Bijayalaxmi Pattanaik

Others

2  

Bijayalaxmi Pattanaik

Others

ବୋଉର ଗେହ୍ଲା

ବୋଉର ଗେହ୍ଲା

3 mins
2.9K


ବୋଉଲୋ ଆଜି ତୋ କଥା ବହୁତ ମନେ ପଡି ଆଖିରେ ଲୁହ ଆସି ଯାଉଛି । ତୁ କେଉଁ କାଳୁ ଆମ ପଦା ପୋଖରୀ ହୁଡାର ଦୁବ ଘାସ ହେଇ ସାରିଲୁଣି ।ତୋ ଠିକଣା ଏବେ ମୋତେ ଜଣା ନାହିଁ । କିନ୍ତୁ ବୋଉମାନେ ତ ନ ଥାନ୍ତି ସେଇ ପଦା ପୋଖରୀ ହୁଡା ଦୁବଘାସରେ, ଜନ୍ମ ଠାରୁ ଦେହ ଥିବାଯାଏ ଅକ୍ତିଆର କରିଥାନ୍ତି ହୃଦୟକୁ, ରକ୍ତଝରା ଦରଦକୁ ଆଉ ଜୀବନ୍ତ ସମୟ ମାନଙ୍କୁ । ଏଇ ଦେଖୁନୁ ତୋ ଯିବାର ଏତେବର୍ଷ ପରେବି ତୁ କେମିତି ରହିଛୁ ମୋର ପ୍ରତିଟି ମୁହୂର୍ତ୍ତକୁ ଆବୋରି ,ରହିଥିବୁ ବି ଜୀବ ଯିବାଯାଏ ।କୋଉଠି ଟିପ ମାରି ଚିହ୍ନଟ କରିଦେବି ତୋ ନ ଥିବାର ସ୍ଥାନ !      ଭଲ ମଣିଷ ଖୋଜି ବସିଲେ ଆଖି ଆଗରେ ଦିଶେ ତୋର ଗୋରା ତକତକ୍ ଧଳା ବାଳର ରୋଗୀଣା ଚେହେରା ।ସେଇ ମଫସଲ ଗାଁ ର ଏରୁଣ୍ଡି ଡେଇଁ ତୁ ଆମଘରକୁ ଆସିଲା ପରେକେମିତି ଆପଣାର କରି ନେଇଥିଲୁ ସଭିଙ୍କୁ ।ମୁଁ ତୋ ଠାରୁ ବେଶୀ ପାଠ ପଢିଛି, ହେଲେ ତୋ ପଞ୍ଚମ ଶ୍ରେଣୀ ପାଠରେ ତୁ କଣ ଏମିତି ପଢିଥିଲୁ ଯେ ଏ ଯାଏ ମୁଁ ସେ ପାଠକୁ ଅତିକ୍ରମି ପାରୁ ନାହିଁ, କେବେ ପାରିବିନି ମଧ୍ୟ ।     ଉପରକୁ କଡା ଅନୁଶାସନ ଏବଂ ଆମ ପାଞ୍ଚ ଭାଇଭଉଣୀଙ୍କ ଭବିଷ୍ୟତ ଚିନ୍ତା । ବହୁକୁଟୁମ୍ବୀ ଘରେ ସ୍ବଳ୍ପ ଆୟରେ ଚଳିବାର ଓ ଚଳେଇବାର କଳା ତୋ ପରି ସବୁ ବୋଉମାନେ ହିଁ ଜାଣିଥିଲେ । ତା ଭିତରେ ବନ୍ଧୁବାନ୍ଧବ ,କୁଟୁମ୍ବ, ଯାନିଯାତ୍ରା, ପିଠାପଣା, ଭାବର ଆଦାନପ୍ରଦାନ ପରିପୁଷ୍ଟ କରୁଥିଲା ପରିବାରକୁ । ଶୋଇବା ଆଗରୁ ସବୁ କାମ ସାରି ଜେଜେ ଓ ଜେଜେମା ଗୋଡରେ ତେଲ ଘସାଠାରୁ ପୁଣି ଭୋରୁ ଉଠି ଚକୁଳି ପିଠା,ପେଜୁଆ ଭାତ,ବାଇଗଣ ଆଳୁ ଭର୍ତ୍ତା କରି ରାତିଯାଏ ତୋର ଲୋଟଣୀ ପାରା ପରି ଖଟଣି । କୋଉଠୁ ଆସେ ତୋର ଏତେ ଶକ୍ତି ? ସମସ୍ତଙ୍କୁ ଭଲ ପାଉ ବୋଲିନା ! ଆଉ ତୋ ବାଲୁରୀ ଶାଶୁର ସବୁବେଳେ ଡାକ, ସିନିଅ ଲୋ କୁଆଡେ ଗଲୁ, ଖାଲି ଝିଅମାନଙ୍କୁ ସବୁ ଖାଇବାକୁ ଦଉଥା ,ଗୋଟିଏ ବୋଲି ଅଣ୍ଡିରା ପିଲା, ତା ପାଇଁ ଭଲମନ୍ଦ ନୁଚେଇ ରଖିଦେ । ଝିଅମାନେ କଣ କୁଳ ଉଦ୍ଧାର କରିବେ ? ତୁ କିଛି ନ କହି ହସିଦଉ ।କାରଣ ଝିଅ ପୁଅରେ ତୁ ଫରକ କରୁନି ।      ଆଜିବି ମନେପଡେ କାର୍ତ୍ତିକ ମାସର ଥୁରୁ ଥୁରୁ ଶୀତରେ ତୁ ଭୋରୁ ଗାଧେଇ ହଳଦୀ ପାଣି ବାଲଟି ଧରି ଠିଆହେଇଥାଉ ଦଳ ପୋଖରୀରୁ ଗାଁ ର ବୟସ୍କା ମାନେ ଗାଧୋଇ ଫେରିଲେ ତାଙ୍କର ପାଦ ଧୋଇ ପୂଣ୍ୟ ଅର୍ଜନ କରିବାପାଇଁ ।ତା ପରେ ମାଳତୀ ଓ ମଧୁମାଳତୀ ଲଟା ଘେରା ଗୋପୀନାଥ ମନ୍ଦିରର ଘଣ୍ଟ ଘଣ୍ଟା ଆଳତୀ ଓ ପରେ ଆବକ୍ଷ ଚୈତନ୍ୟଦେବ ମନ୍ଦିର ଦର୍ଶନ ।     ଆଜି ମାର୍ଗଶିର ମାସର ଗୁରୁବାର ।ବୋଉ ତୋ ହାତର ଝୋଟିରେ ସ୍ବୟଂ ମହାଲକ୍ଷ୍ମୀ ଓହ୍ଲାଇ ଆସନ୍ତି ଦୁଇ ପାଦ ଦେଇ । ଲିପାପୋଛା ମାଟିଘରେ ସକାଳୁ ଆଖି ଖୋଲିଲା ବେଳକୁ ସବୁଆଡେ ଲକ୍ଷ୍ମୀ ପାଦ ଓ ଧାନସିସାର ମୋ ବୋଉର ସେଇ ସୁନ୍ଦର ଚିତାଛଟା ସାଙ୍ଗକୁ ଝୁଣାଓ ଗୋଗୁଳ ଧୂପ ବାସ୍ନାରେ ମହମହ ବାସୁଥାଏ ବୋଉର ସେଇ ଅମରାବତୀ । ଆଉ ବୋଉର ତୋଫା ଗୋରା କପାଳରେ ବଡ ନାଲି ସିନ୍ଦୂର ଟୋପା, ନାଲି ଧଡିର ଶାଢୀ ଓ ହଳଦୀ ଗୁରୁଗୁରୁ ପାଦରେ ନାଲି ଅଳତାର ଗାର । ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ।ବୋଉମାନେ ହିଁ ତ କରନ୍ତି ଗୃହକୁ ମର୍ତ୍ତ୍ୟ ବୈକୁଣ୍ଠ । ସ୍ନେହ ପ୍ରେମରେ ଉଛୁଳି ଉଠେ ଗୃହ ଅଙ୍ଗନ । ତୋ ହାତର ସାମାନ୍ୟ ଘିଅଛିଞ୍ଚା ତରକାରୀ ଆମ ପାଇଁ ଥିଲା ମହାପ୍ରସାଦ । ତୋ ଲକ୍ଷ୍ମୀଙ୍କୁ ତୁ ସଜାଉ, ରଙ୍ଗାଉ - ତୋ ମୁହଁରେ ଥାଏ ପୃଥିବୀ ଯାକର ଆନନ୍ଦ ।କାନିରେ ବାନ୍ଧିଥିବା ସ୍ବଳ୍ପ ସମ୍ବଳର ଚାବିଲେନ୍ଥା କାନ୍ଧକୁ ଛାଟିଲାବେଳେ ତୁ ଲାଗୁ ସେଠାଣୀ । ତୋ ଟ୍ରଙ୍କ ପେଡି ଆମ ଭାଇଭଉଣୀଙ୍କ ପାଇଁ ରହସ୍ୟମୟ । ଭିତରେ ଥାଏ ଦୁଇ ଚାରିଖଣ୍ଡ ବାସିଲୁଗା, ଫୁଲପକା କାଚଗିଲାସ, କାଚଗିନା,ଗୁଜୁରାତି ଲବଙ୍ଗ, ଆଉ ମୁଣିରେ କିଛି ଖୁଚୁରା ପଇସା ।