Narayan chandra Senapati

Inspirational

2.5  

Narayan chandra Senapati

Inspirational

ଗଛଟିଏ ରୁଅ....ଜୀବନ ଜୀଅଁ

ଗଛଟିଏ ରୁଅ....ଜୀବନ ଜୀଅଁ

5 mins
594



 ସେଦିନ ଘରକୁ ଫେରି ରାଜୁ ଘରପଛ ବଗିଚାକୁ ଯାଇ କେତେ ଜାତିର ଗଛ ଦେଖି ତାଟକା ହୋଇଗଲା।କେତେ ଗଛ ? ବାପା ଏସବୁ ରଖିଛନ୍ତି କାହିଁକି?ବିକ୍ରିକରିଦେଲେ କେତେ ଯେ ଟଙ୍କା ହେବ।ତା ପରେ ବଗିଚାରେ ଯେଉଁଠି ଏତେ ଗଛ ଅଛି ସେସବୁକୁ କାଟି ଇଟା ଭାଟି କଲେ କେତେ ଯେ ଟଙ୍କା ମିଳିବ।


 ତାମିଲନାଡୁରେ କାଠ ମିଲରେ କାମ କରୁଥିଲା ରାଜୁ।ବ୍ୟବସାୟୀ ମନୋଭାବ ତା'ର।ହଠାତ୍ ଫୋନ୍ କଲା କାଠ ସ ମିଲର ହକର ଅରମାନ ପାଖକୁ।ତା ପରଦିନ ଆସିଲା ଆରମାନର ଗାଡି।କଟା ହୋଇ ଗଦା ଗଦା ଗଛ ଲୋଡ଼ ହୋଇ ଚାଲିଗଲା ସ ମିଲ କୁ। ରାଜୁର ବାପା ମଦନାର ଆଖିରୁ ବୋହୁଥିଲା ଧାର ଧାର ଲୁହ।ତାର ଶତ ସହସ୍ର ବାରଣ ସତ୍ତ୍ୱେ ବି ରାଜୁ ଅଟ୍ଟହାସ୍ୟ କରି ଅମାନିଆ ହୋଇ ବିକିଦେଲା ସବୁ।ଗଛ ଗୁଡାକୁ କାଟିଲା ବେଳେ ମଦନାର କଳିଜା କୁ ଟିକ୍ ଟିକ୍ କାଟିଲା ପରି ଲାଗୁଥାଏ।ରାଜୁ ଖାଲି କହୁଥାଏ,ବାପା ତୁମେ ବୁଢା ହେଲଣି, ଏ ଗଛ ଗୁଡାକୁ ବେକାର ରେ ରଖି ଲାଭ କଁ'ଣ ?ଦେଖିବ ଏଇ ଜାଗାରେ ଇଟାଭାଟି କରି ଲକ୍ଷ ଲକ୍ଷ ଟଙ୍କା ପାଇବା।ଅନାଵଶ୍ୟକ ଭାବେ ଜାଗାଟିକୁ ଗଛରେ ନଷ୍ଟ କରିବା କାହିଁକି ?


 ଗଛଗୁଡିକୁ ବିକ୍ରିକରି କୋଡିଏ ହଜାର ଟଙ୍କା ପାଇ ରାଜୁ ବହୁତ ଖୁସି ହେଲା।ସେଦିନ ଟିକେ ଖାସି ମାଂସ ଆଣି ଭଲ ରାତ୍ରି ଭୋଜନଟିଏ କରି ଶାନ୍ତିରେ ଶୋଇଲା।ନିଦ୍ରାବସ୍ଥାରେ ହଠାତ୍ ବୁଢ଼ୀ ଗଛଟିଏ ତା ପାଖକୁ ଆସି କାନ୍ଦି କାନ୍ଦି କହିଲା,ଆରେ ରାଜୁ ତୁ କଣ କଲୁରେ... ଛାର କେଇଟା ଟଙ୍କା ପାଇଁ ମୋ ବଂଶ ବୁଡ଼େଇ ଦେଲୁ ! ତୁ ଜାଣିଛୁ ତୋ ବାପାର ଅତୀତର ଅବସ୍ଥା ? ତୁମ ବାପା ତୁମକୁ କେମିତି ବଞ୍ଚାଇଥିଲେ?ରାଜୁ କହିଲା, ନାଁ ତ ? ମୁଁ କିଛି ଜାଣିନାହିଁ ।ଗଛଟି ଆରମ୍ଭ କଲା ତା ବାପାର ଓ ତାର ଅନ୍ତରଙ୍ଗ କାହାଣୀ।


