TAPASWINI BEHERA

Tragedy

2.3  

TAPASWINI BEHERA

Tragedy

ଗୋଟେ ବର୍ଷା ରାତିର ଇତି

ଗୋଟେ ବର୍ଷା ରାତିର ଇତି

7 mins
540



ବାହାରେ ତୁହାକୁ ତୁହା ଶ୍ରାବଣର ଘନ ଘନ ଚିତ୍କାର ସାଥିରେ ଘଡ଼ ଘଡିର ଗର୍ଜନ । ଗୁମ୍ ମାରି ବସିଥିବା କଳା ହାଣ୍ଡିଆ ବାଦଲମାନେ ଆଜି ଯେମିତି ମେଳି ବାନ୍ଧି ଆକାଶର ଛାତି ଚିରି ଲହୁ ନିଗାଡିଲା ପରି କେଉଁ ଗୋଟେ ଅଘଟଣର ସୂଚନା ଦେଉଥାନ୍ତି । ବେଳକୁ ବେଳ ପ୍ରକୃତି ଭୟଙ୍କର ରୂପ ନେଉଛି । ବାରମ୍ବାର ପବନ ଗୋଇଠା ମାରି ଧଡ୍ ଧଡ୍ ଶବ୍ଦ ସୃଷ୍ଟି କରୁଛି ରମାକାନ୍ତ ବାବୁଙ୍କ ଅଧା ଫାଳିଆ କାଚ ଝରକାରେ । କିନ୍ତୁ ବିଜୁଳିର ଧପ୍ ଧପ୍ ହେଉ କି ପବନର ଅନବରତ ସୁ ସୁ ପ୍ରକମ୍ପନ ହେଉ । ବାହାରର କୌଣସି ବି କୋଳାହଳ,ରମାକାନ୍ତ ବାବୁଙ୍କ ନିରବତାକୁ ଭାଙ୍ଗି ପାରିନି ଏଯାଏ । ଚୁପ୍ ଚାପ୍ ନିଜ ବିଶ୍ରାମ ଘରର କୋଣରେ ତାଙ୍କ ଚଉକି ଉପରେ ଧ୍ୟାନମଗ୍ନ ଋଷି ପରି ବସିଛନ୍ତି ଏକଦମ ନିରବ,ନିଶ୍ଚଳ । ଆଉ ତାଙ୍କ ଉପସ୍ଥିତିର ପ୍ରମାଣ ସ୍ୱରୂପ ତାଙ୍କ ପାଖରେ ନିଜ କ୍ଷମତାର ପାରୁ ପର୍ଯ୍ୟନ୍ତ ପ୍ରଚେଷ୍ଟା କରି ଜଳିବା ଲିଭିବାର ଲଢେଇ ଭିତରେ କେବେ ଧିକି ଧିକି ତ କେବେ ଜୋରରେ ଜଳି ଉଠୁଛି ଛୋଟ ଗୋଟେ ମହମବତୀ । ଏକ ଲୟରେ ଚାହିଁଛନ୍ତି ସେ ଝାପ୍ସା ଆଲୋକର ଲଢେଇ ଆଡେ । କେବେ ପବନ ତା ଉପରେ ଭାରି ହେଉଛି ତ କେବେ ସେ ଜିତି ଯାଇ ପୋଛି ଦେଉଛି ତମାମ ଅନ୍ଧାରକୁ । ହେଲେ କଣ ହେବ ଯେ!