TAPASWINI BEHERA

Tragedy

3  

TAPASWINI BEHERA

Tragedy

ଶେଷ ରାକ୍ଷୀ

ଶେଷ ରାକ୍ଷୀ

9 mins
48



          କାଚ ଝରକାର ବର୍ଷା ବିନ୍ଦୁ ମାନଙ୍କୁ ଗୋଟି ଗୋଟି କରି ଏକା ଏକା ବସି ଗଣୁଥିଲା ନିଷ୍ଠା ଆଉ ଶୁଣୁ ଥିଲା ତାର ସବୁସମୟର ପ୍ରିୟ ଗୀତ "କାଚ କାନ୍ଥର ଏପାଖେ ମୁଁ,ସେପାଖେ ଜୀବନ.... । "ପୁଣି ଭାବୁଥିଲା ତା ଜୀବନ ତ ଏବେ ଏଇ ଗୀତ ପରି । ଅତୀତର ଫର୍ଦ୍ଦ ଭିତରେ ସମ୍ପର୍କ ବେଶୀ ନ ଥିଲା କିନ୍ତୁ ଜୀବନ ଥିଲା । ହେଲେ ଏବେ ଗୁଡ଼ାଏ ସମ୍ପର୍କ ଯୋଡି ହେଇଗଲା ପରେ,ତା ଜୀବନ କୋଉଠି ହଜି ଯାଇଛି । ପୁରୁଣା ସ୍ମୃତି ସୁଖକର ଥିଲେ ହସାଏ ଆଉ ଦୁଃଖରେ ଭରା ଥିଲେ କନ୍ଦାଏ । କିନ୍ତୁ,ନିଷ୍ଠାର ସ୍ମୃତିରେ ସବୁ କେବଳ ଖୁସି ଖୁସି ଥିଲା,ସେଥିରେ ଦୁଃଖର ସ୍ଥାନ ହିଁ ନଥିଲା । ସେଥିପାଇଁ ତ ନିଷ୍ଠାକୁ ଯେବେ ବି କଷ୍ଟ ହୁଏ,ସେ ତାର ସ୍ମୃତି ସବୁକୁ ମନେପକେଇ ମନ ଖୋଲି ହସିଦିଏ । ଏଇ ଯେମିତି କଲେଜ ସାମ୍ନାରେ ବଡ଼ ଭାଇ ଆଲୋକର ଆକସ୍ମିକ ଦେଖା ହଉ କି ସାହିଲ ସହ ପ୍ରଥମ ଦେଖା । ସେସବୁ ଯେବେବି ତାର ମନେ ପଡେ ସେ ବହୁତ ଖୁସି ହେଇଯାଏ । ସେଇ ଅତୀତର ସାଉଁଟା ସ୍ମୃତିସବୁ ଆଜି ପୁଣି ଡେଣା ଲଗେଇ ଉଡାଣ ଭରିଛନ୍ତି ନିଷ୍ଠାର ଭାବନାରେ ।

          କୁହାଯାଏ ଯୋଉଠି ଲହଡିମାନଙ୍କ ଶବ ମିଳେ,ସେଇଠି କାଳେ ଜୁଆର ମାନଙ୍କର ଅସ୍ତିତ୍ୱ ନ ଥାଏ,କିନ୍ତୁ ଆଖି ଗୋଟେ ଏମିତି ସାଗର, ଯୋଉଠି ମଲା ଲହଡିମାନେ ବି ଜୁଆରର ଛାତି ଫାଡ଼ି ସୁନାମି କରି ପାରନ୍ତି । ଗଢି ପାରନ୍ତି କାହା ହୃଦୟରେ ସ୍ୱପ୍ନର ତାଜମହଲ,ତ ମେଣ୍ଟେଇ ପାରନ୍ତି କାହା ମନର ଅବଦମିତ ଶୋଷ । ସେଇ ଆଖିର ନିଶା ନିଶ୍ଚିନ୍ତ ଏମିତି କିଛି ଅସ୍ତିତ୍ୱର ପ୍ରମାଣ ଦେଇଥିଲା ସାହିଲ ପାଇଁ ନିଷ୍ଠାର ଆଖିରେ, ଯାହାକୁ ଦେଖିଲା ପରେ ସାହିଲ କେବଳ ବୁଡି ନଥିଲା ବରଂ ହଜି ଯାଇଥିଲା ସେ ଆଖିରେ । ପ୍ରେମର ଅଙ୍କୁରୋଦଗମ ହେଲା ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଗଣିତ କ୍ଲାସର କରିଡରରୁ ଯୋଉଠି ନିଷ୍ଠା ଗଣିତରେ ସ୍ନାତକୋତ୍ତର କରୁଥିଲା ଆଉ ସାହିଲ ସେଇ ପାଖ ଗୋଟେ ଆଇଟି କମ୍ପାନୀରେ ଚାକିରୀ । ଧୀରେ ଧୀରେ ସେଇ ପ୍ରେମର ବାସ୍ନା ପହଞ୍ଚି ଗଲା ନିଷ୍ଠାର ଗାଁରେ ଥିବା ଭାଇ ଆଲୋକ ପାଖରେ ବିବାହ ପ୍ରସ୍ତାବ ହେଇ । ଆଲୋକ ଆଗରେ ନିଷ୍ଠା ଏବେ ବି ସେଇ ୫/୬ ବର୍ଷର କୁନି ଝିଅ,ଯିଏ ବାପା,ମା' ଉଭୟଙ୍କ ସ୍ନେହ ସବୁକୁ ବଡ଼ ଭାଇ ଆଲୋକ ଠାରୁ ପାଇଥିଲା ।


