Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Arabinda Rath

Tragedy


4.4  

Arabinda Rath

Tragedy


ଧୂଆଁ

ଧୂଆଁ

18 mins 419 18 mins 419


ଯାହାହେଉ ଏତେ ଦିନପରେ ଏକ ଭୟଙ୍କର ସମସ୍ଯାରୁ ମୁକ୍ତି ମିଳିଗଲା। ଭଗବାନ କରନ୍ତୁ ଏପରି ଅବସ୍ଥା ଆଉକିଛି ଦିନ ଚାଲୁ। ଆସିବା ଦିନରୁ ଗୋଟେ ପାଲା ଚଲେଇଥିଲେ ଏମାନେ,ଏବେ ଠିକ୍ ବୁଦ୍ଧି ଶିଖୁଥିବେ ଯେ।


ରମାଙ୍କ ଉଦ୍ଦେଶ୍ଯରେ ଏତିକି କହି ବିଜୟ ସାମନ୍ତରାୟ ଖାଲି ଚାହାକପକୁ ଟିପୟ ଉପରେ ରଖି ଟେଲିଭିଜନର ଚ୍ଯାନେଲ ବଦଳାଇବାରେ ଲାଗିଲେ। ସ୍ବାମୀଙ୍କ କଥାର କି ଉତ୍ତର ଦେବେ ହଠାତ୍ ଭାବି ନ ପାରି ରମା କହିଲେ - - ଯାହାହେଉ ଏତେ ଦିନ ପରେ ତୁମକୁ ଟିକିଏ ଶାନ୍ତି ତ ମିଳିଲା,ତାହା କଣ କମ୍ ବଡ କଥା। ତୁମ ପ୍ରାର୍ଥନାର ତୀବ୍ରତା ଅନୁଭବ କରି ଇଶ୍ବର ସେମାନଙ୍କ କୃତକର୍ମର ଦଣ୍ଡ ଦେବାପରି ଲାଗୁଛି। ରମାଙ୍କର କଥା ବିଜୟଙ୍କର ଅହଂ କୁ ଆଘାତ କଲା ବୋଧେ , ସେ ଉଚ୍ଚସ୍ବରରେ କହିଲେ- - ଛାଡ ତୁମ ମୁହଁରୁ ଦି'ପଦ ଭଲକଥା ଶୁଣିବା ମୋ ଭାଗ୍ଯରେ ଅତୀତରେ ନ ଥିଲା,ଏବେ ନାହିଁ ଓ ଭବିଷ୍ଯତରେ ମଧ୍ଯ ରହିବନି। ତୁମକୁ କହିବା ଅପେକ୍ଷା ବରଂ କାନ୍ଥ କବାଟ ସହ କଥାହେବା ଭଲ।


ବିଜୟ ଚାକିରିରୁ ଅବସର ଗ୍ରହଣ କରିବାପରେ ସହର ଉପକଣ୍ଠରେ ବହୁଦିନରୁ କିଣିଥିବା ଜାଗାରେ ଏକ ସୁଦୃଶ୍ଯ ଅଟ୍ଟାଳିକା ନିର୍ମାଣ କରିଥିଲେ। ଆଜିକୁ ଛଅସାତ ବର୍ଷ ହେଲାଣି ପୁଅ ଗଗନ ବିଦେଶରେ ଚାକିରି କରୁଛି। ଇତି ମଧ୍ଯରେ ତା ଅଫିସରେ କାମ କରୁଥିବା ଏକ ଓଡିଆ ଝିଅ ସହିତ ବିବାହ ମଧ୍ଯ କରିସାରିଛି। ତା ପୁଅକୁ ଦୁଇବର୍ଷ ହୋଇଗଲାଣି କିନ୍ତୁ ବିଜୟ ଓ ରମାଙ୍କ ଭାଗ୍ଯରେ ତାକୁ ଦେଖିବାର ସୁଯୋଗ ସେ ପର୍ଯ୍ଯନ୍ତ ଆସିନଥିଲା। ଘର ପ୍ରତିଷ୍ଠା ସମୟରେ ବୋହୁ ଓ ନାତିକୁ ସାଙ୍ଗରେ ଧରି ଆସିବାକୁ ଗଗନ କଥା ଦେଇଥିଲା। ମାତ୍ର କାର୍ଯ୍ଯବ୍ଯସ୍ତତା ହେତୁ ଆସିପାରିଲାନି। ଅବଶ୍ଯ ସେମାନେ ଭିଡିଓକଲ୍ ମାଧ୍ଯମରେ ନୂଆ ଘରଦେଖି ବେଶ୍ ଖୁସିି ଥିବା ପରି ଲାଗୁଥିଲେ। ସବୁ ଠିକ୍ ଥିଲା ଯେ, କିନ୍ତୁ ବୋହୁର ତାଚ୍ଛଲ୍ଯଭରା କଥା ବିଜୟଙ୍କ ମନରେ ଆଘାତ ଦେଇଥିଲା। ଘର ଦେଖି ସେ ମୁହଁରେ ବିଷାକ୍ତ ହସ ଫୁଟାଇ କହିଲା- - ଆରେ ପାପା, ତୁମ ଓଲ୍ଡ ଏଜ୍ ରେ ଏତେ ବଡ ଘର କରିଦେଲ ସିନା,କିନ୍ତୁ ମେଣ୍ଟେନ୍ କରି ପାରିବ ତ ? ତୁମ ଦୁଇଜଣଙ୍କ ଦେହରେ ତ ହଜାର ରୋଗ, ନିଜ ଯତ୍ନ ନେବ ନା ଘରର ଯତ୍ନ ନେବ। ସେ ଘରଟା ବିକ୍ରିକରି ଭୁବନେଶ୍ବରରେ ଗୋଟେ ଆପାର୍ଟମେଣ୍ଟ କିଣିଦିଅ। ଆମେ ତ ଏତେ ବିଜି ଯେ ନିଜ କଥା ବୁଝିବାକୁ ସମୟ ନାହିଁ ସେ ଘରକଥା କିଏ ବୁଝିବ ଯେ ? ଘର ପଛରେ ଏତେ ଟଙ୍କା ଖର୍ଚ୍ଚ ନ କରି ତୁମ ନାତି ନାମରେ ଫିକ୍ସ ଡିପୋଜିଟ୍ କରି ଦେଇଥିଲେ ଭବିଷ୍ଯତ ରେ ତା କାମରେ ଆସିଥା'ନ୍ତା।


ବୋହୂ ଆଉ କିଛି କହି ଆଣୁଥିଲା, ମାତ୍ର ଅଚାନକ କଲ୍ କଟିଗଲା। ଉଭୟ ରମା ଓ ବିଜୟ ଜାଣି ସାରିଥିଲେ ଯେ ଗଗନ କଲ୍ କାଟିଦେଇଥିଲା କାଳେ ବୋହୁ ଅଧିକା କିଛି କହିଦେବ ସେହି ଭୟରେ। ସାରାଜୀବନ କଳ୍ପନା କରି ଆସୁଥିବା ସ୍ବପ୍ବର ମହଲ ବିପକ୍ଷରେ କଟୁକଥା ଶୁଣି ସେତେବେଳକୁ ବିଜୟଙ୍କ ନୟନ ଯୁଗଳ ଆଦ୍ର ହୋଇ ସାରିଥିଲା। ସେ ବିକଳ ହୋଇ ରମାଙ୍କ ଆଡକୁ ଚାହିଁ, ତାଙ୍କ ଘରତିଆରି ନିଷ୍ପତ୍ତିର ଯଥାର୍ଥତା ବିଷୟରେ ନୀରବ ପ୍ରଶ୍ନ କରି ଚାଲିଥିଲେ। ପରିସ୍ଥିତିର ଗୁରୁତ୍ବକୁ ବୁଝିପାରି ରମା କହିଲେ- - ଛାଡ ସେ ପିଲା ମାନଙ୍କ କଥା। ସେମାନେ କାହୁଁ ଜାଣିବେ ସ୍ବାଧୀନତାର ପ୍ରକୃତ ସ୍ବାଦ। ପାରାଭାଡି ପରି ଆପାର୍ଟମେଣ୍ଟରେ ହଜାର ନୀତିନିୟମ ମାନି ଚଳିବା ଓ ନିଜେ ତିଆରି କରିଥିବା ଘରେ ଅଖଣ୍ଡ ସ୍ବାଧୀନତା ନେଇ ବଞ୍ଚିବାର ପାର୍ଥକ୍ଯ। ବୋହୂ ନିଜ ବୁଦ୍ଧି ଅନୁସାରେ ଯାହା କହିଲା ତାହା ତା ପାଇଁ ଠିକ୍ ହୋଇପାରେ, ମାତ୍ର ଆମମାନଙ୍କ ପାଇଁ ନୁହେଁ। ବିଶାଳ ବେଳାଭୂମି ସଦୃଶ ରାଜଧାନୀରେ କ୍ଷୁଦ୍ରାତିକ୍ଷୁଦ୍ର ବାଲୁକାକଣା ଭାବରେ ନିଜର ପରିଚୟ ଖୋଜିବା ଅପେକ୍ଷା ସମୁଦ୍ର ଭିତରେ ଦ୍ବୀପ ଭାବରେ ପରିଚିତ ହେବାର ଶ୍ରେୟ ନିହାତି ଅଧିକା। ଚାଲ, ଆମେ ମନକୁ ଭାରାକ୍ରାନ୍ତ ନ କରି ଆମ ସ୍ବପ୍ନର ମହଲକୁ ସଜାଇବା। ରମାଙ୍କ ସ୍ପଷ୍ଟ ଦମ୍ଭୋକ୍ତି ଓ ଆତ୍ମବିଶ୍ବାସଭରା ଚାହାଁଣୀ ବିଜୟଙ୍କୁ ନିମିଷକରେ ପ୍ରକୃତିସ୍ଥ କରିଦେଲା। ସେଦିନ ପରଠାରୁ ବିଜୟଙ୍କ ଘର ତିଆରି ନିଷ୍ପତ୍ତି ଉପରେ କୌଣସି ଆଲୋଚନା ହୋଇନାହିଁ, ଯଦି ବା କେବେ ବୋହୂ ସେ ବିଷୟରେ ଆଲୋଚନା କରିବାକୁ ଆରମ୍ଭ କରୁଥିଲା ରମା କଥାର ମୋଡ ବଦଳାଇ ଦେଉଥିଲେ।