ରମାକାନ୍ତ ବାବୁ ସେ କାଳ ଅନ୍ଧାରର ନାଗଫାଶ ରେ ଏମିତି ଛନ୍ଦି ହେଇଛନ୍ତି ଯେ ଏ ମହମବତୀଟେ ସିନା ଆଖି ଆଗରେ ଛିଟାଏ ରଶ୍ମି ବିଞ୍ଚିଛି ହେଲେ ତାଙ୍କ ଜୀବନ ଏବେ ଅନ୍ଧକାରର ଅକାତ ସମୁଦ୍ରରେ ଜଳମଗ୍ନ ହେବାକୁ ବସିଛି । ଅନ୍ଧଠୁ କେହି ଯେମିତି ତା ଆଶା ବାଡି ଛଡେଇ ନେଇଛି ।  ଏ ବୋଧେ ବିଧାତାର ଲିଖନ ଭାବି ଯେତେଥର ସେ ଭୁଲିବାକୁ ଚେଷ୍ଟା କରିଛନ୍ତି,ସେତେଥର ସେ ଛାତିରେ ପିଟି ହଉଛି । କେମିତିବା ବ୍ୟସ୍ତ ହୁଅନ୍ତେନି?ସେ କଣ ତାଙ୍କ ସ୍ଥାନରେ ଯେ କେହି ବି ଥିଲେ ଏମିତି ହିଁ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତେ । କେହି କଣ କେବେ ନିଜ ନୟନ ପିତୁଳାକୁ ହରେଇ ସହଜରେ ବଞ୍ଚି ପାରେ,ବୃଦ୍ଧ କାଳର ସହାରା ପାଇଁ ଯାହାକୁ ଏଡୁଟିରୁ ଏଡ଼େ କରିଥିଲେ । ସେ ଯେ ଏମିତି ନିଶିଗନ୍ଧାର ଆୟୁଷ ନେଇ ଅକାଳରେ ଝଡ଼ିଯିବା ପାଇଁ ଆସିଥିବ,ଏକଥା ବା ସେ କେମିତି ଜାଣିବେ । ସେଦିନର ଅତୀତ ରମାକାନ୍ତ ବାବୁଙ୍କ ମନ,ହୃଦୟରେ ଏମିତି ନିଡ଼ଟିଏ ଗଢି ଦେଇଛି ଯେ ସେ ବାରମ୍ବାର ଟାଣି ହେଇ ଧାଇଁ ଯାଉଛନ୍ତି ପ୍ରତ୍ୟେକ ଥର ସେଇ ଅତୀତର ଜଉ ଘରକୁ । ଯାହା ତାଙ୍କର ଗୋଟେ ଛୋଟିଆ ଅସାବଧାନତାରୁ ନିଜ ହସ ଖୁସିର ସଂସାରକୁ ସମ୍ପୂର୍ଣ୍ଣ ରୂପେ ଜାଳିଦେଇଛି ।