ଆଲୋକକୁ ଯେତେବେଳେ ୧୫ ବର୍ଷ ଆଗ ମା' ତା ପଛେ ପଛେ ଚାଲିଗଲେ ତା'ର ବାପା । କ୍ରିୟାକର୍ମ ସବୁ ସରିଲା ପରେ ମାମୁଁ ଘର ଚାଲିଗଲେ ଦୁଇଜଣ । କିନ୍ତୁ,ମାଇଁ ଭାଇ ଭଉଣୀ ଦି ଜଣଙ୍କୁ ଆଠ ଦିନ ରଖିବା ବି ସହ୍ୟ କରି ପାରିଲାନି । ଶେଷକୁ ଆଲୋକ ନିଜ ଘରକୁ ଚାଲି ଆସିଲା । ଏଥର କେବଳ ନିଷ୍ଠାର ଭାଇ ହେଇ ନୁହେଁ,ନିଷ୍ଠାର ବାପା ଆଉ ମା' ହେଇ । ବାପା ଭଳି ବରଗଛର ଘନ ଛାଇ ଯଦିଓ ସେ ନିଷ୍ଠାକୁ ଦେଇ ପାରୁ ନଥିଲା କିନ୍ତୁ କେବେ ଛାୟା ହୀନ ଥୁଣ୍ଟାଗଛ ଭଳି ସ୍ନେହରେ କମି ଅନୁଭବ କରିବାକୁ ଦେଉନଥିଲା । ନିଷ୍ଠା ଆଖିରେ ଟିକିଏ ବି ଲୁହକୁ ସେ ଆଦୌ ସହ୍ୟ କରି ପାରୁନଥିଲା । ସେମିତି ନିଷ୍ଠାର ଦୁନିଆ ବି ତା ଭାଇ ପାଖେ ଅଟକି ଯାଉଥିଲା । ଆଲୋକ ମାଟ୍ରିକ ପରେ ପାଠ ପଢା ଛାଡିଥିଲା ସତ । କିନ୍ତୁ,ଭଉଣୀ ପାଠପଢ଼ାରେ କୋଉଠି ବି ଟିକିଏ ପଛଘୁଞ୍ଚା ଦେଉ ନଥିଲା । ସେଦିନ ନିଷ୍ଠା ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ସେ ରୋକଠୋକ ମନା କରି ପାରିଥାନ୍ତା କିନ୍ତୁ ପାରିଲାନି,କାରଣ ନିଷ୍ଠା ଆଖିରେ ସେ କିଛି ଅଲଗା ଦେଖିନେଇଥିଲା । "ଯାହାର ଆଖି ଯେତେ କଥାକୁହେ,ତା'ର ଓଠ ସେତେ ଲୁଚାଏ, କିନ୍ତୁ ଯଦି ପଢିବା ମନ ମିଳିଯାଏ,ସେ ନୀରବ ଓଠର ଭାଷା ବୁଝିବାକୁ ଡେରି ହୁଏନି । "ବୋଧେ ଏମିତି କିଛି ନିଷ୍ଠା ଆଖିରେ ବଡ଼ ଭାଇ ଆଲୋକ ପଢି ଦେଇଥିଲା । ସେମିତିରେ ପ୍ରସ୍ତାବ ଖରାପ ନ ଥିଲା । ବଡ଼ ଘର,ଭଲ ବର ଆଉ ଛୋଟ ପୁଣି ଶିକ୍ଷିତ ପରିବାର ସହ ନିଷ୍ଠାର ସମ୍ମତିକୁ ଦେଖି ଆଲୋକକୁ ହଁ କହିବାରେ କେଉଁଠି ବି ଦ୍ଵିଧା ଲାଗିଲାନି । ଯଦିଓ ଆଲୋକକୁ ଡର ଲାଗୁଥିଲା ଯେ ନିଷ୍ଠା ନୂଆ ସମ୍ପର୍କକୁ କେମିତି ବାନ୍ଧି ରଖିବ!!! ଆଲୋକ ଆଖିରେ ନିଷ୍ଠାର ପିଲାଳିଆମୀ ଏବେ ବି ଜୀବିତ ଥିବାର ଦିଶୁଥିଲା ।