  ମଦନା ଥିଲା ବହୁତ ଗରିବ।ଦି ଓଳି ପେଟକୁ ଦାନା ମିଳୁ ନ ଥାଏ ତାକୁ।ଜାତିରେ ଧୀବର।ଯାହେଉ ପଂଚାୟତ ଡ଼ଙ୍ଗା ମିଳିଲା ନିଲାମରେ।ଡ଼ଙ୍ଗା ବାହି ଦି ପଇସା ପାଇ ଚଳାଉଥିଲା ତା ତେଲ ଲୁଣର ସଂସାର।ଦିନେ ନଦୀକୂଳରୁ ଫେରିବା ବାଟରେ ଲୋକଟିଏ ତା ବାଡ଼ି ସଫା କରି ମୋତେ ଉପାଡି ଫିଙ୍ଗିଦେଲା,ସେତେବେଳେ ମୁଁ ଥିଲି ଛୋଟ ଚାରାଟିଏ।ତୋ ବାପା ମଦନା ମୋତେ ଆଣିଥିଲା ଏଇ ବଗିଚାକୁ।ଆଦରରେ ରୋଇ ସବୁଦିନ ସକାଳେ ଟିକିଏ ଟିକିଏ ପାଣି ଦିଏ।ମୋତେ କେତେ ଭଲପାଏ, ବହୁତ ଯତ୍ନ ନିଏ।ସେ ମୋ ପାଖକୁ ନ ଆସିଲେ ମୋତେ କଷ୍ଟ ଲାଗେ,ସେ ବି ମୋତେ ଛାଡ଼ି ରହିପାରେ ନାହିଁ।କୁଆଡେ ଯାଇଥିଲେ ଡେରି ହେଲେ... ଏମିତିକି ରାତି ହେଲେ ବି ମୋତେ ଟିକେ ଦେଖି ଆଉଁସି ଦେଇଯାଏ।ସେଥିରେ ମୋ ଛାତି ଫୁଲିଉଠେ।ମୁଁ ଯେତେ ବଡ଼ ହେଉଥାଏ ସେ ସେତେ ଖୁସି ହେଉଥାଏ।ଭାଗ୍ୟର ବିଡମ୍ବନା।ଦିନେ ରାତିରେ ଡ଼ଙ୍ଗା ଘାଟରେ ଡଙ୍ଗାକୁ ବାନ୍ଧି ଆସି ଶୋଇଲା ଘରେ।କୋଉଠି ଥିଲା ନିଷ୍ଠୁର ବନ୍ୟାଟା ତା ଡଙ୍ଗାକୁ ଭସେଇ ନେଲା।ତା ଜୀବିକା ବୁଡିଗଲା।ପଂଚାୟତରେ ପଡିଲା କଥା, ମଦନାର ବେପରୁଆ ଓ ଦାୟିତ୍ୱହୀନତା ଯୋଗୁଁ ଦଙ୍ଗା ଗଲା,ତେଣୁ ସେ ଦଙ୍ଗାଟିଏ ଦେଉ।ସେଦିନ ମୋ ପାଖରେ ବସି ଭୋ ଭୋ ହୋଇ କାନ୍ଦିଲା ମଦନା।ସହି ପାରିଲିନାହିଁ ତା ଦୁଃଖ।କହିଲି, ଆରେ ମଦନା,ମୁଁ କଣ ମରିଯାଇଛି କିରେ ,ମୁଁ ଥାଉଁ ଥାଉଁ ତୁ କାନ୍ଦୁଛୁ ? ସବୁ କଥା ଶୁଣିଲି,କହିଲି ଯା ମୋ ଗଣ୍ଡିଟା କାଟି ଦେ, ଡଙ୍ଗା ତିଆରି କର।ମୋ ଡାଳ ପତ୍ର ବିକି ମିସ୍ତ୍ରୀ ଭଡା ଦେ, ଆଉ କିଛିରେ କିଛିଦିନ ଚଳି ଯା।