ରମାକାନ୍ତ ବାବୁଙ୍କ ପରିବାର କହିଲେ,ତାଙ୍କୁ ଛାଡି ଆଉ ଦୁଇ ଜଣ ।  ୫୫ବର୍ଷୀୟ ମଧ୍ଯ ବୟସ୍କା ସୁନିପୁଣା ସ୍ତ୍ରୀ ସୁଷମାଦେବୀ ଆଉ ପୁଅ ଅନିକେତ । ୫ଫୁଟ ୪ଇଞ୍ଚର ତାଳ ଗଛ ଭଳିଆ ଡେଙ୍ଗା,ହିମାଳୟ ଦେହର ବରଫ ମୁଠାରେ ସୂର୍ଯ୍ୟର ସୁନେଲି କିରଣ ସଂଯୋଗର ରଙ୍ଗ ବୋଳା ତା ଦେହର ରଙ୍ଗ ସାଥେ ଢଳ ଢଳ ଆଖି ଯୋଡ଼ାକ ଆଡେ ଚାହିଁଦେଲେ କେଉଁ ରାଜକୁମାରକୁ ବି ବଳିଯିବ ୨୫ ବର୍ଷୀୟ ଅନିକେତ ।  ଆଦ୍ୟ ଯୌବନର ପାଦ ଦେଶରେ ଗୋଡ଼ ଦେଇ ଚଢୁଥିଲା ରମାକାନ୍ତ ବାବୁଙ୍କ ଏଇ ଏକ ମାତ୍ର ଉତ୍ତର ଦାୟାଦ  । ବହୁ ପୂଜାପାଠ ବିଧି କରି ବିବାହର ୧୦ବର୍ଷ ପରେ ପୁତ୍ର ଲାଭ କରିଥିବାରୁ ବାପା ଦୁହିଁଙ୍କର ନୟନ ପିତୁଳା ଥିଲା ଅନିକେତ । ତା ଇଶାରାରେ ଦୁହେଁ ଉଠୁଥିଲେ ବସୁଥିଲେ ଯେମିତି । ଛୋଟବେଳୁ ଭାରି ଗେହ୍ଲା । ଯେତେବେଳେ ଯାହା ମାଗିଛି ରମାକାନ୍ତ ବାବୁ ସବୁ ଯୋଗାଡ଼ କରି ଦେଇଛନ୍ତି । ସୁଷମାଦେବୀ ତ ଘଡ଼ିଏ ନ ଦେଖିଲେ ଅନିକେତକୁ ପାଗଳ ପ୍ରାୟ ହୁଅନ୍ତି । ବୁର୍ଲା ଇଞ୍ଜିନିୟରିଂ କଲେଜରେ ପଢିବାକୁ ଗଲା ବେଳେ,ନିଜେ ସୁଷମା ଦେବୀ ଘର ଭଡା ନେଇକି ରହିଥିଲେ ପୁଅକୁ ସଞ୍ଜ ସକାଳେ ଟିକେ ଖାଲି ଦେଖିବାକୁ । ବୋଧହୁଏ ଏତେ ସ୍ନେହର ଭାର ଭାଗ୍ୟ ବିଧାତାଙ୍କ ପାଇଁ ଅସହ୍ୟ ହେଇ ପଡ଼ିଲା କି କଣ କେଜାଣି କଲେଜ ଛୁଟି ପରେ ଅନିକେତ ତା ୫ଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଜିଦ୍ କଲା । ଯଦିଓ ସୁଷମାଦେବୀ ଆଦୌ ଚାହୁଁ ନ ଥିଲେ,କିନ୍ତୁ ରମାକାନ୍ତବାବୁ କହୁଥିଲେ,"ଦେଖ ସୁମି, ଆମ ପୁଅ ଧୀରେ ଧୀରେ ବଡ଼ ହଉଛି । ତାକୁ ଟିକେ ବାହାର ଦୁନିୟା ଦେଖିବାକୁ ଦିଅ!ଏବେ ତାର ସେ ବୟସ ପରା । ଆଉ ଏ ବୟସରେ ପିଲାମାନେ ବାପା ମାଙ୍କ କଥା ଜମା ବି ବୁଝିପାରିବେନି । ତୁମେ ଯଦି ଏମିତି ତାକୁ ଭିଡି ଧରିବ,ସମୟ ଆସିବ ସେ ଉଡିଯିବାକୁ ବାଟ ଖୋଜିବ । ଆଉ ସେମିତିରେ ବି କୋଉ ଦୂରକୁ ସେ ଯାଉଛି,ଏଇ ପୁରୀ ତ, ଭୁବନେଶ୍ୱରରୁ ମାତ୍ର ୫୫କିମି ଦୂର । "ସୁଷମା ଦେବୀ ବହୁ କଷ୍ଟରେ ହଁ,ଟେ ମାରିଥିଲେ ସୁଦ୍ଧା ମନରେ ଦୋ ଦୋ ପାଞ୍ଚ ହଉଥିଲେ । ସେ ଯାହା ବି ହଉ,ଅନିକେତ ପୁରୀ ଗଲା,ସୁଷମା ଦେବୀ ପ୍ରତି ଘଣ୍ଟାର ଖବର ନେଉଥାନ୍ତି ଫୋନରେ । ବାରମ୍ବାର ତାଗିଦ କରୁଥାନ୍ତି ସମୁଦ୍ର ଆଡେ ଜମା ଯିବୁନି । ହଜାରେ ରାଣ ନିୟମ ଦେଇ ପୁଅକୁ ବୁଝେଇଲା ପରେ ବି ସୁଷମା ଦେବୀଙ୍କ ମନ ଅସ୍ଥିର ହେଉଥାଏ ।