ବାହାଘର ପରେ ନିଷ୍ଠାର ଦୁନିଆ ବଦଳି ଯାଇଥିଲା । ଏବେ ତା ଦୁନିଆରେ କେବଳ ତା ଭାଇ ନଥିଲେ ବରଂ ଶାଶୁ,ଶ୍ୱଶୁର ଆଉ ସ୍ୱାମୀ ସାହିଲ ବି ମୁଖ୍ୟ ଭୂମିକା ଗ୍ରହଣ କରି ସାରିଥିଲେ । ସମ୍ପୂର୍ଣ୍ଣ ବଦଳି ସାରିଥିଲା ତା ଦୁନିଆ । ସାହିଲର କାର୍ଯ୍ୟବ୍ୟସ୍ତତା ତା ସହ ଶାଶୁଙ୍କର ନିଷ୍ଠା ଉପରେ ସବୁ କାମରେ ଗୋଟେ କେଁ ବାହାର କରିବା,ନିଷ୍ଠାକୁ ଅଣଃନିଶ୍ୱାସୀ କରି ପକାଉଥିଲା । ସେ ଅନୁଭବ କରେ ଭାଇର ଅନୁପସ୍ଥିତି । ସବୁପରେ ସେ ନିଜକୁ ବୁଝାଏ । ଚୁପଚାପ ଶାଶୁଙ୍କର ସବୁ ଗାଳିକୁ ମୁଣ୍ଡ ପୋତି ସହି ନିଏ । କେବଳ ଭାଇଙ୍କୁ ଦେଇଥିବା କଥା ପଦକ ପାଇଁ । ଶାଶୁଘରକୁ ଆସିଲା ବେଳେ ଭାଇକୁ କଥା ଦେଇ ଆସିଥିଲା-"ଶାଶୁଘରେ ଏମିତି କିଛି କାମ କରିବନି ସେ,ଯେମିତି କେହି ବି ତା ମୃତ ବାପା ମା'ଙ୍କ ଶିକ୍ଷା,ଦିକ୍ଷା କି ଭାଇର ଲାଳନପାଳନ ଉପରେ ଆଙ୍ଗୁଠି ଉଠେଇବେ ।


"ବହୁତ କଷ୍ଟ ହୁଏ,ହେଲେ ସେ କିଛି ବ କାହାକୁ କୁହେନି । ସେମିତିରେ କହିବ ବି କାହାକୁ..??ସାହିଲ ତ ସବୁବେଳେ ନିଜ କାମରେ ବ୍ୟସ୍ତ । କିଛି କହିବାକୁ ଚାହିଁଲେ ସେ ନିଷ୍ଠାକୁ ଏମିତି କହି ବୁଝେଇ ଦିଅନ୍ତି କି,"ତୁମେ ବ୍ୟସ୍ତ ହୁଅନା,ଦିନେ ସବୁ କିଛି ଠିକ୍ ହେଇଯିବ । " ହେଲେ ନିଷ୍ଠା ବୁଝିପାରେନି ସେ ଦିନଟା ତା ଜୀବନରେ କେବେ ଆସିବ । ଯୋଉ ଭାଇକୁ ଆଖି ଆଗରୁ ଛାଡି ବଞ୍ଚିବା ନିଷ୍ଠା ପାଇଁ କାଠିକର ପାଠ ଥିଲା,ଭଗବାନ ସବୁବେଳେ ତା ସହ ସେଇ ଅନ୍ୟାୟ ବାରମ୍ବାର କରନ୍ତି ବୋଲି ସେ ଭାବେ । ତା ପାଠପଢ଼ା ପାଇଁ ସେ ଭାଇ ସହ ସବୁବେଳେ ରହିପାରେନି । ଆଉ ଏ ବାହାଘର ପରେ ସେଇ ଭାଇକୁ କେତେ ଦୂରରେ ଛାଡି ଆସିଛି ଭାବିଲେ ନିଷ୍ଠାର ଆଖି ଭରି ଆସେ । ଯଦିଓ ଭାଇ ସହ ପ୍ରାୟ ସବୁଦିନ ନିଷ୍ଠା କଥା ହୁଏ । କିନ୍ତୁ, ବାହାଘର ପରେ ଚାରିବର୍ଷରେ ମାତ୍ର ଥରୁଟିଏ ଭାଇକୁ ଦେଖିବାର ସୁଯୋଗ ପାଇଥିଲା,ତା ପୁଣି ଦୁଇ ଦିନ ପାଇଁ ଏଇ ରାକ୍ଷୀପୂର୍ଣ୍ଣିମାକୁ ପ୍ରଥମ ବର୍ଷ ବାହାଘରପରେ ।


ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ନିଷ୍ଠା ଯୋଉଠି ବି ଥାଉ,ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ସେ ହାଜର ହେଇଯାଏ,କାରଣ ତାକୁ ରାକ୍ଷୀ ପଠେଇବାକୁ ଭଲ ଲାଗେନି ପୁଣି ସେ ନିଜେ ବାନ୍ଧିଲେ ଭାଇ ହାତରୁ ଆଶୀର୍ବାଦ ଆଉ ପାଉଣା ଉଭୟ ପାଇବ । ତା'ର ଜନ୍ମଦିନ ହେଉ କି ରାକ୍ଷୀ ପାଉଣା ,ଭାଇର ଉପହାର ପ୍ରତି ନିଷ୍ଠାର ସବୁବେଳେ ଗୋଟେ ଅହେତୁକ ଲୋଭ ରହିଥାଏ । କିନ୍ତୁ ଏଥର ସମୟ ପୁରା ଅଲଗା । ଏବେ ସେ ବିବାହିତ ଆଉ କାହା ଘରର ବୋହୂ । ପାଦ କାଢ଼ିବା ଆଗରୁ ସମସ୍ତଙ୍କର ଅନୁମତି ଦରକାର ପଡେ । ଦୀର୍ଘ ତିନି ବର୍ଷ ହେଲାଣି ,ସେ ଏଇ ରାକ୍ଷୀ ପୂର୍ଣ୍ଣିମାକୁ ଖାଲି ଶୁଣେ ତ ବାହାନା । କେବେ ସାହିଲଙ୍କ ଟ୍ରେନିଂଟୁର୍ ତ କେବେ ଶାଶୁଙ୍କ ଦେହ ଖରାପ । ଏଇ ବର୍ଷ ପୁଣି ସେଇ ରାକ୍ଷୀ ପୂର୍ଣ୍ଣିମା ଆସିଛି,ହେଲେ ନିଷ୍ଠା କଣ କରିବ କିଛି ଭାବି ପାରୁନି । କେମିତି କହିବ ଶାଶୁଙ୍କୁ ଯେ ଏଇ ଶେଷ ଥର ତା ଭାଇ ପାଖକୁ ତାକୁ ଛାଡ଼ନ୍ତୁ ବୋଲି । ପୁଣି ଭାବୁଛି,ଯଦି ଏଥର କିଛି କାରଣ ଦେଖେଇବେ,ସେ କଣ କରିବ..?ନିଜେ ଏକା ଚାଲିଯିବ କି..?


ହଠାତ୍ ସାହିଲ ଆସି ନିଷ୍ଠା କାନ୍ଧ ଉପରେ ହାତ ରଖିଦେଲେ । ନିଷ୍ଠାର ଆଖି ଲୁହ ଭର୍ତ୍ତି ଦେଖି ସାହିଲ ବୁଝି ସାରିଥିଲେ ଲୁହ ପରର ଘଟଣା । ନିଷ୍ଠା କିଛି କହିବା ଆଗରୁ ସାହିଲ କେବଳ ଏତିକି କହିଲେ, "ଆମେ ଏଇଥର ତୁମ ଭାଇଙ୍କ ପାଖକୁ ନିଶ୍ଚୟ ଯିବା" । ବିନା ପ୍ରତିବାଦରେ ସାହିଲଙ୍କ ହଁ ମାରିବା ପୁଣି ନିଜ ଆଡୁ!! ସେ ଯଦିଓ ବିଶ୍ୱାସ କରି ପାରୁ ନଥିଲା କିନ୍ତୁ ସେ ଯାହା ବି ହେଉ ଏଇ ପଦକ କଥା ଶୁଣିଲା ପରେ ନିଷ୍ଠାର ଖୁସି ବାଡ଼ ବନ୍ଧ ଭାଙ୍ଗି ଲୁହ ହେଇ ବହିଗଲା ଆଉ ଆଙ୍କି ଦେଇଥିଲା ଅଜସ୍ର ଚୁମ୍ବନ ସାହିଲର ଗାଲ ସାରା । ସାହିଲ ଆଶ୍ଚର୍ଯ୍ୟ ଭାବେ ଦେଖୁଥିଲା ନିଷ୍ଠାର ତା ଭାଇପ୍ରତି ଥିବା ଅସୀମ ସ୍ନେହ ଆଉ ଭାବୁଥିଲା "ସତରେ ଏ ଝିଅ ମାନେ ସ୍ନେହ କାଙ୍ଗାଳୀ,ତାଙ୍କୁ ଟିକିଏ ଖୁସି ଦିଅ,ସେ ତୁମ ଖୁସିକୁ ଦ୍ବିଗୁଣିତ କରିଦେବେ ।  