ଭୋ ଭୋ ହୋଇ କାନ୍ଦିଲା ତୋ ବାପାଟା,ଜମା ରାଜି ହେଲା ନାହିଁ,କହିଲା ଏଇ ହାତରେ ତୋତେ ଲଗେଇଛି,ଏଇ ହାତରେ ବଢ଼େଇଛି,ଏଇ ହାତରେ ତୋତେ କାଟିବି,ମୋ ଦେହ ସହିବ ନାହିଁରେ।ମୁଁ କହିଲି ମୁଁ ଥାଉ ଥାଉ ତୁ କଷ୍ଟ ପାଇବୁ,ପିଲା ଛୁଆ ତୋର ଭୋକ ଉପାସରେ ରହିବେ,ମୋ ଦେହ ସହିବ ତ ?ବହୁତ ରାଣ ନିୟମ ପକାଇଲି, ଶେଷରେ ରାଜିହୋଇ ଅନ୍ୟ ହାତରେ କଟାଇଲା।ଡ଼ଙ୍ଗା କଲା,ଘର ଗୁଜୁରାଣ ମେଣ୍ଟିଲା।ହେଲେ ମୋ ଥୁଣ୍ଟା ମୁଳ ପାଖକୁ ଆସି ସବୁଦିନ କାନ୍ଦେ, ମୋତେ ଆଉଁସେ, ପାଣି ଟିକେ ବି ଦିଏ।ବର୍ଷା ଦିନରେ ମୁଁ ପୁଣି କଞ୍ଚେଇଲି,ଫୁଲ ଫଳ ଦେଲି,ମୋ ମୂଳରେ ଜନ୍ମ ହେଲେ କେତେ ଯେ ଚାରାଗଛ।ସେମାନଙ୍କୁ ସେ ଯତ୍ନରେ ଛଡା ଛଡା କରି ଲଗାଇ ବଢ଼ାଇ ଏକ ବଗିଚା କରିଥିଲା।ଆମ ପରିବାର ସଦସ୍ୟ ମାନେ ଫଳ, ଫୁଲ ତାକୁ ସରାଗେ ଦେଉଥିଲୁ।ଉଦୁଉଦିଆ ଖରାବେଳେ ଆସିଲେ ପରା ସେ ଆଗେ ଆମ ପାଖରେ ବସେ ପରେ ଘରକୁ ଯାଏ।ଆମର କେତେ ଯତ୍ନ ନିଏ,କେତେ ସୁରକ୍ଷା ଦିଏ।ହେଲେ ତୁ ତାରି ପୁଅ ହୋଇ ଆମକୁ ସମୂଳେ ବିନାଶ କଲୁ।ରାଜୁ ଭାବିଲା ଏଇଥିପାଇଁ ବୋଧେ ଏ ଗଛଗୁଡ଼ାକ କାଟିଲା ବେଳକୁ ତା ବାପା କାନ୍ଦୁଥିଲେ।ହେଲେ ମୋର ସେଥିରୁ ଯାଏ ଆସେ କେତେ।ମୋର ଦରକାର ପ୍ରଚୁର ଟଙ୍କା।ତୁମ ମାନଙ୍କୁ ବର୍ଷ ବର୍ଷ ଧରି ତିରିଶ ବର୍ଷ ରଖିଲେ ବି ମୁଁ କେଇ ହଜାର ପାଇବି,ହେଲେ ଇଟା ଭାଟି କଲେ ବର୍ଷରେ ଲକ୍ଷେ।ତୁମକୁ ରଖି ଲାଭ କ'ଣ ? ରାତାରାତି ବଡ଼ ଲୋକ ହେବା ମୋର ଇଚ୍ଛା।ଆଉ ସରକାର କଣ ମୂର୍ଖ,ସେ କେମିତି ଜଙ୍ଗଲ କାଟି ରାସ୍ତା କରୁଛି,କଳକାରଖାନା ବସାଉଛି ?ବାପାଙ୍କ ଯୁଗ ଥିଲା ଭିକାରୀ ସଭ୍ୟତା,ହେଲେ ଆମ ସଭ୍ୟତା ପରା ଚାକଚକ୍ୟ ଅମୀର ଆଧୁନିକ ସଭ୍ୟତା।ଏସବୁ ମଳିମୁଣ୍ଡିଆ ନୀତି ଧରିଲେ କଣ ବାଟ ଚାଲି ହେବ?