ସତରେ ତାହାଥିଲା ବିଜୟ ଓ ରମାଙ୍କର ସ୍ବପ୍ବର ମହଲ। ସେହି ମହଲରେ ଲାଗିଥିବା ଇଟା,ବାଲି,ସିମେଣ୍ଟ,ଲୁହାଛଡ,ରଙ୍ଗ ଆଦି ପାର୍ଥିବ ବସ୍ତୁ ମାନ ଜୀବନ୍ତ ହୋଇ ଉଠିଥିଲେ ବିଜୟ ଓ ରମାଙ୍କ ପରିଶ୍ରମ, ନିଷ୍ଠାପରତା, ତ୍ଯାଗ,ପ୍ରେମର କୁହୁକ ସ୍ପର୍ଶରେ। ବାଲକୋନିରେ ଛିଡା ହୋଇ ବଗିଚାରେ ଫୁଟିଥିବା ଲାଲ୍ ଗୋଲାପ ଓ ଅନ୍ଯସବୁ ଫୁଲମାନଙ୍କ ସମ୍ଭାର ଦେଖି ବିଜୟଙ୍କ ମନଭିତରେ ଅପୂର୍ବଶାନ୍ତି ଖେଳିଯାଉଥିଲା। ଯେତେବେଳେ ରମା ବଗିଚାରେ ଫଳିଥିବା ବାଇଗଣର ଭଜା ସହିତ ବଗିଚାର ଲାଲ ଟୁକୁଟୁକୁ ଲଙ୍କା ଓ ପଖାଳଭାତ ବାଢି ଦିଅନ୍ତି ,ବିଜୟଙ୍କ ପେଟ ଗୋଟିଏ ଗୁଣ୍ଡା ଭାତ ଖାଉଖାଉ ପୁରି ଉଠେ। ରମା ବାଇଗଣ ଭାଜିଲା ବେଳକୁ ବିଜୟ ଙ୍କୁ ଶୁଣେଇ କୁହନ୍ତି- - ହଇହୋ ଶୁଣୁଛ, ଦେଖ ତୁମେ ହାଟରୁ ଆଣିଥିବା ବାଇଗଣ ଚାରା କେଡେ ଗୁଲୁଗୁଲିଆ ହୋଇ ବଢିଛି। ତୁମେ ସିନା ମାଟିକୁ ଭଲରେ ଖୋସି ସାର ଦେଲ ବୋଲି ଏତେ ସୁନ୍ଦର ବାଇଗଣ ଫଳିଛି। ଖାଇବା ଲୋକ ବି ଦ୍ବନ୍ଦରେ ପଡିଯିବ, ଏ ବାଇଗଣ ଭଜା ନା କଣ୍ଟା ନ ଥିବା ମାଛଭଜା।


ରମାଙ୍କ କଥା ଶୁଣିଲା ବେଳକୁ ବିଜୟଙ୍କ ମନ ଆନନ୍ଦରେ କୁରୁଳି ଉଠେ। ସେ ଗେହ୍ଲେଇ ହୋଇ ରମାଙ୍କୁ କୁହନ୍ତି- - ଆରେ ମୋତେ ସେସବୁ ବିଷୟରେ କଣ ଜଣା ଅଛି କି? ତୁମ କହିବା ଅନୁସାରେ ମୁଁ ବଗିଚା କାମ କଲି,ଅସଲ ଶ୍ରେୟ ତ ତୁମକୁ ମିଳିବା କଥା। ତାଓ୍ବାରେ ବାଇଗଣ ଭଜାକୁ ଓଲଟାଇ ଭାଜିବା ବେଳକୁ ରମା ମନେମନେ ହସି କୁହନ୍ତି- - ଦେଖିଲ, ବୁଢା ବୟସରେ ବି ଏ ଲୋକ କେମିତି ପିଲାଙ୍କ ପରି ହେଉଛନ୍ତି।


ଏମିତି ବିଜୟ ଓ ରମାଙ୍କ ଜୀବନ ଅତି ଆନନ୍ଦରେ ବିତି ଚାଲିଥିଲା। ଦିନେ ହଠାତ୍ କିଛି ଲୋକଙ୍କର ପାଟିତୁଣ୍ଡ ଶୁଭିବାରୁ ବିଜୟ ଘଟଣା କଣ ଜାଣିବା ପାଇଁ ଛାତ ଉପରକୁ ଗଲେ। ସେ ଦେଖିଲେ ତାଙ୍କ ଘର ପାଖରେ ଥିବା ବିସ୍ତୀର୍ଣ୍ଣ ପଡିଆରେ କିଛି ଲୋକ ତମ୍ବୁ ଟାଣିବାରେ ବ୍ଯସ୍ତ। କିନ୍ତୁ ସେ ପଡିଆ ତ ସରକାରୀ ଜାଗାରେ ଅଛି। ତେବେ ଏମାନେ କେମିତି ସେ ଜାଗାରେ ତମ୍ବୁ ଲଗାଉଛନ୍ତି। ବିଜୟଙ୍କ ମନ ଗୋଳେଇଘାଣ୍ଟି ହେବାରେ ଲାଗିଲା। ଟିକେ ଆସୁଛିି ବୋଲି ରମାଙ୍କୁ କହି ସେ ପଡିଆ ଆଡକୁ ଅଗ୍ରସର ହେଲେ। ସେ ଲୋକମାନଙ୍କୁ ପଚରା ଉଚୁରା କରି ଜାଣିଲେ ଯେ କିଛି ପରିବାର ଏକ କ୍ଷୁଦ୍ର ବସ୍ତି କରି ସହରରେ ରହୁଥିଲେ। ସେମାନଙ୍କୁ ସେ ସ୍ଥାନରୁ ଉଚ୍ଛେଦ କରି ଦିଆଗଲା,ମାତ୍ର ରହିବା ପାଇଁ କୌଣସି ଜାଗା ଦିଆଗଲା ନାହିଁ। ପ୍ରତି ପରିବାରରେ ଛୋଟ ପିଲା,ବୃଦ୍ଧବୃଦ୍ଧା,ସ୍ତ୍ରୀ ଲୋକ ଆଦିଥିଲେ। ସବୁଦିଗରୁ ନିରାଶ ହେବାପରେ ସେମାନେ ଏହି ପଡିଆକୁ ଦେଖିଲେ ଯାହା ଅନେକ ବର୍ଷ ହେଲା ଖାଲି ପଡିଥିଲା। ଅନ୍ଯ ବ୍ଯବସ୍ଥା ନ ହେବା ଯାଏ ସେମାନେ ସେଠାରେ ରହିବାର ନିଷ୍ପତ୍ତି ନେଇଥିଲେ। ଏସବୁ କଥା ଶୁଣି ବିଜୟ ଭ୍ରୁକୁଞ୍ଚନ କରି କହିଲେ- - ଆରେ ତୁମ ମାନଙ୍କ ସାହାସ ତ କିଛି କମ୍ ନୁହଁ। ସରକାରୀ ଜାଗା ମାଡିବସି ରହିବ,ପୁଣି କାଲି ସକାଳେ ଦାବି କରିବ ଯେ ଏ ଯାଗାର ପଟ୍ଟା ଆମ ନାମରେ କରାଯାଉ। ଏମିତି କରି ତୁମେମାନେ ସରକାରୀ ଜାଗାକୁ ହଡପ କରିବାକୁ ବସିଛ। ମୁଁ ସାଙ୍ଗେସାଙ୍ଗେ ପୋଲିସକୁ ଖବର ଦେଉଛି। ବିଜୟଙ୍କ ପାଟିରୁ କଥା ସରିଛିକି ନାହିଁ ଜଣେ ଅତି ବୃଦ୍ଧଲୋକ ତାଙ୍କ ଗୋଡତଳେ ପଡି ପ୍ରାର୍ଥନା କରି କହିଲା- - ହଜୁର୍ ଆମ ଉପରେ ଦୟାକର। ଆମେ ନିହାତି ଗରିବ ଲୋକ। ଓଳିଏ ଖାଇଲେ ଓଳିଏ ଓପାସ ରହୁ। ମୂଲମଜୁରି କରି ଯାହାଟିକେ ମିଳେ ସେତିକି ରେ ବଞ୍ଚୁ । ଆମ ପରିବାରରେ ଛୋଟପିଲା,ବଢିଲା ଝିଅ ଓ ସ୍ତ୍ରୀ ଲୋକମାନେ ଅଛନ୍ତି। ଆଜିକାଲି ସହରର ଅବସ୍ଥା ଯାହା ମୁଣ୍ଡ ଉପରେ ଛାତ ନଥିଲେ ମଣିଷବାଘ ମାନେ କାହାକୁ କେତେବେଳେ ଝାମ୍ପିନେବେ ତା'ର ଠିକଣା ନାହିଁ। ଆମେ କାହାର କିଛି କ୍ଷତି କରିବୁନି ହଜର୍। ଆମକୁ ଏହି ଜାଗାରେ ରହିବାକୁ ଦିଅ, ଇଶ୍ବର ତୁମର ମଙ୍ଗଳ କରିବେ। ସେ ବୃଦ୍ଧ ଲୋକ କୁ ଦେଖିବା ପରେ ଅନ୍ଯ ସମସ୍ତେ ଅନୁରୁପ ଢଙ୍ଗରେ ବିଜୟଙ୍କ ପାଖରେ ନେହୁରା ହେବାରେ ଲାଗିଲେ। ଏକ ଅଜଣା ଆନନ୍ଦରେ ଶିହରିତ ହେଲା ବିଜୟଙ୍କ ମନ। ପଡିଆର ମାଲିକ ସେ ନୁହଁନ୍ତି ମାତ୍ର ସେଠାରେ ରହିବାକୁ ଲୋକେ ତାଙ୍କ ପାଖରୁ ଅନୁମତି ମାଗୁଛନ୍ତି। ତାଙ୍କୁ ଅନୁଭବ ହେଲା ସେ ଜଣେ ରାଜା ଓ ପ୍ରଜାମାନେ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖଣ୍ଡେ ପାଇଁ ପ୍ରାର୍ଥନା କରୁଛନ୍ତି। ଚାହାଁଣୀରେ ପ୍ରଖରତା ଓ କଣ୍ଠରେ ଗମ୍ଭୀରତାର ପୁଟ ଚଢାଇ ସେ କହିଲେ- - ଆଚ୍ଛା ଠିକ୍ ଅଛି,କିନ୍ତୁ ତୁମ ମାନଙ୍କୁ ଅନୁମତି ଦେଲେ ମୋତେ ମିଳିବ କଣ ? ଆମେ ଆପଣଙ୍କ ସେବା କରିବୁ ଜହୁର୍, ଯାହା କାମ ଦେବେ କରିବୁ। କେବେ ଆପଣଙ୍କୁ ଅବଜ୍ଞା କରିବୁ ନାହିଁ, ଆମପ୍ରତି ଦୟା କରନ୍ତୁ। ସେ ବୃଦ୍ଧ ସହିତ ଅନ୍ଯମାନେ ସମସ୍ବରରେ କହିଲେ। ବେଶ୍ ତେବେ ଠିକ୍ ଅଛି,କାଲି ସକାଳୁ ଦୁଇଜଣ ମୋ ଘରକୁ ଆସିବ। ବାଡିବଗିଚା କାମ କରିବ ଓ ଯାହା କାମ ବରାଦ କରିବି ସବୁ କରିବ, କଣ ରାଜି ତ ? ଗାମ୍ଭୀର୍ଯ୍ଯଭରା ସ୍ବରରେ କହିଲେ ବିଜୟ। ହଜୁର୍,ଯାହା କାମଦେବେ ଆମେ କରିବୁ,କହିଲେ ବୃଦ୍ଧ।