         ଠିକ୍ ରାକ୍ଷୀ ପୂର୍ଣ୍ଣିମା ଦିନ ହଠାତ୍ ଯାଇ ପହଁଚି ଗଲା ନିଷ୍ଠା ନିଜ ବାପ ଘରେ । ଆଲୋକ ସେଦିନ ନିଷ୍ଠାକୁ ଦେଖି କୋହ ସମ୍ଭାଳି ପାରୁ ନଥିଲା । ଚାପା କଣ୍ଠରେ ଏତିକି କହି ପାରୁଥିଲା,"ତୁ କାହିଁକି ଆସିଲୁ ଯେ ଏମିତି,ରାକ୍ଷୀ କଣ ପଠେଇ ଦେଇଥିଲେ ହେଇ ନଥାନ୍ତା!!ଏତେ ଦୂର ଜ୍ୱାଇଁକୁ ଧରି ଆସିବା କଣ ଦରକାର ଥିଲା!!ସେମିତିରେ ବି ଆଉ କେତେବର୍ଷ ଏମିତି ରାକ୍ଷୀ ବାନ୍ଧିବାକୁ ତୁ ଆସିବୁ ଯେ!!"ନିଷ୍ଠା ଭାଇର କଥା କିଛି ବୁଝି ତ ପାରୁ ନଥିଲା କି କିଛି ବୁଝିବା ଉପରେ ବି ନ ଥିଲା । ସେ ତା ଭାଇକୁ ଦେଖିକି ହିଁ ଖୁସି ହେଇ ଯାଇଥିଲା । ନିଷ୍ଠାର ରାକ୍ଷୀ ବନ୍ଧା ସରିଲା । ପ୍ରତିଥର ପରି ଆଲୋକ ଗୋଟେ ଉପହାର ବି ଦେଲା,କିନ୍ତୁ ବଦଳରେ ନିଷ୍ଠାକୁ କହିଲା,"ଏଇ ଥର ଉପହାର ତୁ ତୋ ଶାଶୁଘରେ ଯାଇ ଖୋଲିବୁ । "ନିଷ୍ଠା ବହୁତ ଦିନ ପରେ ଗାଁ କୁ ଆସିଥିବାରୁ,ଗାଁ ଗୋଟାଯାକ ବୁଲିବାକୁ ଚାଲିଗଲା । । ତା'ପରେ ଆଲୋକ ସାହିଲକୁ ପାଖକୁ ଡାକି କହିଲା,-ସାହିଲବାବୁ,ମୋର ଗୋଟିଏ ବୋଲି ଭଉଣୀ ନିଷ୍ଠା । ଛୋଟବେଳୁ ତାର ସବୁ ଅଳି ଅର୍ଦ୍ଦଳି ମୋରି ପାଖେ । ସେ ଛନ୍ଦ,କପଟ କଣ ଜାଣେନି । ହଁ,ସେ ସେତିକି ଜାଣେ ସ୍ନେହ ବଦଳରେ ସ୍ନେହ ଦେବା । ଟିକିଏ ଟାଣ ପଦେ କେହି କହିଲେ,ସେ କାନ୍ଦି ପକାଏ । ମୁଁ ଜାଣେ ସେ ଶାଶୁଘରେ ବହୁତ ଭୁଲ୍ କରୁଥିବ । କିନ୍ତୁ ତାକୁ ଆପଣ କ୍ଷମା ଦେବେ । ହେଲେ ମୋର ଗୋଟେ କଥା ରଖିବେ,ମୁଁ ଆଉ ବେଶୀ ଦିନ ବଞ୍ଚିବିନି । ଆଉ ଗୋଟେ ଦିନ କି ଦି ଦିନ । ତୁମ ଆସିବା ଖବର ଶୁଣି ବହୁତ ନେହୁରା ହେଇ ଡାକ୍ତରଙ୍କ ଅନୁମତି ନେଇ ଆସିଛି । ମୋର କେତେବେଳେ କଣ ହେବ ମୁଁ ଜାଣିନି । ମୋ କଥା କିଛି ବି ତାକୁ କହିବନି ବରଂ ଯେତେ ଶୀଘ୍ର ଏଇଠୁ ଚାଲିଯାଅ । ସେ ମୋ ବିଷୟରେ ଏବେ ଜାଣିଲେ ଭାଙ୍ଗି ପଡିବ । "ସାହିଲ ଏତେ ସବୁ କଥା ଶୁଣିଲା ବେଳେ ଭାବୁଥିଲା ଭୋ ଭୋ ହେଇ କାନ୍ଦିବ,କିନ୍ତୁ ପାରିଲାନି । ହଁ' ଟେ କହିଦେଇ ଚାଲିଯିବ ବୋଲି ପ୍ରସ୍ତୁତ ହେଉଥିଲା । ନିଷ୍ଠା ଆସି ପହଞ୍ଚୁ ପହଞ୍ଚୁ ସାହିଲ କହିଲା,ଚାଲ ଆମେ ଏବେ ଯିବା,ମୋର ଗୋଟେ ମିଟିଂ ଅଛି ଆଜି ସନ୍ଧ୍ୟାରେ । ସାହିଲକୁ ଆଉ କିଛି ସମୟ ରହିବା ପାଇଁ କହିବି ପାରୁ ନ ଥିଲା ନିଷ୍ଠା,କାହିଁକିନା ସେ ଜାଣିଥିଲା-ସାହିଲ ହିଁ ତାଙ୍କ ଆଡୁ ତାକୁ ଭାଇ ସହ ଦେଖା କରିବାକୁ ଆଣିଥିଲେ । ପୁଣି ଭାଇ ବି ତାଙ୍କୁ ଅଟକିବାକୁ କହିଲେନି । ମନ ଭିତରେ ମନର କଥା ରଖି ଭାଇଙ୍କ ଆଶୀର୍ବାଦ ନେଇ ଦିଲ୍ଲୀ ଚାଲିଗଲା ।  