୫ଟା ବେଳେ ଅନିକେତ ଫୋନ କରି କହିଲା,-"ମା,ମୋ ମୋବାଇଲରେ ଚାର୍ଜ ନାହିଁ,ଆମେ ଜଗନ୍ନାଥଙ୍କୁ ଦର୍ଶନ କରି ସାରିଲୁ ଏବେ, ତୁ ବ୍ୟସ୍ତ ହବୁନି । ମୁଁ ଏଠି ଅବଢ଼ା ଖାଇଲି ।  ଏବେ ଆମେ ବେଳାଭୂମି ଆଡେ ଟିକେ ବୁଲି,ତା ପରେ ବାହାରିବୁ । ମୋ ମୋବାଇଲରେ ଚାର୍ଜ ରହିବନି ମୁଁ ମୋ ସାଙ୍ଗ ଅନ୍ୱେଷର ମୋବାଇଲରୁ ତତେ କଲ୍ କରି ବାହାରିଲା ବେଳେ ଜଣେଇବି । "ତା ପରେ ସତକୁ ସତ ୬ଟାବେଳେ ଅନିକେତ ଫୋନେ ବନ୍ଦ ଆସିଲା । ସୁଷମା ଦେବୀଙ୍କ ବ୍ୟସ୍ତତା ଆହୁରି ତୀବ୍ର ହେଉଥାଏ । ସଂଧ୍ୟା ଧୂପ ଦେଇ ପ୍ରାର୍ଥନା କଲାବେଳେ ବାରମ୍ବାର ଅନ୍ୟମନସ୍କ ରହି ପ୍ରାର୍ଥନା ଶହେ ଥର ଭୁଲ୍ କରି ଦୋହରାଉଛନ୍ତି ଆଉ ବାରମ୍ବାର ମୋବାଇଲ ଆଡେ ଚାହିଁ ରହିଛନ୍ତି,କାଳେ ଅନିକେତ ଫୋନ କରିବ । ସନ୍ଧ୍ୟା ଯାଇ ରାତ୍ରି ଧାଇଁ ଆସି ସାରିଲାଣି ହେଲେ ନା ଅନିକେତ ଫେରିଛି ନା ତାର କେଉଁ ଫୋନେ ଆସୁଛି । ଆଉ କିଛି ଉପାୟ ବି ନାହିଁ । ରମାକାନ୍ତ ବାବୁ ଅଫିସରୁ ଫେରି ଧୋଇ ହେଇ ବସିଲେଣି ଖାଇବାକୁ । ରାତି ୮ଟା, ହଠାତ ରମାକାନ୍ତ ବାବୁଙ୍କ ଫୋନ ବାଜି ଉଠିଲା । ସେପଟୁ କଣ ଶୁଣିଲେ କେଜାଣି,ସୁଷମା ଦେବୀଙ୍କୁ କିଛି ନ କହି ବାହାରିଗଲେ । ସୁଷମା ଦେବୀ କିଛି ପଚାରିବା ଆଗରୁ ରମାକାନ୍ତ ବାବୁ ତର ତର ହେଇ ଉଠି ଗାଡି କାଢ଼ିଲେ ଗ୍ୟାରେଜରୁ ଆଉ ଗଲାବେଳେ କହି ଗଲେ-"ତୁ ବ୍ୟସ୍ତ ହବୁନି ସୁମି,ମୁଁ ଅନିକେତକୁ ସାଥିରେ ଧରିକି ଆସିବି । "