ଏକ ରାଜ୍ଯଜୟ କରିବାର ଆନନ୍ଦରେ ଭରି ଉଠୁଥିଲା ବିଜୟଙ୍କ ଆତ୍ମା। ସେ ଖୁସିରେ ଗଦଗଦ ହୋଇ ଏକଥା ରମାଙ୍କୁ ଜଣାଇଲେ। ନିହାତି ସାଧାରଣ ଭାବରେ ରମା କହିଲେ- - ସେ ପଡିଆ ତ ଆମର ନୁହଁ,ତୁମେ ସେମାନଙ୍କ ଉପରେ ଏତେ ହାକିମାତି ଦେଖାଇବା କଣ ଦରକାର ଥିଲା ଯେ! ! ଏମିତି ନିରସ ଉତ୍ତରର ଆଶା କରି ନଥିଲେ ବିଜୟ, ସେ ମନେମନେ ଭାବିଲେ ମୋ ପାଖରେ ରାଜା ହେବାର ସମସ୍ତ ଗୁଣ ଅଛି, ମାତ୍ର ରମାଙ୍କ ପାଖରେ ରାଣୀ ହେବାର ଗୁଣ ଲେଶ ମାତ୍ର ନାହିଁ। ସେ କେବଳ ଜଣେ ଅତି ସାଧାରଣ ନାରୀ।


ତା ପରଦିନ ସକାଳୁ ଦୁଇଜଣ ଲୋକ ବିଜୟଙ୍କ ଘରକୁ ଆସି ବଗିଚା କାମରେ ଲାଗିଗଲେ। ସେମାନଙ୍କ ଉପରେ ହୁକୁମ ଝାଡି ବେଶ୍ କିଛି ସମୟ ଧରି କାମ କରାଇବାରେ ଲାଗିଗଲେ ବିଜୟ। ଲୋକ ଦୁଇଟି କାମଧାମ ସାରି ଯିବାକୁ ଉଦ୍ଯତ ହେବାବେଳେ ରମା ଦୁଇକପ ଚାହା ଓ କିଛି ବଳକାରୁଟି ସେମାନଙ୍କ ହାତକୁ ବଢାଇଦେଲେ। ଲୋକ ଦୁଇଟି ପ୍ରଥମେ ସଙ୍କୋଚ କରୁଥିଲେ କିନ୍ତୁ ବିଜୟଙ୍କ ଆଦେଶ ପାଇବାପରେ ସେତକ ଗ୍ରହଣ କଲେ। କେଇଢୋକରେ ଚାହାକପ ଖାଲିକରି ଧୁଆଧୁଇ କରି ପିଣ୍ଡା ଉପରେ ଓଲଟାଇ ରଖିଦେଇ ରୁଟି ତକ ଗାମୁଛାରେ ଗୁଡାଇ ଯିବାକୁ ବାହାରିଲେ। ବିଜୟ ପଚାରିଲେ ଆରେ ସେ ରୁଟି ତୁମକୁ ଖାଇବାକୁ ଦିଆଗଲା ପରା,ଅଣ୍ଟିରେ ଯାକୁଛ କଣ? ଲୋକ ଦୁଇଜଣ ଭୟାର୍ତ୍ତ ଅବସ୍ଥାରେ ପରସ୍ପରକୁ ଚାହିଁଲେ। ଜଣେ ଛେପଢୋକି କହିଲା - - ହଜୁର, ଏତିକି ରୁଟି ଘରକୁ ନେଇଗଲେ ଆମ ପରିବାରର ସାରାଦିନର ଖାଇବା ବ୍ଯବସ୍ଥା ହୋଇଯିବ। ଘର ଯୋଗାଡ କରିବାରେ ଲାଗିଲୁ ବୋଲି କେହି କାମ କୁ ଯାଇ ନାହାଁନ୍ତି ତେଣୁ ଖାଇବାକୁ କିଛିନାହିଁ। ଘଟଣାର ଗମ୍ଭୀରତା ଓ ଅଧିକ ସାହାଯ୍ଯ ନ କରି ପାରିବାର ଅନିଚ୍ଛାହେତୁ ବିଜୟ କହିଲେ ହଉଠିକ୍ ଅଛି,ତୁମେ ମାନେ ଏବେ ଯାଇପାର। କାଲି ସକାଳୁ ପହଞ୍ଚିଯିବ। ବିଜୟଙ୍କ ଚାଲାକି ଭଲରେ ବୁଝି ପାରିଥିଲେ ରମା କିନ୍ତୁ ନୀରବ ରହିଲେ।


ବେଶ୍ କିଛିଦିନ ବିତି ଯାଇଥିଲା। ଛିଣ୍ଡାଦଦରା ତମ୍ବୁ ଗୁଡିକ ସମୟକ୍ରମେ ଚାଳଘରେ ପରିବର୍ତ୍ତିତ ହୋଇ ସାରିଥିଲା ଓ ପଡିଆରେ ଇତଃସ୍ତତଃ ହୋଇ ଗଢି ଉଠିଥିବା ଜନପଦଟି ବସ୍ତିରେ ରୂପାନ୍ତରିତ ହୋଇ ଯାଇଥିଲା। ଖେଳପଡିଆରେ ଏବେ କୁନିପିଲାଙ୍କ ଖେଳ କସରତ ସହ ନାରୀମାନଙ୍କ ସମାଗମ ଦେଖିବାକୁ ମିଳୁଥିଲା। ଦିନତମାମ ସେହି ନାରୀମାନେ କିଛି ନା କିଛି କାମରେ ବ୍ଯସ୍ତ ରହୁଥିଲେ। କିଏ ବିଞ୍ଚଣା ବୁଣୁଥିଲା ତ କିଏ ପ୍ଲାଷ୍ଟର ଅଫ୍ ପ୍ଯାରିସର ମିଶ୍ରଣ ବିଭିନ୍ନ ମୂର୍ତ୍ତିର ଢାଞ୍ଚାରେ ଢାଳି ଚାଲୁଥିଲା। କିଏ ଝାଡୁ ତିଆରି ରେ ଲାଗିଥିଲା ତ କିଏ ବେଲୁନ୍ ଫୁଙ୍କି ବାଉଁଶବାଡିରେ ସଜାଇ ବାନ୍ଧୁଥିଲା। ପୁଣି କିଛି ନାରୀ ପଡିଆରେ ପଥର ସଜାଇ ଚୁଲି ତିଆରି କରି ରୁଟି ବା ଭାତ ତିଆରିରେ ଲାଗି ରହୁଥିଲେ। ଖୁବ୍ କମଦିନ ଭିତରେ ସେହି ଲୋକମାନେ ଦୁଇପଇସା ରୋଜଗାର କରିବାକୁ ସବୁପ୍ରକାର ପନ୍ଥା ଆପଣାଇବାରେ ଲାଗି ପଡିଥିଲେ। ବାଲକୋନିରେ ଛିଡା ହୋଇ ବିଜୟ ନିଜ ପ୍ରଜାମାନଙ୍କର ଚଳଚଞ୍ଚଳ ଜୀବନଶୈଳୀ ଦେଖି ଆମୋଦିତ ହୋଇ ଉଠୁଥିଲେ। ଭାବୁଥିଲେ ସେହି ପଡିଆରେ ରହିବାକୁ ଯଦି ସେ ଅନୁମତି ଦେଇ ନ ଥା'ନ୍ତେ ଏ ଲୋକ ମାନଙ୍କର ଅବସ୍ଥା କଣ ହୋଇଥାଆନ୍ତା। ପଡିଆ ସାମ୍ନାଦେଇ ବିଜୟ ଗାଡିରେ ଯିବାର ଦେଖିଲେ ବସ୍ତିର ସେହି ବୟୋବୃଦ୍ଧ ବ୍ଯକ୍ତି ଲମ୍ବାଚୌଡା ମୁଣ୍ଡିଆ ମାରି ନିଜର ଆନୁଗତ୍ଯତା ପ୍ରକାଶ କରିବାରେ କେବେ ଅବହେଳା କରୁ ନ ଥିଲା। ବିବାହର ଏତେବର୍ଷ ପରେ ରମା ଆବିଷ୍କାର କରି ପାରୁଥିଲେ ବିଜୟଙ୍କ ଚରିତ୍ରର ଏକ ଭିନ୍ନଦିଗ। ବନ୍ଧୁବାନ୍ଧବଙ୍କ ସହ କଥାହେବା ବେଳେ ବିଜୟ ସଦାବେଳେ କହୁଥିଲେ ସେହି ବସ୍ତିବାସିନ୍ଦାଙ୍କ କଥା। କିପରି ତାଙ୍କ କରୁଣା ଲାଭ କରି ବସ୍ତିଟି ସରକାରୀ ଯାଗାରେ ମୁଣ୍ଡ ଟେକି ପାରିଛି ସେହି କଥା ସେ ଶତାଧିକବାର ପ୍ରକାଶ କରି ଚାଲୁଥିଲେ। ଏକ ଭଲ ଚାକିରି, ଲକ୍ଷ୍ମୀସମ ପତ୍ନୀ, ସୁଯୋଗ୍ଯ ପୁତ୍ର ଓ ବିରାଟ ଅଟ୍ଟାଳିକା ଅପେକ୍ଷା ଅଧିକ ମୂଲ୍ଯବାନ ଉପଲବଧି ଥିଲା ସେହି ବସ୍ତି ; ଅନ୍ତତଃ ବିଜୟଙ୍କ ଦୃଷ୍ଟିକୋଣରୁ ଦେଖିଲେ।

