ଦଳିତ
ଦଳିତ
ପୂର୍ବରୁ ଭାରତବନ୍ଦ ଘୋଷଣା ହୋଇଥିଲେ ମଧ୍ୟ ତା’ର ସେମିତି କିଛି ପ୍ରଭାବ ଅନୁଭୂତ ହେଉନଥିଲା। ଚଣ୍ଡିଖୋଲ ସାରା ଗହଳି ଚହଳି ଲାଗି ରହିଥିଲା। ଲାଗୁଥିଲା ସତେ ଯେମିତି ଆଜିର ବନ୍ଦ ଓଡ଼ିଶାରେ ପ୍ରଭାବହୀନ।
ସକାଳୁ ଏପରି ଅବସ୍ଥା ଦେଖି ମୁଁ ଓ ମୋ ବନ୍ଧୁ ରମେଶ ଆମେ ଦୁହେଁ ବାଇକରେ କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ଆମେ ଦୁହେଁ ଗାଡ଼ିରେ ଯିବା ସମୟରେ ଦେଶର ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା କରୁଥିଲୁ। ହଠାତ ଟାଙ୍ଗୀ ପାଖାପାଖି ହେଲା ବେଳକୁ ଦେଖିଲୁ ଗାଡ଼ି ଜାମ ହୋଇଛି। ଆଗରେ କିଛି ଲୋକ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହାତରେ ବାଇଗଣୀ ପତାକା ଓ ମୁଣ୍ଡରେ ବାଇଗଣୀ କପଡା ବନ୍ଧାହୋଇଛି। ସେମାନେ ସୁପ୍ରିମକୋର୍ଟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିବା ସହ ‘ଜୟ ଭୀମ’ ସ୍ଲୋଗାନ ଦେଉଥିଲେ। ସେମାନେ ଦୋକାନ ବଜାର ଗାଡ଼ିମୋଟର ଭଙ୍ଗାରୁଜା କରିଛନ୍ତି ଅଥଚ ଲୋକମାନେ ବିରୋଧ ନ କରି ତାମସାକୁ ଉପଭୋଗ କରୁଛନ୍ତି। ମୋର ସେମାନଙ୍କ ଉପରେ କ୍ରୋଧ ଆସିଥିଲେ ବି ଯେହେତୁ ସାଙ୍ଗରେ ରମେଶ ଅଛି ଆଉ ସେ ଦଳିତ ତେଣୁ କିଛି କହିବି ପାରିଲିନି। “କାଦୁଅକୁ ଯିବି କାହିଁକି, ଗୋଡ଼ ଧୋଇବି କାହିଁକି” ନ୍ୟାୟରେ ମୁଁ ମଧ୍ୟ ଚୁପ ରହିଲି।
ହଠାତ ଦେଖେ ତ ରମେଶ ସେମାନଙ୍କ ପାଖକୁ ମାଡ଼ି ଚାଲିଛି। ରମେଶ ଦଳିତ ହୋଇଥିବାରୁ ମତେ ଲାଗିଲା ସେ ବି ସେମାନଙ୍କ ସହ ମିଶିବାକୁ ଚାହୁଁଛି। ମୁଁ ତାକୁ ବାଧା ଦେଲି କିନ୍ତୁ ସେ ମୋ କଥାକୁ ନ ଶୁଣି ବିକ୍ଷୋଭ ସ୍ଥାନକୁ ମାଡ଼ି ଚାଲିଲା। ତାକୁ ନ ଅଟକାଇ ମନେ ମନେ ବହୁତ ଗାଳିଦେଲି।
ରମେଶ ସେଠି ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା କିନ୍ତୁ ସେମାନେ ବୁଝିବାକୁ ନାରାଜ।