       ସବୁଥର ପରି ଭାଇର ରାକ୍ଷୀ ଉପହାରକୁ ଦେଖିଲେ ତାର ଭାରି ଇଚ୍ଛା ହୁଏ ସଙ୍ଗେ ସଙ୍ଗେ ଖୋଲିବାକୁ,କିନ୍ତୁ ଏଥର ଦୁଇ ଦିନ ହେଇଗଲାଣି ସେ ଉପହାର ଛୁଇଁଲା ବେଳକୁ କେମିତି ଗୋଟେ ଡର ଡର ଲାଗୁଥିଲା । ସେ ସେମିତି ତାକୁ ପୁଣି ରଖିଦେଇଥିଲା । ଘରର ସବୁ କାମ ସାରି ଆସିଲା ପରେ ଦେଖେ ତ ସାହିଲ ସେ ଉପହାର ଖୋଲିଛନ୍ତି । ନିଷ୍ଠା କିଛି ନ ଜାଣିଲା ପରି ପ୍ରଶ୍ନ କଲା-"କଣ କରୁଛ ତୁମେ??ଆଜି ଶୋଇବନି କି ଏତେବେଳ ହେଲାଣି..?ସାହିଲ ନିଷ୍ଠାକୁ ଦେଖି ଚିଠି ଖଣ୍ଡକ ନିଜ ପକେଟରେ ପୁରେଇ ନିଜ ଲୁହ ପୋଛି ଟିକିଏ ହସି ଦେଇ ନିଷ୍ଠାକୁ କହିଲା,-"ତୁମ ଭାଇ ଦେଇଥିବା ଉପହାର ତୁମେ ଖୋଲୁ ନଥିଲ,ମୁଁ ଭାବିଲି ତୁମକୁ ଏଥିରେ ସାହାଯ୍ୟ କରିଦେବି ଟିକେ । "


-ହଁ ପରା,ଏଥର କାହିଁକି କେଜାଣି,ତାକୁ ଖୋଲିବାକୁ ଗଲା ବେଳେ ମୋ ହାତ ଥରୁଥିଲା । ଭାଇ ବି ଦୁଇ ଦିନ ହେଲାଣି ଫୋନ କରି ନାହାଁନ୍ତି କି ତାଙ୍କ ଫୋନ ବି ଲାଗୁନି । ସାହିଲ ଆଉ କିଛି କହିବା ଅବସ୍ଥାରେ ହିଁ ନଥିଲା,ତେଣୁ ଉପହାରଟେ ଡ୍ରେସିଂଗ ଟେବୁଲ ଉପରେ ରଖି ନିଷ୍ଠାକୁ କହିଲା,

-"ଠିକ୍ ଅଛି ଏବେ ରାତି ଅଧିକ ହେଲାଣି । ଅଧା ମୁଁ ଖୋଲି ଦେଇଛି କାଲିକୁ ବାକି ତୁମେ ଖୋଲିଦେବ,ଆଉ ଡର ଲାଗିବନି । "