ରମା ବେଶ୍ ବୁଝି ପାରୁଥିଲେ ଯେ ନିଜର ଏକମାତ୍ର ପୁତ୍ରର ସ୍ବାର୍ଥପରତା ଓ ହେୟଜ୍ଞାନ ଭାବର ବହ୍ନିରେ ଅହରହ ଜଳି ଚାଲିଥିବା ବିଜୟଙ୍କ ଜୀବନ,ବସ୍ତିବାସିନ୍ଦାଙ୍କ ଆଗମନ ଫଳରେ ଆନନ୍ଦମୟ ହୋଇ ଉଠିଥିଲା। ମାସରେ ଥରେ ଦୁଇଥର ବିଦେଶରୁ ପୁଅ ଫୋନ୍ କରେ ଭଲମନ୍ଦ ବୁଝିବା ପାଇଁ। ନାତିଆପିଲାର ମୁହଁଟିକେ ଦେଖିବାକୁ ବିଜୟ ଓ ରମା ଅନେକ ଥର କହିବା ପରେ ମଧ୍ଯ ସେ ସୌଭାଗ୍ଯ ବୋହୂ ଦିଏନାହିଁ। କେବେ ପୁଅ ଫୋନ କରିବ ବୋଲି ଦୁଇପ୍ରାଣୀ ଚାତକ ପରି ଚାହିଁ ରୁହନ୍ତି, ମାତ୍ର ଫୋନ୍ ରେ ପୁଅବୋହୂଙ୍କର ଛିଃ ଛାକର କଥା ଶୁଣି ମନ ଟା ଭାଙ୍ଗିଯାଏ। ରାତିରେ ଦୁଇଜଣ ପରସ୍ପରକୁ ଲୁଚାଇ ଅନେକ ସମୟଯାଏ କାନ୍ଦନ୍ତି। ଏ ଦୁଃଖ ବିଷୟରେ କାହାକୁ ବା କହିବେ। ଯେଉଁ ବିଜୟ ଦିନେ ଲୋକଙ୍କ ସାମ୍ନାରେ ଗର୍ବ ସହକାରେ ଛାତି ଫୁଲାଇ କହୁଥିଲେ ପୁଅ ବିଦେଶରେ ଚାକିରି କରିଛି, ସେ ଏବେ ପୁଅ କଥା ପଡିଲେ ନୀରବ ରୁହନ୍ତି। ଦୀର୍ଘଶ୍ବାସ ପକାଇ କୁହନ୍ତି- - ହଁ, ପୁଅ,ବୋହୂ ଓ ନାତି ସବୁ ବିଦେଶରେ । ପୁଅ ବଡ କମ୍ପାନୀରେ ଚାକିରି କରିଛି, ବର୍ଷକୁ ଆୟ ଲାକ୍ଷାଧିକ,କିନ୍ତୁ ଆମ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।


ବାଲକୋନିରେ ଛିଡା ହୋଇ ବିଜୟ ଓ ରମା ଦେଖନ୍ତି ବସ୍ତିରେ ଖେଳୁଥିବା କୁନିକୁନି ପିଲାଙ୍କୁ। ବସ୍ତିର ବୁଢାବୁଢୀ ମାନେ ପିଲାଙ୍କୁ କୋଳକୁ ଟେକି ନେଇ ଗେଲ କରି ଦିଅନ୍ତି,ସେମାନଙ୍କ ସହ ଖେଳନ୍ତି ଓ ଗପ କୁହନ୍ତି। ସେସବୁ ଦେଖିଲେ ଉଭୟଙ୍କ ଆତ୍ମାରେ ଭରିଉଠେ ବିରାଟ ଶୂନ୍ଯତା ଓ ବିବଶତା। ବିଜୟ ଭାବନ୍ତି, ଏତେ ବଡଘର ସେ କାହା ପାଇଁ କଲେ,ଯାହାପାଇଁ ଏ ଘର ତିଆରି କରିଛନ୍ତି ତାଙ୍କ ଆଖିରେ ତ ଆଧୁନିକତାର କଳାଚଷମା ଲାଗିଛି। କେବେକେବେ ତାଙ୍କ ମନରେ ଭୀଷଣ କ୍ରୋଧ ଜାଗିଉଠେ,ଭାବନ୍ତି ପୁଅକୁ ଫୋନ କରି ମନଇଚ୍ଛା ଗାଳିଦେବେ। କିନ୍ତୁ ରହିଯାଆନ୍ତି, ପୁଅ ପରା କହିଛି ଯେ ଅତି ଦରକାର ନହେଲେ ଫୋନ୍ ନ କରିବାକୁ। ସେ କୁଆଡେ ବହୁତ ବ୍ଯସ୍ତ ରହୁଛି ଓ ସଦାବେଳେ ବଡଲୋକଙ୍କ ମେଳରେ ରହୁଛି। ବିଜୟଙ୍କ ପରି ଛୋଟଲୋକର ଫୋନ୍ ଉଠାଇବାକୁ ସେ ବା କାହିଁକି ଉଚିତ୍ ମନେକରିବ ? ଏମିତି ଦିନେ ବିଜୟଙ୍କ ମନ ଖରାପ ଥିବା ସମୟରେ ବସ୍ତିର ଲୋକ ଦୁଇଜଣ ତାଙ୍କ ଘରକୁ କାମ କରିବାକୁ ଆସିଲେ ନାହିଁ। ବିଜୟଙ୍କୁ ଲାଗିଲା ଭଲରେ ଦୁଇ ପଇସା ଆୟ କରିବା ପରେ ବସ୍ତି ଲୋକଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଛି। ସେ ରମାଙ୍କୁ ନ ଜଣାଇ ବସ୍ତି କୁ ଗଲେ ଓ ବାସିନ୍ଦାଙ୍କୁ ମନଇଚ୍ଛା ଶୋଧି ଚାଲିଲେ। ପ୍ରକୃତରେ ତାଙ୍କ ଘରକୁ କାମ କରିବାକୁ ଆସୁଥିବା ଲୋକ ଦୁଇଜଣ ସହରକୁ କୌଣସି ଜରୁରୀ କାମରେ ଯାଇଥିବା ହେତୁ ଆସି ପାରି ନ ଥିଲେ। ମାତ୍ର ବିଜୟଙ୍କୁ ବୁଝାଇବ କିଏ? ବସ୍ତିର ସେହି ବୃଦ୍ଧବ୍ଯକ୍ତି ହାତ ଯୋଡି କ୍ଷମା ପ୍ରାର୍ଥନା କରିବାପରେ ମଧ୍ଯ ବିଜୟଙ୍କ ରାଗ ଶାନ୍ତ ହେଲାନାହିଁ। ସେ ରୋକଠୋକ ଶୁଣାଇ କହଲେ ତୁମ ମାନଙ୍କର ମୋ ଘରକୁ ଆସି କାମ କରିବାର ଆବଶ୍ଯକତା ନାହିଁ। ଟଙ୍କା ଦୁଇପଇସା ରୋଜଗାର କରି ତୁମେମାନେ ଧରାକୁ ସରା ମନେ କରିବା ଆରମ୍ଭ କଲଣି। କିନ୍ତୁ ଏତିକି ଭୁଲି ଯାଉଛ ଯେ ମୁଁ ତୁମକୁ ଏ ଯାଗାରେ ରହିବାକୁ ଅନୁମତି ଦେଇ ନଥିଲେ ତୁମ ମାନଙ୍କର ଅବସ୍ଥା କଣ ହୋଇ ଥାଆନ୍ତା। ତୁମେ ସବୁ ଛୋଟଲୋକ ହୋଇ ବଞ୍ଚୁଛ ଓ ଛୋଟଲୋକ ହୋଇ ମରିବ। ଧିକ୍ ତୁମ ଜୀବନ କୁ।


ଘରକୁ ଆସିବାପରେ ସେ ଅନେକ ସମୟ ଧରି ଗୁମସୁମ ହୋଇ ବସିରହିଲେ। ରମା ବାରମ୍ବାର ପଚାରିବା ପରେ ମଧ୍ଯ କୌଣସି ଉତ୍ତର ମିଳିଲା ନାହିଁ। ବିଜୟଙ୍କୁ ଲାଗୁଥିଲା ତାଙ୍କ ପ୍ରଜାମାନେ ତାଙ୍କ ବିରୁଦ୍ଧରେ ଏକ ବିରାଟ ଷଡଯନ୍ତ୍ର ରଚନା କରିଛନ୍ତି ଓ କାମ କୁ ନଆସି ସେମାନେ ତାହାର ପ୍ରାକ୍ ସୂଚନା ଦେଇ ସାରିଛନ୍ତି। ତା ପରଦିନ ସକାଳୁ ଲୋକ ଦୁଇଟି କାକୁସ୍ଥ ହୋଇ ବିଜୟଙ୍କ ସାମ୍ନାରେ ଛିଡା ହୋଇଥିଲେ ଓ ବିଜୟଙ୍କ ମୁହଁରୁ ଅନବରତ ଗାଳିର ବର୍ଷଣ ଚାଲି ରହିଥିଲା। ବିଜୟ ନିଜ ନିଷ୍ପତ୍ତିରେ ଅଟଳଥିଲେ ଓ ସେମାନଙ୍କୁ ଗାଳିମନ୍ଦ ଦେଇ ଫେରାଇଦେଲେ। ବିଜୟଙ୍କ କଥାବାର୍ତ୍ତାରୁ ଘଟଣା ବିଷୟରେ ସମ୍ଯକ ସୂଚନା ରମାଙ୍କୁ ମିଳି ସାରିଥିଲା, ମାତ୍ର ସେ ନୀରବ ଥିଲେ।


ମାତ୍ର ଗୋଟିଏ ଦିନରେ ପରିସ୍ଥିତି ବଦଳି ଯାଇଥିଲା। ବାଲକୋନିରେ ଛିଡାହୋଇ ବିଜୟ କ୍ରୋଧ ଜର୍ଜରିତ ହୋଇ ବସ୍ତି ବାସିନ୍ଦାଙ୍କୁ ଦେଖି ଚାଲିଥିଲେ। ଏବେ ପଡିଆରେ ଇତଃସ୍ତତଃ ଖେଳୁଥିବା ପିଲା ମାନେ ତାଙ୍କ ଆଡକୁ ଚାହିଁ ଖତେଇହେବା ପରି ଲାଗୁଥିଲେ। ନାରୀ ମାନଙ୍କର ଗପସପ ବୋଧେ ତାଙ୍କ ବିଷୟରେ ହିଁ ଥିଲା,ନହେଲେ ସେମାନେ ଏମିତି ହସିହସି ଗଡି ଯାଉଥିଲେ କାହିଁକି। ସେହି ବୟୋବୃଦ୍ଧର ଶୁଷ୍କ ଚାହାଁଣୀରେ ବିଜୟଙ୍କୁ ଦୃଶ୍ଯ ହେଉଥିଲା ବିଦ୍ରୋହର ବହ୍ନି। ଲାଗୁଥିଲା ସେହି ବୃଦ୍ଧ ମନେମନେ ହସି କହିଚାଲିଥିଲା- - ଦେଖିଲ ତ ହଜୁର୍, ଆମେମାନେ କିପରି ଆପଣଙ୍କୁ ଭଲକରି ବୁଦ୍ଧିି ଶିଖାଇଦେଲୁ। ଛିଃ...ବୋଲି ଚିତ୍କାର କରି ବିଜୟ ଘର ଭିତରକୁ ପଶିଗଲେ। କିଛିକ୍ଷଣ ପରେ ପୁଣି ବାଲକୋନିକୁ ଆସି ରମାଙ୍କୁ ଡାକି କହିଲେ- - ଆରେ ଦେଖିଲ, ଏ ବସ୍ତି ବାସିନ୍ଦା ମାନେ କେମିତି ଚୁଲି ଜାଳୁଛନ୍ତି ଯେ ଚତୁର୍ଦ୍ଦିଗ ଧୂମ୍ରମୟ ହୋଇ ଯାଉଛି। ସେମିତି ତ ମୋର ଶ୍ବାସରୋଗ ଅଛି। ଯଦି ଏମାନେ ଏମିତି ଧୂଆଁ କରିବେ ଖୁବ୍ କମ ଦିନ ଭିତରେ ମୋ ଦେହ ଖରାପ ହୋଇଯିବ। ସହଜ ସ୍ବରରେ ରମା କହିଲେ - - ଆରେ ସେମାନେ କୋଇଲାରେ ଆଞ୍ଚ କରୁଛନ୍ତି, ଧୂଆଁ ତ ହେବ ନିଶ୍ଚୟ। ଗରିବ ଲୋକ ସେମାନେ,କଣ ବା କରିବେ ?