 ବୁଢା ଗଛଟି କହିଲା, ଆରେ ବାବା,ତୁ ଯେଉଁ ଆମକୁ କାଟି ଖଣ୍ଡିଆ ଖାବରା କରିଦେଲୁ ଦେଖିଲୁ ଆମ ଦେହରୁ କେମିତି ରକ୍ତ ନିଗିଡି ପଡୁଛି,ସମସ୍ତେ ବିକଳ ହୋଇ ମୁମୂର୍ଷୁ ଅବସ୍ଥାରେ ପଡିଛନ୍ତି।ରାଜୁ ଠୋ ଠୋ ହୋଇ ହସି କହିଲା, ତୁମେ କଣ ମଣିଷଙ୍କ ପରି ଜୀବ, ନାଁ ତୁମର ଜୀବନ ଅଛି। ବୁଢା ଗଛ କହିଲା ଆରେ ବାବା,ତୋର କିଛି ଜ୍ଞାନ ନାହିଁ,ତୁ ଗଛ ବିଷୟରେ ଜ୍ଞାନୀ ଲୋକଠୁ ବୁଝୁ,ସବୁ ଜାଣିପାରିବୁ।ହଠାତ୍ କବାଟ ଠକ ଠକ ହେବାରୁ ରାଜୁର ନିଦ ଭାଙ୍ଗିଗଲା।କବାଟ ଖୋଲି ଦେଖିଲା ତା ପୁଅ ବିକାଶ ଟ୍ରେନରେ ସକାଳୁ ସକାଳୁ ଆସି ପହଂଚିଛି।ନବୋଦୟ ସ୍କୁଲ ଛୁଟି ହୋଇଗଲା ତେଣୁ ସେ ଘରକୁ ଚାଲି ଆସିଲା।ବ୍ୟାଗ ପତ୍ର ଘରେ ରଖିଦେଇ ଚାଲିଲା ତା ଆଦରର ଉଦ୍ୟାନକୁ। ଉଦ୍ୟାନର ଶ୍ରୀହୀନ ଅବସ୍ଥାକୁ ଦେଖି ତା ହାଲୁକ ଶୁଖିଗଲା।ସେ କହିଲା ବାପା,କୋଉ ନିର୍ମମ ମୋ ଆଦରର ଗଛଗୁଡାକୁ କାଟିଦେଇଛି?ରାଜୁ କହିଲା, ଆରେ ବାପା,ଏ ଅଦରକାରୀ ଗଛ ଗୁଡାକ ବଗିଚାରେ ରହି କିଛି ଲାଭ ନାହିଁ।ମୁଁ ଏଗୁଡାକୁ କାଟି ବିକ୍ରି କରିଦେଲି।ଆରେ ଏଗୁଡା ବର୍ଷ ବର୍ଷ ଧରି ରହି ଜମା କୋଡିଏ ହଜାର ଟଙ୍କା ହେଲା।ଦେଖିବୁ ଗୋଟିଏ ବର୍ଷ ମୁଁ ଇଟା ବେପାର କଲେ ପାଇବା ଅତି କମ୍ ରେ ଲକ୍ଷେ।ବିକାଶ ଚିରାଡ଼ି କାନ୍ଦିଲା,ସେ ବନମହୋତ୍ସଵ ସମୟରେ ଯେଉଁ ପାଞ୍ଚଟି ଗଛ ଲଗାଇ ଥିଲା ତାହା ବି ନାହିଁ।ରାଜୁ ଯେତେ ଚେଷ୍ଟା କଲା ବିକାଶ କାନ୍ଦ ବନ୍ଦ କରିପାରିଲା ନାହିଁ। ଖାଲି କହିଲା, ବାପା ତୁମେ ଗୋଟେ ନିର୍ମମ ଅପରାଧୀ,ତୁମକୁ ଧର୍ମ ସହିବ ନାହିଁ।ରାଜୁ କହିଲା ଆରେ ବିକାଶ ଏଇ ଗଛ କଣ ତୋ ମା ବାପାଠୁ ବଡ଼?କଣ ଦିଏ ଇଏ,ଏଇ କାଠ ଜାଳ ଦିଖଣ୍ଡ...ସେଇଥିରେ ତୁ ମୋତେ ଅପରାଧୀ ସଜେଇଦେଲୁ !ବିକାଶ କହିଲା ଶୁଣ ବାପା ଶୁଣ ଗଛର ଗୁଣ,ଶୁଣି ସାରିଲେ ତୁମ ପାଦ ତଳର ମାଟି ଖସିଯିବ।


