Bijayalaxmi Pattanaik

Tragedy Inspirational

4.1  

Bijayalaxmi Pattanaik

Tragedy Inspirational

ଦାରୁଠେଙ୍ଗର ଅପରାହ୍ନ

ଦାରୁଠେଙ୍ଗର ଅପରାହ୍ନ

5 mins
24.9K


( ଏକ ସତ୍ୟ ଘଟଣା ଉପରେ ଆଧାରିତ)    


ବଲ୍ଲୀ, ହଁ ମୋ ନା ବଲ୍ଲୀ । ଟିକେ ମନେ ପକାଇଲା ପରି କହିଲା ସେ ।ବୟସ 65 ଉପରେ ହେବ ।ସିଧା ଭାବରେ ଠିଆ ହେଇ ପାରୁ ନ ଥାଏ ମାଉସୀଟି । ଦେହରେ ସାୟା କି ବ୍ଲାଉଜ ନ ଥିଲା । ରଙ୍ଗଛଡା ଶାଢୀ ଖଣ୍ଡେ ବେଢେଇ ହୋଇ ପିନ୍ଧିଥିଲା ସେ । ଦୁଇ ହାତରେ ଦଶ ବାରପଟ ମଳିଛିଆ ପାଣିକାଚ କେଉଁ କାଳର ।କାନ, ନାକ କି ବେକରେ କୋଉଠି ସୂତାଖିଏ ବି ନାହିଁ । ଯାକିଯୁକି ହୋଇ ମୋ ପାଖରେ ଆସି ବସି ପଡିଲା ସେ ।ନହ ନହକା ପତଳା ଚେହେରା । ଯୁବତୀ ବେଳେ ଗୋରା ହୋଇଥିବ । ପଚାରିଲା ,"ଡକେଇଥିଲ ପରା ତିନିଟା ବେଳକୁ କଣ ସଭା ହେବ ବୋଲି ।ଘରେ ତେଣେ କେତେ କାମ ବାକି ପଡିଛି । ଖାଲି ଘରକୁ ଯାଇ ଝିଅମାନେ ଡାକିଥିଲେ ବୋଲି ଆସିଲି ।


" ଭୁବନେଶ୍ୱର ସହର ଉପକଣ୍ଠ ଦାରୁଠେଙ୍ଗ ଗାଁର ମନ୍ଦିର ବେଢା ଭିତରେ ଶ୍ରୀ ସତ୍ୟସାଇ ଗ୍ରାମଦର୍ଶନ ପାଇଁ ଆସିଥିବା ଆମ ମହିଳାଙ୍କ ଉପରେ ଥରେ ଆଖି ବୁଲେଇ ଆଣିଲା ମାଉସୀ । ତଳକୁ ମୁହଁ ପୋତି ଭାବିଲା ଏମାନଙ୍କ ସହିତ ତାର କଣ ଯାଏଆସେ ! ଏମିତି ତ କେତେ ଲୋକ ଭୋଟ ବେଳେ ଆସନ୍ତି ଦଳକୁ ଦଳ । ସ୍ତ୍ରୀ ପୁରୁଷ ଡାକନ୍ତି କେତେ କଥା କହନ୍ତି, ଆଶ୍ବାସନା ଦିଅନ୍ତି, କିଛି ସାହାଯ୍ୟ ବି କରନ୍ତି ।ପୁଣି ପଳେଇ ଯାଆନ୍ତି ଯେ ଆଉ ଜୀବନକାଳ ଭିତରେ ଥରେବି ତାଙ୍କ ମୁହଁ ଦିଶେନାହି । ଅତି ନିରାସକ୍ତ ଭାବରେ ସମସ୍ତଙ୍କ ମୁହଁ ରୁ କଣ ଖୋଜି ଚାଲିଥିଲା ସେ । ନା କୋଉଠିହେଲେ ଟିକିଏ ଆପଣାପଣ ତ ଦିଶୁନି । ଲେଞ୍ଜରା ବୋହିଆସୁଥିବା ଆଖି ବୁଲେଇ ବସି ରହିଲା ସେ ।    