ପୁରୀ ବେଳାଭୂମି । ସମୟ ରାତି ୧୦ । ସମୁଦ୍ରର ସୁ ସୁ ଗର୍ଜନ,କଳା ଅନ୍ଧାରଟା ରାତିର ଛାତିରେ ନେସି ହେଇ ଶୋଇବ ଶୋଇବ ହଉଛି । ପିସିଆର ଗାଡିଟେ ଛିଡା ହେଇଛି । ଅନିକେତର ଚାରି ସାଙ୍ଗମାନଙ୍କୁ ପୋଲିସ ପଚାରୁଛି ଅନେକ ପ୍ରଶ୍ନ । ରମାକାନ୍ତ ବାବୁ ବାକ୍ ଶକ୍ତି ହରେଇଲା ପରି ମୁକ ହେଇ ଛିଡ଼ା ହେଇଛନ୍ତି । ଲାଇଫ ଗାର୍ଡ ଖୋଜିବାରେ ବ୍ୟସ୍ତ । ପ୍ରାୟ ତିନି ଘଣ୍ଟା ପରେ ଦୁଇ ଜଣ ଗାର୍ଡ ଅନିକେତକୁ ପାଇଲେ । ସାମ୍ନାରେ ଅନିକେତର ଶରୀରଟା ନୀରବରେ ଶୋଇ ପଡିଛି ।  ରମାକାନ୍ତ ବାବୁ ପାଗଳ ପ୍ରାୟ ଡାକି ଚାଲିଛନ୍ତି-ଉଠ ଅନିକେତ,ଆମେ ଯିବା । ଆଉ କେବେ ଆସିବୁନି ଏଠିକି । ସବୁ ମୋ ଭୁଲ୍ । ତୋ ମା କଥା ମୁଁ ଜମା ଶୁଣିଲିନି ।  ତୋ ମା ଅପେକ୍ଷା କରିଛି । ଆମ ଆନିଭର୍ସାରି ଉପହାର ଦବୁ ପରା କହିଥିଲୁ । ରାତି ପାହିଲେ ତତେ ଗିଫ୍ଟ ମାଗିବ, ଚାଲ ଧନ, ଉଠ ଯିବା । ହେଲେ ଅନିକେତ କିଛି ଶୁଣୁ ନ ଥିଲା କି ଉତ୍ତର ଦେଉ ନଥିଲା,ସୁନା ପିଲାଭଳିଆ ଶୋଇ ରହିଛି । ତା ସାଙ୍ଗ ମାନଙ୍କ ସହ ମିଶି ରମାକାନ୍ତ ବାବୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କଲେ ।

