TAPASWINI BEHERA

Tragedy

2.5  

TAPASWINI BEHERA

Tragedy

ବୟସର ସନ୍ଧ୍ୟା

ବୟସର ସନ୍ଧ୍ୟା

2 mins
4.0K


ଅରୁଣାର ଗୋଟେ ଜିଦ ଅବିନାଶ ପାଖେ ,ବୁଢ଼ାକୁ ବୃଦ୍ଧାଶ୍ରମକୁ ପଠେଇ ଦିଅ।ବିଛଣା ଝାଡୁ ଝାଡୁ କହି ଚାଲୁଥାଏ-" ନିତି ନିତି ବେମାର ସବୁ ମାଡି ବସୁଛି।ଖୁଁ ଖୁଁ କାଶୁଚି ଯେ ,ରାତି ସାରା ମଣିଷ ଶାନ୍ତିରେ ଶୋଇ ପାରୁନି ।ସକାଳୁ ମୋର ତେଣେ କେତେ କାମ।ତୁମେ ତ ଜାଣିଛ ନା ମୁନିର ସ୍କୁଲ,ତୁମ ଅଫିସ୍ ଆଉ ଦିନ ଯାକର ସବୁ ପାଇଟି ମତେ ଏକା ସାରିବାକୁ ପଡିବ।"ଅବିନାଶ କିନ୍ତୁ ଏବେ ବି ଚୁପଚାପ ନିଜ ଅଫିସ କାଗଜ ପତ୍ର ସାଇତି ରଖୁଛି,କାଲି ତାର ମିଟିଂ ଅଛି।ଅରୁଣାର କଥାରେ ତାଳ ଦେଇ ବାସ୍ ଦୁଇ ପଦ ଯୋଡ଼ିଦେଲା ,"ତୁମେ କଣ ପାଇଁ ଏତେ ବ୍ୟସ୍ତ,ମୋର ବି ଇଚ୍ଛା ଯେ ତାଙ୍କୁ ନେଇ ଆଶ୍ରମରେ ଛାଡି ଆସିବି,ଆମ ଗାଁ ସନିଆ ବୁଢା ବି ଏବେ ସେଇଠି ରହୁଛି।ଆଉ ବାପାଙ୍କୁ ବି ଗୋଟେ ସାଥି ମିଳିଯିବ ସେଠି।ହେଲେ ସରକାର ଏବେ ପରା ଗୋଟେ ନୂଆ ନୀତି କରିଛନ୍ତି ଯେ ବାପା,ମାଙ୍କୁ ବୃଦ୍ଧାଶ୍ରମ ପଠେଇଲେ ଦଣ୍ଡ ବିଧାନ ହେବ।ସେମିତିରେ ବି ବୁଢା ଆଉ କେତେ ଦିନ ବଞ୍ଚିବ ଯେ,ଏତେ ବ୍ୟସ୍ତ ହଉଚ..?ରାତି ବହୁତ ହେଲାଣି ଶୋଇପଡ,ସକାଳୁ ତେଣେ କେତେ କାମ।"