ସେଇ ଟ୍ରେଜେରୀର ମାଲିକାଣୀ ତୁ । କେତେ ସରଳ,ସହଜ ,ଅଭିଯୋଗହୀନ ଅଭିବ୍ୟକ୍ତି ସତେ ! ଭଗବତ୍ ଗୀତାର ସେଇ ଶ୍ଳୋକଟି ମନେପଡେ -- ସନ୍ତୁଷ୍ଟହ ଶତତ୦ ଯୋଗୀ ଯତାତ୍ମା ଦୃଢ ନିଶ୍ଚୟ.....      ଅଳ୍ପରେ ସନ୍ତୁଷ୍ଟ ଥିବା ବୋଉମାନେ 'ଯୋଗୀ ' ନୁହନ୍ତି ତ ଆଉ କଣ ! ସମୟ କେତେବେଳେ ବୋଉମାନଙ୍କୁ best managerରୁ ଅକର୍ମଣ୍ୟ ରୋଗୀ ବନେଇ ଦିଏ ସେ ନିଜେବି ଜାଣି ପାରେନି । ସ୍ନେହ ଶ୍ରଦ୍ଧା ଭିତରେ ଅନୁଶାସନର ବାଡି ଖଣ୍ଡିକ ତା ହାତରୁ କେତେବେଳେ ଖସି ଯାଇଥାଏ । ଅହି ସୁଲକ୍ଷଣୀ ବୋଉ ମୋର ତୋର ଶେଷ ଦିନ ମାନଙ୍କର କଷ୍ଟ ଓ ଉଦାସ ଆଖି ସତେ ଯେପରି ପ୍ରଶ୍ନ ପରେ ପ୍ରଶ୍ନ କରେ "ମୁଁ ତୁମ୍ଭମାନଙ୍କୁ ଯେଉଁ ଦମ୍ଭ, ବିଶ୍ବାସ ଓ ଭଲପାଇବା ଦେଇ ଗଢିଥିଲି ତୁମେମାନେ କଣ ମୋର ଶେଷ ବେଳରେ ମୋତେ ଫେରାଇ ପାରିଲ ? କାଇଁ ଉତ୍ତର ତ ଦେଇ ହେଉନି । କୋଉଠି କଣ ଗୋଟେ ତଣ୍ଟିରେ ଅଟକି ଯାଉଛି ।      ବୋଉ ତୁ ବିପୁଳା, ତୁ ଅନନ୍ୟା । ବୋଉମାନେ ପଥରରେ ମୁଣ୍ଡ କୋଡି, ଶତଶତ ଠାକୁର ମାନସିକ କରି, ବହୁ ତ୍ୟାଗ ସ୍ବୀକାର କରି ବାରବ୍ରତ ତେର ଉପବାସ କରି ଯେଉଁ ପୁତ୍ର କନ୍ୟାମାନଙ୍କୁ ଜନ୍ମ ଦେଇ ମଣିଷ କରନ୍ତି ସେଇ ଦମ୍ଭ ଓ ବିଶ୍ବାସ ପିଲାମାନେ ଫେରେଇ ପାରନ୍ତି କି ଶେଷବେଳେ ?      ବୋଉଲୋ, ତୋ ହାତ ରନ୍ଧା ମୋ ପାଇଁ ମହାପ୍ରସାଦ, ତୋ ପାଦର ପାଣି ମୋର ଗଙ୍ଗା ଜଳ, ତୋ ଶିକ୍ଷା ମୋ ପାଇଁ ଛନ୍ଦୋମୟ ଗୀତା ଓ ସରଳ ଭାବମୟ ଭାଗବତ ।ଜନ୍ମ ଜନ୍ମାନ୍ତରରେ ତୋରି ଗର୍ଭ ହିଁ ମୋର କାମ୍ୟ ।ପୃଥିବୀ ଇତିହାସରେ ଭାରତର ବୋଉମାନେ ହିଁ ନବସୃଜନର କର୍ଣ୍ଣଧାର, ଧୈର୍ଯ୍ୟ ଓ ସହନଶୀଳତା ର ମୂର୍ତ୍ତିମନ୍ତ ସ୍ବାକ୍ଷର । ତୁ ସ୍ବର୍ଗରେ ଥାଇ ଆଶୀଷ ଢାଳୁଥା ତୋର ସନ୍ତାନ ମାନଙ୍କର ସ୍ବାର୍ଥପରତାକୁ । କାରଣ ତୁ ବୋଉ ।


Rate this content
Log in