- - ସେମାନଙ୍କ ପାଇଁ ତୁମମନରେ ଏତେ ଦରଦ କାହିଁକି କହିଲ ଟିକେ, ନିମକହାରାମ ଗୁଡା ମୋ କଥାକୁ ଅମାନ୍ଯ କଲେ। ତୁମେ ଶେଷରେ ତାଙ୍କ କାମକୁ ସମର୍ଥନ କରୁଛ?ଲାଜ ଲାଗୁନି ତୁମକୁ ? ବିରକ୍ତିର ଚରମସୀମାରେ ପହଞ୍ଚି କହିଲେ ବିଜୟ। ରମା ବିଜୟଙ୍କ ମନର ଅବସ୍ଥା ବୁଝି ପାରି ଧୀରସ୍ବରରେ କହିଲେ- - ତୁମେ ବ୍ଯସ୍ତ ହୁଅନାହିଁ, ମୁଁ ବସ୍ତି କୁ ଯାଇ ସେମାନଙ୍କୁ ତାଗିଦ୍ କରିଦେଇ ଆସିବି।


- - ତୁମେ କୁଆଡେ ଯିବା ଦରକାର ନାହିଁ, ମୁଁ ଏବେ ହିଁ ଯାଉଛି, ସେମାନଙ୍କୁ ଭଲରେ ପାନେ ଦେଇ ଆସିବି। ବିଜୟ ଏତିକିକହି ବସ୍ତିମୁହାଁ ହେଲେ। ରମା ବାଲକୋନିରେ ଛିଡାହୋଇ ଦେଖୁଥିଲେ ବିଜୟ ଓ ତାଙ୍କ ଚାରିପଟରେ ହାତଯୋଡି ଛିଡା ହୋଇଥିବା ବସ୍ତି ବାସିନ୍ଦାଙ୍କୁ।


ବିଜୟ ବାରମ୍ବାର କହିବାପରେ ମଧ୍ଯ ବସ୍ତିରୁ ସକାଳେ ଓ ସଂଞ୍ଜବେଳେ ଉଠୁଥିବା ଧୂମ୍ରକୁଣ୍ଡଳର ନଭଶ୍ଚୁମ୍ଭୀ ଆକୃତି ପ୍ରଶମିତ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ। ଅବଶ୍ଯ ବସ୍ତି ଓ ବିଜୟଙ୍କ ଘରର ଦୂରତା ଯେତିକି ଥିଲା, ସେତିକିରେ ଧୂଆଁର ଲେଶମାତ୍ର ଅଂଶ ଘରେ ପ୍ରବେଶ କରିବାର ଅବକାଶ ନଥିଲା। ମାତ୍ର ସେ ଧୂଆଁ ତ ଉଠୁଥିଲା ବିଜୟଙ୍କ ଅନ୍ତରାତ୍ମାରୁ, ତାକୁ କିଏ ବା ପ୍ରଶମିତ କରିପାରି ଥାଆନ୍ତା। ଏବେ ସବୁଦିନ ସକାଳେ ଓ ସଂନ୍ଧ୍ଯାରେ ବିଜୟ ବସ୍ତିକୁ ଯାଇ ଭୀଷଣ ପାଟିତୁଣ୍ଡ କରି ଫେରୁଥିଲେ, ମାତ୍ର ତା ପରଦିନ ସକାଳୁ ବସ୍ତିରୁ ଧୂଆଁର ବହଳିଆ ପରସ୍ତ ପୁଣି ଉର୍ଦ୍ଧ୍ବଗାମୀ ହେବାକୁ ଲାଗୁଥିଲା। ଦିନ କୁ ଦିନ ବିଜୟଙ୍କୁ ସମ୍ଭାଳିବା ରମାଙ୍କ ପକ୍ଷରେ ଅସମ୍ଭବ ହେବାକୁ ଲାଗିଲା। ଏବେ ସେ ନିଜର ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସାମ୍ନାରେ ବସ୍ତିବାସିନ୍ଦାଙ୍କ ବିପକ୍ଷରେ ବିଷୋଦଗାର କରିବାରେ ଲାଗିଲେ। ସମସ୍ତେ ବିଜୟଙ୍କୁ ସେହି ଗୋଟିଏ କଥା କହିଲେ- - କାହିଁକି ସେମାନଙ୍କ ପଛରେ ଲାଗିଛ। ସେମାନେ ତ ନିଜ ଦୁଃଖ ସମ୍ଭାଳି ପାରୁନାହାଁନ୍ତି ଅନ୍ଯର ସୁଖ କଥା ସେମାନେ ବା ଭାବିବେ କିପରି। ବନ୍ଧୁପରିଜନଙ୍କର ଏପରି ନୀରସ କଥା ଶୁଣି ବିଜୟଙ୍କ ମନର ଉଦବିଗ୍ନୀତା ଆହୁରି ବଢିଯାଏ। ସେ ଭାବିପାରନ୍ତିନି ଲୋକମାନେ କେମିତି ବୁଝି ପାରୁନାହାଁନ୍ତି ଯେ ତାଙ୍କ ସାହାଯ୍ଯ ବିନା ବସ୍ତିର ଇତରଲୋକଙ୍କ ମୁଣ୍ଡ, ଚାଳଛପର ଘରେ ସୁରକ୍ଷିତ ରହିପାରି ନଥାନ୍ତା।ଏମିତି ବେଶ୍ କିଛିଦିନ ବିତିଗଲା ଓ ରମାଙ୍କ ପକ୍ଷରେ ବିଜୟଙ୍କ ବ୍ଯବହାର ନିତିଦିନିଆ ପାଲଟିଗଲା।

ସେଦିନ ଟେଲିଭିଜନରେ ଏକ ସମ୍ବାଦ ଶୁଣି ବିଜୟ ସୋଫା ଉପରେ ଲଥ୍ କରି ବସିପଡିଲେ। କୋରୋନା ନାମ୍ନୀ ଏକ ଭୂତାଣୁର ସଂକ୍ରମଣ ଫଳରେ ଚୀନଦେଶରେ ଲୋକମାନେ ପୋକମାଛି ପରି ମୃତ୍ଯୁମୁଖରେ ପଡୁଥିଲେ ଓ ସେ ଭୂତାଣୁ ଅତି କ୍ଷୀପ୍ରଗତିରେ ଅନ୍ଯଦେଶ ମାନଙ୍କୁ ସଂକ୍ରମିତ କରିବାରେ ଲାଗିପଡିଥିଲା। ରମାଙ୍କୁ ଏ ବିଷୟରେ ଖବର ଦେବାପରେ ସେ ଭାବିଲେ ତାଙ୍କ ପୁଅବୋହୂ ଓ ନାତିର କଥା। ଏ ଦାରୁଣ ବିପତ୍ତି ବିଷୟରେ ସେମାନଙ୍କୁ ଜଣାଇଦେବା ସମୀଚୀନ ମନେକରି ସେ ପୁଅ ପାଖକୁ ଫୋନ୍ ଲଗାଇଲେ। ଦୁଇତିନି ଥର ଚେଷ୍ଟା କରିବାପରେ ପୁଅ ଫୋନ୍ ଧରିଲା ଓ ଭୀଷଣ ବିରକ୍ତିରେ ଅସମୟରେ ଫୋନ କରିବାର କାରଣ ପଚାରିଲା। ଥତମତ ହୋଇ ବିଜୟ କହିଲେ- - ପୁଅରେ, ଟିଭିରେ କୋରୋନା ବିଷୟରେ ଶୁଣି ମନଟା ଅସ୍ତବ୍ଯସ୍ତ ହୋଇଗଲା। ସେଥିପାଇଁ ଫୋନ କରିଦେଲି। ତୁ ଟିକେ ସାବଧାନରେ ଚଳିବୁ ଓ ବୋହୂ ଓ ନାତିର ଯତ୍ନ ନେବୁ। ଯାହାହେଲେ ବି ତୁ ବିଦେଶରେ ରହୁଛୁ, ତୋ ମାଆ ଓ ମୋର ମନ କଣ ବୁଝୁଛି.......... ଏତିକି କହିପାରିଥିଲେ ବିଜୟ। ସେପଟରୁ ଗଗନ ଗର୍ଜନ କରି କହିଲା- - କାହିଁକି ବେକାରଟାରେ ମୁଣ୍ଡ ଖରାପ କରୁଛ ବାପା। ଆମେ ଆମ କଥା ବୁଝିପାରିବୁନି ଯେ ତୁମେ ଆମକୁ ଉପଦେଶ ଦେଉଛ ? ମଣିଷ ଏଠି କାମ କରିକରି ଅଧାପ୍ରାଣ ହେଲାଣି, ଆଉ ତୁମକୁ ଥଟ୍ଟା ଲାଗୁଛି ନାଇଁ ! ତୁମେ ସିନା ଖାଇପିଇ ଆରାମ କରୁଛ, ସେଥିପାଇଁ ଏ ଫାଲତୁ ନିଉଜ୍ ଦେଖି ମୁଣ୍ଡ ଖରାପ କରୁଛ। ବେକାରଟାରେ ମୋ ସମୟ ନଷ୍ଟକଲ। ଫୋନ ରଖ, ମୋର ବହୁତ କାମ ଅଛି। ହଁ, ଆଉ ଗୋଟେ କଥା,ଭବିଷ୍ଯତରେ ଏମିତି ଫାଲତୁରେ ମୋତେ ଡିଷ୍ଟର୍ବ କରିବନି । ଦରକାର ହେଲେ ମୁଁ ଫୋନ୍ କରିବି।


ବିଜୟଙ୍କ ଛଳଛଳ ଆଖି ଦେଖି ରମା ଉତ୍କଣ୍ଠା ସହକାରେ କଣ ହୋଇଛି ବୋଲି ପଚାରିଲେ। ମନ ଭିତରୁ ଉଠି ଆସୁଥିବା କୋହକୁ ଚାପିବାର ଶତଚେଷ୍ଟା କରି ବିଫଳ ହେବାପରେ ବିଜୟ ରମାଙ୍କ ହାତକୁ ଜାବୁଡି ଧରି ଭୋ ଭୋ କରି କାନ୍ଦିଉଠିଲେ। ବଡକଷ୍ଟରେ କେବଳ ଏତିକି କହିପାରିଲେ ଯେ- - ରମା, ତୁମ ପୁଅକୁ ଫୋନ୍ କରି ମୁଁ ମସ୍ତବଡ ଅପରାଧଟାଏ କରି ବସିଲି। ସେ ମୋତେ ମନଇଚ୍ଛା ଗାଳିଦେଲା ଓ ଭବିଷ୍ଯତରେ ଏମିତି ବିରକ୍ତ ନ କରିବାକୁ ଚେତାବନୀ ମଧ୍ଯଦେଲା। ଅଳ୍ପ ସମୟ ମଧ୍ଯରେ ଚାରିଟି ଆଖିରୁ ଧାରାଶ୍ରାବଣ ବୋହି ଚାଲିଥିଲା ଓ ଦୁଇଟି ବ୍ଯଥିତ ପ୍ରାଣ ଅବ୍ଯକ୍ତ ବେଦନାର ବହ୍ନିରେ ଦଗ୍ଧୀଭୂତ ହୋଇ ଚାଲିଥିଲେ।