ବହୁତ ଲୋକଙ୍କ ଭିତରେ ଅନେକ ସମୟ ତାକୁ ଲକ୍ଷ୍ୟ କରି ପଚାରିଲି ତମ ନା କଣ ମାଉସୀ ? ଟିକେ ରହି ମନେପକାଇଲା ପରି କହିଲା ବଲ୍ଲୀ , ମୋ ନାଁ ବଲ୍ଲୀ । ପୁଣି ସବୁ ଚୁପଚାପ । ବଲ୍ଲୀ - ଅର୍ଥାତ ଲତାଟିଏ । କେଉଁ କୋମଳ ଲତାଟିକୁ ଦେଖି ଅଥବା କାହାକୁ ପଚାରି ବାପା ମା ନା ଦେଇଥିଲେ - କେତେ ସରାଗରେ,ଆଦରରେ , ସ୍ନେହରେ । ସେ ନା ପୁଣି ବିବାହ ପରେ ସାଧାରଣତଃ ଉଚ୍ଚାରଣ ହୁଏ ନାହିଁ । ସ୍ତ୍ରୀ ଜାତିଟାର ପୁଣି ଗୋଟେ ନାମର ଦରକାର କଣ ! ଅମୁକର ସ୍ତ୍ରୀ, ଅମୁକର ମା, ଅମୁକର ଝିଅ କହିଲେ ତ ଚଳିଯାଏ , ପରିଚୟ ମିଳିଯାଏ । ବାପଘରର ଏରୁଣ୍ଡି ପାରିହେଲେ ନା ବି ଧୀରେ ଧୀରେ ହଜିଯାଏ, ଲିଭିଯାଏ, ସତ୍ତା ହରେଇଥାଏ , ଆଉ ଖୋଜା ହୁଏନି , ଅଲୋଡା ହୋଇଯାଏ । ତା ବ୍ୟକ୍ତି ସତ୍ତାର ଅନ୍ତହୀନ ଆର୍ତ୍ତନାଦ ମିଳେଇଯାଏ ସ୦ସାରର କେଉଁ ଭଉରୀ ଭିତରେ - ପାଶୋରି ହୋଇଯାଏ ସେଇ ଷଠୀଘର, ଏକୋଇଶିଆର ନାମକରଣ । ଆଉ ମାଉସୀ ପରି ସଂସାରର ଅନେକ 'ବଲ୍ଲୀ'ଙ୍କର ନା ବା କାହାର କୋଉ କାମରେ ଆସିବ !   ପୁଣି ପଚାରିଲି , ଘରେ ଆଉ କିଏ କିଏ ଅଛନ୍ତି ମାଉସୀ ? ସେ ଉତ୍ତର ଦେଲା ନାହିଁ । ନ ଶୁଣିଲା ପରି ୟାଡେ ସିଆଡେ ଚାହିଁଲା । ଟିକେ ରହି ପୁଣି ଦୋହରାଇଲି ପ୍ରଶ୍ନଟି । ସେ ମୋ ମୁହଁ କୁ ଚାହିଁଲା ସିଧା । କହିଲା - କଣ ଶୁଣିବ ମୋ ଦୁଖ ! ଶୁଣି କଣ କରିବ ? ତଥାପି କହିଲି , କୁହ ମାଉସୀ ମନ ହାଲୁକା ହେଇଯିବ । ତାଚ୍ଛଲ୍ୟର ହସ ଧାରେ ତା ଓଠରେ କ୍ଷଣିକ ପାଇଁ ଦେଖାଦେଇ ମିଳେଇଗଲା । କହିଲା - ହାଲୁକା , ନା ଆଉ କିଛି ହେବନି ଲୋ ମାଆ ।ନୀରବି ଯାଇଥିବା କ୍ଷତରୁ ଉଖୁରେଇ ବାହାରକୁ ବାହାରି ଆସୁଥିଲା ଲହୁଲୁହାଣ ହୋଇଯାଇଥିବା ହୃଦୟଟିଏ ।    


