲା ଶ୍ରୀମତୀ ମହାପାତ୍ରଙ୍କ ମୂହଁକୁ।ଶ୍ରୀମତୀ ମହାପାତ୍ରଙ୍କ ହାତ ଥିଲା ଶୁଭମର ମୁଣ୍ଡରେ । ଉଭୟଙ୍କ ଆଖିରେ ଲୋତକର ବନ୍ୟା ।

ନିଜ ପତ୍ନୀଙ୍କୁ ଶ୍ରୀମତୀ ମହାପାତ୍ରଙ୍କର ପରିଚୟ କରାଇ ଦେଇ ଶୁଭମ କହିଥିଲା : ଯାହାଙ୍କୁ ତୁମେ ଆଜି ସାମନାରେ ଦେଖୁଛ, ସେ ମୋ ମା’ ଙ୍କର ଦ୍ଵିତୀୟ ଅବତାର ।ଜୀବନରେ ମୁ ଆଜି ଯାହା ହୋଇଛି , କେବଳ ଏହି ମହୀୟସୀ ମହିଳାଙ୍କ ଆଶୀର୍ବାଦ ପାଇଁ ତାହା ସମ୍ଭବ ହୋଇଛି।ଲୁହ ପୋଛୁଥିଲେ ଶ୍ରୀମତୀ ମହାପାତ୍ର । ଶୁଭମର ନୂତନ ବିବାହିତା ପତ୍ନୀକୁ କହିଥିଲେ: ଶୁଭମ ସହିତ ପରିଚୟ ପରେ ମୋର ଅନୁଭୂତି ହୋଇଛି , ତା’ବିନା ମୁଁ କେବେ ଭଲ ଶିକ୍ଷୟତ୍ରୀ ଟିଏ ହୋଇ ପାରି ନଥାନ୍ତି.।



Rate this content
Log in

Similar oriya story from Inspirational