ଦିନ ଦଶଟା ହେଲାଣି ବୁଢା ଏଯାଏଁ ଉଠିନି ।ଆଜି ପୁଣି ଗୁରୁବାର।"ମିନୁ ଗଲୁ ଡାକିବୁ ତୋ ବୁଢା ଜେଜେକୁ"।ହଁ, ରାତି ସାରା ତ ଆମକୁ ଶୁଆଇ ଦଉନି ଆଉ ନିଜେ ଦିନ ଅଧ ଯାଏ ଶୋଉଛି।ତିକ୍ତତାର ସ୍ପଷ୍ଟ କଣ୍ଠ ବାରି ହେଉଥିଲା ଅରୁଣାର ସ୍ୱରରୁ ।ଆଉ ସହି ହେବନି ଏ ବୁଢ଼ାର ରଂଗଢ଼ଙ୍ଗ।ମିନୁ ଧାଇଁ ଆସି କହିଲା,-"ମମି, ମମି ଜେଜେଙ୍କୁ କେତେ ଥର ଡାକି କବାଟ ବି ବାଡେଇ ସାରିଲିଣି,ହେଲେ ଜେଜେ ଖୋଲୁନାହାଁନ୍ତି"।ଛଳନା ଭରା ତିକ୍ତ କଣ୍ଠରୁ ଝରୁଥିଲା ମଧୁର ସ୍ୱର "ବାପା ଉଠ,ବହୁତ ଡେରି ହେଲାଣି,ତୁମ ଚାହା ବନେଇ ସାରିଲିଣି ଅଦା ପକେଇ ଆଉ ଯେମିତି କାଶ ହେବନି"।ହେଲେ ନିଃଶବ୍ଦ କୋଠରୀର ରୁଦ୍ଧ ଦ୍ବାରର କବାଟ ଖୋଲି ନ ଥିଲା କାହା ପାଇଁ।ଘନ ଘନ ଅରୁଣାର ଫୋନର ଜବାବରେ କହିଥିଲା ଅବିନାଶ-"ତୁମେ କଣ ଜାଣିନ କି ମୋର ଆଜି ମିଟିଂ ଅଛି,କାହିଁକି ବାରମ୍ବାର ଫୋନ କରୁଛ, ମିଟିଂ ସରିଲେ ମୁଁ ଯିବି,ବୁଢା ପାଇଁ କୋଉଦିନ ଠୁ ତୁମ ମନରେ ଏତେ ଆକୁଳତା ଆସିଲା ଯେ,ଏତେ ବ୍ୟସ୍ତ ହେଇ ପଡୁଛ..?କହି ଫୋନ କାଟିଦେଲା ଅବିନାଶ।ଦୀର୍ଘ ଦୁଇ ଘଣ୍ଟାର ବ୍ୟବଧାନ ପରେ ଧାଇଁ ଆସିଥିଲା ଅବିନାଶ।କବାଟ ଭାଙ୍ଗି ଘର ଭିତରକୁ ପଶିଲେ ଦୁହେଁ।ବୁଢା ଆରାମ ଚୌକିରେ ବସି ଝୁଲୁଥିଲା ହାତରେ ଥିଲା ଅବିନାଶର ବୋଉର ଫୋଟୋ ଗୋଟେ,ଯୋଉଟାକୁ ବୁଢା, ଅବିନାଶକୁ ଶହେ ଥର କହିଥିଲ,-ବାବୁରେ ଏ ଫୋଟୋ ତୋ ବୋଉର,ଆକୁ ଟିକେ ବନ୍ଧେଇ ଦିଅନ୍ତୁନି,ତୋ ବୋଉର ଏ ଫୋଟୋ ଛଡା ଆଉ କିଛି ସନ୍ତକ ମୋ ପାଖରେ ନାହିଁ।"ଅବିନାଶ କହିଥିଲା-ଠିକ ଅଛି,କରିଦେବି।୪ ବର୍ଷ ହେଇଗଲାଣି ହେଲେ ବାପାଙ୍କର ଏତେ ବଡ଼ ଦାୟିତ୍ୱର ବୋଝ ଉଠେଇବାକୁ ସମୟଟା କେବେ ଆସି ନ ଥିଲା ବୋଧେ।ବିରକ୍ତରେ ଅବିନାଶ କହିଦେଲା-"କାହିଁକି ତୁମେ ଆମ ଜୀବନରେ ଏଯାଏଁ କଣ୍ଟା ହେଇକି ରହିଛ..?ମୋତେ କଣ ଶାନ୍ତିରେ ରହିବାକୁ ଦେବନି,ସେତେବେଳୁ ଚାହା ଧରି ଅରୁଣା ଡାକୁଥିଲା,ଆଉ ତୁମେ କବାଟ ନ ଖୋଲି ଆରାମ ଚୌକିରେ ଝୁଲୁଛ, ତୁମକୁ ଲାଜ ଲାଗୁନି ଟିକେ..?କହିବ ତ କହିଦିଅ ସଫା ସଫା ତୁମକୁ ଏଠି ଭଲ ଲାଗୁନି,ଆଉ ଗୋଟେ ଆଫିଡେଭିଟ ବି କରି ଲେଖିଦିଏ,ମୁଁ ତୁମ ପାଇଁ ବୃଦ୍ଧାଶ୍ରମଟେ ଖୋଜିଛି,ସେଇଠି ନେଇ ଛାଡ଼ିଦେବି ।"ବୁଢା ଥର ଥର କଣ୍ଠରେ ଧୀରେ କହୁଥିଲା-"ବୋହୁ ଧମକ ଦବା ଆଗରୁ ବହୁତ ଥର ଶୁଣିଛି,ହେଲେ ବାବୁ,ତୁ ବି ସେଇଆ ଚାହୁଁଥିଲୁ କହିଲୁନି, ମୁଁ କେବେଠୁ ଚାଲିଯାଇଥାନ୍ତି, ତୋ ବୋଉ ଗଲା ବେଳେ କହିଥିଲା,"ମୋ ପୁଅ ତୁମକୁ ଲାଗିଲା,ତାକୁ କେବେ ଛାଡି କୁଆଡେ ଯିବନି,"ଆଉ ତୁ ଆଜି ଠିକ କହିଲୁରେ ବାବୁ..ହଁ,ଠି....ବାସ୍! ବୁଢ଼ା ପାଟିରୁ ଆଉ ପଦୁ ଟିଏ ଶବ୍ଦ ବାହାରିନି। ବୁଢା ଏବେ ନିସ୍ତେଜ ହେଇ ଶୋଇ ପଡ଼ିଥିଲା ସମସ୍ତଙ୍କୁ ଶାନ୍ତିରେ ପ୍ରତ୍ୟେକ ରାତି ଶୋଇବାକୁ ଦେବାକୁ।ବୟସର ସନ୍ଧ୍ୟା କ୍ରମେ ଗଡି ଯାଇଥିଲା ବୋଧେ ଆଉ କେଉଁ ନୂଆ ଶରୀରର ଅନ୍ୱେଷଣରେ...


Rate this content
Log in

Similar oriya story from Tragedy