          ପର ଦିନ ସକାଳୁ ସକାଳୁ ସାହିଲ ନିଜ କାମରେ ବାହାରିଗଲେ କାରଣ ନିଷ୍ଠାକୁ ତା ଭାଇର ଖବର କି ଆଶ୍ୱାସନା ଦେବାର ସାହସ ସାହିଲ ପାଖରେ ନଥିଲା । ନିଷ୍ଠାର ଆସିବା ପରେ ଶାଶୁ, ଶ୍ୱଶୁର ସପ୍ତାହକ ପାଇଁ କେଦାରନାଥ ଚାଲିଯାଇଥିଲେ । ନିଷ୍ଠାକୁ ବହୁତ ଏକା ଏକା ଲାଗୁଥିଲା । ଘରର ନୀରବତା ତାକୁ ଗୋଟେପଣ ଗିଳି ପକଉଥିଲା । ତେଣୁ ସେ ଭାବିଲା ଏବେ ଭାଇର ଉପହାର ଖୋଲିକି ଦେଖିବ । ଅଧା ଖୋଲା ଜରି ଟାକୁ ଚିରିବାକୁ ଲାଗିଗଲା । ସେଥିରେ ଥିଲା ଗୋଟେ ଫୋଟୋ,ଯେଉଁଥିରେ ବାପା ତାକୁ କାଖେଇ ଥିଲେ,ବୋଉ ଆଉ ଭାଇ ଦି ପାଖରେ ଛିଡା ହେଇଥିଲେ । ପୁରୁଣା ସ୍ମୃତି ସବୁ ମନେ ପକେଇ ନିଷ୍ଠା ହସୁଥିଲା । ଭାବୁଥିଲା ,ଏଥର ଭାଇ ସହ କଥା ହେଲେ କହିବ,ଏଇଟା ତାଙ୍କର ସବୁଠୁ ସୁନ୍ଦର ଉପହାର ଥିଲା ।


ଗୋଟେ ଦିନପରେ ସାହିଲ ନିଷ୍ଠାର ଫାଇଲ ଖୋଜୁ ଖୋଜୁ ଗୋଟେ ଚିଠି ପାଇଲା । ତା ଅଜାଣତରେ ରଖିବାକୁ ଯାଉଥିଲା କିନ୍ତୁ ଉପରେ ଲେଖା ଥିବା ଅକ୍ଷରକୁ ଦେଖୁ ଦେଖୁ ଜାଣିଦେଲା ଏଇଟା ତା ଭାଇର । ସାହିଲଙ୍କୁ ଫାଇଲ ଦେଇ ଚିଠି ପଢିବାକୁ ଲାଗିଲା ।

ନିଷ୍ଠା,

   ମୁଁ ଜାଣେନି ତୁ ଏ ଚିଠି ପାଇଲା ପରେ ମୋ ସହ ଆଉ ଦେଖା କରିବୁ ପାରିବୁ କି ନାହିଁ । ତତେ ଖାଲି ଏତିକି କହିବାର ଥିଲା,ତୁ ସାହିଲର ସବୁବେଳେ ସାଥିରେ ରହିବୁ । ସାହିଲ ବହୁତ ଭଲ ପିଲା,ତତେ ସେ ବହୁତ ଭଲ ଭାବରେ ବୁଝେ । ତୋ ଶାଶୁ ଶ୍ବଶୁରଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିବୁ । ଆଉ ଏମିତି ମୋ ସହ ଦେଖା କରିବାର ଜିଦ୍ କରିବୁନି । ତୋ ଭାଇର ଏଇ ଥର ଶେଷ ଉପହାର । ତୋ ଭାଇ ହାତରେ ଏଇ ବର୍ଷ ତୋର ଶେଷ ରାକ୍ଷୀ,କାରଣ ତୋ ଭାଇକୁ କ୍ୟାନସର । ଦିନେ କି ଦୁଇଦିନ ସମୟ ଥିଲା ତୋ ସହ ଶେଷ ଥର ଦେଖା କରିବାକୁ । ସେଥିପାଇଁ ସାହିଲକୁ ମୁଁ କହିଥିଲି । ତୁ ଅଭିମାନ କରିବୁନି କାହା ଉପରେ । ସୁଖରେ ରହ ।