ପ୍ରାଚୀ ଆକାଶରୁ ସିନ୍ଦୁରା ଫାଟୁଥିଲା  । କାକଳିଙ୍କ କଳରବରେ ମୃତପ୍ରାୟ ଦୁନିଆଟା ପୁଣି ଜୀବନ୍ତ ହେଉଥିଲା । ସକାଳଟା ଫେରିଲା ସତ, ହେଲେ ରମାକାନ୍ତ ବାବୁଙ୍କ ପାଇଁ ଏ ସକାଳ କି ଅନୁଭବ ଆଣିଦେବ କିଏ ଜାଣେ!ସୁଷମା ଦେବୀ ଦୁଆର ମୁହଁରେ ବସିଥିଲେ,ଦୂରରୁ ରମାକାନ୍ତ ବାବୁଙ୍କୁ ଦେଖି ଧାଇଁ ଯାଇ ପଚାରିଲେ,-"ମୋ ପୁଅ କାଇଁ?ମୋ ଅନୁ କାଇଁ ତୁମ ସାଥିରେ ନାହିଁ?କେତେବେଳେ ଆସିବ ?ରମାକାନ୍ତ ବାବୁ ପଦ ଟିଏ ଖାଲି କହିଲେ,ଆମ ଅନୁ ଆଉ ଆସିବନିରେ ସୁମି,ବାସ୍ ତା ପରେ ଛୋଟପିଲାଙ୍କ ପରି ଭୋ ଭୋ କାନ୍ଦି ପକେଇଲେ ସୁଷମା ଦେବୀକୁ ଧରି । କାଂଥକୁ ଆଉଜି ହେଇ ସୁଷମା ଦେବୀ ବସିପଡିଲେ । କଣ କରିବେ?କାହାକୁ ବୁଝେଇବେ?ନିଜକୁ ନା ରମାକାନ୍ତଙ୍କୁ!ବେଳେବେଳେ କଷ୍ଟର ମାତ୍ରା ବଢ଼ିଗଲେ ଆଖିରେ ଲୁହମାନେ ଜମାଟ ବାନ୍ଧି ଦିଅନ୍ତି ସିନା ତରଳି ଝରିପାରନ୍ତିନି । ଏବେ ସୁଷମା ଦେବୀ ରମାକାନ୍ତ ବାବୁଙ୍କୁ ସ୍ଥିର ମନରେ ବୁଝେଇବାକୁ ପ୍ରସ୍ତୁତ ହେଉଥିଲେ । କହୁଥିଲ-"କଣ ଏମିତି ଝିଅ ପିଲାଙ୍କ ଭଳି କାନ୍ଦୁଛ ଯେ,ଅନିକେତକୁ କଣ ତୁମେ ଏକା ହରେଇଛ?ମୁଁ ବି ମୋ ମାତୃତ୍ୱର ଶେଷ ସନ୍ତକକୁ ହରେଇଛି । ଦେଖିଲ ମୁଁ କାନ୍ଦୁଛି କି?"ରମାକାନ୍ତ ବାବୁ ସୁମି ଆଡେ ବଲ ବଲ ହେଇ ଚାହିଁ ଦେଖୁଥିଲେ ତାଙ୍କ ସୁମି ଆଖିରେ ଲୁହ ନାହିଁ,ଅନିକେତ ପରି ସେମାନେ ବି ଶୁଖି ମରିଯାଇଛନ୍ତି ତା ଆଖିରେ ଆଉ ସେ ଦେଖୁଛନ୍ତି ଶହ ଶହ ଲୁହ ମାନଙ୍କର ଶବ ଝୁଲୁଛନ୍ତି । ପୁଣି ଭାବୁଛନ୍ତି,ସତରେ କଣ ତାଙ୍କ ସୁମି ଆଖିରେ ଲୁହ ନାହିଁ!ସେ କଣ କାନ୍ଦିବା ଭୁଲି ଯାଇଛି!କେମିତି ବୁଝେଇଲା ସୁମି ନିଜକୁ?ଏତେ ବଡ଼ ଯନ୍ତ୍ରଣାକୁ ମୁଁ ସହି ପାରୁନି ହେଲେ ସେ କେମିତି ସହିଗଲା?କେମିତି ସେ ଜହରର ଯନ୍ତ୍ରଣାକୁ ପିଇଗଲା ଢକ ଢକ କରି?ହଠାତ୍ ପାଉଁଜିର ଝମ ଝମ ଶବ୍ଦରେ ରମାକାନ୍ତବାବୁ ଅତୀତର ସ୍ମୃତିରୁ ଛିଟକି ହେଇ ଡେଇଁ ପଡିଲେ ବର୍ତ୍ତମାନକୁ । ସାମ୍ନାରେ ସୁଷମା ଦେବୀ,-କଣ ବସି ଭାବୁଛ ତୁମେ?

