ଛାଡଖାଇ
ଛାଡଖାଇ
ବାର ମାସ ମଧ୍ୟରେ କାର୍ତ୍ତିକ ମାସଟି ସବୁଠାରୁ ଅଟେ ଧାର୍ମିକ ମାସ । ସାତ୍ତ୍ବିକ ଆହାର ସାତ୍ତ୍ବିକ ବିଚାର ମନରେ ଭରି ଆସେ ଏହି ମାସରେ । କୁହାଯାଏ କାର୍ତ୍ତିକ ହେଉଛି ପୁଣ୍ୟର ମାସ । ଜୀବନରେ ଥରେ ଅଧେ ସମସ୍ତେ କାର୍ତ୍ତିକ କରିବା ଦରକାର । ଶୀତର ପ୍ରକୋପରେ ସମସ୍ତେ ଅସ୍ତବ୍ଯସ୍ତ । ସେପଟେ ଧାନ କ୍ଷେତରେ ପାଚିଲା ଧାନର ବାସ୍ନା। ତାର ବାସ୍ନାରେ ଚାରିଆଡେ ଖେଳିଯାଇଛି ପୁଲକ ।
କାର୍ତ୍ତିକ ମାସ ଶେଷ ହେବାକୁ ଯାଉଛି । କାର୍ତ୍ତିକ ମାସ ଶେଷରେ ଛାଡଖାଇ ହୋଇଥାଏ । ଯେଉଁମାନେ ସବୁ ଛାଡ଼ି ଥିବେ କାର୍ତ୍ତିକ ମାସ ସାରା । ସେଇ ଦିନ କୁଆଡେ ସେ ସବୁ ଖାଇଲେ ପୁଣ୍ୟ ମିଳିଥାଏ । ଏଥିପାଇଁ ଆଗରୁ ଦିନ ଗଣୁଥାଏ ମଣିଷ ଶେଷ ହେବ କେବେ ପଞ୍ଚୁକ, କେବେ ଶେଷ ହେବ କାର୍ତ୍ତିକ ମାସ ।
ଆମିଷ ବଜାର ମାସ ସାରା ଫାଙ୍କା ପଡିଥିଲା । ଏପଟେ ପରିବା ବଜାର ଭିଡ। ପଞ୍ଚୁକ ସରିଲା ଛାଡଖାଇ ହେବାକୁ ବାକି ଅଛି ଦିନଟିଏ ।
ସମସ୍ତେ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ଭସାଇବା ପାଇଁ ସକାଳୁ ସକାଳୁ ଗହଳି ଚହଳି ଲାଗିଥାଏ । ମନ୍ଦିର ବେଢ଼ାରେ ଦର୍ଶନ ପାଇଁ ଭିଡ... ଏ ବର୍ଷ ସେତକ ବି ନାହିଁ । ପ୍ରଶାସନ ଚାରିଆଡ଼େ ବନ୍ଦ କରି ଦେଇଛି ।
ତଥାପି ସମସ୍ତଙ୍କ ମନରେ ଆନନ୍ଦର ଲହରୀ । ମାସକର ଧର୍ମ କରି ନିଜର ପରମ୍ପରା ଆଉ ସଂସ୍କୃତି ବଜାୟ ରଖି ବୋଇତ ଭସେଇ ସେଇ ସାଧବ ପୁଅ ମାନଙ୍କ ବଣିଜ ପାଇଁ ଖୁସି ମନରେ ବିଦାୟ ଦେଇ ଘରକୁ ଫେରିଲେଣି ସଭିଏଁ । ବାଜା ବାଣ ଫୁଟାଇ ଅନେକ ଭଗବାନଙ୍କ ନାମ ସଙ୍କୀର୍ତ୍ତନ କରି ଗାଁ ପରିକ୍ରମା କରୁଥାନ୍ତି । ସେଇ ଦିନ ସଂଜ ଆସିବା ଯାଏଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧାର୍ମିକ ଚେତନାରେ ମସ୍ ଗୁଲ୍ ରହିଥାନ୍ତି ।
ଛାଡଖାଇ କରିବା ପାଇଁ ସାତ ଆଠ ଦିନ ଆଗରୁ ଲୋକଟିଏ ଗଞ୍ଜା କୁକୁଡାଟିଏ ଦେଇଛି ମହେଶ୍ବର ବାବୁଙ୍କୁ । ମ୍ୟାଡାମ୍ ଆଉ ତାଙ୍କର ଛୋଟ ଝିଅଟି କୁକୁଡା ଟିକୁ ଖୁଦ ପାଣି ଚାଉଳ ଇତ୍ୟାଦି ଦେଇ ନିଜର କରି ନେଲେଣି । କୁକୁଡାଟି ସକାଳୁ ସକାଳୁ କ.. କ.. ରେ.. କ.. ଡାକି ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଦେଉଛି । ସକାଳୁ ମ୍ୟାଡାମ୍ ଙ୍କୁ ଏବଂ ଝିଅକୁ ଉଠାଇ ଦେଉଛି । ଛୋଟ ଝିଅଟି କୁକୁଡା ସହିତ ଖେଳେ ବୁଲେ । ଏହା ଭିତରେ ତା ସହିତ ତାର ଆତ୍ମିୟତା ଆସି ଯାଇଛି । ଟିକେ ସମୟ ନ ଦେଖିଲେ କୁକୁଡାକୁ ଖୋଜେ ।
ଛାଡଖାଇ ଦିନ ଉପସ୍ଥିତ ହେଲା । ମହେଶ୍ବର ବାବୁ କୁକୁଡାକୁ କାଟିବା ପାଇଁ ପିଅନକୁ ଡକାଇଲେ । ପିଅନ ଆସି କୁକୁଡାକୁ ନେବାକୁ ଉଦ୍ୟମ କଲେ । ଛୋଟ ଝିଅଟି ଅଝଟ କଲା ନେବାକୁ ଦେଲା ନାହିଁ । କାନ୍ଦିଲା... ମ୍ୟାଡାମ୍ ମଧ୍ଯ କୁକୁଡାକୁ କାଟିବାକୁ ମନା କଲେ । କହିଲେ ଆମର ଛାଡଖାଇ ନ ହେଉ ପଛେ କିନ୍ତୁ ଏହି କୁକୁଡାଟିକୁ ମାରିବାକୁ ଦିଆଯିବ ନାହିଁ । ମୋର ମନେ ପଡେ "ମାଂସର ବିଳାପ" କଥା । କୁକୁଡା ସହିତ ମାଆ ଝିଅର ଏକ ନିଆରା ସମ୍ପର୍କ ସୃଷ୍ଟି ହୋଇ ଯାଇଥାଏ ।
ସତରେ ଆମେ ଛାଡଖାଇ କରି ଆମେ ଆମର ଆତ୍ମୀୟ ସ୍ବଜନଙ୍କୁ ହରାଇଲା ପରି ଆମର ପ୍ରିୟ ଜୀବଜନ୍ତୁଙ୍କୁ ହରାଇ ଦେଉ ନାହେଁ ତ.... ଏହାରି ମର୍ମକୁ ବୁଝି କରି ଆମେ ଠିକ୍ ଢଙ୍ଗରେ ପାଳିବା । ସଂସ୍କାରିତ କରି ନିଜ ଜୀବନକୁ ଠିକ୍ ଭାବରେ ଗଢି ତୋଳିବା ।