 ବାପାର ଚାରିଝିଅ ଓ ପାଞ୍ଚ ପୁଅ ମଧ୍ୟରୁ ଏବେ ଜଣେ ଦୁଇଜଣ ଭାଇଭଉଣୀଙ୍କ ଖବର ତା ପାଖରେ ଅଛି ।ଅନ୍ୟମାନେ କୁଆଡ଼େ ଅଛନ୍ତି, ଅଛନ୍ତି କି ନାହାଁନ୍ତି ତାହା ସେ ଜାଣିନାହିଁ । ରାସ୍ତାଘାଟ, ଗାଡିଘୋଡା ନ ଥିବା ଗାଁର ବୋହୂ ସିଏ ।କେମିତି ଜାଣିବ ସବୁକଥା । ବିବାହ ପରେ ଦୁଇଚାରିଥର ଭାଇମାନେ ଆସିଥିବେ । ତା ପରେ ଅନେକ ଦିନରୁ କେହି ଆସନ୍ତି ନାହିଁ । ତାଙ୍କ ସଂସାର ତାଙ୍କୁ ବଳାବଳ । ସ୍ବାମୀ ଚାଷବାସ କରି ଘର ଚଳାଉ ଥିଲେ ।ଦୁଇବଖରା ମାଟି ଘରେ ତିନୋଟି ଝିଅ ଓ ଦୁଇ ପୁଅକୁ ନେଇ ତାଙ୍କର ସଂସାର । ଦୁଇ ଝିଅ ଯାହିତାହି ବାହା ହୋଇଯାଇଛନ୍ତି । ସ୍ବାମୀ ପକ୍ଷାଘାତ ରୋଗରେ ପୀଡିତ । ସାନପୁଅ ପାଗଳ ।ସାନଝିଅ ଦେଖିବାକୁ ଅସୁନ୍ଦରୀ , ଦାନ୍ତୁରୀ ।ବିଭାଘର ହୋଇ ପାରିଲାନି । ବଡ ବୋହୁ ଆସିଲା ପରେ ଘରର ଏତେ ବୋଝ ଦେଖି ବଡପୁଅକୁ ଧରି ଯାଇ ପୁରୀରେ ତେଜରାତି ଦୋକାନଟିଏ କରି ରହିଲା । ପ୍ରାୟଚାରି ପାଞ୍ଚ ବର୍ଷ ତଳେ ମାଉସୀ ଥରେ ପୁରୀ ଯାଇ ଦୁଇମାସ ରହି ଆସିଥିଲା । ନାତି ଦୁହିଁଙ୍କୁ ଖୁବ୍ ଆଦର କରିଥିଲା । ଅଭିଆଡୀ ଝିଅଟି ଘରର ସବୁ ଦାୟିତ୍ବ ନେଇଥିଲା । ତାକୁ କିଏ କଣ ଶିଖେଇ ଦେଲେ ଯେ ସେ ପୁରୀରୁ ଫେରିବା ପରଠାରୁ ସେ ଆଉ କିଛି କାମ କରୁନାହିଁ, ଗାଧୋଉନି, ଠିକରେ ଖାଉନି, ବୋକା ବନି ଯାଇଛି । ମାଉସୀ ପୁରୀରୁ ଫେରିବା ପରେ ଝିଅ କହିଲା, ମୋତେ କାମ କରେଇବୁ ବୋଲି ପାଠପଢେଇଲୁନି, ବାହା କଲୁନି ବୋଲି ଗାଁ ଲୋକେ କହୁଛନ୍ତି । ମୁଁ ଆଉ କିଛି କାମ କରିବିନି । ବାସ୍ ସେଇଦିନରୁ ଧୀରେ ଧୀରେ ସବୁ ଚୁପଚାପ ।ଅପହଞ୍ଚ ରାଇଜକୁ ଚାଲିଗଲା ଆଶାଶୂନ୍ୟ ଜୀବନ ବଞ୍ଚିଥିବା ଗୋଟେ ଅଭିଶପ୍ତ ମନ - ଦେହଟା ଖାଲି ତାର ପଡି ରହିଛି ଏଠି - ଶୁଖିଲା ଅଦରକାରୀ ହୋଇ ।