କଣ ଆଜି ଖାଇବନି?"

ତୁମେ ଖାଇଲଣି ସୁମି?

ହଁ,ମୁଁ ତ କେତେବେଳୁ ଖାଇସାରିଲିଣି ।

ଏବେ କଣ ମୁଁ ଏକା ଖାଇବି?

ହଁ,ଏକା ଖାଇବା ଅଭ୍ୟାସ କର । ସବୁବେଳେ କଣ ମୁଁ ତୁମ ସାଥିରେ ଥିବି ଯେ । ଏକା ଏକା ବଞ୍ଚିବା ଶିଖ ।

ସୁଷମା ଦେବୀ ରମାକାନ୍ତ ବାବୁଙ୍କ ପାଇଁ ବିଛଣା ସଜାଡୁଛନ୍ତି  । ଆରମ୍ଭ ହେଲା ଛାତିରେ ଯନ୍ତ୍ରଣା । ବିଛଣା ସାରା ରକ୍ତରବାନ୍ତି । ଧାଇଁ ଆସିଲେ ରମାକାନ୍ତବାବୁ,କୋଳରେ ଧରି କାନ୍ଦି ପକେଇ କହିଲେ,ଏ କଣ ସୁମି?କଣ ହେଲା ତୁମର,ମୁଁ ଡକ୍ଟରଙ୍କୁ ଫୋନ କରୁଛି । ତୁମେ ଏମିତି ମୋତେ ଛାଡ଼ି ଯାଇପାରିବନି । ତାଙ୍କ ହାତକୁ ଅଟକେଇଦେଲେ ସୁଷମା ଦେବୀ,-"ଆଉ ବଞ୍ଚେଇରଖିବାର ବୃଥା ଚେଷ୍ଟା କରି ମୋତେ କଷ୍ଟ ଦିଅନା । ମୁଁ ତ ମୋ ଅନୁ ଚାଲିଗଲା ଦିନୁ ମରି ସାରିଥିଲି,ଏ ତ ବାକି ଯାହା ନିଃଶ୍ୱାସ ଚାଲିଥିଲା । ବହୁତ ଚେଷ୍ଟା କଲି ତାକୁ ଭୁଲିଯିବି । ହେଲେ ପାରିଲିନି । ଶୋଇଲେ, ଉଠିଲେ ,ବସିଲେ,ସବୁଆଡେ ଅନୁ ମୟ । ଖାଲି ସେ ଆଉ ତାର ସେ ନିରୀହ ମୁହଁ । ମତେ ଲାଗିଲା,କେହି ଜଣେ ମୋ ଜୀବନ ନେଇ ଯାଇଛି,ଖାଲି ସ୍ପନ୍ଦନ ଗୁଡ଼ାଏ ବଳକା ରଖି ଯାଇଛି । ଆଉ ପାରିଲିନି,୫ଦିନ ହେଲା ସେ ଜହର ଟାକୁ ସାଇତିକି ରଖିଥିଲି,ଆଜି ଆଉ ପାରିଲିନି । ମତେ କ୍ଷମା କରିଦେବ,ପୁତ୍ରହନ୍ତାର କଳଙ୍କ ସିନା ସହିଥିଲି,ହେଲେ ଅହି ସୁଲକ୍ଷଣି ହେବାର ସୌଭାଗ୍ୟ ଯଦି ହରେଇଥାନ୍ତି ସହି ପାରି ନ ଥାନ୍ତି । ସେଇଲାଗି ସୁଷମା ଦେବୀଙ୍କ ହାତ,ପାଦ ସମ୍ପୂର୍ଣ୍ଣ ଥଣ୍ଡା,ସାରା ଶରୀରଟା ନିସ୍ତେଜ । ରମାକାନ୍ତ ବାବୁ କୋଳରେ ଧରି ପାଗଳ ଭଳି ଗପି ଚାଲିଛନ୍ତି । -"ଏ ସୁମି ଉଠ,ଏ କଣ କରୁଛ । ତୁମେ ମା ,ପୁଅ ଦିଟା ଆଗ ପଛ ହେଇ ଚାଲିଗଲ ଯେ ମତେ ଏକା କରି?ଏ ସୁମି,ମୁଁ କାନ୍ଦିଲେ ତୁମେ ପରା କହୁଥିଲ,ମୁଁ କାଳେ ଝିଅ ପିଲାଙ୍କ ପରି କାନ୍ଦୁଛିଏବେ କୁହ ତ କୋଉଠି ଲେଖା ଅଛି ପୁଅ ମାନେ କାନ୍ଦିବେନି?

ତାଙ୍କର କଣ ହୃଦୟ ଫୃଦୟ ନାହିଁ?

ତାଙ୍କୁ କଣ କଷ୍ଟ ହୁଏନା କି?