ଆଖିରୁ ଲୁହ ପୋଛି ବିଜୟ ଚାରିଆଡକୁ ଦେଖି ଭୟରେ ସାଙ୍କୁଡି ଗଲେ- - ଏ କଣ, ତାଙ୍କ ଘର ଭିତରେ ଧୂଆଁ କେଉଁଠାରୁ ଆସିଲା। ଘନକୃଷ୍ଣ ବର୍ଣ୍ଣର ଧୂଆଁରେ ଝାପସା ଦିଶୁଥିଲା ରମାଙ୍କ ବିଷର୍ଣ୍ଣ ବଦନ ଓ ଲୋତକାପ୍ଳୁତ ନୟନଯୁଗଳ। ସେ ମନକୁ ମନ କହିଉଠିଲେ- - ଆରେ ବସ୍ତିର ଧୂଆଁ ମୋ ଘରେ ମଧ୍ଯ ପ୍ରବେଶ କରିଗଲା ନା କଣ ? .......ନାଁ ନାଁ ତାହା ହୋଇ ନପାରେ- - ବସ୍ତିରୁ ଉଠୁଥିବା ଧୂଆଁ ତ ବରଫସମ ଶୁଭ୍ର, କଦାପି କୃଷ୍ଣବର୍ଣ୍ଣୀ ନୁହେଁ-- - ତେବେ ଏହି ଘନକୃଷ୍ଣ ଧୂଆଁ , ତାଙ୍କ ମାନସିକ ଅବସ୍ଥାର ପ୍ରତିଫଳନ ନୁହେଁ ତ ?

ତା ପରଦିନ ସକାଳୁ ହାତରେ ଚାହାକପ୍ ଧରି ବିଜୟ ଏକଲୟରେ ଚାହିଁ ରହିଥିଲେ ସେହି ବସ୍ତି ଆଡକୁ। କେଜାଣି କାହିଁକି, ବସ୍ତିବାସିନ୍ଦାଙ୍କ ପାଇଁ ତାଙ୍କ ମନରେ ଅହରହ ଜନ୍ମ ନେଉଥିବା କ୍ରୋଧ ଓ ଅସୂୟାଭାବର ବିଶାଳକାୟ ଢେଉ ଭଟ୍ଟାଗ୍ରସ୍ତ ହୋଇ ପଡିଥିଲା। ସେଦିନ ବିଜୟ ପାଟିତୁଣ୍ଡ କରିବାକୁ ବସ୍ତିକୁ ଗଲେ ନାହିଁ। ବୈଠକଖାନାରେ ବସି ଟିଭିରେ ନିଉଜ୍ ଦେଖିବାରେ ଲାଗିଲେ। କୋରୋନା ସମ୍ପର୍କିତ ଖବର ଶୁଣି ତାଙ୍କ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ସମଗ୍ର ପୃଥିବୀରେ କୋରୋନା ମହାମାରୀ ରୂପ ଧାରଣକରି ମୃତ୍ଯୁର ତାଣ୍ଡବ ଚଳାଇଥିଲା। ଅତ୍ଯାଧୁନିକ ଜ୍ଞାନକୌଶଳ ଓ ବିଜ୍ଞାନର ଦୁରୁପଯୋଗ କରି ଧରାକୁ ସରା ମଣୁଥିବା ମନୁଷ୍ଯଗଣ ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁର ଭୀଷଣ ପ୍ରହାରରେ ପରାସ୍ତ ହୋଇ ମୃତ୍ଯୁଫାଶରେ ଆବଦ୍ଧ ହୋଇ ଚାଲିଥିଲେ। ସମଗ୍ର ବିଶ୍ବର ବୈଜ୍ଞାନିକ,ଚିକିତ୍ସକ ଓ ବୁଦ୍ଧିମାନ ବୋଲାଉଥିବା ମନୁଷ୍ଯଗଣ କୋରୋନା ଭୂତାଣୁର ଆଦିଅନ୍ତ ପାଉନଥିଲେ। ଚିକିତ୍ସା ତ ଦୂରର କଥା,କେମିତି ଭୂତାଣୁ ସଂକ୍ରମଣରୁ ରକ୍ଷା ମିଳିବ ତାହା ମଧ୍ଯ ଜାଣି ପାରୁ ନ ଥିଲେ। ବିଜୁଳିପରି କ୍ଷୀପ୍ରଗତିରେ କୋରୋନା ଆସି ଭାରତରେ ପ୍ରବେଶ କରିବାର ଖବର ଶୁଣି ରମା ଓ ବିଜୟ ସ୍ତମ୍ଭୀଭୂତ ହୋଇଗଲେ। କେବଳ ନିଜକୁ ଘର ମଧ୍ଯରେ ଆବଦ୍ଧ କରି ଏହି ଭୂତାଣୁ କବଳରୁ ବର୍ତ୍ତିହେବ ବୋଲି ତୁହା କୁ ତୁହା ଖବର ପ୍ରସାରିତ ହେବାରେ ଲାଗିଥିଲା। ବିପଦର ଆଶଙ୍କା କରି ବିଜୟ ମୋଟରକାର ନେଇ ସହର ଗଲେ ଓ ଅଧିକ ମାତ୍ରାରେ ଅତ୍ଯାବଶ୍ଯକ ସାମଗ୍ରୀ କିଣି ଘରକୁ ଫେରିଲେ। କେତେଦିନ ଏ ବିପଦ ଚାଲିବ ଜାଣିବାର ବାଟ ନଥିଲା। ଖବର ପ୍ରସାରଣକାରୀ ଗଣମାଧ୍ଯମ ପ୍ରତିନିଧିଙ୍କ ସ୍ବରରେ ଅଜଣା ଆଶଙ୍କା ଓ ଭୟକୁ ବେଶ୍ ବାରି ପାରୁଥିଲେ ବିଜୟ। ତାଙ୍କ ଆଶଙ୍କା ସତ୍ଯରେ ପରିଣତ ହେଲା ଯେତେବେଳେ ସ୍ବୟଂ ପ୍ରଧାନମନ୍ତ୍ରୀ ସମ୍ପୁର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା କଲେ । ଯିଏ ଯେଉଁଠାରେ ଅଛି ସେହିଠାରେ ସ୍ଥାଣୁ ପାଲଟିଯିବାକୁ ଆଦେଶଥିଲା। ଘରୁ କେହି ନ ବାହାରିବାକୁ ଚେତାବନୀ ଦେବା ସହିତ ଆଦେଶ ନ ମାନିଲେ ଭୟଙ୍କର ଦଣ୍ଡର ବ୍ଯବସ୍ଥା ମଧ୍ଯଥିଲା । କାଳେ ପୁଅ ଫୋନ୍ କରିବ ବୋଲି ସେଦିନ ସାରା ରାତି ଦୁଇପ୍ରାଣୀ ଫୋନ ପାଖରେ ତପସ୍ଯା କରିବା ପରି ପଡିରହିଲେ। କିନ୍ତୁ ନା ପୁଅ ଫୋନ୍ କଲା ନା ସେମାନେ କରିବାର ସାହାସ ଜୁଟାଇ ପାରିଲେ। ତା ପରଦିନ କେତେବେଳେ ସୂର୍ଯ୍ଯଙ୍କର ଆବିର୍ଭାବ ହେଲା ବିଜୟଙ୍କୁ ଜଣାପଡିଲାନି। କିନ୍ତୁ ଜଣା ପଡିଲା ପରିବେଶରେ ଅହେତୁକ ନୀରବତା ଓ ଭୟର ଆସର। ପୃଥିବୀର ଘୂର୍ଣ୍ଣନ ସତେକି ରହିଯାଇଥିଲା। ନିଉଜ୍ ରେ କୋରୋନା ସମ୍ପର୍କିତ ଖବର ଶୁଣିଶୁଣି ବିଜୟଙ୍କ ମନପ୍ରାଣ ବ୍ଯଥିତ ହୋଇଗଲା। ସେ ବାଲକୋନିରେ ଛିଡା ହୋଇ ଶୂନ୍ଯଦୃଷ୍ଟିରେ ଚାହିଁ ରହିଲେ ବସ୍ତି ଆଡକୁ। ସେଦିନ ଧୂମ୍ର ବଳୟର ଘନତା ବେଶ୍ କମ୍ ଥିଲା। ସବୁଦିନ ଜଳୁଥିବା ଚୁଲିର ସଂଖ୍ଯା କମିଯାଇଥିଲା ବୋଧେ। ବସ୍ତବାସିନ୍ଦାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ଏକ ଅଜଣା ଭୟର ଆତଙ୍କ। ସେମାନଙ୍କର ଗତିବିଧି ଧୀରମନ୍ଥର ଥିଲା ଓ ସେମାନେ ଗମ୍ଭୀର ଆଲୋଚନାରେ ବ୍ଯାପୃତ ଥିବାପରି ଲାଗୁଥିଲେ।