    ମାଉସୀ ସକାଳୁ ଘରଦ୍ଵାର ଲିପେ, ରୋଷେଇ ପାଇଁ କଣ୍ଟାଝଟା ଯୋଗାଡ କରେ । ବଡପୁଅ ସାମାନ୍ୟ କିଛି ଟଙ୍କା ପଠାଏ । ଚାଉଳ ଗଣ୍ଡେ କିଣି ବାଡିର ସଜନାଶାଗ ,ପୋଇଡଙ୍କରେ ରୋଷେଇ କରେ । ପାଗଳ ପୁଅ, ଝିଅ, ସ୍ବାମୀ କୁ ଖୁଆଏ ,ବଳିଲେ ନିଜେ ଖାଏ । ତିନି ତିନୋଟି ଅକର୍ମଣ୍ୟ ଜୀବନର ଅସହ୍ୟ ବୋଝ ବୋହିବାର ନା ଅଛି ସାମର୍ଥ୍ୟ ନା ବୟସ ! ତଥାପି ସେ ବୋହୁଛି - ଉପାୟ ନାହିଁ । ଅନ୍ୟ ପାଇଁ ବଞ୍ଚିବା ଯଦି ଜୀବନ ହୁଏ ତେବେ ସେ ଜୀଇଛି । ଦୁଇ ହାତ ପାପୁଲିକୁ ମୋ ଆଗରଜ ମେଲେଇ ଦେଲା ସେ । ଚମ ଉତୁରି ଯାଇ ଲାଲ ମାଂସ ବାହାରକୁ ବାହାରି ଆସିଲା ପରି ଦେଖା ଯାଉଥିଲା । ଆଙ୍ଗୁଳି ସନ୍ଧିରୁ ନସା ବାହାରି ପଡୁଥିଲା । ଗୋଡ ପାଣିଖାଇ ଯାଇଥିଲା । କେଉଁଠୁ ଓଷଦ ଆଣିବ , କିଏବା ଆଣିଦବ ! ବଲ୍ଲୀଟି କେତେବେଳେ ବୃକ୍ଷ ପାଲଟି ଯାଇ ତିନିଟି ଜୀବନକୁ ଛାୟା ପ୍ରଦାନ କରୁଥିଲା ଆଉ କରୁଥିବ ଜୀଇଥିବା ଯାଏ ।


    ତାରି ହାତ ପାପୁଲି ଉପରେ ମୋ ଆଖିର ଅମାନିଆ ଲୁହ ଝର ଝର ହୋଇ ଝରି ପଡୁଥିଲା । ମୁଁ ମୋ କାନ୍ଧ ଉପରକୁ ଆଉଜେଇ ଆଣିଲି ମାଉସୀକୁ । ଭୋ କରି ବାହୁନି କାନ୍ଦି ଉଠିଲା ସେ । ଦୁହେଁ ଦୁହିଁଙ୍କୁ ଜାବୁଡି ଧରି କଇ କଇ ହୋଇ କାନ୍ଦୁଥିଲୁ । ବର୍ଷ ବର୍ଷର ଜମାଟ ବନ୍ଧା ସଞ୍ଚିତ କୋହ ସବୁ ତରଳି ବନ୍ଧ ବାଡ ଭାଙ୍ଗି ବୋହି ଚାଲିଥିଲା ଧାର ଧାର ହୋଇ । ତାର ବାହୁନା ଚରମ ସୀମାରେ ପହଞ୍ଚି ଧୀରେ ଧୀରେ ଥମି ଆସୁଥିଲା । ମୋ କାନ୍ଧରୁ ତା ମୁହଁ ଟେକି ମୁଁ ତା ଆଖିର ଲୁହ ପୋଛି ଆଶ୍ବାସନା ଦେଉଥିଲି ।ଦାରୁଠେଙ୍ଗ ଗାଁ ର ମନ୍ଦିର ବେଢା ଭିତରେ ଖାଇସାରି ଗପୁଥିବା ଆମ ଭଉଣୀମାନେ ଚକିତ ହୋଇ ଆମ ପାଖକୁ ଉଠି ଆସିଥିଲେ । ମୁଁ ତାକୁ ଆଉଁସି ଦେଉଥିଲି ଠିକ୍ ମୋ ଝିଅକୁ ଆଉସିଲା ପରି । ତା ଆଖିରୁ ଲୁହ ଶୁଖୁ ନ ଥିଲା ।