ହେଲେ ମୁଁ କାନ୍ଦୁଥିଲି,କାହିଁକିନା ମୁଁ ହରେଇଥିଲି,ମୋ ସୁଖକୁ,ମୋ ଦୟାଦକୁ,ମୋ ନୟନ ପିତୁଳାକୁ,ମୋ ବଞ୍ଚିବାର କାରଣକୁ,ମୋ ଜୀବନକୁ । କିନ୍ତୁ ସୁମି ତୁମେ କଣ କଲ?ତୁମେ ନିଜକୁ ଶକ୍ତ କରି ମୋ ଆଗରେ ଛିଡା କରି ଏମିତି ଭାଂଗିଗଲ?ମୁଁ ତ ସେ ସମୁଦ୍ର କୂଳରୁ ନିଜ ଆତ୍ମା ଦାହ କରି ସାରିଥିଲି,ବଞ୍ଚିଥିଲି ତ କେବଳ ତୁମ ପାଇଁ । ତୁମକୁ ଆଉଥରେ ଅନାଥର ମୃଦୁ ଯନ୍ତ୍ରଣା ନ ଦେବାକୁ ।

ଏ ସୁମି!ଅନାଥ ଆଶ୍ରମରୁ ତୁମେ ଯୋଉଦିନ ମୋର ଛୋଟିଆ ଆଶ୍ରମରେ ପାଦ ଦେଲ,ଘରଟେ ପାଇଲ । ହେଲେ ମୁଁ କଣ ଭୁଲ୍ କଲି ଯେ ଶେଷରେ ମତେ ଅନାଥ କରି ପଳେଇଲ?ତୁମ ପୁଅ କଣ ଖାଲି ତୁମ ପ୍ରାଣ ଥିଲା!ମୋର ନ ଥିଲା କି?ତା ପରେ ତ ମୁଁ ବଞ୍ଚିଥିଲି,ଖାସ୍ ତୁମ ଆଖିକି ଚାହିଁ,ହେଲେ ବଞ୍ଚି ଥାଉ ଥାଉ ମୋ କଲିଜାକୁ ମୋ ଦେହରୁ କାଢ଼ିନେଇଗଲ । ୟାକୁ କଣ ଜୀବନ କୁହାଯାଇପାରେ । ଏମିତି କେମିତି ତୁମେ ଭାବିନେଲ ମୁଁ ଏକା ବଞ୍ଚିଯିବି,ତୁମପରି ଅନାଥ ହେଇ । ଉତ୍ତର ଦିଅ ସୁମି?ସୁମି!ମହମବତୀଟା ଶେଷ ସୁଦ୍ଧା ଲଢେଇ କରି କରି ପବନ ଆଗରେ ହାର ମାନିଗଲା । ବୋଧେ ନିଃଶ୍ଵାସର ପ୍ରାଣବାୟୁଟା ତା ଦେହରେ ବାଜିଗଲା ଆଉ ସେ ଧପ୍ କରି ଲିଭିଗଲା ।


ସକାଳର ତାଜା ଖବର । ସବା ଉପର ପୃଷ୍ଠାର କୋଳ ମଣ୍ଡନ କରିଛି  । ଗୋଟେ ଦୁଃଖଦ ଘଟଣାର ଖବରଟା ସମ୍ପୂର୍ଣ୍ଣ ଅକ୍ତିଆର କରିନେଇଛି ପ୍ରଥମ ପୃଷ୍ଠାକୁ ।  ଅବସର ପ୍ରାପ୍ତ ପ୍ରଫେସର ରମାକାନ୍ତ ପଟ୍ଟନାୟକଙ୍କ ଘରୁ ଦୁଇଟି ଶବ ମିଳିଛି । ପ୍ରଫେସର ପଟ୍ଟନାୟକଙ୍କ ମୃତ୍ୟୁ ହୃଦ୍ ଘାତରେ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଷମା ଦେବୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସକାଳର ସୂର୍ଯ୍ୟ ବାଦଲ ଫାଙ୍କରୁ ଝାଉଁଳି ପଡିଥିଲା କାଗଜ ଉପରେ ଆଉ ତା ପରେ ପୁଣି ଅସରାଏ ବର୍ଷା!



Rate this content
Log in

Similar oriya story from Tragedy