ଏସବୁ ଦେଖି ଆନନ୍ଦିତ ହୋଇଉଠିଲେ ବିଜୟ। ବଡପାଟିରେ ରମାଙ୍କୁ ଡାକି କହିଲେ- - ଆରେ ଶୁଣୁଛ ଆସ ଦେଖିବ ଆଜି କେମିତି ବସ୍ତିରୁ ଧୂଆଁ ଉଠିବା କମି ଯାଇଛି। ସେମାନେ ବୋଧେ ନିଜ ଭୁଲ ବୁଝିପାରିଛନ୍ତି। ଦେଖୁନ ନିଜ ଭିତରେ କେମିତି ଆଳାପ ଆଲୋଚନା ଚଳାଇଛନ୍ତି। ରମା କହିଲେ ବସ୍ତିବାସିନ୍ଦା ନିଜ କୃତକର୍ମର ଫଳ ପାଉଛନ୍ତି। କିନ୍ତୁ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲେ ବିଜୟ ଓ ସେ ମୁହଁ ଫଣଫଣ କରି ଟିଭି ଆଗରେ ବସିଲେ କୋରୋନା ବିଷୟରେ ତାଜା ଖବର ପାଇବା ଆଶାରେ। ପ୍ରତ୍ଯେକ ଚ୍ଯାନେଲରେ ସେଇ ଗୋଟିଏ ଆଲୋଚନା "କୋରୋନା”। ଚାରିଆଡେ ଲକ୍ ଡାଉନ ହେବା ଫଳରେ ଲୋକ ମାନଙ୍କର ନାହିଁନଥିବା ଅସୁବିଧାର ବିବରଣୀ ସହିତ କୋରୋନାରୁ ବଞ୍ଚିବାର ଉପାୟମାନ ନୂଆ ଢଙ୍ଗରେ ପରିବେଶିତ ହେବାରେ ଲାଗିଥିଲା। ଚାହାକପ୍ ହାତରେ ଧରି ପୁଣି ବସ୍ତି ଆଡକୁ ଚାହିଁବାରେ ଲାଗିଲେ ବିଜୟ। ସେଦିନ ବସ୍ତିରେ ଅପେକ୍ଷାକୃତ ଅଧିକ ଗହଳି ଜଣା ପଡୁଥିଲା। ବୋଧେ କେହି କାମ କୁ ଯାଇ ନଥିଲେ। ବସ୍ତି ପିଲାଙ୍କର ଖେଳକୁଦ ଓ ଖାଇବାର ଆସର ତାଙ୍କ ନଜରରେ ପଡିଲାନି। ସେତିକିବେଳେ ରମା କହିଲେ ଆରେ ସେମାନଙ୍କର ଚୁଲି ଜଳିବ କେମିତି , ଚାରିଆଡେ ପରା ଲକ୍ ଡାଉନ ଚାଲିଛି। ଟିଭିରେ ଦେଖଉଛି ପରା ଯିଏ ବି ବାହାରକୁ ବାହାରିବ ତାକୁ ପୋଲିସ ବାନ୍ଧିନେବ। ଦୀର୍ଘନିଶ୍ବାସ ପକାଇ ବିଜୟ କହିଲେ - - ହୁଁ, ଦେଖାଯାଉ କଣ ହେଉଛି। ଆମପାଇଁ ମୁଁ ଢେର ଜିନିଷପତ୍ର କିଣି ଆଣିଛି। ଆମ ବଗିଚାରେ ପ୍ରାୟ ସବୁ ପ୍ରକାରର ପରିବା ଅଛି। ମୁଁ ଭାବୁଛି ଲକ୍ ଡାଉନ ତିନି ଚାରି ମାସ ଯାଏ ହେଲେ ବି ଆମର କୌଣସି ଅସୁବିଧା ହେବନାହିଁ।


ସେଦିନ ବାରମ୍ବାର ବାଲକୋନିରେ ଛିଡା ହୋଇ ବିଜୟ ଏକଲୟରେ ଚାହିଁ ରହୁଥିଲେ ବସ୍ତି ଆଡକୁ। ତାଙ୍କୁ ଶୁଭୁଥିଲା ସାନପିଲା ମାନଙ୍କର ବିକଳକ୍ରନ୍ଦନ ଓ ନାରୀମାନଙ୍କର ଉଚ୍ଚସ୍ବରରେ କଥାବାର୍ତ୍ତା। ସକାଳେ ସେ ଦେଖିଥିଲେ ଧୂଆଁର ଏକ ଦୁର୍ବଳ ରେଖା କିନ୍ତୁ ସଂନ୍ଧ୍ଯା ବେଳକୁ ବସ୍ତିରେ ଧୂଆଁର ଲେଶମାତ୍ର ଚିହ୍ନ ନ ଥିଲା। ବିଜୟଙ୍କ ମନରେ ବିଚିତ୍ର ଭାବନାମାଳା ଉଙ୍କି ମାରିବାରେ ଲାଗିଥିଲା। ଏତେଦିନରୁ ଲଢି ଆସୁଥିବା ଯୁଦ୍ଧରେ ସେ ବିଜୟୀ ହେବାପରେ ମଧ୍ଯ ମନରେ କାହିଁକି କେଜାଣି ଭୀଷଣ ଉଦବୀଗ୍ନତା ଲାଗି ରହିଥିଲା। ତା ପରଦିନ ସକାଳୁ ବସ୍ତି ସାମ୍ନାରେ ପୋଲିସଗାଡି ଦେଖି ସେ ଆଶ୍ଚର୍ଯ୍ଯ ହୋଇଗଲେ। ସାହାସ ସଞ୍ଚୟ କରି ସେଠାରେ ପହଞ୍ଚିବା ପରେ ଜଣା ପଡିଲା, ସେ ଅଞ୍ଚଳରୁ ବାହାରକୁ ନଯିବା ପାଇଁ ପୋଲିସ ତାଗିଦ କରୁଛି। ଜଣେ ପୋଲିସ ବିଜୟଙ୍କୁ କହିଲା- - ଆଜ୍ଞା। ଆପଣଙ୍କ ବୟସ ଯାହା ଆପଣ ଘରେ ରହିବା କଥା। ନହେଲେ କେତେବେଳେ କୋରୋନା ଗିଳିଦେବ ଜାଣି ପାରିବେନି। ଚୁପଚାପ ଘରକୁ ଚାଲିଯାଆନ୍ତୁ ଓ ଘରଭିତରେ ନିଜକୁ ଆବଦ୍ଧ କରି ରଖନ୍ତୁ। ଫେରିବା ସମୟରେ ସେ ଦେଖିଲେ ବସ୍ତିର ବୟୋବୃଦ୍ଧ ବ୍ଯକ୍ତି ନେହୁରା ହୋଇ ପୋଲିସକୁ କିଛି କହୁଛି, ମାତ୍ର ପୋଲିସ ବାଡି ଉଠାଇ ତାକୁ ଚେତାବନୀ ଦେଉଛି।

ତା'ପର ଦିନ ସକାଳୁ ବସ୍ତିକୁ ଆଚ୍ଛନ୍ନ କରି ରଖିଥିଲା ଶ୍ମଶାନର ନୀରବତା। ବସ୍ତିବାସିନ୍ଦା ମାନେ ନିଜ ଘରଭିତରେ ଆବଦ୍ଧ ହୋଇ ରହିଥିଲେ। ନା ଦିଶୁଥିଲା ପିଲାମାନଙ୍କର ଖେଳକୁଦ ନା ଶୁଭୁଥିଲା ନାରୀ ମାନଙ୍କର କୋଳାହଳ। ସବୁଠାରୁ ଆଶ୍ଚର୍ଯ୍ଯର କଥା ଥିଲା ସେଦିନ ବସ୍ତିରେ ଚୁଲି ଜଳୁନଥିଲା ଓ ଧୂଆଁର ନାମଗନ୍ଧ ନ ଥିଲା। କେଜାଣି କାହିଁକି ବିଜୟଙ୍କୁ ଚତୁର୍ଦ୍ଦିଗ ଧୂମ୍ରମୟ ଦିଶିଲା। ସେଦିନ ବସ୍ତିରୁ ସିନା ଧୂଆଁ ଉଠୁ ନ ଥିଲା କିନ୍ତୁ ବିଜୟଙ୍କ ଆତ୍ମା,ପ୍ରାଣ ଓ ଶରୀର ଧୂମ୍ରମୟ ହୋଇ ସାରିଥିଲା। ଦିନ କେତେବେଳେ ସରିଗଲା ଜଣା ପଡିଲାନି, ସଞ୍ଜବେଳେ ମଧ୍ଯ ବସ୍ତିରେ ସକାଳ ଦୃଶ୍ଯର ପୁନରାବୃତ୍ତି ହେଲା। ବିଜୟଙ୍କ ମନ ଅସ୍ଥିର ହୋଇଉଠିଲା। ରମା ଲୁଚିଲୁଚି କାନ୍ଦୁଥିଲେ,କାରଣ ପୁଅବୋହୂଙ୍କର କୌଣସି ଖବର ଆସୁନଥିଲା। ଏତେ ଗମ୍ଭୀର ସମସ୍ଯାରେ ମଧ୍ଯ ସେମାନେ ବୃଦ୍ଧ ବାପାମାଆଙ୍କର ଖବର ଜାଣିବା ପାଇଁ ଥରେହେଲେ ଫୋନ କରି ନ ଥିଲେ। ବିଜୟ ବୁଝିପାରୁଥିଲେ ରମାଙ୍କ ମନର ଅବସ୍ଥା,କିନ୍ତୁ ସେ ନାଚାରଥିଲେ। କଣ ଭାବିଲେ କେଜାଣି,ରମାଙ୍କୁ କହିଲେ ଚାଲଟିକେ ବସ୍ତି ଆଡକୁ ଯାଇ ଦେଖିବା, କାହିଁକି ବସ୍ତିରୁ ଧୂଆଁ ଉଠୁନାହିଁ ସେ ବିଷୟ ବୁଝିଆସିବା।


ରମା ଆଶ୍ଚର୍ଯ୍ଯ ହୋଇ ବିଜୟଙ୍କୁ ଚାହିଁ ଶାଣିତସ୍ବରରେ କହିଲେ - - ଦୟାକରି ତୁମର ପାଗଳାମୀ ବନ୍ଦ କର। ସେମାନେ ତେଣେ ଭୋକ ଓପାସରେ ମରନ୍ତୁ,କିନ୍ତୁ ସେମାନଙ୍କ ଉପରେ ତୁମର ପ୍ରଭୂତ୍ବ ଜାହିର କରିବାର ଲାଳସା ଯାଉନି। କେମିତିକା ମଣିଷ ତୁମେ କେଜାଣି? କୁଆଡେ ଗଲା ତୁମର ମଣିଷତ୍ବ? ଛି..... ମୋର ତୁମ ସାଙ୍ଗରେ ଯିବାର ନାହିଁ ତୁମେ ନିଜେ ଯାଇ ଦେଖ। ବାହାଘରର ଏତେ ବର୍ଷ ଭିତରେ ବିଜୟ ରମାଙ୍କର ଏପରି ରୂପ କେବେ ଦେଖିନଥିଲେ । ସେ ଲଥ୍ କରି ସୋଫା ଉପରେ ବସି ପଡିଲେ। କୌଣସି ପ୍ରତିକ୍ରିୟା ନ ଦଖାଇ ରମାଙ୍କ ହାତଧରି ବସ୍ତି ଆଡକୁ ବାହାରିଲେ।

ବସ୍ତିରେ ବିଜୟ ଓ ରମାଙ୍କୁ ଘେରି ରହିଥିଲେ ସମସ୍ତ ବସ୍ତିବାସିନ୍ଦା। ବୟୋବୃଦ୍ଧ ଜଣକ ହାତଯୋଡି ବିଜୟଙ୍କୁ କହିଲେ - - ଆମଦ୍ବାରା କିଛି ଭୂଲ ହୋଇଗଲା କି ହଜୁର୍। ବସ୍ତିର ପିଲାମାନେ ରାହାଛାଡି କାନ୍ଦୁଛନ୍ତି,ଯେତେ ବୁଝାଇଲେ ବି ସେମାନେ ଚୁପ୍ ହେଉ ନାହାଁନ୍ତି। ଆମେ ସିନା ଭୋକ ସମ୍ଭାଳି ବଞ୍ଚିବା ଶିଖି ଯାଇଛୁ କିନ୍ତୁ ସେମାନେ ତ.....ଆଉ କିଛି କହି ନପାରି ସେ ଭୋ ଭୋ ହୋଇ କାନ୍ଦି ଉଠିଲେ। ଗମ୍ଭୀର କଣ୍ଠରେ ବିଜୟ କହିଲେ- - ଆରେ ଯଦି ସେମାନେ କାନ୍ଦୁଛନ୍ତି ତେବେ ଖାଇବାକୁ ଦେଉନ କାହିଁକି?