ସେ କାନ୍ଦି କାନ୍ଦି କହୁଥିଲା କୋଉଠୁ ଆସିଛୁଲୋ ମା । କେତେ ଲୋକ ତ ଆସନ୍ତି ଗାଁକୁ ,କେହିତ ଏତେ କଥା ପଚାରନ୍ତି ନାହିଁ । କେହିତ ଜଣେ ଏତେ ଆଦରରେ ମୋତେ କୁଣ୍ଢେଇ କହିନାହି ଯେ ଭଗବାନଙ୍କୁ ଡାକ ବୋଲି । କେହିତ ମୋ ଆଖିରୁ ଲୁହ ପୋଛି ମୋ ପାଇଁ କାନ୍ଦି ନ ଥିଲେ ଲୋ ମାଆ । ମୁଁ କାନ୍ଦୁ କାନ୍ଦୁ ସ୍ତବ୍ଧ ହୋଇ ଯାଇଥିଲି ।ତାର ଲୁହ ଅନ୍ୟଭଉଣୀମାନଙ୍କ ଆଖିକୁ ସଂକ୍ରମିତ ହୋଇ ସାରିଥିଲା । ତାକୁ ଉଶ୍ବାସ ଲାଗୁଥିଲା ନିଶ୍ଚୟ । ତା ମୋ ଭିତରେ ଗୋଟେ ବିଶ୍ବାସର ମଞ୍ଜି ଚାରା ଧରି ଆସୁଥିଲା । ବ୍ୟବଧାନ କମି ଆସିଥିଲା । ମୋର ମନେ ପଡୁଥିଲା ମୋ ବୋଉର ଯନ୍ତ୍ରଣା ଜର୍ଜରିତ ମୁହଁ ରୋଗୀଣା ମୁଁହ । ମୋ କାନ୍ଧରେ ମଥା ରଖିଥିଲା ବେଳେ ତାର ସେଇ ଫୁଙ୍ଗୁଳା ଧୁଡୁ ଧୁଡୁ ଛାତିର ଉଷୁମ ଭିତରେ କେତେବେଳେ ଯାଇ ମୁଁ ପହଞ୍ଚି ଯାଇଥିଲି ସେଇ ପଦା ପୋଖରୀ ହୁଡାର ମଶାଣି ପାଖରେ - ଯୋଉଠି ବୋଉ ମୋର ଦୁବଘାସର ଚାଦର ଘୋଡି ହୋଇ ସବୁ ଦେହ ଯନ୍ତ୍ରଣାରୁ ମୁକ୍ତ ହୋଇ ମୋତେ କହୁଥିଲା - ବାୟାଣୀଲୋ ମୁଁ ଏମିତି ତୋ ଆଗରେ ବେଳେ ବେଳେ ଉଭା ହୋଇ ଯାଉଥିବି - ମୁଁ ଜାଣେ ତୁ ମୋତେ ଠିକ୍ ଚିହ୍ନିଯିବୁ ।     ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଗାଁରୁ ବିଦାୟ ନେଇ ଫେରିବା ବେଳେ ସେଇ ବର୍ଷାଧୁଆ ଅପରାହ୍ନ, ରଙ୍ଗଣୀଫୁଲ ଭରା ପେନ୍ଥା ପେନ୍ଥା ବାସ୍ନାମୟ ଗୋପୀନାଥ ମନ୍ଦିର, ଘଞ୍ଚ ସବୁଜିମା ଭରା ଅଙ୍କାବଙ୍କା ଗ୍ରାମୀଣ ରାସ୍ତା ,ସଫେଇ ହୋଇଥିବା ପୋଖରୀ, ଆମ ସ୍ବାସ୍ଥ୍ୟଶିବିର , ସ୍କୁଲ , ମଠ -- ସବୁରି ଉର୍ଦ୍ଧ୍ବରେ ମୋତେ ଦିଶି ଯାଉଥିଲା ସେଇ ନିରାସକ୍ତ , ଅଭିଯୋଗହୀନ, ଯନ୍ତ୍ରଣା କାତର, ଲଟାରୁ ଦ୍ରୁମ ପାଲଟିଥିବା ଲେଞ୍ଜରା ଆଖିର ଅସରନ୍ତି କୋହକୁ ପିଠିଆ ବଳଦ ପରି ପିଠେଇ ଚାଲିଥିବା ମାଉସୀର ମୁହଁ ଯାହାକୁ ଦେଖା କରିବା ଲାଗି ପ୍ରଭୁ ମୋତେ ପ୍ରେରିତ କରିଥିଲେ । ଏହାହିଁ ତ ଶ୍ରୀ ସତ୍ୟସାଇ ଗ୍ରାମ ଦର୍ଶନ । ( ପରେ ଆମେମାନେ ସାମାନ୍ୟ ସାହାଯ୍ୟର ହାତ ବଢାଇଥିଲୁ ) ଅପରା


Rate this content
Log in

Similar oriya story from Tragedy