  ଏଇ ଗଛ ଆମେ ନିଃଶ୍ଵାସରେ ଛାଡୁଥିବା ଅଙ୍ଗାରକାମ୍ଳ, ରୋଷେଇ ଘରର ଧୂଆଁ,ଗାଡ଼ି ମଟରର ଧୂଆଁ, କଲକାରଖାନାର ଧୂଆଁ ଶୋଷି ପରିବେଶ ତ ବିଶୁଦ୍ଧ କରେ ତା ସଙ୍ଗେ ସଙ୍ଗେ ଅମ୍ଳଜାନ ଦେଇ ଆମକୁ ବଂଚାଏ ଯାହାକୁ ପ୍ରଶ୍ୱାସରେ ନ ନେଲେ ଆମେ ମୁହୂର୍ତ୍ତେ ବି ବଞ୍ଚିପାରିବା ନାହିଁ। ଯେଉଁ ଜଳ ବାଷ୍ପ ହୁଏ ତା ପତ୍ରଦ୍ୱାରା ଶୋଷି ହୋଇ ବାୟୁମଣ୍ଡଳକୁ ଯାଇ ମେଘ ସୃଷ୍ଟି କରେ ଯାହା ବର୍ଷା ହେଲେ ଆମେ ଜଳ ପାଇ ଜୀବନ ବଞ୍ଚାଉ ଓ କୃଷକ ସାରା ଜୀବଜଗତ ପାଇଁ ଖାଦ୍ୟ ତିଆରି କରେ।ଏଇ ଗଛର ବିଭିନ୍ନ ଅଂଶରୁ ପ୍ରସ୍ତୁତ ଔଷଧ ଆମ ରୋଗ ନାଶ କରି ସୁସ୍ଥ ଭାବେ ବଂଚାଏ।ଜଳସ୍ରୋତ ଓ ବାୟୁସ୍ରୋତରୁ ମୃତ୍ତିକା କ୍ଷୟ ବନ୍ଦ କରେ।ବନ୍ୟା ବାତ୍ୟା ସହ ଲଢେ଼ଇ କରି ଧନ ଜୀବନ ବାସଗୃହ ଧ୍ବଂସରୁ ରକ୍ଷାକରେ।ପଥିକକୁ ବିଶ୍ରାମ,ଅଂଶୁଘାତରୁ ରକ୍ଷା,ବିଶ୍ୱତାପନ ଅର୍ଥାତ ବାୟୁମଣ୍ଡଳ ଉତ୍ତପ୍ତରୁ ରକ୍ଷାକରେ।ସୂର୍ଯ୍ୟଙ୍କ ପାଖରୁ ଆସୁଥିବା ଅତିବାଇଗଣି ରଶ୍ମୀ ଯାହା ସିଧାସଳଖ ପଡିଲେ ମଣିଷ ବିକଳାଙ୍ଗ ହୋଇଯିବା କଥା ବାୟୁରେ ଏକ ଓଜୋନ ସ୍ତରକୁ ସୁରକ୍ଷା ଦେଇ ଆମକୁ ବଂଚାଏ।କେତେ ଜୀବଜନ୍ତୁଙ୍କୁ ଆଶ୍ରୟ ଦେଇ ବଂଚାଏ ଯିଏ ପରୋକ୍ଷରେ ଆମର କାମରେ ଆସନ୍ତି।ଖାଦ୍ୟ,ବସ୍ତ୍ର,ବାସଗୃହ,ଜାଳେଣି....ଏଇମିତି କେତେ ଇପକାର କ'ଣ ତାହା ବର୍ଣ୍ଣନା କରିହେବନାହିଁ।ଜାଣିଛ ପୁରାଣରେ ଲେଖାଅଛି ଶହେ ଗୁଣବାନ ପୁଅ ଜନ୍ମଦେବା ଅପେକ୍ଷା ଗୋଟିଏ ଚାରାରୁ ବଡ଼ ବୃକ୍ଷକରି ପରିବେଶକୁ ଦେଇପାରିଲେ ମହାପୁଣ୍ୟ ହୁଏ।ଗୋଟିଏ ଗଛ ତା ଜୀବନ କାଳ ଭିତରେ ସାଢ଼େ ସତର ଲକ୍ଷ ଟଙ୍କାର ଉପକାର ଦେଇଥାଏ।ଏ ବୃକ୍ଷକୁ ଦେବତା କହି ଲୋକେ ପୂଜା କରନ୍ତି।ଆଉ ଗଛଲତା ପରା ଆମର ବନ୍ଧୁ।ବନ୍ଧୁକୁ କିଏ କଣ ଜୀବନରୁ ମାରିପାରେ।ଯିଏ ମାରେ ସେ କୃତଘ୍ନ...ଅମଣିଷ...ଅପରାଧୀ ନୁହଁ ତ ଆଉ କ' ଣ।?