ଇତି ।

ତୋର ହତଭାଗା ଭାଇ

ଆଲୋକ


ବଡ଼ ଭାଇର ଏ ଚିଠି ପଢି ନିଷ୍ଠା ନା କାନ୍ଦି ପାରୁଥିଲା ନା କିଛି କହି ପାରୁଥିଲା । କେବଳ ତା ଭାଇର ଫୋଟୋଟାକୁ ଧରି ଢେର ସମୟ ଯାଏ ନୀରବରେ ବସିଥିଲା । ସାହିଲ ନିଷ୍ଠା ହାତର ଚିଠି ଖଣ୍ଡକ ଦେଖି ସବୁ ବୁଝି ସାରିଥିଲା । ଧୀରେ ଆସି ଅତି ସନ୍ତର୍ପଣରେ ନିଷ୍ଠାର କାନ ପାଖେ କହିଥିଲା,"ମୋତେ କ୍ଷମା କରିବ ନିଷ୍ଠା,ମୁଁ ସବୁ ଜାଣିଥିଲି କିନ୍ତୁ ତୁମ ଭାଇ ରାଣ ପକେଇ କହିଥିଲେ,-"ନିଷ୍ଠାକୁ କିଛି କହିବନି । ସେ ପାଗେଳିଟା ,କିଛି ବୁଝିବନି, ଭାଙ୍ଗି ପଡିବ । "


ଆମ ବାହାଘର ପର ବର୍ଷ ହିଁ ତୁମ ଭାଇଙ୍କୁ କ୍ୟାନସର ହେଇଥିଲା । ତା ପରେ ସେ ମୋତେ ମନା କରିଥିଲେ ତୁମକୁ ଆଉ ଗାଁ କୁ ନ ନେବାକୁ । କିନ୍ତୁ ଏଇଥର ସେ ଶେଷଥର ତୁମକୁ ଦେଖିବା ପାଇଁ କହିଥିଲେ । ମୁଁ ତାଙ୍କ କଥା ରଖିଲି ହେଲେ ତୁମକୁ ଧୋକା ଦେଉଥିଲି । ଆଜି ସକାଳେ ହିଁ ଖବର ପାଇଲି ଭାଇ ଆରପାରିକୁ ଚାଲିଗଲେ । ତୁମ ପଢିବା ପାଇଁ ସେ ଚିଠି ମୁଁ ଜାଣିଶୁଣି ସେଇଠି ରଖିଥିଲି । ତୁମଠୁ ମୁଁ ଅଧିକ ଦିନ ଲୁଚେଇ ପାରି ନଥାନ୍ତି । ମୁଁ ତୁମର ବଡ଼ ଅପରାଧୀ । ପାରିବ ତ ମୋତେ କ୍ଷମା କରିଦେବ । ତୁମ ଆଖିରେ ଆଉ କେବେ ବି ଲୁହ ଦେବିନି କି କାହାକୁ ଏ ଅଧିକାର ଦେବିନି" । ସାହିଲ ଭୋ ଭୋ ହେଇ କାନ୍ଦୁଥିଲା ଆଉ ନିଷ୍ଠା ସାହିଲର ଲୁହ ପୋଛୁ ପୋଛୁ ଅସ୍ପଷ୍ଟ କଣ୍ଠରେ କହୁଥିଲା-"ମୁଁ ତ ଏଇନେ ଏଇନେ ଯନ୍ତ୍ରଣା ଅନୁଭବ କରୁଛି କିନ୍ତୁ ତୁମେ ତ କେବେଠୁ ସେ ଜହରକୁ ଅମୃତ କରି ପିଇ ଚାଲିଛ । ସତରେ ସାହିଲ ତୁମେ ମହାନ । ମୁଁ ଭାବୁଥିଲି ଭଗବାନ ମୋ ସହ ଅନ୍ୟାୟ କରୁଥିଲେ,କିନ୍ତୁ ସେ ତ ସବୁବେଳେ ମୋତେ ଖୁସି ହିଁ ଭେଟି ଦେଇଛନ୍ତି । ମୁଁ ଅଭାଗିନୀ ଯାହା ସେ ଗୁଡାକୁ ଚିହ୍ନି ପାରିନଥିଲି । ଜାଣିଛ ସାହିଲ,ଭାଇଙ୍କର ଏଇ ଶେଷ ରାକ୍ଷୀର ଉପହାର ମୋର ସବୁ ଉପହାରକୁ ବଳିଗଲା,କାହିଁକିନା ଏଥିରେ ଖୁସିଠାରୁ ଅଧିକ ଲୁହ ଭରିଥିଲା । ତାଙ୍କର ମୋ ପ୍ରତି ଥିବା ଭଲ ପାଇବାର,ସ୍ନେହର ଆଶୀର୍ବାଦର ମେଞ୍ଚା ମେଞ୍ଚା ଲୁହ । "ଆଉ କିଛି କହିପାରିଲାନି ନିଷ୍ଠା । ଦୁହିଁଙ୍କର ଆଖିର ବର୍ଷା ଧୀରେ ଧୀରେ କମି ଆସୁଥିଲା ଆଉ ଦୁହେଁ ପ୍ରସ୍ତୁତ ହେଉଥିଲେ ଗାଁ ଆଡେ ଆଲୋକର ଶେଷକୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ ।



Rate this content
Log in

Similar oriya story from Tragedy