ରମେଶ ପଚାରିଲା - ଆପଣ ଭାରତୀୟ ହୋଇ ଭାରତର କ୍ଷତି କିପରି କରୁଛନ୍ତି। ଏହି ରାୟକୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯାଇ ପାରିଥାନ୍ତା। ଏପରି କରିବା ଦ୍ୱାରା କିଛି ସୁଫଳ ମିଳିବନି। ୯୫% କ୍ଷେତ୍ରରେ ମିଛ ସାବ୍ୟସ୍ତ ହେଉଥିବାରୁ ଏହା ତଦନ୍ତସାପେକ୍ଷ। ମୁଁ ମଧ୍ୟ ଜଣେ ଦଳିତ।
ଗହଳିରୁ ଏତେବେଳକୁ ରମେଶ ଦେହରେ କିଛି ପଥର ବାଜିସାରିଥିଲା।
ଗହଳିରୁ ଜବାବ ଆସୁଥିଲା - ଆଉ ହିରୋ ହେବା ଦରକାର ନାହିଁ। ତୁ ଗୋଟେ ବେଇମାନ। ତୋତେ ଚମଚାଗିରି ପସନ୍ଦ ଆମକୁ ନୁହେଁ। ଯଦି ନିଜର ଭଲ ଚାହୁଁଚୁ ଆମ ସହିତ ଆସ ନହେଲେ ଅନ୍ୟମାନଙ୍କ ଭଳି ଦେଖ।
ରମେଶ କହିଲା - ପଥର କଣ ଗୁଳି ମାରିଲେ ବି ମୁଁ ଡରିବିନି। ଆରେ ଯଦି ଆମ୍ବେଦକରଙ୍କୁ ମାନୁଛ, ତାହେଲେ ତାଙ୍କ କଥା ବି ମାନ। ସେ ସବୁବେଳେ କୁହନ୍ତି “ଆମେ ପ୍ରଥମେ ଓ ଶେଷରେ କେବଳ ଭାରତୀୟ” ଆମମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି କିଛି ରାଜନୈତିକ ବ୍ୟକ୍ତି ନିଜର ଫାଇଦା ଉଠାଉଛନ୍ତି ଅଥଚ ବଳି ପଡୁଛେ ଆମେ।
ଏଥର କିନ୍ତୁ ଗହଳିରୁ ଆଉ ଜବାବ ଆସିନଥିଲା ରମେଶ ଉପରେ ବାଡ଼ି ଓ ପଥର ମାଡ଼ ହୋଇ ଚାଲିଥିଲା। ଆଶ୍ଚର୍ଯ୍ୟ କଟକ ସହର ଉପକଣ୍ଠ ହେବା ସତ୍ତ୍ୱେ ବନ୍ଦ ସମୟରେ ପୋଲିସର ଅନୁପସ୍ଥିତି ଦେଶର ଆଇନ ଶୃଙ୍ଖଳା ବିଷୟରେ ପ୍ରମାଣ ଦେଉଥିଲା। କୌଣସି ଲୋକ ତାଙ୍କୁ ନ ଅଟକାଇ ମୋବାଇଲ ଫୋନରେ ଫୋଟୋ ଓ ଭିଡ଼ିଓ କରୁଥାନ୍ତି। ମୁଁ ୧୦୮କୁ ଫୋନ କଲି ଆଉ ଭିଡ଼କୁ ଠେଲି ରମେଶ ପାଖରେ ପହଞ୍ଚିବାକୁ ଚେଷ୍ଟା କଲି। ରମେଶର ରକ୍ତ ଜୁଡୁବୁଡୁ ଶରୀରକୁ ଆଣିବାବେଳକୁ ମୁଁ ମଧ୍ୟ କ୍ଷତାକ୍ତ ହୋଇସାରିଥିଲି। ୧୦୮ ଆସି ପହଞ୍ଚିବାବେଳକୁ ରମେଶର ଅବସ୍ଥା ସମ୍ପୂର୍ଣ୍ଣ ସାଂଘାତିକ। ମେଡିକାଲରେ ପହଞ୍ଚିବା ବେଳକୁ ରମେଶ ପଦେ କହିଲା - “ସେମାନେ ଜାତିବାଦରେ ଭାଙ୍ଗିବେ ଆମେ ରାଷ୍ଟ୍ରବାଦରେ ଯୋଡ଼ିବା” ଓ ସବୁଦିନ ପାଇଁ ଚୁପ ହୋଇଗଲା।