 ଏଥର ରାଜୁର ଆଖିରୁ ଲୁହ ଧାର ଧାର ବୋହି ପଡିଲା,ସେ ପୁଅ ବିକାଶକୁ କୁଣ୍ଢେଇ ପକାଇ କହିଲା ଆରେ ବିକାଶ ତୁ ମୋ ଆଖି ଖୋଲିଦେଲୁ।ବାପା ମଦନା ଆଖିରୁ ଲୁହ ପୋଛି କ୍ଷମା ମାଗିଲା।ଆଉ କେବେ ଗଛ ନ କାଟିବାକୁ ପ୍ରତିଜ୍ଞା କଲା।ଗଛ ଲଗାଇବି ବୋଲି ମଧ୍ୟ ବଦ୍ଧପରିକର ହେଲା।

ସକାଳୁ ଉଠି ରାଜୁ ବଗିଚାରେ ଗାତ ଖୋଲିଲା,ଟିକିଏ ଖତ ଦେଇ ଗୋଟିଏ ବେଲ ଚାରାଗଛ ଲଗାଇଲା।ସରାଗରେ ପାଣି ତା ମୂଳରେ ଦେଲା।ଏସବୁ ଦେଖି ଖୁସି ହେଉଥାଏ ବିକାଶ।


 ଘରକୁ ଆସି ବିକାଶ ସହ କେତେକ ପ୍ଲା କାର୍ଡ ବନାଇଲା। ସାଙ୍ଗ ସାଥି ଓ ଗାଁ ଲୋକଙ୍କୁ ନେଇ ଗାଁରେ ଶୋଭାଯାତ୍ରାରେ ବୁଲି ସ୍ଲୋଗାନ ଦେଲା ଓ ଗଛର ଉପକାରୀତା ବିଷୟରେ ବୁଝାଇ ଲୋକଙ୍କୁ କହିଲା, "ଗଛଟିଏ ରୁଅ...ଜୀବନ ଜୀଅଁ।"




Rate this content
Log in

Similar oriya story from Inspirational