- - କଣ ଦେବୁ ହଜୁର୍, କାହାଘରେ ଦାନା ଖଣ୍ଡେ ନାହିଁ। ପୋଲିସ ଧମକ ଦେଇ କହିଛି ବାହାରକୁ ନ ବାହାରିବାପାଇଁ। କାମକୁ ନଗଲେ ଆମେ ରୋଜଗାର କରିବୁ କଣ ଓ ଖାଇବୁ କଣ? ସମସ୍ତେ କହୁଛନ୍ତି ବାହାରକୁ ଗଲେ ରୋଗ ମାରିଦେବ,କିନ୍ତୁ ବାହାରକୁ ନ ଗଲେ ଆମେ ଭୋକରେ ମରିଯିବୁ ହଜୁର୍। ବିଜୟ ବସ୍ତିବାସିନ୍ଦାଙ୍କ ଶୁଷ୍କ ମୁହଁ ମାନଙ୍କୁ ଦେଖି ଚାଲିଥିଲେ। କାନ୍ଦିକାନ୍ଦି ସେମାନଙ୍କ ଆଖିରୁ ଲୁହ ବାହାରିବା ବନ୍ଦ ହୋଇ ସାରିଥିଲା। ପିଲାମାନଙ୍କର ତଣ୍ଟି ବସି ସାରିଥିଲା ଓ ସେମାନଙ୍କ କ୍ଷୁଦ୍ର ଶରୀର ମାନ ନିସ୍ତେଜ ହୋଇ ପଡୁଥିଲା। ବିଜୟଙ୍କ ଆବିର୍ଭାବ ସେମାନଙ୍କ ପାଇଁ ସ୍ବୟଂ ଇଶ୍ବରଙ୍କ ଆଶିର୍ବାଦ ପରିଥିଲା। କାନ୍ଦିକାନ୍ଦି ସେମାନେ ନିଜ ଦୁଃଖଦୁର୍ଦ୍ଦଶାର କାହାଣୀ ମାନ ବଖାଣି ଚାଲିଥିଲେ। ସେସବୁ କଥା ଶୁଣି ରମା କୋହ ସମ୍ଭାଳି ନପାରି କାନ୍ଦି ଉଠିଲେ ଓ ବିଜୟଙ୍କ ହାତଧରି ଘରକୁ ଚାଲିଆସିଲେ। ବେଶ୍ କିଛି ସମୟ ଗୁମସୁମ ବସିବା ପରେ ରୋଷେଇଘରେ ପଶିଲେ ରମା। ଖାଇବା ଟେବୁଲରେ ହାତରେ ରୁଟିଧରି ବସିଥିଲେ ବିଜୟ। ରୁଟି ଓ ବିଜୟଙ୍କ ପାଟି ମଧ୍ଯରେ ଥିଲା ଧୂଆଁର ଏକ ବହଳିଆ ଆସ୍ତରଣ,ସେଥିପାଇଁ ବୋଧେ ରୁଟି ଖଣ୍ଡକ ପାଟିର ବାଟ ନପାଇ ବିଜୟଙ୍କ ହାତରୁ ତଳକୁ ଖସି ପଡିଲା। ବିଜୟ ନିଜର ସମସ୍ତ ଶକ୍ତି ଖଟାଇ ଚିତ୍କାର କରି କହିଲେ- - ନାଁ, ମୋ ପ୍ରଜାମାନେ ଭୋକ ଓପାସରେ ଛଟପଟ ହେଲାବେଳେ ମୁଁ ଖାଇପାରିବିନି। ମୋତେ ହିଁ ସେମାନଙ୍କ କଥା ବୁଝିବାକୁ ହେବ। ଏକ ବଡବ୍ଯାଗ୍ ରେ କିଛି ଜିନିଷ ଧରି ବିଜୟ ଝଡବେଗରେ ବସ୍ତି ଅଭିମୁଖେ ଦୌଡିବାକୁ ଲାଗିଲେ। ରମା କିଛି କହିବା ପୂର୍ବରୁ ବିଜୟ ଅନ୍ତର୍ଦ୍ଧ୍ଯାନ ହୋଇ ସାରିଥିଲେ। ବାଲକୋନିରୁ ଛିଡାହୋଇ ରମା ବସ୍ତି ଭିତରେ ବିଜୟଙ୍କୁ ଖୋଜିବାରେ ଲାଗିଥିଲେ। ଆଉ ବିଜୟ.....

ସେ ବସିଥିଲେ ନିଜ ପ୍ରଜାମାନଙ୍କ ଗହଣରେ। ସେମାନଙ୍କ ହାତକୁ ଟେକି ଚାଲିଥିଲେ ଚାଉଳ,ଅଟା,ଚୁଡା,ବିସ୍କୁଟ୍,ଚିନି,ତେଲ,ଲୁଣ ଆଦି ଓ କିଛି ନିର୍ଦ୍ଦେଶ ଦେଇ ଚାଲିଥିଲେ। କିଛି ସମୟ ଭିତରେ ବସ୍ତି ମଧ୍ଯରୁ ଉଠିବାକୁ ଲାଗିଲା ଧୂଆଁର ପତଳା ଧାର ଯାହା ଧିରେଧିରେ କାୟାବିସ୍ତାର କରି ସଗର୍ବେ ଉର୍ଦ୍ଧ୍ବମୁଖୀ ହେବାରେ ଲାଗିଲା। ରାତିର ସେହି ବିଳମ୍ବିତ ପ୍ରହରରେ ହାତରେ ବିସ୍କୁଟ୍ ଧରି ପିଲାମାନେ ଖୁସିରେ ଦୌଡାଦୌଡି କରିବା ଦୃଶ୍ଯହେଲା। ବସ୍ତିର ନାରୀମାନେ ରୋଷଇକାମରେ ଲାଗିପଡିଥିଲେ ଓ ନିମିଷକରେ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶାର କଳାବାଦଲ ଭିତରୁ ଆଶାର ସୂର୍ଯ୍ଯ ସହାସ୍ଯ ବଦନରେ ଉଙ୍କି ମାରି ଚାଲିଥିଲା।

ସ୍ଫଟିକସମ ଶୁଭ୍ର ଧୂଆଁର ମୋଟା ଚାଦର ଭିତରୁ ବିଜୟ ହସିହସି ବାହାରି ଆସୁଥିଲେ। ତାଙ୍କ ମୁଖମଣ୍ଡଳରେ ଖେଳି ଚାଲିଥିଲା ଅପୂର୍ବ ଆନନ୍ଦ ଓ ପରିପୂର୍ଣ୍ଣତା। ଯେଉଁ ଧୂଆଁ ପାଇଁ ସେ ନିଜର ସମସ୍ତ ସୁଖଶାନ୍ତି ହରାଇ ସାରିଥିଲେ,ଆଜି ସେହି ଧୂଆଁ ତାଙ୍କ ଆତ୍ମା,ପ୍ରାଣରେ ଭରିଚାଲିଥିଲା ନୂତନ ସୁଗନ୍ଧ ଓ ସ୍ବର୍ଗୀୟତାର ଅନୁଭୂତି। ଅଜାଣତରେ ରମାଙ୍କ ପାଟିରୁ ବାହାରି ଆସିଲା- - ତୁମ ହାତ ଧରିବା ଦିନରୁ ମୋତେ ସମସ୍ତେ କହୁଥିଲେ ଯେ ତୁ ଜଣେ ରାଜକୁମାରକୁ ବାହା ହେଉଛୁ। ଆଜି ଏତେବର୍ଷ ପରେ ମୁଁ ଅନୁଭବ କରୁଛି ସେ ଉକ୍ତିର ସତ୍ଯତା- - -ସତରେ ତୁମେ ଜଣେ ରାଜା ଓ ମୁଁ ତୁମର ରାଣୀ। ସେତିକି ବେଳେ ପଛରୁ ବିଜୟ କହିଲେ - - ଆରେ କଣ ଗୁଣୁଗୁଣୁ ହେଉଛ, ଜଲଦି ଖାଇବା ବାଢ, ମୋତେ ଭୀଷଣ ଭୋକ। ଆଖିରୁ ବୋହି ଆସୁଥିବା ଦୁଇଧାର ଲୁହ ପୋଛିନେଇ ମୁଣ୍ଡରେ ଓଢଣାଦେଇ ରମା ବିଜୟଙ୍କ ଗୋଡତଳେ ମୁଣ୍ଡିଆ ମାରି କହିଲେ-- ହେ ରାଜା, ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ। ରମାଙ୍କୁ ନିଜ ଆଡକୁ ଟାଣିନେଲେ ଓ ତାଙ୍କ ମୁଣ୍ଡକୁ ନିଜ ଛାତି ଉପରେ ରଖି କହିଲେ- - ହେଇ ଶୁଣ, କଣ କହୁଛି ମୋ ହୃଦୟର ସ୍ପନ୍ଦନ। ତୁମ ନାମ ଶୁଣିପାରୁଛ ତ? ବିପଦ ଯେତେ ବିଶାଳ ହେଉ, ଆମେ ଲଢିବା ଓ ଜିତିବା। କୋରୋନା ବିରୁଦ୍ଧରେ ଆମର ଯୁଦ୍ଧ ଏହିକ୍ଷଣରୁ ଆରମ୍ଭହେଲା। ମନରେ ବିଶ୍ବାସ ରଖ। ଆମେ ଜିତବା ଓ କୋରୋନା ବି ହାରିଯିବ ଆମପାଖରୁ। ସେ ଘୋଷଣା କରି କହିଲେ- - ଆସ କୋରୋନା ଆସ, ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ।

ସମଗ୍ରବିଶ୍ବରେ ମୃତ୍ଯୁର ତାଣ୍ଡବ ରଚି ଚାଲିଥିବା କୋରୋନା ସେଦିନ ବିଜୟଙ୍କ ଯୁଦ୍ଧଂଦେହୀ ହୁଙ୍କାର ଓ ବସ୍ତିରୁ ଉଠି ଚାଲିଥିବା ଧୂଆଁର ବହଳିଆ ଆସ୍ତରଣ ଦେଖି କିଛିକ୍ଷଣ ପାଇଁ ସ୍ତମ୍ଭୀଭୂତ ହୋଇଯାଇଥିବ ନିଶ୍ଚୟ।

- -ସମାପ୍ତ- -



Rate this content
Log in

More oriya story from Arabinda Rath

Similar oriya story from Tragedy